ସମ୍ବଲପୁରୀ କପଡ଼ାରେ ସ୍ୱାମୀଙ୍କ ପାଇଁ ମାସ୍କ ସିଲେଇ କଲେ ଆଇଏଏସ ପତ୍ନୀ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ସମ୍ୱଲପୁରୀ କପଡ଼ାରେ ପ୍ରସ୍ତୁତ ହେଲା ମାସ୍କ | ଓଡ଼ିଶା କ୍ୟାଡର ମହିଳା ଆଇଏଏସ ଅଫିସର ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଥିବା ଉଷା ପାଢ଼ୀ ନିଜ ହାତରେ ସମ୍ୱଲପୁରୀ କପଡ଼ାରେ ମାସ୍କ ସିଲେଇ କରିଛନ୍ତି | ନିଜ ପାଇଁ ଓ ସ୍ୱାମୀ ତଥା ଆଇଏଏସ ଅଫିସର ଅରବିନ୍ଦ ପାଢ଼ୀଙ୍କ ପାଇଁ ଉଷା ନିଜ ହାତରେ ମାସ୍କ ସିଲେଇ କରିଛନ୍ତି | କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷା ଦେବା ସହ ଏହି ମାସ୍କ ମାଧ୍ୟମରେ ଉଷା ପଶ୍ଚିମ ଓଡ଼ିଶାର ବେଶପୋଷାକ ସହ ପ୍ରତ୍ୟକ୍ଷ ସମ୍ପର୍କ ରଖୁଥିବା ସମ୍ୱଲପୁରୀ ବସ୍ତ୍ରକୁ ଭୁଲିନାହାନ୍ତି |

ଓଡ଼ିଶାରେ ନିଜ କାମ ପାଇଁ ସମସ୍ତଙ୍କ ମନ ଜିଣିପାରିଥିବା ଏହି ଆଇଏଏସ ଦମ୍ପତ୍ତି ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିଲେ ବି ଓଡ଼ିଶାର ମହକ ସେମାନଙ୍କୁ ଦୂରେଇ ଦେଇପାରିନାହିଁ |

ଏହାକୁ ନେଇ ଶ୍ରୀ ପାଢ଼ୀ କହିଛନ୍ତି ଯେ ମାସ୍କକୁ ନିଜ ଘରେ ପ୍ରସ୍ତୁତ କରିବା ଆବଶ୍ୟକ ଓ ସ୍ୱାସ୍ଥ୍ୟ କାମରେ ନିୟୋଜିତ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ମାସ୍କକୁ ଅଗ୍ରାଧିକାର ଦେବା ଉଚିତ | ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଓ କୁନି ଝିଅ ବି ଘରେ ମାସ୍କ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଥିଲା | କେବଳ ଯେ କରୋନା ବିରୋଧ ଲଢେଇରେ ସରକାର ହିଁ ଅଂଶଗ୍ରହଣ କରିବେ, ସେୟା ନୁହେଁ ବରଂ ସମସ୍ତେ ଏଥିରେ ନିଜକୁ ସାମିଲ କରିବା ଏହାକୁ ପ୍ରମାଣିତ କରୁଛି |

ସମ୍ବନ୍ଧିତ ଖବର