ଭାରତର ‘ସାଇକ୍ଲୋନ୍ ମ୍ୟାନ୍’ ଭାବେ ତାଙ୍କୁ ସମସ୍ତେ ଜାଣନ୍ତି। ପାଣିପାଗ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅଗାଧ ଜ୍ଞାନ, ପ୍ରାକ୍ ଆକଳନ ଓ ସଠିକ ସୂଚନା ଅନେକ ଧନଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛି। ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ବା ଦୁର୍ବିପାକର ସମ୍ଭାବନା ଉପୁଜେ, ଠିକ ସେତିକିବେଳେ ତାଙ୍କ ବୈଜ୍ଞାନିକସମ୍ମତ ଅନୁଶୀଳନକୁ ସାରା ଦେଶବାସୀ, ଏମିତିକି ସରକାର ଗୁରୁତ୍ବର ସହ ଚାହିଁ ରହିଥାନ୍ତି। ଭାରତବର୍ଷରେ ସଂଘଟିତ ବିଭିନ୍ନ ସାମୁଦ୍ରିକ ଝଡ଼ବାତ୍ୟାର ନିର୍ଭୁଲ ଆକଳନ ଓ ସୂଚନା ପାଇଁ ‘ସାଇକ୍ଲୋନ୍ ମ୍ୟାନ୍’ ଭାବେ ପ୍ରସିଦ୍ଧି ଲାଭ କରିଥିବା ଏହି ଓଡ଼ିଆ ପୁଅ ତଥା ଆଇଏମ୍ଡିର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ବାଲେଶ୍ବର ଆସିଥିବାବେଳେ ତାଙ୍କୁ ଭେଟିଥିଲେ ‘ସମ୍ବାଦ’ ସହର ପ୍ରତିନିଧି କବିତା ପାତ୍ର।
ଅନ୍ୟ ଜିଲ୍ଲାର ପାଣିପାଗ ଅପେକ୍ଷା ବାଲେଶ୍ବର ଜିଲ୍ଲାର ପାଣିପାଗରେ କିଛି ବ୍ୟତିକ୍ରମ ବା ସ୍ବତନ୍ତ୍ରତା ଆପଣ ଲକ୍ଷ୍ୟ କରିଛନ୍ତି କି?
ନିଶ୍ଚିତ ଭାବରେ। ବାଲେଶ୍ବର ହେଉଛି ଏକ ଉପକୂଳବର୍ତ୍ତୀ ଦୁର୍ବିପାକପ୍ରବଣ ଜିଲ୍ଲା। ସାଧାରଣତଃ ଯେଉଁ ମୌସୁମୀ ଆସିଥାଏ, ତାହା ଆହ୍ଲାବାଦ ଓ କଲିକତା ଦେଇଯିବା ହେତୁ ବାଲେଶ୍ବର ଜିଲ୍ଲାରେ ଅଧିକ ବର୍ଷା ହୋଇଥାଏ। ଏପ୍ରିଲ୍ ଓ ମେ ମାସରେ ଅଧିକ ଗରମ ହୁଏ। ପାଣିପାଗରେ ମଧ୍ୟ ଅସନ୍ତୁଳନ ଦେଖିବାକୁ ମିଳିଥାଏ।
ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ସାମଦ୍ରିକ ଝଡ଼ବାତ୍ୟା ବାଲେଶ୍ବରକୁ ପ୍ରାୟ ସମୟରେ ପ୍ରଭାବିତ କରୁଛି। କାରଣ କ’ଣ?
ବଙ୍ଗୋପସାଗର ପାଖରେ ବାଲେଶ୍ବର ଜିଲ୍ଲାର ଅବସ୍ଥିତି। ସମୁଦ୍ର ପାଖରେ ଥିବାରୁ ଝଡ଼ବାତ୍ୟାର ଅଧିକ ପ୍ରଭାବ ରହିବା ସ୍ବାଭାବିକ। ଏଠାକାର ଉପକୂଳ ଅଞ୍ଚଳ ବହୁତ ଢାଲୁ। ଯାହାଫଳରେ ଝଡ଼ବାତ୍ୟା ଏହି ଅଞ୍ଚଳ ଦେଇ ଅତିକ୍ରମ କଲେ କିମ୍ବା ସ୍ଥଳଭାଗ ଛୁଇଁଲେ ସାମୁଦ୍ରିକ ଜୁଆର ମାଡ଼ିଆସି ଧନଜୀବନ ପ୍ରଭାବିତ କରିଥାଏ।
ପ୍ରାକ୍ ଆକଳନ ଓ ସୂଚନା ଅଭାବରୁ ୯୯ ମହାବାତ୍ୟାରେ ହଜାର ହଜାର ଲୋକ ପ୍ରାଣ ହରାଇଲେ। ଶହ ଶହ କୋଟି ଟଙ୍କାର କ୍ଷୟକ୍ଷତି ହେଲା। ଜଣେ ପାଣିପାଗ ବିଶେଷଜ୍ଞ ଭାବେ ଏ କଥା ଆପଣଙ୍କୁ କେବେ ପ୍ରଭାବିତ କରିଛି?
୯୯ଠାରୁ ୧୯୭୧ ମସିହାର ବାତ୍ୟା ଆହୁରି ଭୟଙ୍କର ଥିଲା। ଗାଁ’ରେ ଥିବା ସମୟରେ ବାତ୍ୟାର କରାଳ ରୂପକୁ ପାଖରୁ ଦେଖିଥିଲି। ଏହି ପ୍ରଳୟଙ୍କରୀ ବାତ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିଲା। ବହୁ ଲୋକ ପ୍ରାଣ ହରାଇବା ସହ ଧନଜୀବନ ଉଜୁଡ଼ି ଯାଇଥିଲା। ଚଳିବା ମୁସ୍କିଲ ହୋଇଯାଇଥିଲା। ବାପା ଘର ଛାଡ଼ି କଲିକତା ପଳାଇ ଯାଇଥିଲେ। ୧୯୯୯ ମସିହାରେ ମୁଁ ପାଣିପାଗ ବିଭାଗରେ ଚାକିରି କଲି। ସେତେବେଳେ ଜ୍ଞାନକୌଶଳର ଏତେଟା ବିକାଶ ହୋଇନଥିଲା। ତଥାପି ୨୪ ଘଣ୍ଟା ଆଗରୁ ଆମେ ପୂର୍ବାନୁମାନ କରି ଲୋକଙ୍କୁ ଜଣାଇ ପାରିଥିଲୁ। ହେଲେ ଠିକ୍ ଭାବେ ସୂଚନା ଦେବା ସମ୍ଭବପର ନଥିଲା। ଏହା ଆମ ପାଇଁ ଥିଲା ଗୋଟିଏ ବଡ଼ ଚ୍ୟାଲେଞ୍ଜ। ଏହାକୁ ଗୋଟିଏ ସୁଯୋଗ ଭାବି ବାତ୍ୟାର ସଠିକ୍ ପୂର୍ବାନୁମାନ ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ବାତ୍ୟା ସଂପର୍କିତ ସୂଚନା ପ୍ରଣାଳୀକୁ ବିକଶିତ କରାଗଲା। ଯାହାଦ୍ବାରା ଆଜି ଝଡ଼ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଠିକ ସୂଚନା ଦିଆଯାଇପାରୁଛି। ଲୋକଙ୍କ ଜୀବନ ଆଜି ସୁରକ୍ଷିତ ହୋଇପାରୁଛି। କହିବାକୁ ଗଲେ ୧୯୭୧ ଓ ୧୯୯୯ ମସିହା ବାତ୍ୟା ପାଣିପାଗ ବିଜ୍ଞାନକୁ ନୂଆ ଦିଶା ଦେବାରେ ପଥପ୍ରଦର୍ଶକ ହୋଇଛି।
ବାଲେଶ୍ବରରେ ରାଜ୍ୟର ପ୍ରଥମ ପାଣିପାଗ ପରିବର୍ତ୍ତନ ଓ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି। ଏହାର ଗୁରୁତ୍ବ କେତେ ରହିବ?
ବାଲେଶ୍ବର ଜିଲ୍ଲା ଏକ ବାତ୍ୟାପ୍ରବଣ ଜିଲ୍ଲା ହୋଇଥିବାରୁ ପାଣିପାଗ ପରିବର୍ତ୍ତନ ଓ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରର ଗୁରୁତ୍ବ ରହିବ। ଆଗାମୀ ଦିନରେ ବାଲେଶ୍ବର ସହ ସମ୍ବଲପୁରରେ ଅତ୍ୟାଧୁନିକ ଡପ୍ଲାର ରାଡାର୍ ପ୍ରତିଷ୍ଠା ହେବ। ଏହି ଦୁଇ ପ୍ରକଳ୍ପ ବାତ୍ୟା ସଂପର୍କରେ ସଠିକ୍ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
ପ୍ରାକୃତିକ ଦୁର୍ବିପାକ ଓ ମଣିଷର ପ୍ରକୃତି ବିରୋଧୀ କାର୍ଯ୍ୟକଳାପ। ଏ ଦୁଇଟି ପ୍ରସଙ୍ଗକୁ ଆପଣ କେମିତି ଦେଖନ୍ତି?
ପ୍ରାକୃତିକ ଦୁର୍ବିପାକ ପୂର୍ବରୁ ହେଉଥିଲା, ଆଗକୁ ବି ହେବ। ଜଳବାୟୁ ପରିବର୍ତ୍ତନ ହେତୁ ପ୍ରାକୃତିକ ଦୁର୍ବିପାକର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହା ବିରୋଧରେ ଲଢ଼ିବାକୁ ହେଲେ ସୂଚନା ପ୍ରଯୁକ୍ତି ଓ ବୈଷୟିକ ଜ୍ଞାନକୌଶଳର ବିକାଶ ହେବା ଜରୁରୀ। ବାତ୍ୟାରେ ମୃତ୍ୟୁସଂଖ୍ୟା ରୋକା ଯାଇପାରୁଛି, ହେଲେ ଧନସମ୍ପତ୍ତି ନଷ୍ଟକୁ ରୋକି ହେଉନାହିଁ। ତେବେ ପ୍ରକୃତି ସହ ସନ୍ତୁଳନ ରକ୍ଷା ପାଇଁ ଆମେ ସଭିଁଏ ଯତ୍ନବାନ ହେବା ଆବଶ୍ୟକ।
ପ୍ରକୃତିର ବନ୍ଧୁ ହେବା ପାଇଁ ଆପଣଙ୍କ ମତରେ ତିନୋଟି ଉପାୟ?
ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ଆମେ ସବୁଜ ଜ୍ଞାନକୌଶଳକୁ ବ୍ୟବହାର କରିବା ଆବଶ୍ୟକ।
ଯେଉଁ ଛାତ୍ରମାନେ ପାଣିପାଗ ବିଷୟକୁ ନେଇ କ୍ୟାରିୟର୍ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ କି ପରାମର୍ଶ ଦେବେ?
ପାଣିପାଗ ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ। ତେଣୁ ପାଣିପାଗ ବିଷୟରେ ପାଠପଢ଼ି ଏହାକୁ କ୍ୟାରିୟର ଭାବେ ଗ୍ରହଣ କରିହେବ। ଏଥି ପାଇଁ ଦେଶ ଓ ଦେଶ ବାହାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି।
ଭଦ୍ରକରୁ ଆଇଏମ୍ଡିର ମହାନିର୍ଦ୍ଦେଶକ ହେବାର ଯାତ୍ରା କେମିତି ଥିଲା?
ମୋତେ ଯେତେବେଳେ ୫ ବର୍ଷ, ଠିକ୍ ସେତିକିବେଳେ ୧୯୭୧ ମସିହାର ଭୀଷଣ ବାତ୍ୟାକୁ ସାମ୍ନା କରିଥିଲି। ବାପା ଚାଷୀ ଥିଲେ। ବାତ୍ୟା ଆମ ଅଞ୍ଚଳରେ ସବୁକିଛି ଉଜାଡ଼ି ଦେଇଥିଲା। ଏହି ଅନୁଭୂତି ବୋଧେ ମୋତେ ଆଜି ଏଠାରେ ପହଞ୍ଚାଇପାରିଛି। ଗାଁରେ ସ୍କୁଲ ନଥିଲା। ଚାଟଶାଳିରେ ପାଠ ପଢ଼ିଛି। ଭଦ୍ରକ କଲେଜରେ ପଢ଼ିବା ପରେ ମୁଁ ଇଞ୍ଜିନୟରିଂ ଓ ଡାକ୍ତରୀ ଲାଇନ୍ରେ ଯିବାକୁ ଚାହୁଁଥିଲି। କିନ୍ତୁ ଡାକ୍ତରୀ ପଢ଼ିବା ପାଇଁ ଟଙ୍କା ନଥିଲା। ତେଣୁ ଇଞ୍ଜିନୟରିଂ ପଢ଼ିବା ପାଇଁ ବାପାଙ୍କୁ କହିଲି। ପରେ ପଦାର୍ଥବିଜ୍ଞାନରେ ସ୍ନାତକ, ସ୍ନାତକୋତ୍ତର ପରେ ମତେ ଡିଆର୍ଡିଓରେ ଚାକିରି ସୁଯୋଗ ମିଳିଲା। କିଛିଦିନ କାମ କରିବା ପରେ ଜଳେଶ୍ବର ଡିକେ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଲି। ଆଉ ୧୯୯୨ ମସିହାରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ରେ ବୈଜ୍ଞାନିକ ଭାବେ ଯୋଗ ଦେଲି।