ଭୁବନେଶ୍ବର: ବେଦାନ୍ତ ଲିମିଟେଡ୍ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିସାରିଛି। ଆଗାମୀ ଦିନରେ ଆଉ ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବା ଲାଗି ଯୋଜନା ରଖିଛି ବୋଲି ଏହାର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍ କହିଛନ୍ତି। କମ୍ପାନିର ଯୋଜନା ସମ୍ପର୍କରେ ଆଲୋଚନା କରି ସେ ସୂଚନା ଦେଇଛନ୍ତି ଯେ ରାୟଗଡ଼ା ଜିଲ୍ଲାରେ କମ୍ପାନି ବାର୍ଷିକ ୬ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଆଲୁମିନିୟମ୍ ସ୍ମେଲଟର୍, ୩ ନିୟୁତ ଟନ୍ କ୍ଷମତାର ସ୍ମେଲଟର୍ ସ୍ଥାପନ କରିବ। କମ୍ପାନି ସବୁଜ ଆଲୁମିନିୟମ୍ ଉତ୍ପାଦନ କରିବା ଉପରେ ଗୁରୁତ୍ବାରୋପ କରୁଛି। ଅକ୍ଷୟ ଶକ୍ତି ଦ୍ବାରା ସେହି ପ୍ରକଳ୍ପ ପରିଚାଳିତ ହେବ। ଆସନ୍ତା ୫-୬ ବର୍ଷ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ। ଆରମ୍ଭ ହେବାର ତିନି ବର୍ଷ ମଧ୍ୟରେ ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ବେଦାନ୍ତ ଏହାର ଆଲୁମିନିୟମ୍ ଉତ୍ପାଦନ କ୍ଷମତା ଦ୍ବିଗୁଣିତ କରିବାକୁ ଚାହୁଥିବା ସେ ସୂଚନା ଦେଇଛନ୍ତି। ରାୟଗଡ଼ାରେ କମ୍ପାନି ସ୍ଥାପନ କରିବାକୁ ଯାଉଥିବା ପ୍ରକଳ୍ପ ଦ୍ବାରା ୭୦୦-୮୦୦ ଆନୁଷଙ୍ଗିକ ଶିଳ୍ପ ଉପକୃତ ହେବେ ବୋଲି ସେ କହିଛନ୍ତି।
ରାୟଗଡ଼ାରେ କରିବ ଆଲୁମିନିୟମ୍ ପ୍ରକଳ୍ପ
ପୁରୀରେ ଖୋଜୁଛି ଜମି
ଏହି ଅବସରରେ ସେ ଓଡ଼ିଶା ସହ ତାଙ୍କର ଗଢ଼ି ଉଠିଥିବା ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ୧୯୯୪ରେ ବିଜୁ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଓଡ଼ିଶା ଆସିଥିଲେ। ପାରାଦୀପରେ ଜମି ଖଣ୍ଡିଏ ପାଇବାକୁ ସେ ବିଜୁ ବାବୁଙ୍କୁ ଅନୁରୋଧ କରିଥିଲେ। ବିଜୁ ବାବୁ ତାଙ୍କୁ ନିଜ ବାସଭବନକୁ ଡାକିଥିଲେ। ସେଦିନ ଥିଲା ରବିବାର। ଉଭୟ ବିଜୁ ବାବୁ ଓ ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ରାଜ୍ୟର ସର୍ବବୃହତ ଆଦିବାସୀ ଅଞ୍ଚଳ କଳାହାଣ୍ଡି ବୁଲି ଦେଖିବାକୁ ସେ ଅଗ୍ରୱାଲ୍ଙ୍କୁ ଅନୁରୋଧ କରିଥିଲେ। କଳାହାଣ୍ଡି ଯାଇ ଲୋକଙ୍କ ସହ ମିଶିବା ପରେ ସେଠାରେ କାମ କରିବା ପାଇଁ ମୋ ମନରେ ଆଗ୍ରହ ଜାତ ହୋଇଥିଲା ବୋଲି ସେ କହିଥିଲେ। ସେ କହିଛନ୍ତି ଯେ ଓଡ଼ିଶାରେ କୌଣସି ପ୍ରକଳ୍ପ କଥା ଉଠିଲେ ତାହାକୁ ଲୋକମାନେ ବିରୋଧ କରୁଛନ୍ତି। ଓଡ଼ିଶାକୁ କେବଳ ଏକ ବଜାରରେ ସୀମିତ ରଖିବା ଲାଗି ବିଦେଶୀ ଶକ୍ତି ସେମାନଙ୍କୁ ବିଦ୍ରୋହ କରିବାକୁ ଉସୁକାଉଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟର ଡବଲ୍ ଇଞ୍ଜିନ ସରକାରଙ୍କ ସମ୍ପର୍କରେ ସେ କହିଛନ୍ତି ଯେ ପୂର୍ବରୁ ଏଠୁ ସେଠିକି, ସେଠୁ ଏଠିକି ବୁଲିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ସରକାରର ଆଭିମୁଖ୍ୟ ବେଶ୍ ସ୍ପଷ୍ଟ୍। ସେମାନେ ନିବେଶ ଆସୁ ବୋଲି ଚାହୁଛନ୍ତି। ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ସମ୍ପର୍କରେ ସେ କହିଛନ୍ତି ଯେ ସମୟ ହେଉଛି ଗୁରୁତ୍ବପୂର୍ଣ୍ଣ। ସେହି ପ୍ରକଳ୍ପର ସମୟ ଆସିଲେ ତାହା କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି। ବିଶ୍ବବିଦ୍ୟାଳୟ ଲାଗି କମ୍ପାନି ପୁରୀରେ ଜମି ସନ୍ଧାନରେ ରହିଛି। ସେହି ପ୍ରକଳ୍ପରେ ୨୦ ହଜାର କୋଟି ଟଙ୍କା ନିବେଶ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଓଡ଼ିଶାକୁ ସେ ଦ୍ବିତୀୟ ଅଷ୍ଟ୍ରେଲିଆ ଭାବେ ଅଭିହିତ କରିବା ସହ ତାହାକୁ ସ୍ବର୍ଗ ସହିତ ତୁଳନା କରିଛନ୍ତି।