ଶିଶୁମାନଙ୍କ ଶରୀର ସାଧାରଣତଃ ବିଭିନ୍ନ ରୋଗ ସଂକ୍ରମଣ ପାଇଁ ଏକ ସହଜ ସ୍ଥଳ ହୋଇଥିବାରୁ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଟିକାକରଣ ଶିଶୁମାନଙ୍କ ସ୍ବାସ୍ଥ୍ୟସେବାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଏହା ସଂକ୍ରମଣକୁ ପ୍ରତିରୋଧ କରିବା ସହ ଶିଶୁଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ତେବେ ଏକ ଭ୍ରାନ୍ତ ଧାରଣା ହେଉଛି ଯେ କେବଳ ଶିଶୁମାନଙ୍କ ପାଇଁ ଟିକାକରଣ ଆବଶ୍ୟକ।
ଟିକାକରଣ ଶିଶୁଙ୍କୁ ପ୍ରାରମ୍ଭିକ ସୁରକ୍ଷା ଦେଇଥାଏ, ତେବେ ତାହା ଜୀବନବ୍ୟାପୀ ନୁହେଁ। ତେଣୁ ତାହାର ପ୍ରଭାବ ବଜାୟ ରଖିବା ଲାଗି ‘ବୁଷ୍ଟର’ ଟିକା ଦରକାର ହୁଏ। ବେଳେବେଳେ ବୟସ୍କମାନେ ଭିନ୍ନ ଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି, ଯେଉଁଥିପାଇଁ ନିର୍ଦ୍ଦିଷ୍ଟ ଟିକାକରଣର ଆବଶ୍ୟକତା ରହିଛି। ଉଦାହରଣ ସ୍ବରୂପ, ସେମାନେ ଇନ୍ଫ୍ଳୁଏଞ୍ଜା ଟିକା ନେବା ନିହାତି ଦରକାର, କାରଣ ଏହି ରୋଗ ବୟସ୍କଙ୍କ ପାଇଁ ବିପଦ ସୃଷ୍ଟି କରେ। ସେହିପରି ୫୦ ବର୍ଷରୁ ଅଧିକ ବୟସ୍କଙ୍କ ଠାରେ ଭାରିସେଲା-ଜୋଷ୍ଟର ନାମକ ଭୂତାଣୁର ପୁନଃସକ୍ରିୟତା ଜନିତ ଜଟିଳତାକୁ ରୋକିବା ଲାଗି ସିଙ୍ଗଲ୍ସ ଟିକା ଦିଆଯାଇଥାଏ।
ମଧୁମେହ, ହୃଦ୍ରୋଗ କିମ୍ବା ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥିବା ରୋଗୀଙ୍କ କ୍ଷେତ୍ରରେ ଟିକା ସୁରକ୍ଷା ଦେଇଥାଏ। ସୁତରାଂ, ବୟସ୍କମାନେ ମଧ୍ୟ ନିଜ ସମେତ ଚାରିପାଖ ଲୋକଙ୍କୁ ସ୍ବାସ୍ଥ୍ୟଗତ ସୁରକ୍ଷା ଦେବା ଲାଗି ଟିକାକରଣକୁ ଆପଣେଇବା ଉଚିତ। ବୟସ୍କଙ୍କ ଠାରେ ଟିକାକରଣ ନିରାପଦ ଓ ପ୍ରଭାବଶାଳୀ ବୋଲି ପର୍ଯ୍ୟାପ୍ତ ଅନୁଧ୍ୟାନରୁ ପ୍ରମାଣ ମିଳିସାରିଛି। ତେଣୁ ଏ ବାବଦରେ ବୟସ୍କମାନେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଆଲୋଚନା କରି ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଟିକାର ମାତ୍ରା ଗ୍ରହଣ କରିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/26/2HDDDm4WfazIBHjLXTVB.jpg)