କିଛି ଦିନ ତଳେ ଇଲେକ୍ଟ୍ରୋନିକ୍‌ ଯନ୍ତ୍ରାଂଶର ବାହ୍ୟ ସଂଯୋଗକାରୀ କେବୁଲ୍‌ ‘ୟୁଏସ୍‌ବି୪’ ଆତ୍ମପ୍ରକାଶ କରିଥିଲା ଯାହା ସେକେଣ୍ଡ୍‌କୁ ୪୦ ଗିଗାବିଟ୍‌ ବେଗରେ ତଥ୍ୟ ପ୍ରେରଣ କରିବାକୁ ସକ୍ଷମ। ତେବେ ଅନ୍ୟତମ କେବୁଲ୍‌ ନିର୍ମାତା କମ୍ପାନି ‘ଏଣ୍ଟର ଏଲିକମ୍‌’ ପକ୍ଷରୁ ଆହୁରି ତୀବ୍ର ବେଗରେ ତଥ୍ୟପ୍ରେରଣ ପାଇଁ ଏକ ନୂତନ ୟୁଏସ୍‌ବି କେବୁଲ୍‌ ବଜାରକୁ ଛାଡ଼ିବାର ଯୋଜନା ରହିଛି। ‘ୟୁଏସ୍‌ବି୪- ୨.୦’ ନାମକ ଏହି କେବୁଲ୍‌ ସେକେଣ୍ଡ୍‌କୁ ପୂର୍ବର ଦୁଇଗୁଣ ଅର୍ଥାତ୍‌ ୮୦ ଗିଗାବିଟ୍‌ ତଥ୍ୟ ପ୍ରେରଣ କରିପାରିବ ବୋଲି କମ୍ପାନି ଦାବି କରିଛି। ଏହା ବିଶ୍ବର ଦ୍ରୁତତମ ୟୁଏସ୍‌ବି କେବୁଲ୍‌ ହେବ। 

Advertisment

ଆଗାମୀ ଡିସେମ୍ବର ମାସରେ ଦୁଇଟି ସଂସ୍କରଣରେ ‘ୟୁଏସ୍‌ବି୪-୨.୦’ ବଜାରକୁ ଆସିବ। ସେଥି ମଧ୍ୟରୁ ଗୋଟିଏ କେବୁଲ୍‌ର ଚାର୍ଜିଂ କ୍ଷମତା ୬୦ ଵାଟ୍‌ ଥିବାବେଳେ ଅନ୍ୟଟି ୨୪୦ ଵାଟ୍‌ ଚାର୍ଜିଂ କରିପାରିବ। ଏଥି ସହିତ ଏହି କେବୁଲ୍‌ ସାହାଯ୍ୟରେ ୬୦ ହର୍ଜର ୮କେ ଡିସ୍‌ପ୍ଲେ ସଂଯୋଗ ସମ୍ଭବ। ବିଶେଷ କରି ଏହାର ଦ୍ବିତୀୟ ସଂସ୍କରଣଟି ଆଇଫୋନ୍‌ ଓ ଆଣ୍ଡ୍ରଏଡ୍‌ ଫୋନ୍‌ ଆଦିର ଚାର୍ଜିଂରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହି ଦ୍ରୁତତମ କେବୁଲ୍‌ କେବଳ ଜାପାନ ବଜାରରେ ସୀମିତ ରହିବ ବୋଲି ସୂଚନା ମିଳିଛି। ତେବେ ଏଭଳି କେବୁଲ୍‌ର ଉପାଦେୟତା ତଥା ଗ୍ରାହକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅନ୍ୟ କମ୍ପାନିମାନେ ଅନୁରୂପ କେବୁଲ୍‌ ଛାଡ଼ିବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଏହି ଜ୍ଞାନକୌଶଳକୁ ମୂଳତଃ ୨୦୨୨ ମସିହାରେ ଘୋଷଣା କରାଯାଇଥିଲା। ମାତ୍ର ସେଥିପାଇଁ ଉପଯୁକ୍ତ ମଦରବୋର୍ଡ ଆବଶ୍ୟକ ହୋଇଥିବାରୁ ତାହାର ଲୋକାର୍ପଣ ବିଳମ୍ବିତ ହୋଇଚାଲିଛି। ତେବେ ମାଇକ୍ରୋସଫ୍‌ଟ କମ୍ପାନି ପକ୍ଷରୁ ତାହାର ଵିଣ୍ଡୋଜ୍‌ ୧୧ ସଫ୍‌ଟୱେର୍‌କୁ ‘ୟୁଏସ୍‌ବି୪-୨.୦’ ପ୍ରଯୁକ୍ତିଯୁକ୍ତ କରାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି।