ଓଡ଼ିଆ ଜାତିର ଭୀଷ୍ମ ପିତାମହ

ମଧୁସୂଦନ ଦାସ ଓଡ଼ିଆ ଜାତି ପାଇଁ ଭୀଷ୍ମ ପିତାମହ। ୧୯୦୩ ରେ ଉତ୍କଳ ସମ୍ମିଳନୀ ଗଠନ କରି ଡିସେମ୍ବର ୩୦, ୩୧ତାରିଖ କଟକ ଇଦ୍‌ଗାରେ ଦୁଇ ଦିିନିଆ ସଭା କରିଥିଲେ। ଏଇଠୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବୀଜ ବୁଣିଥିଲେ। ଦୀର୍ଘ ୩୩ ବର୍ଷର ସଂଘର୍ଷ ପରେ ସ୍ବତନ୍ତ୍ର ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ହେଲା। ମଧୁବାବୁଙ୍କ ପାଇଁ ଓଡ଼ିଆ ଭାଷା ବଞ୍ଚିଲା ଓ ଓଡ଼ିଶା ସୃ‌ଷ୍ଟି ହେଲା। ଓଡ଼ିଆ ଜାତି ବଞ୍ଚିଥିବା ଯାଏ, ମଧୁବାବୁଙ୍କ ଅବଦାନକୁ ମନେ ରହିବ। କିନ୍ତୁ ଦୁଃଖର ବିଷୟ ସ୍ବତନ୍ତ୍ର ଓଡ଼ିଶା ଗଠନର ମୂଳଦୂଆ ପଡ଼ିଥିବା ଇଦ୍‌ଗା ଏବେ ସତ୍ତା ହରାଇବାକୁ ବସିଛି। ଏହି ପବିତ୍ର ପୀଠର ଉଦ୍ଧାର ଓ ସୁରକ୍ଷା ଉଭୟ ଜନସାଧାରଣ ଓ ସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ।
ଡାକ୍ତର ରବିରଞ୍ଜନ ସାହୁ, ଉତ୍କଳ ସମ୍ମିଳନୀ

ଆଇନ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଥିଲେ

ମଧୁ ବାବୁ ଜଣେ ବିଚକ୍ଷଣ ଓକିଲ ଥିଲେ। ଆଇନ କ୍ଷେତ୍ରରେ ଅନେକ ଇତିହାସ ରଚନା କରିଛନ୍ତି। ମଧୁବାବୁଙ୍କ ପାଇଁ ତାଙ୍କ କନ୍ୟା ସୁଧାଂଶୁବାଳା ଭାରତର ପ୍ରଥମ ମହିଳା ଓକିଲ ହେବାର ସ୍ବୀକୃତି ପାଇଥିଲେ। ୧୮୭୮ରେ ପୁରୀ ଗଜପତିଙ୍କୁ ମିଥ୍ୟା ହତ୍ୟା ଅଭିଯୋଗରେ ଇଂରେଜମାନେ ନିର୍ବାଚନ କରି ଆଣ୍ଡାମାନ ଦୀପକୁ ପଠାଇ‌ଥିଲେ। ପରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ନେବାକୁ ଇଂରେଜମାନେ ଚକ୍ରାନ୍ତ କଲେ। ଗଜପତିଙ୍କ ମାତା ସୂର୍ଯ୍ୟମଣି ପାଟ୍ଟମହାଦେଈ ୫ବର୍ଷର ନାବାଳକ ମୁକୁନ୍ଦ ଦେବଙ୍କୁ ଗଜପତି ଭାବେ ଅଭିଷିକ୍ତ କରାଇଥିଲେ ମଧ୍ୟ ଇଂରେଜମାନେ ଏହାକୁ ଗ୍ରହଣ କରିନଥିଲେ। ସରକାରଙ୍କ ଏହି ବେଆଇନ କାର୍ଯ୍ୟ ପାଇଁ ରାଜମାତା ପଟ୍ଟମହାଦେଈ ମଧୁବାବୁଙ୍କ ଜରିଆରେ କଲିକତା ‌ହାଇକୋର୍ଟରେ ମୋକଦମା ଦାୟର କଲେ। ମଧୁବାବୁଙ୍କ ଆଇନଗତ ବିଚକ୍ଷଣତା ପାଇଁ ମୁକୁନ୍ଦ ଦେବଙ୍କ ଶ୍ରୀମନ୍ଦିର ଉପରେ ଆଧିପତ୍ୟ ରହିଲା। ଆଇନଜୀବୀ ଭାବେ ଏହା ତାଙ୍କର ଶ୍ରେଷ୍ଠ ସଫଳତା। ଆଇନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମଧୁବାବୁଙ୍କ ଜୟନ୍ତୀକୁ ରାଜ୍ୟ ବାର କାଉନ୍‌ସିଲ ପକ୍ଷରୁ ଆଇନଜୀବୀ ଦିବସ ଭାବେ ପାଳନ କରାଯାଉଛି।
ଦେବସ୍ନାନ ଦାସ, ଆଇନଜୀବୀ, ଓଡ଼ିଶା ହାଇକୋର୍ଟ

ଓଡ଼ିଆ ଜାତିର ପ୍ରାଣ ସଂଚାର ପାଇଁ ସଂକଳ୍ପ ନେଇଥିଲେ

ମଧୁବାବୁଙ୍କ ବାପା ଚୌଧୁରୀ ରଘୁନାଥ ଦାସ ‌ଚାହୁଁଥିଲେ ସେ କିରାଣୀ ଚାକିରି କରନ୍ତୁ। କିନ୍ତୁ ମଧୁବାବୁ କିରାଣୀ ଚାକିରି ନ କରି ବାଲେଶ୍ବରରେ କିଛି ଦିନ ଶିକ୍ଷକତା କରିଥିଲେ। ସେତେବେଳେ ଓଡ଼ିଶାରେ ନଅଙ୍ଗ ଦୁର୍ଭିକ୍ଷ ପଡ଼ିଥାଏ। ଲୋକଙ୍କ ଦୁର୍ଦ୍ଦଶା ଦେଖି ଓଡ଼ିଆ ଲୋକଙ୍କ ମଧ୍ୟରେ ପ୍ରାଣସଂଚାର କରିବା ପାଇଁ ସଂକଳ୍ପ ‌ନେଇଥିଲେ। ସେଠାରୁ କଲିକତା ଯାଇ ଉଚ୍ଚଶିକ୍ଷା ଗ୍ରହଣ କଲେ। ସେଠାରୁ ଫେରି ସ୍ବତନ୍ତ୍ର ଓଡ଼ିଶା ଗଠନ ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ। ପ୍ରଥମ ଉତ୍କଳ ସଭା ଗଢ଼ି ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବା ପାଇଁ ଉଦ୍ୟମ କଲେ। ପରେ ୧୯୦୩ରେ ଉତ୍କଳ ସମ୍ମିଳନୀ ଗଢ଼ି ଓଡ଼ିଶାର ପ୍ରମୁଖ ବ୍ୟକ୍ତିମାନଙ୍କୁ ଏକାଠି କଲେ। ଇଂରେଜ ସାହେବଙ୍କୁ ସାର୍ ସମ୍ବୋଧନ ନ କରି ଡାକୁଥିଲେ। ଏଥିରେ ତାଙ୍କର ସାହସ ଓ ସ୍ବାଭିମାନ ପ୍ରତିଫଳିତ ହେଉଥିଲା। ତାଙ୍କ ପ୍ରେରଣା ଓ ପରାମର୍ଶରେ ପାରଳା ମହାରାଜା ବିଲତାରେ ୩ଥର ଅନୁ୍ଷ୍ଠିତ ଗୋଲଟେବୁଲ ବୈଠକ‌ରେ ସ୍ବତନ୍ତ୍ର ଉତ୍କଳ କଥା ଉତ୍‌ଥାପନ କରିଥିଲେ। ମଧୁବାବୁଙ୍କ ପାଇଁ ୧୯୩୬ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶରେ ପରିଣତ ହେଲା। ଓଡ଼ିଆ ମଧ୍ୟରେ ପ୍ରାଣ ସଂଚାର କରିବାରେ ତାଙ୍କ ଭୂମିକା ସଦା ସ୍ମରଣୀୟ।
ଡାକ୍ତର ଗୁରୁପ୍ରସାଦ ମହାନ୍ତି, ପୂର୍ବତନ ସଭାପତି ତଥା ବର୍ତ୍ତମାନ ଉପଦେଷ୍ଟା, ଉତ୍କଳ ସମ୍ମିଳନୀ

ସମ୍ବନ୍ଧିତ ଖବର