ବିଭିନ୍ନ ରୋଗର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆମେ ସାଧାରଣତଃ ଆଣ୍ଟିବାୟୋଟିକ୍ ଖାଇଥାଉ। ତେବେ ଆଣ୍ଟିବାୟୋଟିକ୍ର ଲଗାତାର ସେବନ ଫଳରେ ସଂକ୍ରମଣକାରୀ ବୀଜାଣୁଗୁଡ଼ିକ ଧୀରେ ଧୀରେ ସଂପୃକ୍ତ ଔଷଧ ପ୍ରତି ସହନଶୀଳ ହୋଇଯାଆନ୍ତି। ସେଭଳି ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ‘ସୁପରବଗ୍’ଗୁଡ଼ିକ ସମ୍ପ୍ରତି ବିଶ୍ବବାସୀଙ୍କ ସ୍ବାସ୍ଥ୍ୟ ପ୍ରତି ଏକ ବିରାଟ ଆହ୍ବାନ ଭାବେ ଉଭା ହୋଇଛନ୍ତି। ଏହି ସୁପରବଗ୍ଗୁଡ଼ିକ ଏକ ଅସ୍ବାଭାବିକ ବାହକ ଦ୍ବାରା ଆମ ଶରୀରକୁ ବିସ୍ତାର କରୁଥିବା ଗବେଷକମାନେ ଜାଣିପାରିଛନ୍ତି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଅନୁଧ୍ୟାନ ଅନୁଯାୟୀ ଆମ ସହରଗୁଡ଼ିକରେ ଥିବା ପକ୍ଷୀମାନେ ଏଥିପାଇଁ ବିଶେଷ ଭାବେ ଦାୟୀ।
ସହରୀ ପକ୍ଷୀମାନେ ଆମର ଆବର୍ଜନା ଓ ନର୍ଦ୍ଦମାରୁ ବିପଜ୍ଜନକ ସୁପରବଗ୍ମାନଙ୍କୁ ଆହରଣ କରୁଛନ୍ତି ଏବଂ ସେମାନେ ସହର ବାସିନ୍ଦାଙ୍କ ସହିତ ନିୟମିତ ନିକଟତର ହେଉଥିବାରୁ ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ବୀଜାଣୁ ଲୋକଙ୍କ ଶରୀରରେ ପ୍ରବେଶ କରି ବ୍ୟାପିବାର ଆଶଙ୍କା ରହିଛି। ଏହି ଗବେଷକମାନେ ୟୁନାଇଟେଡ୍ କିଙ୍ଗଡମ୍, ଆମେରିକା, କାନାଡା, ଜାପାନ, ଫିନ୍ଲାଣ୍ଡ୍, ଇଟାଲି, ଲିଥୁଆନିଆ ଓ ସ୍ବିଡେନ୍ ଆଦି ୮ଟି ଦେଶରୁ ୩୦ ପ୍ରଜାତିର ପକ୍ଷୀଙ୍କ ପାକସ୍ଥଳୀରୁ ୭୦୦ ପ୍ରକାରର ବୀଜାଣୁ ନମୁନାକୁ ଅନୁଧ୍ୟାନ କରି ଏପରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଜଙ୍ଗଲ ବା ଗ୍ରାମାଞ୍ଚଳରେ ରହୁଥିବା କାଉ, ହଂସ ଓ ଗଲ୍ ପରି ପକ୍ଷୀଙ୍କ ତୁଳନାରେ ଜନବସତି ନିକଟରେ ରହୁଥିବା ଏହି ସବୁ ପକ୍ଷୀଙ୍କ ଠାରେ ତିନିଗୁଣା ଅଧିକ ଆଣ୍ଟିମାଇକ୍ରୋବାୟାଲ୍ ପ୍ରତିରୋଧୀ ଜିନ୍ ରହିଥିବା ଜାଣିବାକୁ ମିଳିଛି। ସେଗୁଡ଼ିକ ମଧ୍ୟରେ ଫ୍ଳୁରୋକ୍ବିନୋଲୋନ୍ସ ଓ ବିଟା-ଲାକ୍ଟାମସ୍ ପରି ମନୁଷ୍ୟ ବ୍ୟବହାର କରୁଥିବା ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ଜିନ୍ ରହିଛି। ଆମ ପିଢ଼ି ପାଇଁ ସଂପୃକ୍ତ ସୁପରବଗ୍ମାନଙ୍କର ଏଭଳି ଆଣ୍ଟିବାୟୋଟିକ୍ ପ୍ରତିରୋଧକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ବୈଶ୍ବିକ ସ୍ବାସ୍ଥ୍ୟ ସଂକଟ ଭାବେ ଅଭିହିତ କରିଛି।
ସୂଚନାଯୋଗ୍ୟ, ଏହି ସୁପରବଗ୍ମାନଙ୍କର ପ୍ରାଦୁର୍ଭାବର ସିଧାସଳଖ ପ୍ରଭାବ ସ୍ବରୂପ ପ୍ରତିବର୍ଷ ପୃଥିବୀରେ ୧୨.୭ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି। ସେମାନଙ୍କ ଭିତରୁ ପ୍ରତି ପାଞ୍ଚ ଜଣରେ ଜଣେ ହେଉଛନ୍ତି ପାଞ୍ଚ ବର୍ଷରୁ କମ୍ ବୟସର। ନିମ୍ନ ଓ ମଧ୍ୟ ଆୟବର୍ଗର ଦେଶମାନେ ଅଧିକ ଭାବେ ଏହି ସୁପରବଗ୍ମାନଙ୍କର ଶିକାର ହେଉଥିବା ବେଳେ ଅଷ୍ଟ୍ରେଲିଆ ପରି ଉନ୍ନତ ଦେଶରେ ମଧ୍ୟ ୨୦୧୯ ମସିହାରେ ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ବୀଜାଣୁ କାରଣରୁ ୧,୬୦୦ ଜଣଙ୍କର ପ୍ରାଣ ଯାଇଥିବା ସୂଚନା ରହିଛି।