କରୋନା ଟିକାକୁ ନେଇ ଏବେ ବି ଲୋକଙ୍କ ମନରେ ବହୁ ଦ୍ବନ୍ଦ୍ବ ରହିଛି। ଟିକା କେତେବେଳେ ଓ କେଉଁ ସମୟରେ ନିଆଯିବ, ଏଥିପାଇଁ କ'ଣ ସତର୍କତା ଅବଲମ୍ବନ କରିବା ଦରକାର ଏଭଳି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନକୁ ଆସିଥାଏ। ଏହି କରୋନା ଟିକାକରଣ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ବ୍ରହ୍ମପୁର ସହରର ଜଣାଶୁଣା ଏଣ୍ଡୋକ୍ରାଇନୋଲୋଜିଷ୍ଟ୍‌ ଡାକ୍ତର ସୁନୀଲ କୁମାର କୋଟା।

Advertisment

ପ୍ରଶ୍ନ: କୋଭିଡ୍‌ ଟିକା ନେବାର ଲାଭ କ'ଣ?
ଉତ୍ତର: ବର୍ତ୍ତମାନ ୩ଟି ଟିକା ଦିଆଯାଉଛି। ତାହା ହେଲା କୋଭିସିଲ୍ଡ, କୋଭାକ୍ସିନ୍ ଓ ସ୍ପୁଟନିକ୍। କୋଭିସିଲ୍ଡର ଉପାଦେୟତା ୭୦% ରହିଥିବା ବେଳେ କୋଭାକ୍ସିନ୍‌ର ୭୭.୯ ଓ ସ୍ପୁଟନିକ୍‌ର ୯୧%ରହୁଛି। ଏହା ଅର୍ଥ ହେଲା ଟିକା ନେବା ପରେ ୭୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଏକ ଲକ୍ଷଣଯୁକ୍ତ କୋଭିଡ୍-୧୯ ସଂକ୍ରମଣରୁ ରକ୍ଷା ପାଇ ପାରିବା। କିନ୍ତୁ ୧୦ରୁ ୩୦% କୋଭିଡ୍‌ ସଂକ୍ରମଣ ଭୟ ରହିଛି। ଟିକା ନେଇଥିଲେ ଲୋକେ ଗୁରୁତର ସମସ୍ୟାରୁ ରକ୍ଷା ପାଇବା ସହିତ ମୃତ୍ୟୁମୁଖରେ ପଡ଼ିବା ଆଶଙ୍କା କମ୍‌ ରହିଛି।

ପ୍ରଶ୍ନ: କରୋନା ପଜିଟିଭ୍‌ ହୋଇଥିଲେ ଟିକା ନେବେ କି ନାହିଁ?
ଉତ୍ତର: ପଜିଟିଭ୍‌ ହୋଇ ସୁସ୍ଥ ହେବା ତଥା ଲକ୍ଷଣମୁକ୍ତ ହେବାର ୩ମାସ ପରେ ଟିକା ନେଇ ପାରିବେ। ପୂର୍ବରୁ ନେଲେ ମଧ୍ୟ କିଛି ଅସୁବିଧା ନାହିଁ। ସଂକ୍ରମଣରୁ ସୁସ୍ଥ ହେଲା ପରେ ଶରୀରରେ ଯେଉଁ ଆଣ୍ଟିବଡ଼ି ତିଆରି ହେଉଛି ତାହା ୩ରୁ ୬ମାସ ପର୍ଯ୍ୟନ୍ତ ରହିଥାଏ। ଯାହାକି ଆମକୁ ସୁରକ୍ଷା ଦେଇଥାଏ। ଏଣୁ ୩ମାସ ପରେ ଟିକା ନେବାକୁ କୁହାଯାଇଥାଏ।

ପ୍ରଶ୍ନ: ପଜିଟିଭ୍‌ ନଥାଇ ଲକ୍ଷଣ ଥିଲେ?
ଉତ୍ତର: ଗୁରୁତର ଲକ୍ଷଣ ଥିଲେ ମଧ୍ୟ କେତେକ ସମୟରେ ରିପୋର୍ଟ ନେଗେଟିଭ୍‌ ଆସିଥାଏ। ଆଣ୍ଟିଜେନ୍‌ ପରୀକ୍ଷାରେ ୩୫/୪୦ ପ୍ରତିଶତ ଲୋକଙ୍କ ରିପୋର୍ଟ ଭୁଲ୍‌ ବଶତଃ ନେଭେଟିଭ୍‌ ଆସିଥାଏ। କିନ୍ତୁ ଆର୍‌ଟିପିସିଆର୍‌ରେ ଠିକ୍‌ ରିପୋର୍ଟ ଆସିଥାଏ। ଶରୀରରେ ଭାଇରସ୍‌ ପ୍ର‌େବଶ କରିବାର ୪ରୁ ୮ଦିନ ମଧ୍ୟରେ ପରୀକ୍ଷା କଲେ ରିପୋର୍ଟ ପଜିଟିଭ୍‌ ଆସିଥାଏ। ଏହା ପୂର୍ବରୁ ଓ ପରେ ପରୀକ୍ଷା କଲେ ନେଗେଟିଭ୍‌ ଆସିଥାଏ। ସିଟି ସ୍କାନ୍, ଏକ୍ସରେ ଯଦି କୋଭିଡ୍‌ ଲକ୍ଷଣ ଜଣାପଡ଼ୁଛି ତେବେ ସୁସ୍ଥ ହେବାର ୩ମାସ ପରେ ଟିକା ନେବା। କିନ୍ତୁ ସାମାନ୍ୟ ଥଣ୍ଡା, କାଶ ହେଲେ ସୁସ୍ଥ ହେବାର ଦୁଇ ସପ୍ତାହ ପରେ ଟିକା ନେବା ଉଚିତ।

ପ୍ରଶ୍ନ: ଦ୍ବିତୀୟ ଡୋଜ୍‌ ଟିକା ନନେଲେ କ'ଣ ଅସୁବିଧା ହେବ?
ଉତ୍ତର: ବର୍ତ୍ତମାନ ସୁଦ୍ଧା ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ୩ମାସ ବ୍ୟବଧାନରେ ଦ୍ବିତୀୟ ଡୋଜ୍‌ ଟିକା ନେଲେ ତା'ର ଉପାଦେୟତା ୮୨ ପ୍ରତିଶତ ରହୁଛି। ପ୍ରଥମ ଡୋଜ୍‌ ପରେ କୋଭିଡ୍‌ ଆକ୍ରାନ୍ତ ହେଲେ ସୁସ୍ଥ ହେବାର ୩ମାସ ପରେ ପୁଣିଥରେ ଦ୍ବିତୀୟ ଡୋଜ୍‌ ନେଇ ପାରିବେ। ଦ୍ବିତୀୟ ଡୋଜ୍‌ ନେଲେ ଶରୀରରେ ଅଧିକ ଆଣ୍ଟିବଡ଼ି ତିଆରି ହେଉଥିବାରୁ ଦ୍ବିତୀୟ ‌‌ଡୋଜ୍‌ ନେବା ଆବଶ୍ୟକ।

ପ୍ରଶ୍ନ: କେଉଁ ଟିକା ଭଲ?
ଉତ୍ତର:ଉପାଦେୟତାର ପ୍ରତିଶତ ଦୃଷ୍ଟିରୁ ସ୍ପୁଟନିକ୍‌ ଭଲ ରହିଛି। କିନ୍ତୁ ଏଭଳି ଦେଖିବା ଠିକ୍‌ ନୁହେଁ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ମହାମାରୀ ସମୟରେ ଦିଆଯାଉଥିବା ପ୍ରତ୍ୟେକ ଟିକାର ୫୦ପ୍ରତିଶତରୁ ଅଧିକ ଉପାଦେୟତା ରହିଛି। ଏଣୁ ଯେଉଁ ଟିକା ଉପଲବ୍ଧ ହେଉଛି ତାହା ଶୀଘ୍ର ନେବା ଆବଶ୍ୟକ। ଗୁରୁତର ସଂକ୍ରମଣରୁ ରକ୍ଷା ପାଇବା, ହସ୍ପିଟାଲ୍‌ରେ ଭର୍ତ୍ତି ହେବାରୁ ରକ୍ଷା ପାଇବା ଓ ମୃତ୍ୟୁମୁଖରୁ ବଞ୍ଚିବା ପାଇଁ ପ୍ରତ୍ୟେକ ଟିକାର ସମାନ ଉପାଦେୟତା ରହିଛି। ଏଣୁ ସବୁ ଟିକା ଭଲ।

ପ୍ରଶ୍ନ: ଟିକା ନେବା ପୂର୍ବରୁ ଓ ପରେ କ'ଣ ସତର୍କତା ଅବଲମ୍ବନ କରିବା?
ଉତ୍ତର:ଟିକା ନେବା ପୂର୍ବରୁ ସେଭଳି କିଛି ସତର୍କତା ଅବଲମ୍ବନ କରିବା ଜରୁରି ନୁହେଁ। କେତେକ କ୍ଷେତ୍ରରେ କିଛି ଲୋକଙ୍କ ନ୍ୟୁରୋଲୋଜି ସମସ୍ୟା ଦେଖା ଦେଉଛି। ଏଣୁ ଯେଉଁମାନଙ୍କ ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ସେମାନେ ରକ୍ତଚାପକୁ ନିୟନ୍ତ୍ରଣରେ ରଖି ଟିକା ନିଅନ୍ତୁ। ଆଉ ସେଭଳି କୌଣସି ସତର୍କତା ଅବଲମ୍ବନ ଦରକାର ନାହିଁ। କିନ୍ତୁ ଟିକା ନେବା ପରେ କରୋନା ସଂକ୍ରମିତ ହେବେ ନାହିଁ ବୋଲି କେହି କହି ପାରିବେ ନାହିଁ। କେତେକ ଲୋକଙ୍କ କ୍ଷେତ୍ରରେ ଟିକା ନେବା ପରେ ଦିନେ, ଦୁଇଦିନ ଜ୍ବର ହୋଇଥାଏ। ପାରାସିଟାମଲ୍‌ ଖାଇବା ପରେ ତାହା କମି ଯାଇଥାଏ। କିନ୍ତୁ ୫/୭ଦିନ ପରେ ଯଦି ଜ୍ବର ହୋଇ ଅଧିକ ଦିନ ରହୁଛି ତେବେ ସଂକ୍ରମିତ ହୋଇଥିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ।

ପ୍ରଶ୍ନ: ଆଣ୍ଟିବଡ଼ି କେତେଦିନ ପରେ ତିଆରି ହୋଇଥାଏ?
ଉତ୍ତର: ସାଧାରଣତଃ ପ୍ରଥମ ଡୋଜ୍‌ ନେବାର ୩ସପ୍ତାହ ପରେ ୭୦ରୁ ୭୨ ପ୍ରତିଶତ ଆଣ୍ଟିବଡ଼ି ତିଆରି ହୋଇଥାଏ। ଦ୍ବିତୀୟ ଡୋଜ୍‌ ନେବାର ଦୁଇ ସପ୍ତାହ ପରେ ୯୦% ପର୍ଯ୍ୟନ୍ତ ଆଣ୍ଟିବଡ଼ି ତିଆରି ହୋଇଥାଏ। ଦୁଇଟି ଡୋଜ୍‌ ନେଲେ ଦୀର୍ଘଦିନ ପର୍ଯ୍ୟନ୍ତ ଶରୀରରେ ଆଣ୍ଟିବଡ଼ି ରହିଥାଏ।

ପ୍ରଶ୍ନ: ନୂଆ ପ୍ରଜାତି ଭାଇରସ୍‌ ବିରୋଧରେ ଟିକା କାମ କରିବ କି ନାହିଁ?
ଉତ୍ତର: ଟିକା ନେବା ପରେ ଶରୀରରେ ଆଣ୍ଟିବଡ଼ି ତିଆରି ହେଉଛି। ସେହି ଆଣ୍ଟିବଡ଼ିକୁ ନେଇ ଡେଲ୍‌ଟା ଷ୍ଟ୍ରେନ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସିରମ୍‌କୁ ନ୍ୟୁଟ୍ରାଲାଇଜ୍‌ କଲେ ଏହା ଫଳପ୍ରଦ ହେଉଛି। ତିନୋଟି ଟିକା ଡେଲ୍‌ଟା ଷ୍ଟ୍ରେନ୍‌ ଭାଇରସ୍‌କୁ ନ୍ୟୁଟ୍ରାଲାଇଜ୍‌ କରି ପାରୁଛି। ଏଣୁ ପ୍ରତ୍ୟେକ ଟିକା ନୂଆ ଭୂତାଣୁ ବିରୋଧରେ କାମ କରିବ। ଯେତେ ଅଧିକ ଲୋକଙ୍କୁ ଟିକା ଦେଇ ପାରିବା ସେତେ ଅଧିକ ମାତ୍ରାରେ ସଂକ୍ରମଣ ଚେନ୍‌କୁ ରୋକିବା, ସଂକ୍ରମଣ କମିଲେ ଭାଇରସ୍‌ ବ୍ୟାପି ପାରିବ ନାହିଁ। ଫଳରେ ଅଧିକ ନୂଆ ପ୍ରଭାତିର ଭାଇରସ୍‌ ସୃଷ୍ଟି ହୋଇ ପାରିବ ନାହିଁ। ଏଣୁ ନୂଆ ଷ୍ଟ୍ରେନ୍‌କୁ ରୋକିବା ପାଇଁ ଟିକାକରଣ ନିହାତି ଆବଶ୍ୟକ।