ଷ୍ଟେସନ୍‌ରୁ ଟ୍ରେନ୍‌ବଗି ଛାଡ଼ି ଚାଲିଗଲା ଇଞ୍ଜିନ୍‌, ଯାତ୍ରୀ କହିଲେ, ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲୁ

ମୁମ୍ବାଇ: ପୂର୍ବ-ଉତ୍ତର ରେଳବାଇ ଇରଦତ୍ତପୁର ରେଲେଓ୍ଵ ଷ୍ଟେସନ୍‌ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ମୁମ୍ବାଇରୁ ବନାରସ ଅଭିମୁଖେ ଯାତ୍ରା କରିବାକୁ ଥିବା ପବନ ଏକ୍ସପ୍ରେସର ଇଞ୍ଜିନ୍‌ ବଗିରୁ ଅଲଗା ହୋଇ ପଳାଇ ଯାଇଥିଲା। ଏହି ଘଟଣା ଘଟିବା ସଙ୍ଗେସଙ୍ଗେ ଷ୍ଟେସନ୍‌ ମାଷ୍ଟର ଓ୍ଵାକି-ଟକି ଜରିଆରେ ଲୋକୋ ପାଇଲଟଙ୍କୁ ସୂଚନା ଦେଇଥିଲେ। ଷ୍ଟେସନ୍‌ମାଷ୍ଟରଙ୍କ ଠାରୁ ସଙ୍କେତ ପାଇବା ପରେ ଇଞ୍ଜିନ୍‌କୁ ଗେଟ ନମ୍ବର ୮ରେ ରୋକା ଯାଇଥିଲା।

ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଯାତ୍ରୀମାନେ ଷ୍ଟେସନ୍‌ରେ ଭଙ୍ଗାରୁଜା କରିବା ଆରମ୍ଭ କରିବା ସହିତ ଷ୍ଟେଟନ୍‌ମାଷ୍ଟରଙ୍କ ସବୁଜ ପତକା ଛଡ଼ାଇ ନେଇ ଷ୍ଟେସନ୍‌ରେ ଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଉଠାଇ ନେଇଥିଲେ।

ଯାତ୍ରୀଙ୍କ କହିବାନୁସାରେ, ସୌଭାଗ୍ୟବସତଃ ଷ୍ଟେସନ୍‌ରେ ଟ୍ରେନ୍‌ ଛିଡ଼ା ହୋଇଥିବା ସମୟରେ ଇଞ୍ଜିନଟି ବଗି ଛାଡ଼ି ଚାଲି ଯାଇଥିଲା। ଯଦି ଚାଲୁଥିବା ଅବସ୍ଥାରେ ଏପରି ଘଟି ଥାଆନ୍ତା ତେବେ କେତେ ବଡ଼ ଦୁର୍ଘଟଣା ଘଟି ଥାଆନ୍ତା ତାହା ଆପଣମାନେ ଅନୁମାନ କରୁପାରୁ ଥିବେ। ପୁଲିସ ଓ ଆରପିଏଫ ଯବାନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ସମ୍ଭାଳି ନେଇଥିଲେ।

ମୁମ୍ବାଇରୁ ମୁଜଫରପୁର ଯାଉଥିବା ପବନ ଏକ୍ସପ୍ରେସ୍‌ ମଙ୍ଗଳବାର ଦ୍ୱିପହରରେ ୨.୦୫ ସମୟରେ ଇରଦତ୍ତପୁର ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କରିଥିଲା। ଏହି ସମୟରେ ଟ୍ରେନ୍‌ର ଇଞ୍ଜିନ୍‌ ଆକସ୍ମିକ ଭାବେ ବଗିଠାରୁ ଅଲଗା ହୋଇଯାଇଥିଲା। ଯାହାକୁ ଷ୍ଟେସନ୍‌ର ଗେଟ ନମ୍ବର ୮ରେ ଅଟକା ଯାଇଥିଲା। ୩.୩୫ରେ ଅନ୍ୟ ଏକ ଟ୍ରେନ୍‌ର ଇଞ୍ଜିନ୍‌ ସହିତ ବଗିକୁ ଯୋଡ଼ିଲା ପରେ ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିଲା।

ଇଞ୍ଜିନ ଏଭଳି ଭାବେ ବଗିରୁ ଅଲଗା ହୋଇଯିବାର କାରଣ ଷ୍ଟେସନ୍‌ ମାଷ୍ଟର କପଲିଙ୍କ ଖରାପ ହେବାରୁ ଏଭଳି ଘଟିଛି ବୋଲି କହିଥିଲେ। ତେବେ ଆଲହାବାଦ ଦାରାଗଞ୍ଜ ଷ୍ଟେସନ୍‌ରେ ବି ଏଭଳି ସମସ୍ୟା ଦେଖା ଦେଇଥିଲା, ଯେଉଁଥିରେ ଲୋକୋ ପାଇଲଟ ଟେକ୍‌ନିସିୟାନ୍‌କୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇବା ପରେ ପରିସ୍ଥିତିକୁ ଆୟତ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର