ଉତ୍କଳ ଗୌରବଙ୍କ ଆଧୁନିକତା

ଅଭିରାମ ବିଶ୍ବାଳ

୨୮ ଏପ୍ରିଲ ୧୮୪୮ – ୪ ଫେବ୍ରୁଆରି ୧୯୩୪

ଓଡ଼ିଆ ସ୍ବାଭିମାନର ପ୍ରାଣ ପ୍ରତିଷ୍ଠାତା ଓ ଓଡ଼ିଆ ଅସ୍ମିତାର ପ୍ରତୀକ ପୁରୁଷ ମଧୁସୂଦନ ଦାସଙ୍କ ବହୁ ବିଭାବୀ ଉଜ୍ଜ୍ବଳମୟ ବ୍ୟକ୍ତିତ୍ବ ବିଷୟରେ ଆଲୋଚନାର କୋଳାହଳ ଭିତରେ ତାଙ୍କର ଯେଉଁ ପରିଚୟଟି ଫୁଟି ଉଠେ, ତାହା ତାଙ୍କ କଣ୍ଠରୁ ନିସୃତ ହୋଇଥିବା ଅନ୍ତିମ ବାଣୀଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା- ‘କହିଦେବ ଜଣେ ଓଡ଼ିଆ ଥିଲା।’ ଆଜି ଏହି ଅବିସ୍ମରଣୀୟ ଓଡ଼ିଆଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ‘ସମ୍ବାଦ’ର ବିଶେଷ ଉପସ୍ଥାପନା।

ଆମେ ଏବେ ଯେଉଁ ଓଡ଼ିଶା ଦେଖୁଛେଁ ଏବଂ ବିଭିନ୍ନ ବାଟେ ଯାହାର ଜଣେ ଜଣେ ହିତାଧିକାରୀ, ସେଇ ଆଧୁନିକ ଓଡ଼ିଶାର ରାଜନୀତିକ ଇତିହାସ ବୁଝିବାକୁ ହେଲେ ଅତି କମ୍‌ରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଧାର ବିନ୍ଦୁକୁ ସମ ଲୋକପ୍ରତିମା ଭାବେ ଗ୍ରହଣ କରିବା ଅନିବାର୍ଯ୍ୟ। ଐତିହାସିକ ଓଡ଼ିଶା ପାଇଁ ଗୋପବନ୍ଧୁ ହୃଦୟ ହେଲ ମଧୁବାବୁ ମସ୍ତିଷ୍କ। ୟା’ର ମାନେ ନୁହେଁ ଯେ ମସ୍ତିଷ୍କ ହୃଦୟ ରହିତ ଓ ହୃଦୟ ମସ୍ତିଷ୍କ ବଂଚିତ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କଥା ଉଠିଲେ ତ ସବା ଆଗରେ ଓ ଉପରେ ଆସେ ମଧୁବାବୁଙ୍କ ନାଁ। ମଧୁବାବୁ ଗୋପବନ୍ଧୁଙ୍କ ଠାରୁ ତିରିଶ ବର୍ଷ ବଡ଼। ଆଗେ ଉତ୍କଳମଣି ଚାଲିଗଲେ। ଦୁହିଙ୍କ ଭିତରେ ମତାଦର୍ଶଗତ ଅମେଳ ବା ମତାନ୍ତର ଥିଲା, ମନାନ୍ତର ନଥିଲା। ଅନେକ ମଣି-ଗୌରବଙ୍କ ମତାନ୍ତରକୁ ଅତିରଞ୍ଜନ କରି ମହା ଓ ଅନମନୀୟ ତିକ୍ତତା ଭାବେ ଉପସ୍ଥାପନ କରିଥାନ୍ତି। ହେଲେ ବାସ୍ତବତା ସେମିତିଆ ନୁହେଁ। ଗୋପବନ୍ଧୁଙ୍କ ମୃତ୍ୟୁର ଦୁଇ-ତିନି ବର୍ଷ ଆଗରୁ ମଧୁବାବୁ ଗୋପବନ୍ଧୁଙ୍କୁ ଏମିତିଆ ଏକ ଚିଠି ଲେଖିଥିଲେ: ‘‘ମୋର ପ୍ରିୟ ଗୋପବନ୍ଧୁ, ମୁଁ ତୁମର ସ୍ବାସ୍ଥ୍ୟ ନେଇ ବଡ଼ ଉଦ୍‌ବିଗ୍ନ। ମୁଁ ବି ବେଶ୍‌ ହତାଶ ହୋଇ ପଡ଼ିଲିଣି ଓ କେଉଁ ଦିନ ଚାଲି ଯାଇ ପାରେ। ତୁମେ ହିଁ ଏକମାତ୍ର ବ୍ୟକ୍ତି ଯାହାଙ୍କ ସହ ମୁଁ ମୋ ମୃତ୍ୟୁ ଶଯ୍ୟାରେ ଏକାଠି ପ୍ରାର୍ଥନା କରିବାକୁ ଚାହିଁବି। ତମ ସ୍ବାସ୍ଥ୍ୟର ଯତ୍ନ ନେଉଥିବ।’’ ଯେତେବେଳେ ୧୯୨୮ ମସିହା ଜୁନ୍‌ ୨୭ରେ ଗୋପବନ୍ଧୁ ଚାଲିଗଲେ, ମ୍ରିୟମାଣ ମଧୁସୂଦନ ଏକ ଶୋକବାର୍ତ୍ତାରେ ପ୍ରାୟ ଏମିତି ଲେଖିଥିଲେ: ‘‘କେତେ ବର୍ଷ ହେଲା ଆମେ ଦୁହେଁ ଏକାଠେଇଁ ବସି କଥାବାର୍ତ୍ତା ହୋଇନାହୁଁ; ଓଡ଼ିଶାର ଭବିଷ୍ୟତ ପାଇଁ ଏକତ୍ର ବିଚାର କରିନାହୁଁ। ଆମ୍ଭ ଦୁହିଁଙ୍କର ଜୀବନ ଅଲଗା ହେଲେ କ’ଣ ହେବ, ଆମ୍ଭ ଭିତରେ ମତଦ୍ବୈଧ ଥିଲେ କ’ଣ ହେବ, ଗୋପବନ୍ଧୁଙ୍କର ଜୀବନୀ ମହତ୍, ଏହା ଉତ୍କଳର ଜାତୀୟ ସମ୍ପଦ।’’୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବା ଆଗରୁ ଉଭୟ ମଧୁବାବୁ ଓ ଗୋପବନ୍ଧୁ ଆରପାରିକୁ ଚାଲିଯାଇଥିଲେ। ବେଳେ ବେଳେ ସଂଗ୍ରାମ ଓ ଆନ୍ଦୋଳନର ଅସଲ ବିନ୍ଧାଣି ସେ ସଂଗ୍ରାମ ଓ ଆନ୍ଦୋଳନର ସୁପରିଣତି ପ୍ରତ୍ୟକ୍ଷ କରିବାକୁ ସଶରୀର ନଥାନ୍ତି। ହେଲେ ଗଲା ପୂର୍ବରୁ ମଧୁବାବୁ ଓ ଗୋପବନ୍ଧୁ ଏମିତିଆ ଏକ ଉତ୍କଳ ଛାଡ଼ିଯାଇଥିଲେ, ଯାହାକି ସେମାନଙ୍କ ଜନ୍ମ ବେଳର ଉତ୍କଳ ଠାରୁ ଥିଲା ଢେର ଭଲ। ସେଥିପାଇଁ ଏବେ ଯେବେ ଉତ୍କଳମଣିଙ୍କ କଥା ପଡ଼େ ସେବା ଓ କରୁଣା ପ୍ରସଂଗ ସେଥିରେ ଯୋଡ଼ି ହୋଇଯାଏ। ଆଉ ଉତ୍କଳ ଗୌରବଙ୍କ ବିଷୟ ପଡ଼ିଲେ ସ୍ବାଭିମାନ ଓ ଆତ୍ମପରିଚିତି କଥା ଗୁନ୍ଥି ହୋଇଯାଏ। ଆହୁରି ଉଦ୍ଧାର କରାଯାଏ: ଆଲୋ ସଖୀ ଆପଣା ମହତ ଆପେ ରଖି। ଏବଂ, ପାଠ ପଢ଼ି କାଳିଆ ଘୋଡ଼ାରେ ଚଢ଼ି ମଧୁବାବୁଙ୍କ ସହ ଲଢ଼ିବା କାଟର ଆତ୍ମପ୍ରତ୍ୟୟ ମିଶା ଉଦ୍‌ଘୋଷଣା ଶୁଣିବାକୁ ମିଳେ।

ଥରେ ବିଦ୍ୟାର୍ଥୀ ମଧୁସୂଦନ ଝଡ଼, ବର୍ଷା ଓ କାଦୁଅ ରାସ୍ତାକୁ ଖାତିର ନକରି ଗାଁ ଚାହାଳିକୁ ଗଲାବେଳେ ବାଟରେ ତାଙ୍କ ଗୋଡ଼ ଖସିଗଲା ଓ ସିଏ ତଳେ ପଡ଼ିଗଲେ। ଓଦା ସରସର ଦେହରେ ତଥାପି ଚାହାଳିରେ ପହଞ୍ଚିଲେ ପଢ଼ିବାର ଝୁଙ୍କରେ। ପରେ ଗାଁ ଓ ଚାହାଳି ସାଂଗସାଥୀଙ୍କୁ ଏକାଠି କରି ଗାଁ ଦାଣ୍ଡ ସମତଳ କରିଥିଲେ। ଏକ ସ୍ଥାନୀୟ ସାମୂହିକ ସମସ୍ୟାର ସମାଧାନର ସୂତ୍ର ମିଳିପାରିଥିଲା ବାଳକ ମଧୁସୂଦନ ଓ ତାଙ୍କ ସାଥୀଙ୍କ ଅଭିକ୍ରମରୁ। କଥା ସରକାର ଯାଏ ଯାଇନଥିଲା। କିଶୋର ମଧୁସୂଦନ ନିଜ ବ‌ାଗରେ ସୁଧୀ ବା ପୌର ବା ନାଗରିକ ସମାଜ (ସିଭିଲ୍‌ ସୋସାଇଟି) ଟିଏ ପିଲାଦିନେ ଆରମ୍ଭ କରିପାରିଥିଲେ। ସୁଧୀସମାଜ ଠିଆ କରାଇବାର ସେଇ ପ୍ରାରମ୍ଭିକ ଚପଳ ଅନୁଭବ ମଧୁବାବୁଙ୍କୁ ନିଶ୍ଚୟ ପରେ ଓଡ଼ିଆ ଜାତି ଗଠନ କରିବାର ପରିପକ୍ବ ପ୍ରୟାସରେ ଯଥେଷ୍ଟ ସାହାଯ୍ୟ କରିଥିବ।

ପ୍ରକୃତ ଆଧୁନିକତା କେବଳ ବର୍ତ୍ତମାନ, ସଂପ୍ରତି, ଏବେ, ଏଇଠି, ଆଜିକାଲି, ଏଇନା ଓ ସମକାଳକୁ ବୁଝାଏନି। ତାହା ଯେତେଟା କାଳବାଚକ ନୁହେଁ; ତା’ଠୁଁ କେତେ ନା କେତେ ଅଧିକ ଗୁଣବାଚକ ଓ କ୍ରାନ୍ତିସୂଚକ। ନିଜ ଜାତି ପ୍ରତି ଭଲପାଇବା, ଆନୁଗତ୍ୟ, ଆପଣାପଣ ଓ ମମତ୍ବବୋଧକୁ ମୋଟାମୋଟି ଜାତୀୟତାବାଦ କୁହାଯାଏ। ୧୯୦୩ରେ ମଧୁବାବୁ ଆରମ୍ଭ କଲେ ଉତ୍କଳ ସମ୍ମିଳନୀ। ସେତେବେଳ ଠୁଁ ମଧୁବାବୁ କହିସାରିଥିଲେ- ‘‘ୟୁରୋପ୍‌ରେ ‘ନେସନ୍’ (ଅର୍ଥାତ୍ ଜାତି) ଶବ୍ଦ ଗୋଟିଏ ରାଷ୍ଟ୍ର ବା ଦେଶର ସମୂହକୁ ବୁଝାଏ। ୟୁରୋପର ଜାତିସମୂହ ପରସ୍ପର ଠାରୁ ଯେଉଁ ପରିମାଣରେ ଭିନ୍ନ, ଭାରତବର୍ଷରେ ପ୍ରାଦେଶିକ ଲୋକ ସେମିତି ନାନା ବିଷୟରେ ପରସ୍ପର ଠାରୁ ଭିନ୍ନ।’’ ଜାତୀୟତାବାଦ ମହାଭାରତୀୟ ହେବା ସାଂଗକୁ ଆଞ୍ଚଳିକ, ପ୍ରାଦେଶିକ, ସ୍ଥାନୀୟ, ଉପ ଓ ଦୂର ଦୂରାନ୍ତର ହୋଇପାରେ। ପ୍ରାଦେଶିକ ଜାତୀୟତାବାଦ ସବୁବେଳେ ଉଗ୍ର, ସଂକୀର୍ଣ୍ଣ ଓ ମୌଳବାଦୀ ନହୋଇ ବରଂ ପ୍ରଜ୍ଞାଦୀପ୍ତ ହୋଇପାରେ ବୋଲି ମଧୁବାବୁ ଭାବୁଥିଲେ। ଜାତୀୟତାବାଦର ତିନି ପ୍ରମୁଖ ଉପାଦାନ- ଭାବ, ଭାଷା ଓ ଭୂମି – ବା ମାନଚିତ୍ର, ମାତୃଭାଷା ଓ ମାତୃଭୂମି – କଥା ସିଏ ଏମିତି ଢଂଗରେ ରଖିଥିଲେ ଯେ ବେଳେବେଳେ ଲାଗେ ବେନେଡିକ୍‌ଟ ଆଣ୍ଡରସନ୍ (ଇମାଜିନ୍‌ଡ କମ୍ୟୁନିଟିଜ୍‌ର ଲେଖକ), ପାର୍ଥ ଚାଟାର୍ଜୀ ଓ ସୁଦୀପ୍ତ କବିରାଜଙ୍କ ଭଳି ବିଖ୍ୟାତ ଆଧୁନିକ ବିଦ୍ବାନ୍‌ ତାଙ୍କୁ ଜାଣିଥିଲେ ତାଙ୍କ ବଖାଣ ଓ ବିଶ୍ଳେଷଣର କିଛି କିଛି ହୁଏତ ଉଲ୍ଲେଖ କରୁଥାନ୍ତେ।

ମଧୁବାବୁ ଜାତିକୁ ଖାଲି ସମଗ୍ରରୁ ନ ଖୋଜି ପରିଧି ଟୁକୁଡ଼ା ଓ ଭଗ୍ନାଂଶରୁ ଖୋଜୁଥିଲେ। ତାଙ୍କ ଜାତୀୟତାବାଦର ଖସଡ଼ାରେ ନାରୀ, ଦୃଷ୍ଟିହୀନ, କୃଷକ, ଭିକ୍ଷୁକ, ପାଗଳ ଓ ଦଳିତ ବର୍ଗର ଲୋକଙ୍କ ପାଇଁ ସ୍ଥାନ ଥିଲା। ଜାତିଟିଏ ତିଆରି କରିବା ପାଇଁ ସିଏ ଇତିହାସ, କଳ୍ପନା, ଐତିହ୍ୟ ଓ ଅତି କଥାରୁ ଗର୍ବ-ଗୌରବର ଗାଥା ଯୋଗାଡ଼ କରି ସେସବୁକୁ ସାଂସ୍କୃତିକ ଅମ୍ଳଜାନ ଓ ଗ୍ଲୁକୋଜ୍‌ ଭାବେ ପରିବେଷଣ କରୁଥିଲେ। ୧୯୧୭ ମସିହାରେ ସିଏ ଆରମ୍ଭ କରିଥିବା ‘ଦି ଓଡ଼ିଆ’ ପତ୍ରିକାର ସ୍ବାକ୍ଷର ଆହ୍ବାନ ଥିଲା- ଉଠରେ ଉଠରେ ଉତ୍କଳ ସନ୍ତାନ…’’। ମଧୁସୂଦନ ଯେଉଁ ଓଡ଼ିଆ ଆତ୍ମପରିଚିତି ବା ଅସ୍ମିତାଦର୍ଶ କଥା କହିଥିଲେ ତାହା ଉପଜାତୀୟତାବାଦୀ ଥିଲା, ପୃଥକତାବାଦୀ ଓ ବିଚ୍ଛିନ୍ନତାବାଦୀ ନଥିଲା। ଏବେ ତ ଆମ ଦେଶରେ ଅନେକ କହୁଛନ୍ତି ଯେ ଭାରତବର୍ଷ ଅନେକ ଉପଜାତୀୟତା (ବାଦ)ର ସମାବେଶରେ ସମ୍ଭବ ଏକ ସର୍ବଗ୍ରାହୀ ଜାତୀୟତା (ବାଦ)। ଅସ୍ମିତା କହିଲେ ସିଏ ବୁଝୁଥିଲେ ପ୍ରଥମେ ନିଜର ପରିଚିତି ସହ ପରିଚିତ ହେବା ଏବଂ ଅନ୍ୟ ପରିଚିତିର ଅନିଷ୍ଟ ନକରି ନିଜ ଅନନ୍ୟତାର ପରାକାଷ୍ଠା ପ୍ରତିପାଦନ କରିବା। ତାଙ୍କ ଦୃଷ୍ଟିରେ ସିଏ ଥିଲେ ଆଗ ଓଡ଼ିଆ, ତା’ପରେ ଭାରତୀୟ ଓ ଶେଷରେ ବିଶ୍ବର ଜଣେ ମଣିଷ। ତାହା ଏକ-ଦୁଇ-ତିନି କ୍ରମର ଏକ ମେଧା ତାଲିକା ନଥିଲା। ଥିଲା ବରଂ ଅନେକ ଅସ୍ମିତାର ଏକକାଳୀନ ସହାବସ୍ଥାନ। ସେଇଭଳି କଥା ଏଇ କିଛି ବର୍ଷ ତଳେ ନୋବେଲ୍‌ ବିଜେତା ଅମର୍ତ୍ତ୍ୟ ସେନ୍ ତତ୍ତ୍ବ ଆକାରରେ ରଖିଛନ୍ତି। ଗୋପବନ୍ଧୁ ଅବଶ୍ୟ ଭାବୁଥିଲେ ସିଏ ଆଗ ବିଶ୍ବର, ତା’ପରେ ଭାରତୀୟ ଓ ଶେଷରେ ଓଡ଼ିଆ।

ମହାଭାରତୀୟ ଜାତୀୟତାବାଦ ଓ ଉତ୍କଳୀୟ ଅସ୍ମିତାବୋଧ ଭିତରେ ଥିବା ସଂପର୍କ ବାବଦରେ ମଧୁବାବୁଙ୍କ ଚମତ୍କାର ଧାରଣା ଥିଲା। ସେ ଲେଖିଥିଲେ, ‘‘ଉତ୍କଳ ଜନନୀ ଓ ଭାରତ ଜନନୀଙ୍କ ଭିତରେ କିଛି ପ୍ରଭେଦ ନାହିଁ। ଶରୀରର କୌଣସି ଅଂଶରେ ପୀଡ଼ା ହେଲେ ସେହି ଅଂଶର ଚିକିତ୍ସା କରିବାକୁ ପଡ଼ିଥାଏ। କାହିଁକି ନା ସେହି ଅଂଶବି‌େଶ‌ଷର ଚିକିତ୍ସା ଦ୍ବାରା ସମସ୍ତ ଶରୀରର ଉନ୍ନତି ହେବ। ଉତ୍କଳର ଚିକିତ୍ସାର ଉଦ୍ଦେଶ୍ୟ ଭାରତର ଉନ୍ନତି।’’ ପୁଣି ସମ୍ମେଳନ ଉତ୍କଳୀୟ ନେଇ ତାଙ୍କ ଅବଧାରଣା ଥିଲା ବେଶ୍‌ ଆଧୁନିକ। ଥରେ ସିଏ କହିଥିଲେ- ‘‘ସମ୍ମେଳନ ଜଡ଼ ପିଣ୍ଡର ମିଳନ ନୁହେଁ, ଆତ୍ମାର ମିଳନ। ତାହା ଇନ୍‌ସ୍ୟୁରାନ୍‌ସ କମ୍ପାନି କି କରଣ ସଭା କି ବ୍ରାହ୍ମଣ ସଭା ଭଳି ଏକ ସଂସ୍ଥା ନୁହେଁ।’’ ପୁଣି ଉତ୍କଳୀୟ ବୋଇଲେ ସିଏ ବୁଝୁଥିଲେ ମୋଟାମୋଟି ଏଇଭଳି: ଉତ୍କଳ ଭୂମିରେ ଯେଉଁମାନେ ଜନ୍ମଗ୍ରହଣ କରିଅଛନ୍ତି ଓ ଯେଉଁମ‌ାନେ ମରଣାନ୍ତେ ତାଙ୍କର ମୃତଦେହକୁ ଉତ୍କଳ ମାତାର କ୍ରୋଡ଼ରେ ଅର୍ପଣ କରିବାକୁ ଇଚ୍ଛା କରନ୍ତି; କି ବଙ୍ଗାଳି କି ବ୍ରାହ୍ମଣ କି ମୁସଲମାନ କି ଦଳିତ, ଏ ସମସ୍ତେ ଉତ୍କଳର ସନ୍ତାନ।

ଜାତି ଓ ଜାତୀୟତାବାଦର ଆକୃତି ଓ ପ୍ରକୃତି କିଭଳି ହେବା ଦରକାର ସେ ନେଇ ନାନା ବିତର୍କ ରହିଛି। ସର୍‌ବତ୍‌ ଭଳି ନା ସାଲାଡ୍ ଭଳିଆ? ସର୍‌ବତ୍‌ ଯେଉଁଥିରେ କି ଦହି, ପାଣି, ସର୍କରା, ସୁବାସିତ ରସ ଓ ମଲେଇ ଆଦି ନିଜର ସ୍ବତନ୍ତ୍ର ଅସ୍ତିତ୍ବ ହରେଇ ସଂପୂର୍ଣ୍ଣ ବିଲୀନ ହୋଇଯିବେ। ଆଉ ସାଲାଡ୍ ଯେଉଁଥିରେ କି ପିଆଜ, କାକୁଡ଼ି, ଟମାଟୋ, ଲଙ୍କା ଓ ଧଣିଆପତ୍ର ଆଦି ମିଶିଲା ପରେ ବି ନିଜ ନିଜର ଅସ୍ତିତ୍ବ ଅକ୍ଷୁଣ୍ଣ ରଖି ଏକ ନୂତନ ସମଷ୍ଟି ସୃଷ୍ଟି କରୁଥିବେ। ମଧୁବାବୁ ଦ୍ବିତୀୟଟି ପଟେ ଥିଲେ। ସିଏ ଅଧିକ ବାସ୍ତବବାଦୀ ଓ ମୂର୍ତ୍ତ ହିତାହିତ ଜ୍ଞାନ ସଂପନ୍ନ ହୋଇ ଥିବାରୁ ବିଭିନ୍ନ ବର୍ଗର- ଏପରିକି ରାଜା, ଜମିଦାର, ଶିଷ୍ଟ, ଅଭିଜାତ ଓ ବିଲାତି ଶାସକଙ୍କ- ସ‌ାହାଯ୍ୟ ସମର୍ଥନ ନେବାକୁ ଅମଂଗ ହେଉନଥିଲେ। ଯାହାକି ତାଙ୍କୁ ବିବାଦ ଓ ସମାଲୋଚନାର ଘେରକୁ ଆଣୁଥିଲା। ତାଙ୍କ ଜାତୀୟତାବାଦ ଥିଲା ସଂଘୀୟ, ଓଡ଼ିଶ‌ା କୈନ୍ଦ୍ରିକ, ବ୍ୟାବହାରିକ, ଧର୍ମ ନିରପେକ୍ଷ, ମୁଖ୍ୟସ୍ରୋତରେ ଆଖିବୁଜି ଭାସି ନଯିବା କାଟର ଏବଂ କିଛି ମାତ୍ରାରେ ପ୍ରଗତିଶୀଳ। ତାଙ୍କ ଉଦ୍ଦେଶ୍ୟରେ ଫକୀରମୋହନ ଲେଖିଥିଲେ- ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ/ଉତ୍କଳ ମାତାର ଯୋଗ୍ୟ ସନ୍ତାନ/ଦେଲ ଉତ୍କଳକୁ ନବଜୀବନ/ଶିଖାଇଲ ଲୋକେ ଜାତିବନ୍ଦନ। ଆଉ ଗଙ୍ଗାଧର ମେହେର ବଖାଣିଥିଲେ- ଉତ୍କଳ ଜନନୀ ଯୋଗ୍ୟତମ ସୁତ/ଶ୍ରୀ ମଧୁସୂଦନ ସର୍ବ ଗୁଣଯୁକ୍ତ।

ଗାନ୍ଧୀ ଯେମିତି ଜାତିର ଜନକ, ମଧୁବାବୁ ସେମିତି ଆଧୁନିକ ଓଡ଼ିଶାର ଜନକ। ମଧୁବାବୁଙ୍କ ପ୍ରତି ଗାନ୍ଧୀଜୀଙ୍କର ଥିଲା ପ୍ରଗାଢ଼ ସମ୍ମାନ। ଓଡ଼ିଶା ବିଷୟରେ ସମ୍ୟକ୍ ଧାରଣା ଲାଭ କରିବା ପାଇଁ ସିଏ ଉତ୍କଳଗୌରବଙ୍କ ପରାମର୍ଶ ଲୋଡୁଥିଲେ। ଗାନ୍ଧୀଜୀ ଦ୍ବିତୀୟ ଥର ୧୯୨୫ରେ ଓଡ଼ିଶା ଆସିଥିଲେ ମଧୁବାବୁଙ୍କ ନିମନ୍ତ୍ରଣ କ୍ରମେ ଓ ତାଙ୍କ ଆତିଥ୍ୟ ସ୍ବୀକାର କରିଥିଲେ। ଗାନ୍ଧୀଙ୍କ ପାଇଁ ମହାନ୍ ଓ ବଦାନ୍ୟ ମଧୁସୂଦନ ଥିଲେ ଦ୍ବିତୀୟ ଟଲଷ୍ଟୟ ପ୍ରାୟ। ଟଲଷ୍ଟୟଙ୍କ ଭଳି ମଧୁବାବୁ ମଧ୍ୟ ଉଭୟ ମୁଣ୍ଡ ଓ ହାତ- ଚିନ୍ତା ଚେତନା ଓ କର୍ମ ପ୍ରବଣତା- ଉପରେ ଗୁରୁତ୍ବ ଦେଉଥିଲେ। ଗାନ୍ଧୀଜୀଙ୍କ ବ୍ୟକ୍ତିତ୍ବ ଦାନା ବାନ୍ଧିଥିଲା ତିନିଟି ମହାଦେଶ- ଏସିଆ, ୟୁରୋପ ଓ ଆଫ୍ରିକା-ର ପ୍ରଭାବ ଯୋଗୁଁ। ମଧୁବାବୁଙ୍କ ଦୃଷ୍ଟିଭଙ୍ଗୀର ବ୍ୟାପ୍ତି, ଗଭୀରତା ଓ ଉଦାରତା ପାଇଁ ବିଭବ ଯୋଗାଇ ଥିଲେ ତିନିଟି ଅଲଗା ଅଲଗା ଇଲାକା- ଓଡ଼ିଶା, କଲିକତା ଓ ଲଣ୍ଡନ। ଆଉ ଏକ ଦିଗରୁ ଦେଖିଲେ ମଧୁବାବୁଙ୍କ ଅହିଂସ, ଉଦାରବାଦୀ ଓ ଆଧୁନିକ ସାମ୍ବିଧାନିକ ପଦ୍ଧତି ସହ ବାବା‌ସାହେବ ଆମ୍ବେଦକରଙ୍କ ଅନେକ ମେଳ ବାରିହେବ। ଅବଶ୍ୟ ଆମ୍ବେଦକରଙ୍କ ଯଥେଷ୍ଟ ଆଗରୁ ମଧୁବାବୁ ସମସ୍ୟା ସମାଧାନ ନିମନ୍ତେ ଆଳାପ, ଆଲୋଚନା, କଥାବାର୍ତ୍ତା, ପତ୍ର ବିନିମୟ, ତର୍କ ଉପସ୍ଥାପନା, ମୀମାଂସା ଓ ସ୍ମାରକୀ ପ୍ରଦାନ ପନ୍ଥାଦି ଅବଲମ୍ବନ କରୁଥିଲେ।

ସାରା ବିଶ୍ବ ସଂପ୍ରତି କରୋନା ମହାମାରୀ ଦ୍ବାରା ପ୍ରଭାବିତ ଓ କ୍ଷତିଗ୍ରସ୍ତ। ତାଙ୍କ ସମୟରେ ମଧ୍ୟ ମଧୁବାବୁ ସ୍ବାସ୍ଥ୍ୟ ବିପତ୍ତି ଏବଂ ହଇଜା ଓ ପ୍ଲେଗ୍ ଭଳି ମହାମାରୀ ବିରୋଧରେ ସ୍ବର ଉତ୍ତୋଳନ କରି ଲଢ଼େଇ କରିଥିଲେ। ତାଙ୍କର ମତ ଥିଲା ଯେ ଲୋକେ ଜାଣିବା ଦରକାର ଯେ ଠାକୁର ଠାକୁରାଣୀଙ୍କ କୋପ ବା ଶାପ ଯୋଗୁଁ ନୁହେଁ ବରଂ ଭୂତାଣୁ ଓ ଜୀବାଣୁଙ୍କ ପ୍ରକୋପରୁ ମହାମାରୀ ବ୍ୟାପେ। ସିଏ ଆହୁରି କହିଥିଲେ ବ୍ରିଟିସ୍ ସରକାର କାହିଁକି ବଜେଟରେ ଓଡ଼ିଶାର ଗ୍ରାମାଞ୍ଚଳର ଜନସ୍ବାସ୍ଥ୍ୟ ଓ ପରିମଳର ଉନ୍ନତି ପାଇଁ ପର୍ଯ୍ୟାପ୍ତ ଅର୍ଥ ବନ୍ଦୋବସ୍ତ କରୁ ନାହାନ୍ତି। ମଧୁବାବୁ ଡାକ୍ତରୀ ଗବେଷଣା ଉପରେ ଗୁରୁତ୍ବ ଦେଇଥିଲେ। ଜଣେ ଜନନେତା ଭାବେ ସିଏ ହଇଜାପୀଡ଼ିତଙ୍କ ପାଖକୁ ନିଜେ ଯାଉଥିଲେ। ମହାମାରୀ ସମୟରେ ସରକାର ସଦୟ ଓ ଯତ୍ନଶୀଳ ହେଉଥିବା ଦରକାର, ଯାହା ଫଳରେ କି ଲୋକେ କହିବେ ଯାହା ହେଉ ସରକାର ଆମ କଥା ଭାବୁଛନ୍ତି। ଏ କଥା ମଧୁବାବୁ ୧୯୨୧ ଓ ୧୯୨୩ ମସିହାରେ ଉଠେଇଥି‌େଲ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାରେ। କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶାର ସାଂପ୍ରତିକ ସଫଳତା ପୃଷ୍ଠଭୂମିରେ ଓଡ଼ିଶାର କିଂବଦନ୍ତି ପୁରୁଷ ମଧୁବାବୁଙ୍କ ସେ ସମୟର ହସ୍ତକ୍ଷେପ ମନେପଡ଼ିବା ସ୍ବାଭାବିକ।

ଲିଂଗଗତ ନ୍ୟାୟ ଓ ସମାନତାର ପକ୍ଷଧର ଥିଲେ ମଧବାବୁ। ୧୯୨୧ ମସିହା ନଭେମ୍ବର ମାସର କଥା। ବିହାର-ଓଡ଼ିଶା ବିଧାନ ପରିଷଦର ଆଲୋଚନାରେ ଭାଗ ନେଇ ମଧୁବାବୁ ମତଦାତା ତାଲିକାରେ ପଞ୍ଜୀକରଣ ପାଇଁ ଲିଂଗଭିତ୍ତିକ ଅଯୋଗ୍ୟତା ଯୁକ୍ତିକୁ ଖଣ୍ଡନ କରିଥିଲେ। ତାଙ୍କ ପ୍ରତିଯୁକ୍ତି ଥିଲା ଏଇ ଭଳି- ନାରୀଙ୍କୁ ଅଯୋଗ୍ୟ କହିବା ମାନେ ରାମାୟଣ ଓ ମହାଭାରତକୁ ପ୍ରତ୍ୟାଖ୍ୟାନ କଲା ଭଳି। କାରଣ ବିନା ସୀତାରେ ରାମାୟଣ ଓ ଦ୍ରୌପଦୀଙ୍କୁ ବାଦ୍ ଦେଇ ମହାଭାରତ ସମ୍ଭବ ନୁହେଁ। ନାରୀ ଅଯୋଗ୍ୟା ହୋଇଥିଲେ କେହି କ’ଣ ସରସ୍ବତୀ ଓ ଦୁର୍ଗାଙ୍କ ପୂଜା କରୁଥାନ୍ତେ? ପୁଣି ଯେଉଁ ଶରୀର, ସ୍ବର ଓ ଜିହ୍ବାର ସାହାଯ୍ୟ ନେଇ ଜଣେ ପୁରୁଷ ଏ ଭଳି ଲିଂଗଗତ ଅଯୋଗ୍ୟତା କଥା ଉଠାଏ, ସିଏ ବି ଜଣେ ଜନନୀର ଜଠରରେ ତିଆରି ହୋଇଥିଲେ। ବିଖ୍ୟାତ ଫରାସୀ ଦାର୍ଶନିକ ଓ ସମାଜବିଜ୍ଞାନର ଜନକ ଓଗସ୍ତ କୁନ୍ତେଙ୍କୁ ଉଲ୍ଲେଖ କରି ତାଙ୍କରି ଭାଷାରେ ମଧୁବାବୁ କହିଥିଲେ- ମଣିଷ ଜାତିର ଅସଲ ପ୍ରତିନିଧିତ୍ବ କରନ୍ତି ମା’, ପତ୍ନୀ ଓ କନ୍ୟା। ଆଇନ ଓ ଓକିଲାତି ପେସାର ଦୁଆର ନାରୀମାନଙ୍କ ପାଇଁ ଖୋଲିବା ଦିଗରେ ମଧୁବାବୁଙ୍କ ପଥ ପ୍ରଦର୍ଶକ ଭୂମିକା ଥିଲା। ତାଙ୍କ କନ୍ୟା ସୁଧାଂଶୁବାଳା ହାଜରାଙ୍କୁ ୧୯୨୧ ମସିହା ନଭେମ୍ବର ୨୦ ତାରିଖରେ ପାଟନା ହାଇକୋର୍ଟ ପ୍ଲିଡର୍ ଭାବେ ପଞ୍ଜିକୃତ ହେବା ପାଇଁ ଲିଂଗ ଆଧାରରେ ମନା କରିଦେଇଥିଲେ। ମଧୁବାବୁ କଥା ଭାଇସ୍‌ରାୟଙ୍କ ଯାଏ ନେଇଥିଲେ। ଲିଗାଲ୍ ପ୍ରାକ୍ଟିସନର୍ସ ଆଇନରେ ସଂଶୋଧନ ଅଣାଗଲା। ୧୯୨୩ ମସିହା ଡିସେମ୍ବର ୨୩ ତାରିଖରେ ସୁଧାଂଶୁବାଳା ସେଇ ପାଟନା ହାଇକୋର୍ଟରେ ମଧୁବାବୁଙ୍କ ଜୁନିଅର ଭାବେ ଅବତୀର୍ଣ୍ଣ ହେଲେ। ସୁଧାଂଶୁବାଳା ଦେଶର ପ୍ରଥମ ମହିଳା ଆଇନଜୀବୀ ଭାବେ ଗଣା ହେଲେ।

ଭାରତବର୍ଷରେ ଗଲା କିଛି ବର୍ଷ ଧରି ମେକ୍ ଇନ୍ (ଏଇଠି, ଏଇଠୁ ହେଇଯାଉ), ଷ୍ଟାର୍ଟ ଅପ୍ (ନିଜେ ଆରମ୍ଭ କର) ଓ ସ୍କିଲ୍ ଡେଭଲପମେଣ୍ଟ (ଦକ୍ଷତା/କୁଶଳତା ବିକାଶ) ପ୍ରସଙ୍ଗ ଅଧିକରୁ ଅଧିକ ଲୋକଲୋଚନକୁ ଅଣାଯାଉଛି। ଜଣେ ଉଦ୍ୟୋଗୀ ଭାବେ ଶିଳ୍ପ କ୍ଷେତ୍ରରେ ସେ ସବୁ ପରୀକ୍ଷା ନିରୀକ୍ଷା ମଧୁବାବୁ କାହିଁ କେତେ ବର୍ଷ ଆଗରୁ ଆରମ୍ଭ କରିଦେଇଥିଲେ। ୧୮୯୭ରେ ସିଏ ଆରମ୍ଭ କରିଥିଲେ ଓଡ଼ିଶା ଆର୍ଟ ୱେୟାର୍ସ (ଓଡ଼ିଶା କଳା କାରିଗରୀ/ଅଳଙ୍କାର କାରଖାନା)। ଓଡ଼ିଶା ଆର୍ଟ ୱେୟାର୍ସ, ଉତ୍କଳ ଟ୍ୟାନେରି ଓ ତାରକସି କାମ ତାଙ୍କ ଆଧୁନିକ ଶିଳ୍ପ ଦର୍ଶନର ପରିଚୟ ଦିଏ। ସିଏ କହୁଥିଲେ କୃଷି ଜମିର ସଂସ୍କୃତି ହେଲେ ଶିଳ୍ପ ହାତର ସଂସ୍କୃତି। ଗାନ୍ଧୀ ଉତ୍କଳ ଟ୍ୟାନେରିକୁ ଶୈକ୍ଷିକ ଟ୍ୟାନେରିର ନାଁ ଦେଇଥିଲେ। ଶିଳ୍ପରେ କ୍ଷତି ସହୁଥିଲେ ପଛେ ମଧୁବାବୁ ଖରାପ ଉତ୍ପାଦକୁ ବରଦାସ୍ତ କରୁନଥ‌ିଲେ କିମ୍ବା ବାହ୍ୟ ପୁଂଜିନିବେଶକୁ ସ୍ବାଗତ କରୁନଥିଲେ।

ଆତ୍ମ ପ୍ରତ୍ୟୟହୀନ ଓ ଇତିହାସ ବିସ୍ମୃତ ଓଡ଼ିଆ ଜାତିକୁ ମଧୁବାବୁ ନବଚୈତନ୍ୟ ଓ ନବଜାଗରଣର ମନ୍ତ୍ରରେ ଦୀକ୍ଷିତ କରିଥିଲେ। ତାଙ୍କଠାରେ ଅବଶ୍ୟ କେତେକ ପରସ୍ପର ବିରୋଧୀ ଧାରା ଅନେକ ଠାବ କରନ୍ତି। ଯଥା: ତାଙ୍କ ପ୍ରଚଣ୍ଡ ଓଡ଼ିଆ ପ୍ରୀତି ସତ୍ତ୍ବେ ସିଏ ଘରେ କୁଆଡ଼େ କଥା ହେଉଥିଲେ ବଂଗଳ‌ାରେ। ହେଲେ ଜଣେ ଓଡ଼ିଆ ତାଙ୍କ ସହ କିମ୍ବା ଅନ୍ୟ ଓଡ଼ିଆଙ୍କ ସହ ଆଉ କେଉଁ ଭାଷାରେ କଥା ହେଲେ ସେ ରାଗି ପଞ୍ଚମ ହୋଇଯାଉଥିଲେ। ରେଭେନ୍‌ସା କଲେଜିଏଟ୍ ସ୍କୁଲ୍‌ର ଏକ ସଭାରେ ମଧୁବାବୁ ଏକଦା କହିଥିଲେ- ମୁଁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଛି ସତ, କିନ୍ତୁ ଓଡ଼ିଶାର ଜାତୀୟ କବି ଜଗନ୍ନାଥ ଦାସଙ୍କ ଭାଗବତ ପାଠ କରିଛି ଓ ତାହାକୁ ଧର୍ମଗ୍ରନ୍ଥ ହିସାବରେ ଯଥେଷ୍ଟ ମାନ୍ୟ କରେ।

ଓଡ଼ିଶାର ପ୍ରଥମ ମହିଳା ମହାବିଦ୍ୟାଳୟ ମଧୁବାବୁଙ୍କ ଝିଅ ଶୈଳବାଳାଙ୍କ ନାଁରେ। ୧୯୫୩ ମସିହାରେ ସେଇ ମହାବିଦ୍ୟାଳୟ ପ୍ରାଙ୍ଗଣରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଅବସରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁ କହିଥିଲେ- ମଧୁବାବୁଙ୍କ ଦୃଷ୍ଟି ଓ ଦର୍ଶନ ଏବଂ ନାରୀ ଶିକ୍ଷା ଭାବନା ଯୋଗୁଁ ଏ ଭଳି ମହିଳା ଶିକ୍ଷାନୁଷ୍ଠାନଟିଏ ସମ୍ଭବ ହୋଇପାରିଛି। ସଭ୍ୟତାର ପ୍ରଗତିର ପରିମାପକ ହେଉଛି ନାରୀ ଶିକ୍ଷା। ମଧୁବାବୁ ମଝିରେ ବିଜୁବାବୁଙ୍କ ବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ଠାରୁ କିଛି କରଜ କରିଥିଲେ। ପଟ୍ଟନାୟକଙ୍କୁ କେହି କେହି ସତର୍କ କରି କହିଥିଲେ- ଦେଇଛ ଯେ, ବୁଢ଼ାଠୁ ଫେରସ୍ତ ପାଇବା କଥା ଭୁଲିଯାଅ। ସେମାନଙ୍କୁ ଲକ୍ଷ୍ମୀନାରାୟଣ କହିଥିଲେ- ଯେଉଁ ବ୍ୟକ୍ତି ଜଣକ ଆଧୁନିକ ସ୍ବତନ୍ତ୍ର ଓଡ଼ିଶା ଗଢ଼ିବାର ସ୍ବପ୍ନରେ ଏତେ ଡୁବିଯାଇ ନିଜର ସବୁ କିଛି ଜଳାଂଜଳି ଦେଇଛନ୍ତି ମୁଁ ଦେଇଥିବା ଟଙ୍କା ନପାଇଲେ କ’ଣ ଦୁନିଆ ଭାସିଯିବ?

ଆଧୁନିକ ମାନସର ଅନେକ ଧାତୁରେ ଗଢ଼ା ମଧୁବାବୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ।

ମୋ: ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର