ଗୁଆହାଟୀ ଉପକଣ୍ଠସ୍ଥ ଆଦିବାସୀ ଗ୍ରାମ ପାମୋହୀର ବାସିନ୍ଦା ଉତ୍ତମ ତରୋନ ସତର ବର୍ଷ ହେଲା ଅବହେଳିତ ଶିଶୁଙ୍କ ଶିକ୍ଷକ ଭୂମିକାରେ ଅବତୀର୍ଣ୍ଣ। ଗରିବ ଘରର ପିଲାଙ୍କୁ ମାଗଣା ପଢ଼ାଇବା, ତାଙ୍କର ମୁଖ୍ୟ କାମ। ଉତ୍ତମଙ୍କ ପିତା ବି ଏକଦା ଦିନ ମଜୁରିଆ ଥିଲେ। ତେବେ, ତାଙ୍କର ସ୍ୱପ୍ନ ଥିଲା ନିଜ ପୁଅକୁ ଉଚ୍ଚ ଶିକ୍ଷିତ କରାଇବେ। ଅର୍ଥ ପ୍ରତିବନ୍ଧ ତ ଥିଲା। କିନ୍ତୁ ଇଚ୍ଛା-ଶକ୍ତି ଆଗରେ କେଉଁ ପ୍ରତିବନ୍ଧ ବା ତିଷ୍ଠିପାରେ! ଉତ୍ତମ ‘ନେହୁ’ରୁ ସ୍ନାତକୋତ୍ତର କଲା ପରେ ଆଦରି ନେଇଥିଲେ ଶିକ୍ଷକତାକୁ।

Advertisment

publive-image youtube.com

ଗାଁର ପିଲାଙ୍କ ଅବସ୍ଥା ଦେଖି ତାଙ୍କୁ କାନ୍ଦ ମାଡ଼ୁଥିଲା। କୌଣସି ପ୍ରତିଶ୍ରୁତି ବା ଭବିଷ୍ୟତ୍‌ ନ ଥିବା ପିଲାଙ୍କ ପାଇଁ ତାଙ୍କୁ ହିଁ କିଛି କରିବାକୁ ହେବ, କେବଳ ସେତିକି ମାତ୍ର ସେ ଅନୁଭବ କରୁଥିଲେ। ଗୁଆହାଟୀ ଜିଲ୍ଲା ମୋଇନା ପାରିଜାତରେ ଥିବା ଏକ ସ୍ବେଚ୍ଛାସେବୀ ସଂଗଠନରେ ସେ ସ୍ୱଳ୍ପ ବେତନରେ ପେସାଦାର ଜୀବନ ଆରମ୍ଭ କରିଥିଲେ। ୨୦୦୩ରେ ତାଙ୍କ ପାଖରେ ଥିଲା ମାତ୍ର ଆଠ ଶହଟି ଟଙ୍କା। ସେତକ ଅର୍ଥକୁ ସମ୍ବଳ କରି ସେ ଆରମ୍ଭ କରିଥିଲେ ‘ପାରିଜାତ ଏକାଡେମି’। ଗାଁ ଲୋକଙ୍କ ସାହାଯ୍ୟରେ ଚାଳ-ଛପର ଘରେ ପ୍ରତିଷ୍ଠିତ ହେଇଥିବା ସ୍କୁଲ୍‌ ଏବେ କୋଠା-ଘରେ ଚାଲୁଛି। ଏକଦା କେବଳ ଉତ୍ତମ ହିଁ ପଢ଼ାଉଥିଲେ। ଏବେ ସ୍କୁଲ୍‌ରେ ପଚାଶରୁ ଅଧିକ କର୍ମଚାରୀ। ପିଲାଙ୍କୁ ମାଗଣା ମଧୢାହ୍ନ ଭୋଜନ, ପୋଷାକ, ବହି-ପତ୍ର ଦିଆଯାଉଛି। ନିୟମିତ ଭାବେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି। ଥାଇଲାଣ୍ତ୍‌ର ଏକ ବୌଦ୍ଧ ମଠ ସମେତ ଏକାଧିକ ଛୋଟ-ବଡ଼ ସ˚ସ୍ଥାଠାରୁ ସେ ଆର୍ଥିକ ସହାୟତା ପାଉଛନ୍ତି।