ନୀଳମାଧବ ସାହୁ
ମୋବଗିଚାରେ ପ୍ରଜାପତିଗୁଡ଼ିକ ନିଜର ଆକର୍ଷଣୀୟ ରଙ୍ଗିନ ଡେଣା ହଲାଇ ଫୁଲରୁ ଫୁଲକୁ ବିଚରଣ କରିବା ଦୃଶ୍ୟ ସଭିଙ୍କୁ ମୋହିତ କରୁଥିଲା। ବିଭିନ୍ନ ପ୍ରକାରର ଫୁଲରୁ ସଂଗୃହୀତ ମହୁ ସେମାନଙ୍କ ମୁଖ୍ୟ ଖାଦ୍ୟ ହୋଇଥିବା ବେଳେ ଅନ୍ୟ ପୋଷକତତ୍ତ୍ୱ ଅଭାବ ପୂରଣ ପାଇଁ ଓଦାମାଟି ଓ ସନ୍ତସନ୍ତିଆ ଅଂଚଳରେ ଖଣିଜ ଲବଣ ସଂଗ୍ରହ କରିବା ଏକପ୍ରକାର କୌତୂହଳପୂର୍ଣ୍ଣ ଥିଲା। ଅନେକ ସମୟରେ ବାଲିଶୁଆ, ଭଦଭଦଳିଆ ଆଦି ପକ୍ଷୀ, ବଗିଚାରେ ବୁଲୁଥିବା ଏଣ୍ଡୁଅ ଓ ଜାଲ ବିଛାଇଥିବା ବୁଢ଼ିଆଣୀ ଆଦି ପ୍ରଜାପତିକୁ ଶିକାର କରୁଥିବା ବି ମୋ ନଜରକୁ ଆସିଛନ୍ତି। ପ୍ରାକୃତିକ ପରିବେଶର ଅବନତି, ଜଳବାୟୁ ପରିବର୍ତ୍ତନ ଏବଂ ମନୁଷ୍ୟକୃତ କାର୍ଯ୍ୟକଳାପର ନକାରାତ୍ମକ ପ୍ରଭାବ ଓ ସମ୍ବେଦନଶୀଳତାକୁ ଅଧ୍ୟୟନ କରିବା ପାଇଁ ପ୍ରଜାପତିଙ୍କୁ ନମୁନା ଜୀବ ଏବଂ ପରିବେଶସୂଚକ ଭାବରେ ବ୍ୟବହାର କରାଯିବାର ମଧ୍ୟ ଦେଖାଯାଇଛି।
ପ୍ରଜାପତିର ଗୁରୁତ୍ୱ ଜାଣିବାପରେ ବଗିଚାରେ ଥିବା ସବୁ ପ୍ରଜାପତି ପ୍ରଜାତିକୁ ଲେଖି ରଖିବା ସହ ଓଡ଼ିଶାର କେଉଁକେଉଁଠାରେ ପ୍ରଜାପତିର ଅଧ୍ୟୟନ ହୋଇଛି ଜାଣିବାକୁ ଚେଷ୍ଟା କଲି। ଦୁଇ-ତିନି ବର୍ଷ ନିରୀକ୍ଷଣ ପରେ ମୋଟ୍ ୩୩ ପ୍ରଜାତିର ପ୍ରଜାପତି ବଗିଚାରେ ବିଚରଣ କରୁଥିବା ଜଣାପଡ଼ିଲା। ଟାଉନି କୋଷ୍ଟର୍, ପ୍ଲେନ୍ ଟାଇଗର୍, ଷ୍ଟ୍ରିପଡ୍ ଟାଇଗର୍, କମନ୍ ମର୍ମନ୍ ଏବଂ ଲାଇମ୍ ସଲ୍ଲୋଟେଲ୍ ଇତ୍ୟାଦି ପ୍ରଜାତି ଅଧିକ ମାତ୍ରାରେ ଦେଖିବାକୁ ମିଳିଥିଲା।
୨୦୨୦-୨୧ରେ ଶିମିଳିପାଳ ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଂଚଳକୁ ସଂଯୋଗ କରୁଥିବା ଜଙ୍ଗଲରେ କାମ କରିବାର ସୁଯୋଗ ମିଳିଲା, ସେତେବେଳେ ନିଜ ବଗିଚାରେ କରିଥିବା ପ୍ରଜାପତି ନୀରିକ୍ଷଣ ଅତ୍ୟନ୍ତ ସାହାଯ୍ୟକାରୀ ହେଲା। ମୋଟ ୧୨୩ରୁ ଅଧିକ ପ୍ରଜାତିର ପ୍ରଜାପତି ଏହି ମିଶ୍ରିତ ଜଙ୍ଗଲରେ ଦେଖିବାର ସୁଯୋଗ ମିଳିଥିଲା। ସେଥିମଧ୍ୟରୁ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରଜାପତିଙ୍କ ମଧ୍ୟରେ ବିବେଚନା କରାଯାଉଥିବା କମନ୍ ଜେଜେବେଲ୍, କମନ୍ ନବାବ୍, କ୍ରିଷ୍ଣା ପିକକ୍ ଓ ଅରେଞ୍ଜ୍ ଓକ୍ଲିଫ୍ ଆଦି ପ୍ରଜାତିଗୁଡ଼ିକ ଦେଖିବାକୁ ଅତ୍ୟନ୍ତ ସୁନ୍ଦର। ସେହି ଅଂଚଳରେ ଏହା ମଧ୍ୟ ଦେଖାଯାଇଥିଲା ଯେ ଖଣିଠାରୁ ଦୂରତା ହ୍ରାସ ହେବା ସହିତ ପ୍ରଜାପତିଙ୍କ ବିବିଧତା, ମୋଟ୍ ସଂଖ୍ୟାରେ ହ୍ରାସ ପାଇବା ସହ ସାମଗ୍ରିକ ସମାବେଶ ଓ ସଂରଚନାରେ ପରିବର୍ତ୍ତନ ହେଉଛି। କମନ୍ ଇଭିନିଙ୍ଗ୍ ବ୍ରାଉନ୍, କମନ୍ ବୁଶ୍ ବ୍ରାଉନ୍ ଓ କମନ୍ ଫୋର୍ରିଙ୍ଗ୍ ଇତ୍ୟାଦି ପ୍ରଜାତି ଏହି ବିସ୍ତୃତ ଅଞ୍ଚଳରେ ଅତି ସାଧାରଣ ଭାବେ ବହୁ ସଂଖ୍ୟାରେ ଦେଖାଯାଉଥିବା ବେଳେ କମନ୍ ସେଇଲର୍, କମନ୍ ଫୋର୍ରିଙ୍ଗ, କମନ୍ ଗ୍ରାସ୍ ୟେଲୋ ପ୍ରମୁଖ ମନୁଷ୍ୟ ଦ୍ୱାରା ପ୍ରଭାବିତ ଅଂଚଳ ଯଥା କୃଷିକ୍ଷେତ୍ର, ଖଣି ଆଦି ସ୍ଥାନଗୁଡ଼ିକରେ ମଧ୍ୟ ବିଶେଷ ରୂପେ ଦେଖିବାକୁ ମିଳିଥିଲା।
ବିଭିନ୍ନ ରିପୋର୍ଟରୁ ଜଣାପଡିଛି ଯେ, ପ୍ରଜାପତି ପ୍ରଜାତିର ବିବିଧତା ପ୍ୟାଟେନ୍ ଏବଂ ସଂଖ୍ୟାକୁ ଅଧ୍ୟୟନ କରି ଏକ ସୁସ୍ଥ ଇକୋସିଷ୍ଟମ୍ ବା ପରିବେଶକୁ ନିର୍ଣ୍ଣୟ କରାଯାଇପାରିବ। ପ୍ରଜାପତି ସମ୍ପ୍ରଦାୟର ଗଠନରେ ଏକ ଅଞ୍ଚଳର ଉଦ୍ଭିଦ ପ୍ରମୁଖ ଭୂମିକା ନିଭାଇଥାଏ ଏବଂ ଉଦ୍ଭିଦ ସମ୍ପ୍ରଦାୟର ପରିବର୍ତ୍ତନ ଏକ ଅଂଚଳର ପ୍ରଜାପତି ସଂରଚନାକୁ ମଧ୍ୟ ପରିବର୍ତ୍ତନ କରିପାରେ। ବିଭିନ୍ନ ବିରଳ ପ୍ରଜାତି ଏକ ସୁସ୍ଥ ଏବଂ ନିର୍ଦ୍ଦିଷ୍ଟ ପ୍ରକାରର ପରିବେଶ ବା କ୍ଷୁଦ୍ର-ପରିବେଶରେ ଦେଖାଯାଉଥିବା ବେଳେ ପରିବେଶ ବିରୋଧୀ ମନୁଷ୍ୟକୃତ କାର୍ଯ୍ୟକଳାପ ଓ ଜଳବାୟୁ ପରିବର୍ତ୍ତନ ଏମାନଙ୍କୁ କ୍ଷତି ପହଞ୍ଚାଇଥାଏ। କିନ୍ତୁ କିଛି ପୂର୍ବଅଧ୍ୟୟନ ଓ ମୋର ଶିମିଳିପାଳ-ସାତକୋଶିଆ ଅଭିଜ୍ଞତାରୁ ଜଣାପଡ଼ିଛି ଯେ ମନୁଷ୍ୟକୃତ କାର୍ଯ୍ୟକଳାପ ଅନେକ ପ୍ରଜାପତି ପ୍ରଜାତିଙ୍କ ସଂଖ୍ୟାକୁ ସୃଷ୍ଟି କରିଥାଏ ଏବଂ ଏହି ପ୍ରଜାପତିଗୁଡ଼ିକ ଜଙ୍ଗଲ କ୍ଷୟ ଓ ଅନ୍ୟାନ୍ୟ ମନୁଷ୍ୟକୃତ ଚାପକୁ ବହୁମାତ୍ରାରେ ପ୍ରତିରୋଧ କରିପାରନ୍ତି। ଆମେମାନେ ବି ଦେଖିଥିବା ଯେ ବିଭିନ୍ନ ସହରାଂଚଳ ଓ ଜନବସତି ଅଂଚଳରେ ମଧ୍ୟ ପ୍ରଜାପତିଙ୍କ ବିବିଧତା କିଛି କମ୍ ନୁହେଁ। ଭୁବନେଶ୍ୱର ଓ ବ୍ରହ୍ମପୁର ପରି ସହରରେ ଅତି କମ୍ରେ ଯଥାକ୍ରମେ ୧୦୭ ଓ ୫୫ ପ୍ରଜାତିର ପ୍ରଜାପତି ଥିବା ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି।
ସେହିପରି ଭୁବନେଶ୍ୱରରେ ଥିବା ନନ୍ଦନକାନନ ଅଭୟାରଣ୍ୟରେ ୯୫ ପ୍ରଜାତିର ପ୍ରଜାପତି ରେକର୍ଡ କରାଯାଇଛି। ଓଡ଼ିଶାର ଅନ୍ୟ ଅଂଚଳ ଓ ବନ୍ୟଜନ୍ତୁ ଅଭୟାରଣ୍ୟ ମଧ୍ୟରେ ଆଠଗଡ଼ ଫରେଷ୍ଟ୍ ଡିଭିଜନରୁ ୧୩୬, ବଣାଇ ଜଙ୍ଗଲ ଅଞ୍ଚଳରୁ ୧୫୭, କୁଲଡିହା ଅଭୟାରଣ୍ୟରୁ ୯୫, ମୟୂରଭଞ୍ଜର ମାଛବନ୍ଧ ଓ ବୁଢ଼ୀଖମାରି ରିଜର୍ଭ ଫରେଷ୍ଟ୍ରୁ ୧୩୫, ଶିମିଳିପାଳ ବ୍ୟାଘ୍ର ସଂରକ୍ଷିତ ଅଂଚଳରୁ ୧୮୮, ସୁନାବେଡ଼ା ଅଭୟାରଣ୍ୟରୁ ୧୦୧ ଓ କୋରାପୁଟ ଜିଲ୍ଲାରୁ ୧୪୮ ପ୍ରଜାତିର ପ୍ରଜାପତି ଥିବା ଜଣା ଯାଇଛି। ଜଙ୍ଗଲ ନଷ୍ଟ, ବିଭିନ୍ନ ପ୍ରକାରର ପ୍ରଦୂଷଣ ମୁଖ୍ୟତଃ ଚାଷ ଜମିରେ ବ୍ୟବହୃତ ରାସାୟନିକ ସାର ଓ କୀଟନାଶକ ଔଷଧ, ନିର୍ଦ୍ଧିଷ୍ଟ ପ୍ରଜାତିର ଗଛଲତା ନଷ୍ଟ, ପରିବେଶର ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ଇତ୍ୟାଦି ଯୋଗୁଁ ପ୍ରଜାପତିମାନେ ମୁଖ୍ୟତଃ ବିପଦଗ୍ରସ୍ତ। ପ୍ରଜାପତିଙ୍କ ବିଲୁପ୍ତି, ଖାଦ୍ୟ ଚକ୍ରରେ ସେମାନଙ୍କଠୁ ଉପର ସ୍ତରରେ ଥିବା ପଶୁପକ୍ଷୀ ନିଶ୍ଚିତ ରୂପେ ପ୍ରଭାବିତ ହେବେ ଓ ପରିବେଶର ସନ୍ତୁଳନକୁ ବି ପ୍ରଭାବ ପକାଇବେ ଏଥିରେ ସନ୍ଦେହ ନାହିଁ। ନିଜ ଆଖପାଖ ପରିବେଶରେ ପ୍ରଜାପତିଙ୍କୁ ସୁହାଇଲା ପରି ବିଭିନ୍ନ ପ୍ରକାରର ଦେଶୀ ଉଦ୍ଭିଦ ଲଗାଇ ସବୁଜିମା ଫେରିପାଇବାକୁ ହେବ, ଯାହାଫଳରେ ସେମାନଙ୍କୁ ତାଙ୍କ ବାସସ୍ଥାନ ମିଳିବ।
(ଲେଖକ ଅଧୁନା ଡେରାଡୁନ୍ ସ୍ଥିତ
ଭାରତୀୟ ବନ୍ୟଜୀବ ସଂସ୍ଥାନରେ ଗବେଷଣାରତ)
Email: [email protected]