ଚର୍ଚ୍ଚାରେ ୨୭୮ ମିଟର ଲମ୍ବ ଆଡଲ୍ଟ କ୍ରୁଜ୍ ସିପ୍ ଭାଲିଆଣ୍ଟ ଲେଡି, କେବଳ ପ୍ରାପ୍ତ ବୟସ୍କ ଉଠାଇ ପାରିବେ ମଜା

ନୂଆଦିଲ୍ଲୀ: ଚର୍ଚ୍ଚାରେ ଆଡଲ୍ଟ କ୍ରୁଜ୍ ସିପ୍ ଭାଲିଆଣ୍ଟ ଲେଡି । ଗତବର୍ଷ ଯେତେବେଳେ ଭର୍ଜିନ ଭୟଜେସ୍ର ପ୍ରଥମ ଆଡଲ୍ଟସ୍ ଓନଲି କ୍ରୁଜ୍ ସିପ୍ ସ୍କାରଲେଟ୍ ଲେଡି ଲଞ୍ଚ ହୋଇଥିଲା। ଏହାକୁ ନେଇ ସାରା ବିଶ୍ୱରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଏବେ ଏହି ଗ୍ରୁପର ଦ୍ୱିତୀୟ ଜାହାଜ ଭାଲିଆଣ୍ଟ ଲେଡି ଲଞ୍ଚ ହୋଇଛି । ୨୭୮ ମିଟର ଲମ୍ବ ଭାଲିଆଣ୍ଟ ଲେଡି ଜାହାଜରେ ଗୋଟିଏ ଥରରେ ୨ ହଜାର ୭୭୦ ଯାତ୍ରୀ ଯାତ୍ରା କରିପାରିବେ । ୧୭ ଡେକ୍ ବିଶିଷ୍ଟ ଏହି ଜାହାଜରେ ସ୍ୱିମିଂ ପୁଲ୍ ଠାରୁ ଆରମ୍ଭ କରି ଟାଟୁ ପାର୍ଲର ପର୍ଯ୍ୟନ୍ତ ସମସ୍ତ ଅତ୍ୟାଧୁନିକ ସୌଖୀନ ବ୍ୟବସ୍ଥା ରହିଛି ।

କରୋନାର ତୃତୀୟ ଲହର ପରେ ଖରାଦିନିଆ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଏହି ଜାହାଜ ଲଞ୍ଚ କରାଯାଇଛି । ମାର୍ଚ୍ଚ ୧୧ ତାରିଖରେ ଏହା ଇଂଲଣ୍ଡର ଏସେକ୍ସରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଛି । ଜାହାଜ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଲଣ୍ଡନ ଇଣ୍ଟରନ୍ୟାସନାଲ କ୍ରୁଜ ଟର୍ମିନାଲରେ ଲଞ୍ଚ ସେରିମନି ଆୟୋଜିତ ହୋଇଥିଲା । ଲଣ୍ଡନରୁ ଏହା ବାର୍ସିଲୋନା ଯିବ, ତାପରେ ସେଠାରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି ।

ଟ୍ରାଡିସନାଲ ଜାହାଜ ତୁଳନାରେ ସ୍କାରଲେଟ୍ ଲେଡି ଏବଂ ଭାଲିଆଣ୍ଟ ଲେଡି ସ୍ୱତନ୍ତ୍ର । ଆକର୍ଷଣୀୟ ଇଂଟେରିୟର ସାଙ୍ଗକୁ ହୋଟେଲ, ବାର୍ ଏବଂ ରେସ୍ତୋରାଁ, ସବୁକିଛି ନିଆରା । ଜାହାଜର ଇଣ୍ଡୋର ଯେତିକି ଆକର୍ଷଣୀୟ, ଆଉଟ୍ଡୋର୍ ସେତିକି ଚିତାକର୍ଷକ । ଯଦିଓ ଏହି ଜାହାଜ କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ, ତେବେ ଏଥିରେ ନବବିବାହିତ ଏବଂ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି । ଓମିକ୍ରନ ଭୟ ଯିବା ପରେ ଅନେକ ପର୍ଯ୍ୟଟକ ଦୀର୍ଘକାଳୀନ ଜଳଯାତ୍ରା କରିବାକୁ ଆଗ୍ରହୀ । ଏହି ପର୍ଯ୍ୟଟକଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି ଭର୍ଜିନ ଭୟଜେସ୍ ଗ୍ରୁପ୍ । ଏହି ଗ୍ରୁପର ତୃତୀୟ ଜାହାଜ ଲଞ୍ଚ ଅପେକ୍ଷାରେ ରହିଥିବା ବେଳେ ୨୦୨୩ରେ ଚତୁର୍ଥ ଭେସେଲ୍ ଲଞ୍ଚ ହେବ ।

ସମ୍ବନ୍ଧିତ ଖବର