ଦେହତ୍ୟାଗ ପାଇଁ କାହିଁକି ଉତ୍ତରାୟଣକୁ ଅପେକ୍ଷା କରିଥିଲେ ପିତାମହ ଭୀଷ୍ମ ?

ମକର ସଂକ୍ରାନ୍ତିର ସ୍ଥାନ ଭାରତୀୟ ସଂସ୍କୃତରେ ବେଶ ଗୁରୁତ୍ୱପୂର୍ଣ୍ଣ । ବର୍ଷର ଏହି ତିଥିରେ ସୂର୍ଯ୍ୟନାରାୟଣ ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରନ୍ତି । ଏହି ଦିନ ହିଁ ସୂର୍ଯ୍ୟଙ୍କର ଉତ୍ତରାୟଣ ହୁଏ । ବୈଦିକ ଓ ପୌରାଣିକ ଯୁଗରୁ ହିଁ ଏହି ଦିନର ମହତ୍ୱ ପ୍ରମାଣିତ ହୋଇଆସିଛି ।

ତେବେ ମହାକାବ୍ୟ ମହାଭାରତରେ ମଧ୍ୟ ଏହି ତିଥିର ଗୁରୁତ୍ୱ ବିଶେଷଭାବେ ବର୍ଣ୍ଣିତ ହୋଇଛି । ମହାଭାରତର ଅନ୍ୟତମ ମହାନାୟକ ପିତାମହ ଭୀଷ୍ମଙ୍କ ସହ ଜୀବନ କାହାଣୀ ସହ ଜଡ଼ିତ ଏହି ସୂର୍ଯ୍ୟଙ୍କର ଉତ୍ତରାୟଣ ତିଥି ।

ମହାଭାରତ ଯୁୁଦ୍ଧରେ ଅର୍ଜୁନଙ୍କ ଦ୍ୱାରା ଶରଶଯ୍ୟାରେ ପୀଡ଼ିତ ହେବା ସତ୍ତ୍ୱେ ପିତାମହ ଭୀଷ୍ମ ତୁରନ୍ତ ଦେହତ୍ୟାଗ କରିନଥିଲେ । ଇଚ୍ଛାମୃତ୍ୟୁ ବରପ୍ରାପ୍ତ ହୋଇଥିବା ପିହାମହ ଆଉ ଦୁଇମାସ ଅପେକ୍ଷା କରିଥିଲେ ଦେହତ୍ୟାଗ ପାଇଁ । ତେବେ କେଉଁଥି ପାଇଁ ସେ ଭୀଷଣ କଷ୍ଟ ସହି ଦୁଇମାସ ଅପେକ୍ଷା କରିଥିଲେ?

ଏହାର କାରଣ ହେଉଛି ମାର୍ଗଶୀର କୃଷ୍ଣ ସପ୍ତମୀରେ ଭୀଷ୍ମ ଶରଶଯ୍ୟାରେ ପଡ଼ିଥିଲେ । ଶାସ୍ତ୍ର ଅନୁସାରେ ଏହି ସମୟ ଶରୀର ଛାଡ଼ିବା ପାଇଁ ଏକ ଅଶୁଭ ସମୟ । କାରଣ ସୂର୍ଯ୍ୟ ଯେଉଁ ୬ ମାସ ଦକ୍ଷିଣାୟନରେ ଥାଆନ୍ତି ତାହାକୁ ବର୍ଷର ପିତୃ ଯାନ ବୋଲି କୁହାଯାଏ ଓ ଉତ୍ତରାୟଣ ସମୟକୁ ଦେବଯାନ ବୋଲି କୁହାଯାଏ । ଦେବଯାନ ସମୟରେ ଦେହତ୍ୟାଗ କଲେ ଜୀବାତ୍ମା ଜୀବନମରଣ ଚକ୍ରରୁ ମୁକ୍ତି ଲାଭ କରି ପରମଗତି ପାଏ ବୋଲି ବିଶ୍ୱାସ କରାଯାଏ । ଏ ସଂପର୍କରେ ନିଜେ ଭଗବାନ କୃଷ୍ଣ ଭଗବତ୍‌ ଗୀତାରେ ବର୍ଣ୍ଣନା କରିଛନ୍ତି । ଏଥିଲାଗି ଇଚ୍ଛା ମୃତ୍ୟୁ ଶକ୍ତି ଲାଭ କରିଥିବା ଭୀଷ୍ମଙ୍କ ପରି ସିଦ୍ଧ ପୁରୁଷ ସୂର୍ଯ୍ୟଙ୍କର ଉତ୍ତରାୟଣ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଓ ମକର ସଂକ୍ରାନ୍ତି ପରେ ପଡୁଥିବା ମାଘ ଶକ୍ଳ ଏକାଦଶୀରେ ଇହ ଧାମ ତ୍ୟାଗ କରିଥିଲେ ।

ସମ୍ବନ୍ଧିତ ଖବର