ଚଇତି ଘୋଡ଼ା ପାଇଁ ସମର୍ପିତ: ଉତ୍ସବ ଚରଣ ଦାସ
ସମାନ୍ତରାଳ ଚଳଚ୍ଚିତ୍ରର ଶ୍ରଦ୍ଧାଶୀଳ ଉଚ୍ଚାରଣ ମନମୋହନ ମହାପାତ୍ର, ମିତ୍ରଭାନୁ ଗୌନ୍ତିଆ: ରଂଗବତୀର ପ୍ରସିଦ୍ଧ ଗୀତିକାର
ଚଇତି ଘୋଡ଼ା ନାଚ କ୍ଷେତ୍ରରେ ଡ. ଉତ୍ସବ ଚରଣ ଦାସ ଜଣେ ପ୍ରଥିତଯଶା ସାଧକ। କଟକ ଟାଙ୍ଗୀ ଚୌଦ୍ବାରସ୍ଥିତ ମଣିଆ ଗାଁରେ ୧୯୪୫ ମସିହା ଏପ୍ରିଲ୍ ୧୪ରେ ଜନ୍ମିତ ଉତ୍ସବ ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳୁ ଘୋଡ଼ା ନାଚ ପ୍ରତି ଆକର୍ଷିତ ହୋଇଥିଲେ। ଏହି ପାରମ୍ପରିକ ଚଇତି ଘୋଡ଼ାନାଚକୁ ସର୍ବଦା ବଞ୍ଚେଇ ରଖିବା ସହ ଏହାକୁ ସମଗ୍ର ଦେଶରେ ପହଞ୍ଚାଇବା ପାଇଁ ସେ ଶପଥ ନେଇ ଏହି କଳା କ୍ଷେତ୍ରରେ ଆଗେଇଥିଲେ। ୧୯୬୪ ମସିହାରେ ୧୦ମ ପଢ଼ିବା ସମୟରେ ସଂଗୀତ କଳା ସଂସଦ ନାମରେ ଏକ ସାଂସ୍କୃତିକ ସଂଗଠନ ଗଢ଼ିଥିଲେ। ୧୯୬୫ରେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଳାକାର ହୋଇଥିଲେ। ପରେ ୧୯୭୧ରେ ସ୍ବାଧୀନତାର ୨୫ ବର୍ଷ ପୂର୍ତି ଅବସରରେ ଆଦିବାସୀ ପଡ଼ିଆରେ ନୃତ୍ୟ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବୀକୃତି ପାଇଥିଲେ। ୧୯୬୫ରୁ ୮୦ ପର୍ଯ୍ୟନ୍ତ ତାଙ୍କ ଦାଦାଙ୍କ ରଚନାକୁ ନେଇ ସେ ଘୋଡ଼ାନାଚ ପରିବେଷଣ କରୁଥିଲେ ହେଁ ୧୯୮୦ ପରଠାରୁ ନିଜେ ଗୀତ ରଚନା ସହ ନୃତ୍ୟ ପ୍ରଦର୍ଶନ କରି ଆସୁଛନ୍ତି। ଜମ୍ମୁ କଶ୍ମୀର ବ୍ୟତୀତ ଭାରତର ଅନ୍ୟ ସମସ୍ତ ରାଜ୍ୟରେ ସେ ଘୋଡ଼ା ନାଚକୁ ପହଞ୍ଚାଇ ପାରିଛନ୍ତି। ୧୯୯୭ ମସିହାରେ ସେ ଓଡ଼ିଶା ସଂଗୀତ ନାଟକ ଏକାଡେମି ସମ୍ମାନ ଲାଭ କରିଥିଲେ। ଜାତୀୟ ସ୍ତରରେ ବହୁ ପୁରସ୍କାର ସହ ୨୦୧୫ରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ୍ ଲାଭ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସମାନ୍ତରାଳ ଚଳଚ୍ଚିତ୍ରର ଶ୍ରଦ୍ଧାଶୀଳ ଉଚ୍ଚାରଣ ମନମୋହନ ମହାପାତ୍ର
ସମାନ୍ତରାଳ ଚଳଚ୍ଚିତ୍ର ପାଇଁ ସମର୍ପିତ ପ୍ରାଣ ମନମୋହନ ମହାପାତ୍ରଙ୍କୁ ଚଳଚ୍ଚିତ୍ର ଜଗତ ପ୍ରତି ଅନବଦ୍ୟ ଅବଦାନର ସ୍ବୀକୃତି ସ୍ବରୂପ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଜୀବନକାଳ ଭିତରେ ସେ ୧୨ଟି ଚଳଚ୍ଚିତ୍ର ନିର୍ମାଣ କରିଥିବା ବେଳେ ସେଥିମଧ୍ୟରୁ ୮ଟି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ୧୯୭୫ ମସିହାରେ ‘ଆଣ୍ଟି ମେମୋରିଜ୍’ ନାମକ ଏକ ପ୍ରାମାଣିକ ଚିତ୍ର ନିର୍ମାଣ କରିଥିଲେ। ତେବେ ୧୯୭୬ରେ ‘ଶୀତରାତି’ ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିଲା ପ୍ରକୃତ ଯାତ୍ରା। ପ୍ରଥମ ଫିଲ୍ମ ଶୀତରାତି ଜାତୀୟ ପୁରସ୍କାର ଲାଭ କରିବା ପରେ ତାଙ୍କ ନିର୍ମିତ ନୀରବ ଝଡ଼, କ୍ଲାନ୍ତ ଅପରାହ୍ଣ, ମଝି ପାହାଚ, ନିଶିଦ୍ଧ ସ୍ବପ୍ନ, କିଛି ସ୍ମୃତି କିଛି ଅନୁଭୂତି, ଅନ୍ଧ ଦିଗନ୍ତ ଓ ଭିନ୍ନ ସମୟ ଭଳି ଚଳଚ୍ଚିତ୍ରଜାତୀୟ ପୁରସ୍କାର ଲାଭ କରିଥିଲା।
ମିତ୍ରଭାନୁ ଗୌନ୍ତିଆ: ରଂଗବତୀର ପ୍ରସିଦ୍ଧ ଗୀତିକାର
ପ୍ରସିଦ୍ଧ ‘ରଂଗବତୀ’ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ ପାଇବେ ପଦ୍ମଶ୍ରୀ ସମ୍ମାନ। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଶାଇବାହାଲ ଜରାବଗା ପଂଚାୟତ ଅନ୍ତର୍ଗତ ବିଲୁଙ୍ଗ ଗ୍ରାମରେ ୧୯୪୨ ଏପ୍ରିଲ ୬ରେ ମିତ୍ରଭାନୁଙ୍କ ଜନ୍ମ। ୧୯୭୮ ମସିହାରେ ସେ ପ୍ରସିଦ୍ଧ ରଂଗବତୀ ଗୀତ ରଚନା କରିଥିଲେ। ଆକାଶବାଣୀ ଓ ଦୂରଦର୍ଶନର ଗୀତିକାର ଭାବରେ ସୁନାମ ଅର୍ଜନ କରିଥିବା ଶ୍ରୀ ଗୌନ୍ତିଆ ଅନେକ କବିତା, ଗଳ୍ପ, ନାଟକ ମଧ୍ୟ ରଚନା କରିଛନ୍ତି। ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ଗୌନ୍ତିଆ କହିଛନ୍ତି ଯେ, ବିଳମ୍ବରେ ହେଲେ ପଦ୍ମଶ୍ରୀ ଭଳି ଜାତୀୟ ସମ୍ମାନ ପ୍ରଦାନ କରାଯାଇ ତାଙ୍କର ୬୦ ବର୍ଷର ସାଧନାକୁ ସମ୍ମାନ ପ୍ରଦର୍ଶନ କରାଯାଇଛି। ତେବେ ଏଥିରେ କେବଳ ତାଙ୍କର ନୁହେଁ ସମ୍ବଲପୁରୀ ଭାଷା, କଳା, ସାହିତ୍ୟ, ସଂସ୍କୃତି ତଥା ସମସ୍ତ ବ୍ୟକ୍ତିବିଶେଷଙ୍କ ଭାଗୀଦାରି ରହିଛି ।