ଏଣିକି ପ୍ଲାଷ୍ଟିକ ବ୍ୟବହାର କଲେ ଜରିମାନା ସହ ଭୋଗିବାକୁ ପଡିବ ଜେଲ ଦଣ୍ଡ!

ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ଲାଷ୍ଟିକ ଆବର୍ଜନା ଯୋଗୁଁ ପରିବେଶ ଦୂଷିତ ହେବାରେ ଲାଗିଛି। ପ୍ଲାଷ୍ଟିକ ବ୍ୟବହାର ଉପରେ ସରକାର କଟକଣା ଲାଗୁ କରିଥିଲେ ମଧ୍ୟ ଦେଶରୁ ଏପର୍ଯ୍ୟନ୍ତ ଏହା ଦୂର କରାଯାଇ ପାରିନାହିଁ। ତେଣୁ ପ୍ଲାଷ୍ଟିକର ବ୍ୟବହାର ଓ ପରିବେଶର ସୁରକ୍ଷା ନିମନ୍ତେ ମହାରାଷ୍ଟ୍ର ସରକାର ଉଠାଇଛନ୍ତି ଏକ ନୂଆ ପଦକ୍ଷେପ। ଆସନ୍ତା ୨୩ ତାରିଖଠାରୁ ପ୍ଲାଷ୍ଟିକ ବ୍ୟବହାରରେ ରୋକ ଲଗାଇବେ ସରକାର। ପରିବେଶକୁ ଦୂଷିତ ହେବାରେ ରୋକିବା ପାଇଁ ସରକାର ସମସ୍ତ ନାଗରିକ ଏବଂ ପ୍ଲାଷ୍ଟିକ ନିର୍ମାତାମାନଙ୍କୁ ପ୍ଲାଷ୍ଟିକ ନଷ୍ଟ କରିବା ପାଇଁ ଜୁନ ୨୩ ତାରିଖ ଯାଏ ସମୟ ପ୍ରଦାନ କରିଛନ୍ତି।

ଏହି ନିୟମ ଅନୁସାରେ, ଜୁନ ୨୪ ତାରିଖ ଠାରୁ ଯଦି କୌଣସି ବ୍ୟକ୍ତି ପ୍ଲାଷ୍ଟିକ ଜିନିଷ ବ୍ୟବହାର କରୁଥିବାର ଦେଖାଯାଏ, ତେବେ ସେହି ବ୍ୟକ୍ତି ବିଶେଷଙ୍କୁ ୫ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ ଟଙ୍କା ଜୋରିମାନା ଦେବାକୁ ପଡିବ। ପୂର୍ବରୁ ମଧ୍ୟ ରାଜ୍ୟ ସରକାର ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ କରିଥିଲେ। କିନ୍ତୁ ସେତେବେଳେ ଏହି ନିୟମ କଡାକଡି ଭାବରେ କାର୍ଯ୍ୟକାରୀ ହୋଇପାରିନଥିଲା। ତେଣୁ ଏବେ ପ୍ଲାଷ୍ଟିକ ଉପରେ ରୋକ ଲଗାଇବା ପାଇଁ ସରକାର ପୂନର୍ବାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

କେଉଁଭଳି ପ୍ଲାଷ୍ଟିକ ଉପରେ ଲାଗିଛି ରୋକ :

ପ୍ଲାଷ୍ଟିକରେ ତିଆରି ହୋଇଥିବା କ୍ୟାରି ବ୍ୟାଗ, ଗ୍ଲାସ, ଚାମଚ, ପ୍ଲେଟ, ତରଳ ପଦାର୍ଥ ରଖିହେଲାଭଳି ପ୍ଲାଷ୍ଟିକ ପଦାର୍ଥ, ପ୍ଲାଷ୍ଟିକ ପ୍ୟାକିଂ ମ୍ୟାଟେରିୟାଲ ଉପରେ ରୋକ ଲାଗିଛି। ଏଥିସହିତ ପ୍ଲାଷ୍ଟିକ ଷ୍ଟ୍ର ଏବଂ ପାଉଚ ପାଣିରେ ବ୍ୟବହାର ହେଉଥିବା ଜରି ଆଦି ଉପରେ ମଧ୍ୟ ସରକାର ରୋକ ଲଗାଇଛନ୍ତି।

କେଉଁ ପ୍ଲାଷ୍ଟିକ ବ୍ୟବହାର ଉପଯୋଗୀ :

ଔଷଧ ପତ୍ର ପ୍ୟାକିଂ କରିବାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ, ଫୁଡଗ୍ରେଡ ପ୍ଲାଷ୍ଟିକ (ଖିର ପ୍ୟାକିଂ କରିବାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ), ଚାଷ କାର୍ଯ୍ୟ ଏବଂ ହର୍ଟିକଲଚରରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଇତ୍ୟାଦି ପ୍ଲାଷ୍ଟିକ ବ୍ୟବହାର ଉପଯୋଗୀ ଅଟେ। ଏହାକୁ ବ୍ୟବହାର କଲେ ଲୋକମାନଙ୍କୁ କୌଣସି ଜୋରିମାନା ଦେବାକୁ ପଡିବ ନାହିଁ।

ସରକାରଙ୍କ ଏହି ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ଲାଷ୍ଟିକ ବ୍ୟବହାର କରୁଥିବାର ପ୍ରଥମ ଥର ଧରାପଡେ ତେବେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଯାଏ ଜୋରିମାନା ଦେବାକୁ ପଡିବ। ସେହିଭଳି ଦ୍ୱିତୀୟ ଥର ଧରାପଡିଲେ ୧୦ ହଜାର ଟଙ୍କା ଏବଂ ତୃତୀୟ ଥର ଧରାପଡିଲେ ୨୫ ହଜାର ଟଙ୍କା ଜରିମାନା ସହ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ।

ସମ୍ବନ୍ଧିତ ଖବର