ଆଜିକୁ ଠିକ୍ ୮୭ ବର୍ଷ ତଳେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ରୂପେ ଜନ୍ମଲାଭ କରିଥିଲା। ଏହା ଆଧୁନିକ ଓଡ଼ିଶା ଇତିହାସର ସବୁଠାରୁ ସ୍ମରଣୀୟ ଘଟଣା। ଷୋଡ଼ଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରୁ ଓଡ଼ିଶା ରାଜନୈତିକ ବିପର୍ଯ୍ୟୟ ଦେଇ ଗତି କରିଆସୁଥିଲା। ଓଡ଼ିଶାର କବି ଓ ଲେଖକଙ୍କର ସାହିତ୍ୟ ସାଧନା ଅବ୍ୟାହତ ରହିଥିବାରୁ ଓଡ଼ିଆ ଭାଷା-ସଂସ୍କୃତି ତିଷ୍ଠି ରହିଥିଲା। କିନ୍ତୁ ଊନବିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ଶିକ୍ଷା ଓ ଛାପାଖାନାର ପ୍ରସାର ଫଳରେ ଓଡ଼ିଆ ଭାଷା ଓ ସଂସ୍କୃତି ବିପନ୍ନ ହୋଇପଡ଼ିଲା। ଓଡ଼ିଶାକୁ ବଙ୍ଗ ପ୍ରଦେଶରେ ସାମିଲ କରିବାର ଚକ୍ରାନ୍ତ ହୋଇଥିଲା। ତେଲୁଗୁମାନେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଆଧିପତ୍ୟ ବିସ୍ତାର ପାଇଁ ଉଦ୍ୟମ କରିଥିଲେ। ଏହି ପରିସ୍ଥିତିରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା।
ଏଥିପାଇଁ ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ବ ତଥା ବହୁ ରାଜା ଓ ଜମିଦାରଙ୍କ ସହଯୋଗରେ ଭାଷା ଆନ୍ଦୋଳନ ତୀବ୍ରତର ହୋଇଥିଲା। ଓଡ଼ିଶା ଗଠନରେ ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଣ୍ତିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ବଭାବକବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟ, ବାସୁଦେବ ସୁଢ଼ଳଦେବ, ପ୍ୟାରୀମୋହନ ଆଚାର୍ଯ୍ୟ, ନୀଳମଣି ବିଦ୍ୟାରତ୍ନ, ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ। ଟି. ରେଭେନ୍ସା, ହେନେରି ରିକେଟ୍ସ ଓ ଜନ୍ ବିମ୍ସଙ୍କ ପରି କେତେକ ଇଂରେଜ ଅଧିକାରୀ ମଧ୍ୟ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନକୁ ଉତ୍ସାହିତ କରିଥିଲେ। ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ରହିବା ପରେ ୧୯୩୬ ଏପ୍ରିଲ୍ ପହିଲାରେ ଓଡ଼ିଶା ଏକାଠି ହୋଇଥିଲା। ଏହି ମାଟିର ବନ୍ଦନା ଲାଗି ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ସଙ୍ଗୀତ’ କବିତା ଉପସ୍ଥାପନ କରୁଛୁ।
/sambad/media/post_attachments/wp-content/uploads/2023/03/1-27.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/2-25.jpg)