ଟିକା କାମ କରୁଛି, ଆଣ୍ଟିବଡି ପରୀକ୍ଷା ଅନାବଶ୍ୟକ: ବିଶେଷଜ୍ଞ

ହେଲ୍‌ଥ ଟିପ୍ସ

ନୂଆଦିଲ୍ଲୀ : ଭାରତରେ କୋଭିଡ୍‌-୧୯ ସଂକ୍ରମଣର ଦ୍ବିତୀୟ ଲହର ଦିନକୁ ଦିନ ଅଧିକ ଭୟାବହ ହୋଇ ଚାଲିଥିବା ବେଳେ ଟିକା ନେଇଥିବା ହିତାଧିକାରୀଙ୍କ ମନରେ ସେମାନଙ୍କ ଶରୀରର ରୋଗପ୍ରତିରୋଧକତା ସମ୍ପର୍କରେ ଦ୍ବନ୍ଦ୍ବ ସୃଷ୍ଟି ହେବାରେ ଲାଗିଛି। ସେମାନଙ୍କ ଧାରଣା ଟିକା ନେଇଛୁ ମାନେ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥିବ। ସୁତରାଂ ତାହାକୁ ପ୍ରମାଣିତ କରିବା ପାଇଁ ଆଣ୍ଟିବଡି ପରୀକ୍ଷଣ କରିବା ବାଞ୍ଛନୀୟ। ମାତ୍ର ସେପରି ପରୀକ୍ଷଣରୁ ନିବୃତ୍ତ ରହିବା ଲାଗି ବିଶ୍ବବ୍ୟାପୀ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।

ଏହି କ୍ରମରେ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର(ସିଡିସି) ପକ୍ଷରୁ ସ୍ପଷ୍ଟ ଭାବେ ଘୋଷଣା କରାଯାଇଛି ଯେ ସାର୍ସ-କୋଭ୍‌-୨ ବିରୋଧରେ ଆଣ୍ଟିବଡି ବିକଶିତ ହୋଇଥିବା ପରୀକ୍ଷଣ କୋଭିଡ୍‌-୧୯ ଟିକା ନେବା ପରେ କରିବା ପାଇଁ ବର୍ତ୍ତମାନ ପରାମର୍ଶ କରାଯାଉନାହିଁ। ସେହିପରି ସେଭଳି ପରୀକ୍ଷା ଭରସାଯୋଗ୍ୟ ନୁହେଁ ବୋଲି ନର୍ଥୱେଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ରବର୍ଟ ମର୍ଫି କହିଛନ୍ତି। ତେବେ ଟିକାର ଶେଷ ମାତ୍ରା ନେବାର ଦୁଇ ସପ୍ତାହ ପରେ ତାହା କାମ କରୁଛି ବୋଲି ଜଣେ ଆଶାବାଦୀ ହେବା ଉଚିତ ବୋଲି ସେ କହିଛନ୍ତି।

ଅପରପକ୍ଷେ, ଟିକା ଫଳପ୍ରଦ ଓ ସୁରକ୍ଷାଦାୟକ ରହି ସୁଦ୍ଧା ଆଣ୍ଟିବଡି ପରୀକ୍ଷଣରୁ କିଛି ନକାରାତ୍ମକ ଫଳାଫଳ ବାହାରିବା ବିଚିତ୍ର ନୁହେଁ। ସୁତରାଂ ଏହାଦ୍ବାରା ଜଣକ ମନରେ ଅଯଥା ଉତ୍କଣ୍ଠା ବଢ଼ିବା ସାର ହେବ ବୋଲି ଜନ୍‌ସ ହବକିନ୍‌ସ ବ୍ଲୁମ୍ବର୍ଗ ସ୍କୁଲ ଅଫ୍‌ ପବ୍ଳିକ୍‌ ହେଲ୍ଥ ପକ୍ଷରୁ କୁହାଯାଇଛି। ସୂଚନା ଥାଉ କି, ଅନେକ ପ୍ରକାରର ଆଣ୍ଟିବଡି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ରୋଗପ୍ରତିରୋଧକତା ସୁରକ୍ଷା ଯୋଗାଇଥାନ୍ତି। ଅପରପକ୍ଷେ, ପ୍ରତି ଆଣ୍ଟିବଡି ପରୀକ୍ଷଣ କେବଳ ଏକ ନିର୍ଦ୍ଦିଷ୍ଟ ବର୍ଗର ଆଣ୍ଟିବଡି ଠାବ କରିଥାଏ। କରୋନାଭୂତାଣୁର ଆକାର ଏକ ପେଣ୍ଡୁ ସଦୃଶ ଯାହାର ବାହ୍ୟଦେଶରେ କୀଳା(ସ୍ପାଇକ୍‌ ପ୍ରୋଟିନ୍‌) ଖଞ୍ଜା ହୋଇଥାଏ। ଏହି ଭୂତାଣୁ ଦ୍ବାରା ଜଣେ ସଂକ୍ରମିତ ହେଲେ, ଶରୀରରେ ସମଗ୍ର ଭୂତାଣୁ ବିରୋଧରେ ଆଣ୍ଟିବଡି ବିକଶିତ ହୋଇଥାଏ। ଅପରପକ୍ଷେ, ସାଧାରଣ ଆଣ୍ଟିବଡି ପରୀକ୍ଷଣ କେବଳ ଭୂତାଣୁର କୌଣସି ଅଂଶ ବିରୋଧରେ ବିକଶିତ ହୋଇଥିବା ଗୋଟିଏ ପ୍ରକାର ଆଣ୍ଟିବଡି ଠାବ କରିଥାଏ। ସୁତରାଂ ସଂକ୍ରମଣରେ ପ୍ରମୁଖ ଭୂମିକା ନିଭାଉଥିବା ସ୍ପାଇକ୍‌ ପ୍ରୋଟିନ୍‌ ବିରୋଧରେ ଆଣ୍ଟିବଡି ବିକଶିତ ହୋଇଛି କି ନାହିଁ, ତାହା ଏଭଳି ସିରୋଲୋଜି ବା ଆଣ୍ଟିବଡି ପରୀକ୍ଷଣରୁ ଠଉରେଇବା କଷ୍ଟକର।

ଯଦି ଆଣ୍ଟିବଡି ପରୀକ୍ଷଣଟି ଭୂତାଣୁର ପେଣ୍ଡୁ ସଦୃଶ ଶରୀର ଭିତ୍ତିରେ ହୋଇଥାଏ, ତେବେ ତାହା କୀଳା ବିରୋଧରେ ବିକଶିତ ଆଣ୍ଟିବଡିକୁ ଚିହ୍ନି ପାରିବନି। ସେହିପରି ଯଦି କୀଳାକୁ ଭିତ୍ତି କରି ଆଣ୍ଟିବଡି ପରୀକ୍ଷା କରାଯାଏ, ତେବେ ମଧ୍ୟ ମିଳିଥିବା ଫଳାଫଳ ଚୂଡ଼ାନ୍ତ ନୁହେଁ। କାରଣ ଏହି ସ୍ପାଇକ୍‌ ଆଣ୍ଟିବଡି କୌଣସି ପୂର୍ବ ସଂକ୍ରମଣରୁ ଆସିଥାଇପାରେ। ସୁତରାଂ ଟିକା ନେବା ପରେ ଏହାର ଫଳପ୍ରଦତା ପାଇଁ ସେଭଳି ଆଣ୍ଟିବଡି ପରୀକ୍ଷା କରିବା ଆଦୌ ଉପଯୋଗୀ ନୁହେଁ ବୋଲି ମର୍ଫି କହିଛନ୍ତି। ତେଣୁ ମହାମାରୀ ନ ହଟିଲା ଯାଏ ଟିକା ଉପରେ ଭରସା ରଖିବା ସହ ମାସ୍କ ପିନ୍ଧି ସାମାଜିକ ଦୂରତ୍ବ ବଜାୟ ରଖିବା ଲାଗି ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର