ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ୍ ନିୟମକୁ ନେଇ ଏବେ ପରିବର୍ତ୍ତନ କରାଯାଉଛି। ଯାତାୟାତ ବ୍ୟବସ୍ଥାକୁ ଆହୁରି ସୃଦୁଢ଼ କରିବା ସହିତ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହି କ୍ରମରେ ବେଙ୍ଗାଲୁରୁ ଟ୍ରାଫିକ୍ ପୁଲିସ ପକ୍ଷରୁ ବାଇକ୍ ଚଳାଉଥିବା ସମୟରେ ହେଡଫୋନ୍ ବ୍ୟବହାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଇକ୍ ଚଳାଇବା ସମୟରେ ଯଦି ଆପଣ ହେଡଫୋନ୍ରେ ଗୀତ ଶୁଣୁଛନ୍ତି ଏବଂ ଏହି ସମୟରେ ପୁଲିସ ହାତରେ ଧରାପଡ଼ୁଛନ୍ତି, ତେବେ ୧୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ।
ବେଙ୍ଗାଲୁରୁ ଟ୍ରାଫିକ୍ ପୁଲିସର କହିବାନୁସାରେ, ଡ୍ରାଇଭିଂ ସମୟରେ ହେଡଫୋନ୍ ବ୍ୟବହାର କରୁଥିବା ଦୁଇଚକିଆ ଗାଡ଼ି ଚାଳକଙ୍କ ଉପରେ ୧୦୦୦ଟଙ୍କା ଜରିମାନା ଲଗାଯିବ। ଏମିତି ବେଙ୍ଗାଲୁରୁ ଟ୍ରାଫିକ୍ ପୁଲିସ ଦ୍ୱାରା ଜାରି ଏକ ନୂଆ ଅଧିସୂଚନା ଅନ୍ତର୍ଗତ କରାଯାଇଛି। ଏପରି ଚାଳକଙ୍କୁ ଧରିବା ପାଇଁ ପୁଲିସ କଡ଼ାକଡ଼ି ଭାବେ ସିସିଟିଭି ଫୁଟେଜ ଉପରେ ନଜର ରଖିଛି।
ସିସିଟିଭି ମାଧ୍ୟମରେ ସମସ୍ତ ଦୁଇଚକିଆ ଚାଳକ ଉପରେ ନଜର ରଖାଯାଉଛି। କାରଣ ଏପରି କରିବା ଦ୍ୱାରା ସେମାନଙ୍କୁ ଇ-ଚାଲାଣ ପଠା ଯାଇ ପାରିବ। ଏମିତିରେ ଯଦି ଆପଣଙ୍କୁ ଲାଗୁଛି କି, ଟ୍ରାଫିକ୍ ପୁଲିସ ନାହିଁ, ଆପଣମାନେ ସୁବିଧାରେ ହେଡଫୋନ୍ ଲଗାଇ ଗାଡ଼ି ଚଳାଇ ପାରିବେ। ତେବେ ଆପଣ ଭୁଲ ଭାବୁଛନ୍ତି। ଏହି ଅଧିସୂଚନା ଖୁବ୍ ଶୀଘ୍ର ଦେଶର ଅନ୍ୟ ସ୍ଥାନମାନଙ୍କରେ ଲାଗୁ ହୋଇଯିବ।