ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଘଡ଼ିସନ୍ଧି କାଳରେ ଜଣେ କଲେଜ ଛାତ୍ରୀ ଗୋପନରେ ରେଡିଓ ସେବା ଆରମ୍ଭ କରି ସମଗ୍ର ଦେଶରେ ସ୍ବାଧୀନତା କର୍ମୀଙ୍କୁ ଗାନ୍ଧୀବାଦୀ ବିଦ୍ରୋହର ବିଚାର ଓ ସୂଚନା ବାଣ୍ଟିବାର ଗୁରୁଦାୟିତ୍ବ ତୁଲାଇଥିଲେ। ଏଭଳି ଜଣେ ଭିନ୍ନ ଧରଣର ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଉଷା ମେହଟା। ଗୁଜରାଟର ସୁରଟ ନିକଟସ୍ଥ ସାରସ ଗ୍ରାମରେ ଉଷା ୧୯୨୦ ମାର୍ଚ୍ଚ ୨୫ରେ ଜନ୍ମ ହୋଇଥିଲେ। ମାତ୍ର ଆଠ ବର୍ଷରେ ସେ ସାଇମନ୍ କମିଶନ ବିରୋଧୀ ଆନ୍ଦୋଳନରେ ଯୋଗ ଦେଇଥିଲେ। ମଦ ଦୋକାନ ବାହାରେ ବିରୋଧ ପ୍ରଦର୍ଶନ କରିବା, ବ୍ରିଟିସ୍ ବିରୋଧୀ ପତ୍ରପତ୍ରିକା ବାଣ୍ଟିବା, ବନ୍ଦୀ ଥିବା ସ୍ବାଧୀନତା କର୍ମୀଙ୍କୁ ବାର୍ତ୍ତା ପହଞ୍ଚାଇବା ଭଳି କାର୍ଯ୍ୟ କରି ତାଙ୍କର ବାଲ୍ୟକାଳ କଟିଥିଲା। ପୁଣି ଲବଣ ସତ୍ୟାଗ୍ରହ ବେଳେ ସେ ସମୁଦ୍ରରୁ ପାଣି ଆଣି ଘରେ ଲୁଣ ପ୍ରସ୍ତୁତ କରୁଥିଲେ। ପିତା ବ୍ରିଟିସ୍ ଶାସନରେ ବିଚାରପତି ନିଯୁକ୍ତ ହୋଇଥିବାରୁ ସେ ତାଙ୍କର ଏସବୁ କାର୍ଯ୍ୟକଳାପକୁ ଘୋର ବିରୋଧ କରୁଥିଲେ। ଉଷା ବମ୍ବେ (ଆଜିର ମୁମ୍ବାଇ)କୁ ଯିବା ପରେ ସ୍ବାଧୀନତା ସଂଗ୍ରାମରେ ନିଜକୁ ସଂପୂର୍ଣ୍ଣ ରୂପେ ଉତ୍ସର୍ଗ କରିଦେଇଥିଲେ। ୧୯୩୯ରେ ଵିଲ୍ସନ୍ କଲେଜରୁ ଦର୍ଶନଶାସ୍ତ୍ରରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ସେ ଆଇନ ପଢ଼ିବା ପାଇଁ ପ୍ରସ୍ତୁତି ହେଉଥିଲେ। କିନ୍ତୁ ଏହି ସମୟରେ ଭାରତଛାଡ଼ ଆନ୍ଦୋଳନ ଘୋଷଣା ହେବାରୁ ସେ ପାଠପଢ଼ା ସ୍ଥଗିତ ରଖି ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
୧୯୪୨ର କଂଗ୍ରେସ ଅଧିବେଶନରେ ମହାତ୍ମା ଗାନ୍ଧୀ, ଜଵାହରଲାଲ ନେହରୁ, ମୌଲାନା ଆଜାଦ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଓଜସ୍ବୀ ଭାଷଣରେ ଉତ୍ସାହିତ ହୋଇ ସେ ଦେଶର କୋଣଅନୁକୋଣରେ ଖବର ପହଞ୍ଚାଇବାର ଲକ୍ଷ୍ୟ ନେଇ ଏକ ଗୋପନୀୟ ରେଡିଓ ଷ୍ଟେସନ୍ ପ୍ରତିଷ୍ଠା କରିବାର ଯୋଜନା କରିଥିଲେ। ତାଙ୍କର ଦୃଢ଼ ବିଶ୍ବାସ ଥିଲା ଯେ ବିଶ୍ବବାସୀଙ୍କ ନିକଟରେ ଭାରତୀୟଙ୍କ ପକ୍ଷ ରଖିବା ପାଇଁ ରେଡିଓ ଏକ ଶକ୍ତିଶାଳୀ ମାଧ୍ୟମର ଭୂମିକା ତୁଲାଇପାରିବ। ୧୯୪୨ ଅଗଷ୍ଟ ୧୪ ତାରିଖରେ ସହଯୋଗୀଙ୍କ ସହ ମିଶି ଉଷା ‘କଂଗ୍ରେସ ରେଡିଓ’ର ପ୍ରଥମ ରେଡିଓ ଉଦ୍ଘୋଷଣା ପ୍ରସାରଣ କରିଥିଲେ। ପ୍ରଥମେ ଦିନକୁ ଥରେ ଓ ପରେ ଦିନକୁ ଦୁଇଥର ଖବର ପ୍ରସାରଣ କରୁଥିଲେ। ଉଭୟ ହିନ୍ଦୀ ଓ ଇଂରେଜୀ ଭାଷାରେ ସେ ଖବର ପଢ଼ୁଥିଲେ। ବ୍ରିଟିସ୍ ପ୍ରଶାସନ ଦ୍ବାରା ଭାରତୀୟଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଏଥିରେ ଉଜାଗର କରାଯାଉଥିଲା। ‘ହିନ୍ଦୁସ୍ତାନ ହମାରା’ ଗୀତରୁ ପ୍ରସାରଣ ଆରମ୍ଭ ହେଉଥିଲା ଏବଂ ଶେଷରେ ‘ବନ୍ଦେ ମାତରମ’ ଗାନ ସହିତ ପ୍ରସାରଣ ଶେଷ କରାଯାଉଥିଲା। ବ୍ରିଟିସ୍ଙ୍କ ନଜର ଆଢୁଆଳରେ ରହିବା ପାଇଁ ସେମାନଙ୍କୁ ବାରମ୍ବାର ସ୍ଥାନ ବଦଳାଇବାକୁ ପଡୁଥିଲା। ଭାରତଛାଡ଼ ଆନ୍ଦୋଳନ କାଳରେ ସେମାନେ ୭-୮ ଥର ଷ୍ଟେସନ୍ ବଦଳାଇଥିଲେ। ଶେଷରେ ଗୁରଗାଓଁ (ଆଜିର ଗୁରୁଗ୍ରାମ)ରେ ଏକ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ବେଳେ ଉଷାଙ୍କୁ ଗିରଫ କରିନିଆଯାଇଥିଲା। ବିଚାର ପରେ ତାଙ୍କୁ ଚାରି ବର୍ଷର କାରାଦଣ୍ଡ ମିଳିଥିଲା।
ବନ୍ଦୀ କାଳରେ ତାଙ୍କୁ ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ପର୍କିତ ସୂଚନା ବଦଳରେ ବିଦେଶରେ ପଢ଼ିବାର ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ସ୍ବାଧୀନତା ସଂଗ୍ରାମର କୌଣସି କଥା ପ୍ରଘଟ କରି ନ ଥିଲେ। ୧୯୪୬ରେ ସେ ଜେଲ୍ରୁ ମୁକ୍ତ ହେଲେ। ସେ ଆଜୀବନ ଗାନ୍ଧୀବାଦୀ ଆଦର୍ଶ ପାଳନ କରୁଥିଲେ। ଖଦି ପରିଧାନ କରୁଥିଲେ, ବସ୍ରେ ଯାତାୟାତ କରୁଥିଲେ। ଆଜୀବନ ଅବିବାହିତ ଓ ନିଃସନ୍ତାନ ରହିଥିଲେ। ନିଜ ତଥା ଦେଶବାସୀଙ୍କ ଅଧିକାର ପାଇଁ ଅହିଂସା ଉପାୟରେ ଲଢୁଥିଲେ। ବମ୍ବେ ବିଶ୍ବବିଦ୍ୟାଳୟରୁ ଗାନ୍ଧୀ ବିଚାରରେ ପିଏଚ୍.ଡି ହାସଲ କରିବା ପରେ ସେ ଵିଲ୍ସନ୍ କଲେଜରେ ରାଜନୀତି ବିଜ୍ଞାନ ପଢ଼ାଉଥିଲେ। ‘ଫ୍ରିଡମ୍ ଫାଇଟର୍ସ ରିମେମ୍ବର’ ସ୍ବାଧୀନତା ପରବର୍ତ୍ତୀ ଭାରତ ନେଇ ତାଙ୍କର ବିଚାର ସମ୍ବଳିତ ଏକ ଉଲ୍ଲେଖନୀୟ ପୁସ୍ତକ। ଭାରତରେ ଧନୀ ଓ ଗରିବ ଗୋଷ୍ଠୀ ମଧ୍ୟରେ କ୍ଷମତାର ପାର୍ଥକ୍ୟକୁ ଲକ୍ଷ୍ୟ କରି ସେ ଏହି ପୁସ୍ତକରେ ଲେଖିଛନ୍ତି: “ଏହି ସ୍ବାଧୀନତା ପାଇଁ ଆମେ ଆମର ସବୁକିଛି ତ୍ୟାଗ କରି ନ ଥିଲୁ। ତଥାପି, ଆମ ଦେଶ ଉପରେ ଭରସା ରଖିବା ଆମର କର୍ତ୍ତବ୍ୟ।” ୧୯୯୮ରେ ଭାରତ ସରକାର ତାଙ୍କୁ ‘ପଦ୍ମବିଭୂଷଣ’ ପ୍ରଦାନ କରିଥିଲେ। ୨୦୦୦ ଅଗଷ୍ଟ ୧୧ ତାରିଖରେ ଉଷା ମେହଟା ଇହଧାମ ତ୍ୟାଗ କରିଥିଲେ।