ମନେ‌ରହିବ ଏ ମହାମିଳନ

ଭୁବନେଶ୍ବର : ଯଦିଓ ସେଦିନର ଶୀତଦିନ ଭଳି ଆଜି ଆଉ ବ୍ରାଜକ ପକ୍ଷୀଙ୍କ କୋଳାହଳ ଶୁଭୁନଥିଲା, କିନ୍ତୁ ସବୁଜିମା ଆଜି ବି ହସୁଥିଲା। ମଝିରେ ଛିଡ଼ା ହୋଇଥିବା ସେଣ୍ଟ୍ରାଲ୍‌ କ୍ୟାଣ୍ଟିନ୍‌ ଆଜି ବି ଭୋକାତୁରଙ୍କୁ ହାତ ଠାରି ଡାକି ନେଉଥିଲା। ବିତିଯାଇଥିବା ଅଭୁଲା ଯୌବନକୁ କିଛି କ୍ଷଣ ଫେରାଇ ଦେଉଥିଲା।

ସମୟ ସହ ତାଳ ଦେଇ ଭିତ୍ତିଭୂମି ବଦଳି ଯାଇଛି, କିନ୍ତୁ ବିଶ୍ବବିଦ୍ୟାଳୟ ସେମିତି ଅଛି। ପରିବର୍ତନ ହୋଇଯାଇଛି ଶାରୀରିକ ପରିଭାଷା। ୭୫ବର୍ଷରେ ପଦାର୍ପଣ କରିଥିବା ମା’ ବାଣୀଭଣ୍ଡାରକୁ ଦେଖିବା ପାଇଁ ‌କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି ତା’ର ସନ୍ତାନ ସନ୍ତତିଗଣ।

ଅନୁଶାସନର ‌କାନମୋଡ଼ା ଖାଇ ଏଇଠୁ ସୃଷ୍ଟି ‌ହୋଇଛନ୍ତି କେତେ ରାଜନେତା, ବୈଜ୍ଞାନିକ, ପ୍ରଶାସକ, ଡାକ୍ତର, ସାମ୍ବାଦିକ ପୁଣି ଅଭିନେତା। ମାତ୍ର ହାତ ଧରି ପାହାଡ଼ ଲଙ୍ଘିବାକୁ ବାଟ ଶିଖାଇଥିବା ଶୈକ୍ଷିକ ଓ ବୌଦ୍ଧିକ ଜିଜ୍ଞାସାର ଏହି ଆଧାରଶିଳା ମାଡ଼ିବା କ୍ଷଣି ଯେମିତି ସଭିଏଁ ପାଲଟି ଯାଉଥିଲେ ଗୋଟେଗୋଟେ ଅମାନିଆ ଛାତ୍ର। ବୟସ ନିର୍ବିଶେଷରେ କିଏ ଯୋଡ଼ି ଶଙ୍ଖର ସଂଗୀତରେ ନାଚି ଉଠୁଥିଲା ତ କିଏ ୪୦ବର୍ଷ ତଳେ ଏକାଠି ଟେବୁଲ୍‌ରେ ବସି ପଢ଼ୁଥିବା ସାଥୀକୁ ପାଖରେ ପାଇ କୁଣ୍ଢାଇ ପକାଉଥିଲା। କିଏ ନିଜର ସାଥୀମାନଙ୍କୁ ଖୋଜିବାରେ ମାତିଥିଲା ତ ପୁଣି କିଏ ପୁରୁଣା ସାଥୀକୁ ସାମ୍ନାରେ ପାଇ ବି ପରିବର୍ତିତ ଚେହେରା ଯୋଗୁଁ ସନ୍ଦେହରେ ପଡ଼ୁଥିଲା। ବାଣୀବିହାର କ୍ୟାମ୍ପସ୍‌ର ଡାକରାରେ ଯେମିତି ଗତକାଲି ରାତିରୁ ନିଦ ହଜିଯାଇଥିଲା। ସକାଳ ୯ଟାରୁ ବାଣୀବିହାରକୁ ପୁରାତନ ଛାତ୍ରଛାତ୍ରୀଙ୍କ ସୁଅ ଛୁଟିଥିଲା। କେଇ କ୍ଷଣରେ ଲୋକାରଣ୍ୟ ପାଲଟିଥିଲା ଉତ୍କଳ ବିଶ୍ବବିଦ୍ୟାଳୟ ପରିସର।

ବାଣୀଙ୍କ ଭଣ୍ଡାରରେ ପାଦ ଦେବା ମାତ୍ରେ ନିଜ ନିଜ ଶ୍ରେଣୀ କକ୍ଷରେ ଘେରାଏ ବୁଲି ଆସିବାର ଲୋଭ ସମ୍ଭରଣ କରିପାରିନଥିଲେ ପୁରାତନ ଛାତ୍ରଛାତ୍ରୀ। ସାଙ୍ଗମାନଙ୍କୁ ଗହଣରେ ପାଇ ଅନେକ ଯେମିତି ସମୟକୁ ଗୁହାରି ହୋଇ କହୁଥିଲେ, ସମୟ ତୁ ଟିକେ ଘୁଞ୍ଚି ଯା’। ଏହା ଭିତରେ ଲମ୍ବିଥିଲା କଥାର ଡୋରି। କିଏ କେଉଁ ଟେବୁଲ୍‌ରେ ବହି ରଖି ପଢ଼ୁଥିଲା, କିଏ କେଉଁ ସାର୍‌ଙ୍କଠାରୁ ଗାଳି ଖାଇଥିଲା, କେଉଁ ସାର୍‌ଙ୍କ ଦେହାନ୍ତ ହୋଇସାରିଛି, କୋଉ ସାର୍‌ ମାଡ଼ାମ୍‌ ତାଙ୍କୁ କି ଟିପ୍‌ସ ଦେଉଥିଲେ, ଏମିତି ଅନେକ। ସାଙ୍ଗମାନଙ୍କ ଆଗରେ ବିତି ଯାଇଥିବା ଏହି ଅଲିଭା ସ୍ମୃତି ବାଣ୍ଟୁବାଣ୍ଟୁ କିନ୍ତୁ ଦିନ ସରି ଯାଇଥିଲା।

ସମ୍ବନ୍ଧିତ ଖବର