ଜନସଂଖ୍ୟା ବୃଦ୍ଧି
୨୦୧୧ ଜନଗଣନା ଅନୁସାରେ ଭାରତର ୭,୯୩୫ଟି ଛୋଟବଡ଼ ସହରରେ ସହରୀ ଜନସଂଖ୍ୟା ମୋଟ ଜନସଂଖ୍ୟାର ୩୪ ପ୍ରତିଶତ ଥିଲା। ଏହା ୨୦୩୦ ସୁଦ୍ଧା ୪୦ ପ୍ରତିଶତକୁ ଡେଇଁବ ଏବଂ ୨୦୫୦ ବେଳକୁ ୫୦ ପ୍ରତିଶତକୁ ଛୁଇଁବ ବୋଲି ୨୦୧୮ର ବିଶ୍ବ ସହରୀକରଣ ସମ୍ଭାବନା ରିପୋର୍ଟରେ ପ୍ରକାଶ ପାଇଥିଲା। ଭାରତରେ ସହରୀକରଣର ବେଗ ମନ୍ଥର ହେଲେ ମଧ୍ୟ ତାହା ଏବେ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଫଳତଃ ବେଶି ଲୋକ ସହରାଞ୍ଚଳରେ ଯାଇ ରହିବା ଫଳରେ ସହରାଞ୍ଚଳରେ ଜଳର ବ୍ୟବହାର ବୃଦ୍ଧି ପାଇବ। ଜୀବନଧାରଣର ମାନ ବୃଦ୍ଧି ସହ ମୁଣ୍ଡପିଛା ଜଳର ବ୍ୟବହାର ମଧ୍ୟ ବୃଦ୍ଧି ପାଇବ।
Sambad is now on WhatsApp
Join and get latest news updates delivered to you via WhatsApp
ସହରୀ ଜଳପରିଚାଳନା ବକ୍ରପଥ
ପ୍ରାରମ୍ଭିକ ଅବସ୍ଥାରେ ସହର ଛୋଟ ଥିବାବେଳେ କେବଳ ଜଳଯୋଗାଣ ଚିନ୍ତା ଥାଏ ଏବଂ ସ୍ଥାନୀୟ ଭାବରେ ମୁଖ୍ୟତଃ ଭୂତଳ ଜଳ ହିଁ ଆବଶ୍ୟକତା ପୂରଣ କରିଥାଏ। ସହର ବଢ଼ିବା ସଂଗେସଂଗେ ଜଳପରିଚାଳନା ଭିତ୍ତିଭୂମିର ବିକାଶ ଘଟେ ଏବଂ ଭୂତଳ ଜଳରୁ ଭୂପୃଷ୍ଠ ଜଳ ଉପରକୁ ନଜର ଯାଏ। ସହର ଯେତେବେଳେ ଆହୁରି ବଢ଼େ ଆଖପାଖ ଅନୁନ୍ନତ ଅଞ୍ଚଳ ବା ଗ୍ରାମାଞ୍ଚଳରୁ ଜଳ ଟଣାଯାଏ। ଏପରିକି ସହରର ପାନୀୟ ଜଳ ଅଭାବ ପୂରଣ ପାଇଁ ଜଳସେଚନ ଲାଗି ବ୍ୟବହାର ହେଉଥିବା ପାଣିକୁ ବି ବ୍ୟବହାର କରାଯାଏ। ଭାରତର ସବୁ ବଡ଼ ବଡ଼ ସହରରେ ଏହି ଧାରା ଦେଖିବାକୁ ମିଳିଛି। ଏପରି କି ସହରାଞ୍ଚଳ ଜଳଯୋଗାଣ ଏବେ ଆନ୍ତଃବେସିନ ଓ ଆନ୍ତଃରାଜ୍ୟ ଜଳ ଆବଣ୍ଟନର ବିଷୟ ହୋଇଛି।
ବିବାଦର ବିପଦ
ଜଳର ଉତ୍ସ ଭୂତଳ ବା ଭୂପୃଷ୍ଠ ଯାହା ବି ହେଉନା କାହିଁକି ସହରଗୁଡ଼ିକ ଏବେ ଜଳଯୋଗାଣ ପାଇଁ ମୁଖ୍ୟତଃ ଗ୍ରାମାଞ୍ଚଳ ଉପରେ ନିର୍ଭର କରୁଛନ୍ତି। ଏହାଦ୍ବାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ବିବାଦ ବଢ଼ିବାର ଆଶଙ୍କା ଦେଖାଦେଇଛି। ନାଗପୁର ଓ ଚେନ୍ନାଇକୁ ନେଇ କରାଯାଇଥିବା ଅଧ୍ୟୟନ ଅନୁସାରେ ସେଠାରେ ନିକଟ ଭବିଷ୍ୟତରେ ଜଳଯୋଗାଣକୁ ନେଇ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ବିବାଦ ଦେଖାଦେବାର ସମ୍ଭାବନା ଉପୁଜିଛି।
୧୯୮୦ ଦଶକରେ ଅହମଦାବାଦରେ ଭୂତଳ ଜଳ ଉତ୍ସରୁ ହିଁ ଜଳର ଅଭାବ ପୂରଣ କରାଯାଉଥିଲା। ଭୂତଳ ଜଳର ଗଭୀରତା ୬୭ ମିଟର ଯାଏ ଥିଲା। ଆଉ ଆଜି ଜଳଯୋଗାଣ ପାଇଁ ନର୍ମଦା କେନାଲ ଉପରେ ନିର୍ଭର କରାଯାଉଛି। ଫଳତଃ ଭୂତଳ ଜଳରୁ ଆନ୍ତଃରାଜ୍ୟ ଓ ଆନ୍ତଃବେସିନ ଜଳ ଯୋଗାଣ ଉପରକୁ ନିର୍ଭରତା ଚାଲିଗଲା।
ଭୂପୃଷ୍ଠ ଜଳ ଉପରେ ନିର୍ଭରତା ବଢ଼ିବାରୁ ବର୍ତ୍ତମାନ କୃଷିଜଳ ପାନୀୟ ଜଳରେ ପରିଣତ ହେବାକୁ ବସିଲାଣି। ଫଳରେ କୃଷିକ୍ଷେତଗୁଡ଼ିକ ଜଳ ଅଭାବର ସମ୍ମୁଖୀନ ହେଲେଣି। ସହରାଞ୍ଚଳରେ ବ୍ୟବହୃତ ଜଳଗୁଡ଼ିକ ପୁନଃବ୍ୟବହାର-ଅଯୋଗ୍ୟ ଗ୍ରେ ୱାଟର ବା ପ୍ରଦୂଷିତ ଜଳରେ ପରିଣତ ହେଉଛି। ବର୍ତ୍ତମାନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ସମନ୍ବୟ ରକ୍ଷା କରି ଜଳର ସୁଷ୍ଠୁ ପରିଚାଳନା କରିବା ପ୍ରଶାସନ ପାଇଁ ଏକ ଆହ୍ବାନର ବିଷୟ ହୋଇଛି।