ନବାସୀମାନଙ୍କ ଆୟ ଉପାର୍ଜନରେ କେନ୍ଦୁପତ୍ରର ଯୋଗଦାନ ଅଧିକ। ଖାସ୍‌ ଏଇଥିପାଇଁ କେନ୍ଦୁପତ୍ରକୁ ଲୋକେ ସବୁଜ ହୀରା କହିଥା’ନ୍ତି। ଏହି ପତ୍ରର ସଂଗ୍ରହ, ପ୍ରକ୍ରିୟାକରଣ କାର୍ଯ୍ୟରେ ଦେଶର ୧୫ ଲକ୍ଷ ପରିବାର ଜଡ଼ିତ ଥିବାବେଳେ ଆମ ରାଜ୍ୟର ବଲାଙ୍ଗୀର, କଳାହାଣ୍ଡି, ଦେବଗଡ଼, କନ୍ଧମାଳ, ନୂଆପଡ଼ା ଆଦି ଜିଲ୍ଲାରେ ଲକ୍ଷାଧିକ ଲୋକଙ୍କ ଜୀବନ ଓ ଜୀବିକା କ୍ଷେତ୍ରରେ କେନ୍ଦୁପତ୍ରର ଯଥେଷ୍ଟ ଗୁରୁତ୍ୱ ରହିଛି।
ଦେଶରେ ହେଉଥିବା ମୋଟ କେନ୍ଦୁପତ୍ର ଉତ୍ପାଦନ ମଧ୍ୟରୁ ୫୮ ପ୍ରତିଶତ ମଧ୍ୟପ୍ରଦେଶରୁ ସଂଗ୍ରହ ହେଉଥିବା ବେଳେ ଓଡ଼ିଶାରୁ ୧୨-୧୪ ପ୍ରତିଶତ ପତ୍ର ସଂଗ୍ରହ ହୋଇଥାଏ। ଛତିଶଗଡ଼ ଏବଂ ମହାରାଷ୍ଟ୍ରରୁ ମଧ୍ୟ ବେଶ୍‌ କିଛି ଆଖିଦୃଶିଆ ପରିମାଣର କେନ୍ଦୁପତ୍ର ସଂଗ୍ରହ ହୋଇଥାଏ। ୨୦୧୨ରେ ଆମ ରାଜ୍ୟରୁ ୪.୨୫ ଲକ୍ଷ କ୍ୟୁଣ୍ଟାଲ କେନ୍ଦୁପତ୍ର ସଂଗ୍ରହ ହୋଇଥିବା ବେଳେ ୨୦୧୬ ବର୍ଷରେ ଏହି ପରିମାଣ ୩.୨୭ ଲକ୍ଷ ଟନ୍‌ କ୍ୟୁଣ୍ଟାଲ୍‌ ହୋଇଥିବା ଜଣାଯାଇଛି। ବନବାସୀମାନେ ସଂଗ୍ରହ କରୁଥିବା ସମସ୍ତ ବନଜାତ ଦ୍ରବ୍ୟଗୁଡ଼ିକ ମଧ୍ୟରୁ କେନ୍ଦୁପତ୍ରରୁ ଅଧିକ ଲାଭ ମିଳିଥାଏ। କୋଟି କୋଟି ଟଙ୍କାର ରାଜସ୍ୱ କେନ୍ଦୁପତ୍ରରୁ ମିଳୁଥିବା ଦୃଷ୍ଟିରୁ ଓଡ଼ିଶା ସରକାର କେନ୍ଦୁପତ୍ର ଉପରେ ଲୋକଙ୍କୁ ସଂଗ୍ରହ, ଗଚ୍ଛିତ, ପ୍ରକ୍ରିୟା ଓ ବିକ୍ରି ପାଇଁ କୌଣସି ଅଧିକାର ପ୍ରଦାନ କରିନାହାନ୍ତି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ୨୦ଟି କେନ୍ଦୁପତ୍ରର ଦର ୨ରୁ ୪ ଟଙ୍କା ଯାଏଁ ଥିଲାବେଳେ ଓଡ଼ିଶା ସରକାର ୨୦ଟି ପତ୍ରକୁ ମାତ୍ର ୮୦ ପଇସା ଦରରେ କିଣୁଛନ୍ତି। ପତ୍ରତୋଳାଳିଙ୍କ ପାଇଁ ରାଜ୍ୟ ସରକାର ଯେଉଁ ବୀମା ଯୋଜନା, ଛାତ୍ର ବୃତ୍ତି ଯୋଜନା, ଜୋତା, କମ୍ବଳ, ପାଣି ବୋତଲ ସହାୟତା ଦେଉଛନ୍ତି ତାହା ପତ୍ର ତୋଳୁଥିବା ସବୁ ପରିବାର ପାଇନାହାନ୍ତି। ତେଣୁ ପତ୍ରତୋଳାଳିମାନେ ସରକାରଙ୍କୁ ନ ବିକି ଘରୋଇ କମ୍ପାନି ଓ ବ୍ୟବସାୟିକ ବିକ୍ରି କରିବାର ଅଧିକାର ଦେବାକୁ ଦାବି ଉଠାଇ ଆସିଛନ୍ତି।
ବର୍ଷେ ପତ୍ର ବିକି ୧୨ ଲକ୍ଷ ଲାଭ
କେନ୍ଦୁପତ୍ର ଉପରେ ଅଧିକାର ଦାବି କରିବା ପରେ ରାଜ୍ୟ ସରକାର ପରୀକ୍ଷାମୂଳକ ଭାବେ ୨୦୧୩ ଗୋଟିଏ ବର୍ଷ ପାଇଁ ନବରଙ୍ଗପୁର ଜିଲ୍ଲାର ଗ୍ରାମସଭାମାନଙ୍କୁ କେନ୍ଦୁପତ୍ର ବିକ୍ରି କରିବା ପାଇଁ ଟ୍ରାଞ୍ଜିଟ୍‌ ପର୍‌ମିଟ୍‌ ଦେଇଥିଲେ। ସେହି ବର୍ଷ ନରିଗାଁ ପଲ୍ଲୀସଭା ୩ ଲକ୍ଷ ୭୦ ହଜାର ବେରି (ଗୋଟିଏ ବେରିରେ ୪୦ଟି ପତ୍ର) କେନ୍ଦୁପତ୍ର ୪ ଲକ୍ଷ ୪୪ ହଜାର ଟଙ୍କାରେ କିଣିଥିଲେ। ତୋଳାଳିମାନେ ପ୍ରାପ୍ୟ ବାବଦକୁ ୭୭ ହଜାର ଟଙ୍କା ନେବା ପରେ ଅନ୍ୟାନ୍ୟ ବାବଦକୁ ୧ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଶେଷରେ ପତ୍ରକୁ ବିକି ନରିଗାଁ ପଲ୍ଲୀସଭା ୧୨ ଲକ୍ଷ ଟଙ୍କା ପାଇଥିଲା। ଶେଷରେ ଲାଭାଂଶକୁ ପ୍ରତ୍ୟେକ ତୋଳାଳିଙ୍କ ମଧ୍ୟରେ ବଣ୍ଟାଯାଇଥିଲା।
ଗୋଟିଏ ବର୍ଷର ଥରକ କିଣାବିକାରେ ଛୋଟ ଏକ ଗାଁ ଯଦି ୧୨ ଲକ୍ଷ ଟଙ୍କାର ଲାଭ ପାଇ ପାରୁଛି ତେବେ ସବୁଦିନ ପାଇଁ ସବୁ ଗାଁକୁ କେନ୍ଦୁପତ୍ର କିଣାବିକାର ଦାୟିତ୍ୱ ଦିଆଗଲେ ଗରିବ ସଂଗ୍ରହକାରୀମାନଙ୍କ ଅର୍ଥନୈତିକ ସ୍ଥିତି ବଦଳିବ ବୋଲି ଏ ଦିଗରେ କାର୍ଯ୍ୟରତ ଗବେଷକ ପ୍ରଭାତ ମିଶ୍ର କହନ୍ତି।
କଳାହାଣ୍ଡିର ସଂଘର୍ଷ ଓ ସଫଳତା
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ବେଗାଁ ରେଞ୍ଜ୍‌ ଅନ୍ତର୍ଗତ ୬ଟି ଗ୍ରାମସଭା କେନ୍ଦୁପତ୍ରର ହକ୍‌ ପାଇଁ ଲଢ଼ି ସଫଳତା ପାଇଛନ୍ତି। ରିଜିଓନାଲ୍‌ ସେଣ୍ଟର ଫର୍‌ ଡେଭେଲପ୍‌ମେଣ୍ଟ୍‌ କୋଅପରେସନ୍‌ର ବୈଷୟିକ ମାର୍ଗଦର୍ଶନରେ ଜାମଝରଣ, ଜାମଗୁଡ଼ା ବାହାଲି, ଖରିଗୁଡ଼ା, କସ୍ତୁରୀପଦର, କନକପୁର ଓ କାଲିପୁର ଜଙ୍ଗଲ ଅଧିକାର କମିଟି ସେମାନଙ୍କୁ ଆଇନର ଧାରା ୩ (୧) ପ୍ରାବଧାନ ଅନୁଯାୟୀ କାହିଁକି କେନ୍ଦୁପତ୍ର ବିକ୍ରିର ସ୍ୱାଧୀନ ଅଧିକାର ମିଳିବ ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉଠାଇବା ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ଶେଷରେ ସେମାନଙ୍କୁ ମିଳିଛି ନ୍ୟାୟ। ରାଜ୍ୟରେ ପ୍ରଥମଥର ପାଇଁ କଳାହାଣ୍ଡିର ଏହି ୬ଟି ଗ୍ରାମସଭାକୁ କେନ୍ଦୁପତ୍ର ବିକ୍ରି କରିବା ପାଇଁ ଟ୍ରାଞ୍ଜିଟ୍‌ ପରମିଟ୍‌ ପ୍ରଦାନ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ବିଜ୍ଞପ୍ତି ଜାରି କରିଛି। ବିଭାଗର ସ୍ୱତନ୍ତ୍ର ସଚିବ ଡି. ବିଶ୍ୱାସ ତାଙ୍କର ପତ୍ର ସଂଖ୍ୟା ୨୩୭୧୭ ଅନୁଯାୟୀ ଏ ବିଷୟରେ ବନ ବିଭାଗ ଅଧିକାରୀଙ୍କୁ ଏ ମର୍ମରେ ଜଣାଇ ଦେଇଥିବାରୁ ସବୁଜ ହୀରାର ସଂଗ୍ରହକାରୀମାନଙ୍କୁ ଏହା ଖୁସି ଆଣିଦେଇଛି। ସୂଚନାଯୋଗ୍ୟ ଯେ ଏହିସବୁ ଗ୍ରାମସଭାଗୁଡ଼ିକର ୬୦ ପ୍ରତିଶତ ପରିବାର ନିକଟରେ କେନ୍ଦୁପତ୍ର ତୋଳାଳି ଭାବେ ପରିଚୟପତ୍ର ନ ଥିବାରୁ ଉଦ୍ଦିଷ୍ଟ ସରକାରୀ ଯୋଜନାରୁ ସେମାନେ ବଞ୍ଚିତ ହୋଇ ଆସୁଥିଲେ।