ଜାମ୍ମୁ ଓ କାଶ୍ମୀରର କଟରା ଜିଲା ଅନ୍ତର୍ଗତ ତ୍ରିକୂଟ ପର୍ବତ ସମୁଦ୍ର ପତ୍ତନଠାରୁ ପ୍ରାୟ ୫୩୦୦ ଫୁଟ ଉଚ୍ଚରେ ଅବସ୍ଥିତ। ଏହି ପର୍ବତ ଶୃଙ୍ଗରେ ଅବସ୍ଥିତ ପର୍ବତର ନାମାନୁସାରେ ଦେବୀ ତ୍ରିକୂଟା ବା ମାଣିକୀଙ୍କ ମନ୍ଦିର ନାମିତ। ଏହି ଦେବୀଙ୍କର ଅନ୍ୟ ନାମ- ବୈଷ୍ଣୋଦେବୀ, ମାତାରାଣୀ, ଅମ୍ବେ, ଶେରୱାଲି, ଜ୍ୟୋତାବାଲି, ପାହାଡ଼ବାଲି, ଦୁର୍ଗା, ଭଗବତୀ, ଜଗଦମ୍ବା, ଲକ୍ଷ୍ମୀ, ବିଷ୍ଣୁମାୟା ଓ ରାମା। ବିଶେଷକରି ‘ବୈଷ୍ଣୋଦେବୀ’ ଭାବରେ ଏହି ଦେବୀ ପ୍ରସିଦ୍ଧ। ଏହିସବୁ ନାମରୁ ପ୍ରତୀତ ହୁଏ, ଯେ ବୈଷ୍ଣୋଦେବୀ ଏକାଧାରରେ ମହାଲକ୍ଷ୍ମୀ, ମହାକାଳୀ ଓ ମହା ସରସ୍ୱତୀଙ୍କର ମିଳିତ ରୂପ।
‘ଦେବୀ ଭାଗବତ’ ଅନୁସାରେ ସେ ବିଷ୍ଣୁପ୍ରିୟା ମହାଲକ୍ଷ୍ମୀ ଏବଂ ‘ବରାହ ପୁରାଣ’ ଅନୁସାରେ ସେ ତ୍ରିଶକ୍ତି। ସେହି ପୁରାଣର ‘ତ୍ରିଶକ୍ତି ମାହାତ୍ମ୍ୟ’ ଅଧ୍ୟାୟରେ ବର୍ଣ୍ଣିତ ଦେବୀ ତ୍ରିକଳା। କାରଣ, ସେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ କଳାରୁ ଜାତ। ଶତଶୃଙ୍ଗ ପର୍ବତ ଉପରେ ସେ ଜନ୍ମ ନେଇଥିଲେ ଏବଂ ମହିଷାସୁରକୁ ବଧ କରିଥିଲେ। ସଂପ୍ରତି ଶତଶୃଙ୍ଗ ପର୍ବତ ଉପରେ ତ୍ରିକୂଟ ଧାମ ଅବସ୍ଥିତ। ଅନ୍ୟତ୍ର ବର୍ଣ୍ଣିତ ଅଛି, କଳିଯୁଗରେ ସେ କଳ୍କୀଙ୍କର ଶକ୍ତି ଭାବରେ ମାଣିକ ପର୍ବତରେ ବିଦ୍ୟମାନା, ଏବଂ ଏହି ପର୍ବତର ଅନ୍ୟନାମ ତ୍ରିକୂଟ। ତନ୍ତ୍ରଶାସ୍ତ୍ରରେ ହରିପ୍ରିୟା ତ୍ରିକୂଟା ନାମରେ ଅଭିହିତା। କିନ୍ତୁ ବୈଷ୍ଣୋଦେବୀଙ୍କର ଉପାଖ୍ୟାନ ସଂପୂର୍ଣ୍ଣ ଭିନ୍ନ। ଏହି ଉପାଖ୍ୟାନ ଅନୁସାରେ, ମହାମାୟାଙ୍କର ଶକ୍ତି ଏକଦା ରତ୍ନାକର ସାଗରଙ୍କ କନ୍ୟା ରୂପେ ଜନ୍ମଗ୍ରହଣ କରି, ଶ୍ରୀବିଷ୍ଣୁ ରାମଙ୍କୁ ପାଇବାପାଇଁ ନଅବର୍ଷ ବୟସରେ ସମୁଦ୍ର କୂଳରେ କଠୋର ତପସ୍ୟାରେ ରତ ରହିଲେ। ରାମଚନ୍ଦ୍ର ସୀତାଙ୍କ ଅନ୍ୱେଷଣରେ ଲଙ୍କାଯାତ୍ରା କଲାବେଳେ, ସାଗରକନ୍ୟାଙ୍କ ସହିତ ତାଙ୍କର ଭେଟ ହେଲା। ସେ ତ୍ରେତୟାରେ ସୀତାଙ୍କୁ ବିବାହ କରି ସାରି ଥିବାରୁ, ତାଙ୍କର ମନୋଭାବ ଜାଣି, କଳିଯୁଗରେ ହିଁ ତାଙ୍କର ମନସ୍କାମନା ପୂର୍ଣ୍ଣ ହେବ କହି, ତ୍ରିକୂଟ ଯାଇ ସେଠାରେ ନିବାସ କରିବାକୁ ଶ୍ରୀରାମ ତାଙ୍କୁ କହିଲେ ଏବଂ ତାଙ୍କର ସୁରକ୍ଷା ପାଇଁ ସିଂହ ଓ ବାନରଙ୍କୁ ପଠାଇଲେ।
କିଶୋରୀ ବୈଷ୍ଣୋଦେବୀ ସେହି ପର୍ବତର ମନୋରମ ଉପତ୍ୟକାରେ ଭ୍ରମଣ କରୁଥିଲା ବେଳେ, ତାନ୍ତ୍ରିକ ଭୈରବନାଥ ତାଙ୍କ ପ୍ରତି ଆକୃଷ୍ଟ ହୋଇ, ତାଙ୍କର ଅନୁଧାବନ କଲେ। ଏଥିରେ ଅତିଷ୍ଠ ହୋଇ, ଦେବୀ ପର୍ବତ ଗୁମ୍ଫା ମଧ୍ୟରେ ପ୍ରବେଶ କଲେ ଏବଂ ଦୁର୍ଗା ରୂପ ଧାରଣ କରି ଭୈରବର ମୁଣ୍ଡ ଗଣ୍ଡି ଅଲଗା କରିଦେଲେ। ତା’ପରେ ତ୍ରିକୂଟ ଯାଇ ବନଗଙ୍ଗା ତୀରରେ ତପସ୍ୟା କରିବାକୁ ସ୍ଥିର କଲେ। ଏହି ବନଗଙ୍ଗାଙ୍କୁ ମଧ୍ୟ ଦେବୀ ସୃଷ୍ଟି କରିଥିଲେ। କଥିତ ଅଛି, ଗୁମ୍ଫାଦ୍ୱାରରେ ଥିବା ହନୁମାନଙ୍କୁ ତୃଷା ଲାଗିବାରୁ, ଦେବୀ ତୀରମାରି ଗଙ୍ଗାଙ୍କୁ ଆଣିଥିଲେ। ହନୁମାନଙ୍କର ତୃଷା ନିବାରଣ ପରେ ଦେବୀ ବନଗଙ୍ଗାରେ ନିଜର କେଶ ଧୌତ କରି ତପସ୍ୟା କରିବାକୁ ଗୁମ୍ଫାରେ ପ୍ରବେଶ କଲେ। ତିନୋଟି ପ୍ରସ୍ତର ପିଣ୍ଡିରେ ନିଜକୁ ପରିବର୍ତ୍ତତ କରି ସେ ତପସ୍ୟା କଲେ। ଦେବୀ ଗଙ୍ଗାରେ କେଶଧୌତ କରିଥିବାରୁ ଏହି ଗଙ୍ଗାଙ୍କୁ ବାଳଗଙ୍ଗା ମଧ୍ୟ କୁହାଯାଏ। ଏହି ବାଳଗଙ୍ଗା ତୀରରେ ଅର୍ଦ୍ଧକୁମାରୀ ମନ୍ଦିରରେ ଦେବୀ ନଅ ମାସ ତପସ୍ୟା କରିଥିଲେ। କଥିତ ଅଛି, ପାଣ୍ଡବମାନେ ବନଗମନ କାଳରେ ଦେବୀଙ୍କର ମନ୍ଦିର ପ୍ରତିଷ୍ଠା କରିଥିଲେ। ସିଂହ ଏହି ଦେବୀଙ୍କର ଦ୍ୱାରରକ୍ଷକ।