ଗୋଟିଏ ଶାକାହାରୀ କୁମ୍ଭୀରଲାଗି ଏବେ ଚର୍ଚ୍ଚାରେ କେରଳର ଏହି ମନ୍ଦିର

ଭଗବାନ୍‌ ବିଷ୍ଣୁ କେରଳର କାଶରଗଡ ଜିଲ୍ଲାରେ ଥିବା ଅନନ୍ତପୁରଠାରେ ଅନନ୍ତ ପଦ୍ମନାଭ ସ୍ୱାମୀ ଭାବେ ପୂଜିତ ହେଉଛନ୍ତି । ତାଙ୍କର ଏକ ପ୍ରସିଦ୍ଧ ମନ୍ଦିର ରହିଛି ସେଠାରେ । ସେହି ମନ୍ଦିର ପରିସରରେ ଏକ ହ୍ରଦ ଅଛି । ସେଠାରେ ଭଗବାନ ବିଷ୍ଣୁଙ୍କର ଜଣେ ପରମ ଭକ୍ତ ଅଛନ୍ତି । ସେ କିଏ ଜାଣି ଆପଣ ବି ବିସ୍ମିତ ହେବେ । ସେ ଜଣେ ମନୁଷ୍ୟ ନୁହନ୍ତି, ବରଂ ଗୋଟିଏ କୁମ୍ଭୀର ।

ବିଶ୍ୱାସ କରାଯାଏ ଯେ ଏହି ୭୩ ବର୍ଷ ବୟସ୍କ କୁମ୍ଭୀର କେବେ ବି ମାଂସାହାର କରି ନାହିଁ । ସେ ସଂପୂର୍ଣ୍ଣ ଶାକାହାରୀ । କିନ୍ତୁ ଉକ୍ତ ମନ୍ଦିର ପରିସରର ଜଗାରଖା କରିବା ତା’ର ଦାୟିତ୍ୱ ବୋଲି କୁହାଯାଏ । ଉକ୍ତ ମନ୍ଦିରକୁ ଭଗବାନ ଅନନ୍ତ ପଦ୍ମନାଭ ସ୍ୱାମୀଙ୍କୁ ଯେ କେହି ଭକ୍ତ ଦର୍ଶନ ଲାଗି ଆସିଲେ, ଉକ୍ତ କୁମ୍ଭୀରକୁ ନ ଦେଖି ଯାଆନ୍ତି ନାହିଁ । ସେହି କୁମ୍ଭୀରର ନାଆଁ ହେଲା ବାବିୟା । ସେହି ହ୍ରଦରେ ଭକ୍ତମାନେ ସ୍ନାନ କରନ୍ତି , କିନ୍ତୁ ଗତ ୭୩ ବର୍ଷ ହେଲା ବାବିୟା କାହାରି କିଛି କ୍ଷତି କରିଥିବା କେହି ଶୁଣି ନାହାନ୍ତି । ଏହି କାରଣରୁ ଭକ୍ତମାନେ ବାବିୟାକୁ ଶ୍ରଦ୍ଧାରେ ପ୍ରସାଦ ପ୍ରଦାନ କରିଥାନ୍ତି । ଏପରିକି କେତେ ଲୋକ ତାଙ୍କୁ ମୁଣ୍ଡ ଛୁଇଁ ପ୍ରଣାମ ମଧ୍ୟ କରିଥାନ୍ତି ।

photo-anantapadmanavswamytemple.org

କେରଳର କାଶରଗଡ ଜିଲ୍ଲାରେ ସ୍ଥିତ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର ଏହି କୁମ୍ଭୀର ପାଇଁ ଚର୍ଚ୍ଚାର ବିଷୟ ହୋଇଛି । ଏହି ମନ୍ଦିରର ଟ୍ରଷ୍ଟି ଶ୍ରୀ ରାମଚନ୍ଦ୍ର ଭଟ୍ଟ କହନ୍ତି ଯେ ବାବିୟା ଭଗବାନ ବିଷ୍ଣୁଙ୍କ ଦ୍ୱାରା ପ୍ରେରିତ । ସେହି ଅଞ୍ଚଳବାସୀଙ୍କ ଅନୁଯାୟୀ ୧୯୪୫ ମସିହାରେ ଜଣେ ବ୍ରିଟିଶ ସୈନିକ ୧୯୪୫ରେ ବାବିୟାଙ୍କ ଉପରକୁ ଗୁଳି ଚାଳନା କରିଥିଲା । ସମସ୍ତେ ଭାବିଥିଲେ କୁମ୍ଭୀର ପ୍ରାଣ ହରାଇଛି । ହେଲେ ତା’ପରଦିନ ତାକୁ ସନ୍ତରଣ କରୁଥିବା ଅବସ୍ଥାରେ ଦେଖି ସମସ୍ତେ ଆନନ୍ଦିତ ହୋଇଥିଲେ । କିଛି ଦିନ ପରେ ଉକ୍ତ ସୈନିକ ସର୍ପ ଦଂଶନରେ ପ୍ରାଣ ହରାଇଥିଲା । ଏହା ଭଗବାନ ବିଷ୍ଣୁଙ୍କ ମହିମା ବୋଲି ସେଠାରେ ବିଶ୍ୱାସ ରହିଛି ।

ସମ୍ବନ୍ଧିତ ଖବର