ପୃଥିବୀର ପ୍ରଥମ ଦେଶ ଭାବେ ଭେନେଜୁଆଲା ତାହାର ସମସ୍ତ ହିମଶୈଳ ବା ଗ୍ଲେସିଅର୍‌ ହରାଇ ବସିଛି। ବୈଶ୍ବିକ ତାପମାତ୍ରା ବୃଦ୍ଧି ଯୋଗୁଁ ତାହାର ଅନ୍ୟ ହିମଶୈଳଗୁଡ଼ିକ ସତ୍ତା ହରାଇ ବସିଥିବା ବେଳେ ଶେଷ ହିମଶୈଳ ‘ହମ୍ବଲ୍‌ଟ’ ଏବେ ତରଳି ତରଳି ଦୁଇ ହେକ୍ଟର ପରିମିତ ଏକ ପଡ଼ିଆ ଆକାରର ହୋଇଯାଇଛି।

Advertisment

ବିଂଶ ଶତାବ୍ଦୀ ଆରମ୍ଭ ବେଳକୁ ଏହି ଦେଶରେ ୬ଟି ହିମଶୈଳ ଥିଲା ଯାହାର କ୍ଷେତ୍ରଫଳ ୩୮୬ ବର୍ଗମାଇଲ୍‌ ଥିଲା। ତେବେ ଜଳବାୟୁ ପରିବର୍ତ୍ତନର ଶିକାର ହୋଇ ଗତ ଶତାବ୍ଦୀରେ ୫ଟି ହିମଶୈଳ ସଂପୂର୍ଣ୍ଣ ଭାବରେ ତରଳି ଉଭେଇ ଯାଇଥିଲା। ତଥାପି ଚଳିତ ଶତାବ୍ଦୀର ଆରମ୍ଭ ବେଳକୁ ‘ଲା କରୋନା’ ନାମରେ ପରିଚିତ ଏହି ଶେଷ ତଥା ଷଷ୍ଠ ହିମଶୈଳଟି ଦେଶ ପାଇଁ ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟ ବହନ କରୁଥିଲା। ସୂଚନାଯୋଗ୍ୟ, ଉଚ୍ଚ ଭୂଇଁ ଉପରେ ଗଚ୍ଛିତ ବିଶାଳ ବରଫଖଣ୍ଡ ଯାହା ନିଜ ଓଜନ ପ୍ରଭାବରେ ଆପେ ଆପେ ତଳକୁ ଖସିଥାଏ, ତାହାକୁ ହିମଶୈଳ କୁହାଯାଏ। ଯଦିଓ ତାହାକୁ ସଂଜ୍ଞାକୃତ କରିବା ଲାଗି କିଛି ନିର୍ଦ୍ଦିଷ୍ଟ ମାପକାଠି ନାହିଁ, ତଥାପି ଯେଉଁ ବରଫଖଣ୍ଡର କ୍ଷେତ୍ରଫଳ ୧୦ ହେକ୍ଟରରୁ ଊର୍ଦ୍ଧ୍ବ ହୋଇଥିବ, ତାହାକୁ ସାଧାରଣତଃ ହିମଶୈଳ ଭାବେ ପରିଗଣନା କରାଯାଇ ଆସୁଛି। ପ୍ରାରମ୍ଭିକ ଅବସ୍ଥାରେ ‘ହମ୍ବଲ୍‌ଟ’ ହିମଶୈଳର କ୍ଷେତ୍ରଫଳ ୪୫୦ ହେକ୍ଟର ରହିଥିଲା। ମାତ୍ର ତାହା ଏବେ ତରଳି ଗତ ମାର୍ଚ୍ଚ ମାସ ସୁଦ୍ଧା ୨ ହେକ୍ଟରକୁ ସଂକୁଚିତ ହୋଇଯାଇଛି। ସେ ଦୃଷ୍ଟିରୁ ‘ହମ୍ବଲ୍‌ଟ’ ଆଉ ହିମଶୈଳ ସଂଜ୍ଞା ବହନ କରୁନାହିଁ।

ଏକ ଆକଳନ ଅନୁଯାୟୀ, ୨୧୦୦ ମସିହା ସୁଦ୍ଧା ପୃଥିବୀର ୨୦ ପ୍ରତିଶତରୁ ୮୦ ପ୍ରତିଶତ ହିମଶୈଳ ଉଭେଇଯିବ। ଭେନେଜୁଆଲା ପରେ ଇଣ୍ଡୋନେସିଆ, ମେକ୍ସିକୋ ଓ ସ୍ଲୋଭେନିଆରେ ହିମଶୈଳ ବିଲୋପନ ଦେଖାଦେବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ଏକ ଅଧ୍ୟୟନ ଅନୁଯାୟୀ, ଭେନେଜୁଆଲାର ହିମଶୈଳଗୁଡ଼ିକ ୧୯୫୨ ମସିହାରୁ ୨୦୧୯ ଭିତରେ ପ୍ରାୟ ୯୮ ପ୍ରତିଶତ ସଂକୁଚିତ ହୋଇଯାଇଛନ୍ତି। ଏଥି ସହିତ ୨୦୧୬ରୁ ୨୦୧୯ ମଧ୍ୟରେ ସେଗୁଡ଼ିକର ତରଳିବା ପ୍ରକ୍ରିୟା ବାର୍ଷିକ ସର୍ବାଧିକ ୧୭ ପ୍ରତିଶତ ବଢ଼ିଥିବା ଜଣାଯାଇଛି। ଗବେଷକମାନଙ୍କ ମତରେ ଏହି ହିମଶୈଳଗୁଡ଼ିକ କୌଣସି ଦେଶର ସାଂସ୍କୃତିକ ପରିଚିତି ହୋଇଥିବା ବେଳେ ସେଗୁଡ଼ିକର ଏପରି ଦ୍ରୁତ ଅବକ୍ଷୟ ସମୁଦ୍ରର ଜଳସ୍ତର ବଢ଼ାଇଥାଏ। ଥରେ କୌଣସି ହିମଶୈଳ ସଂକୁଚିତ ହୋଇଗଲେ, ସୂର୍ଯ୍ୟକିରଣ ସିଧାସଳଖ ଭୂଇଁ ଉପରେ ପଡ଼ି ତାହାକୁ ଉଷ୍ମ କରିବା ସହ ତରଳିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ। ତେଣୁ ଗତ ଡିସେମ୍ବରରେ ଭେନେଜୁଆଲା ସରକାର ଏହି ଶେଷ ଅଦୃଶ୍ୟମାନ ହିମଶୈଳକୁ ସଂରକ୍ଷିତ କରି ରଖିବା ଲାଗି ତାହା ଉପରେ ଏକ ତାପୀୟ କମ୍ବଳ ଘୋଡ଼ାଇବା ଆରମ୍ଭ କରିଥିଲେ। ମାତ୍ର ସମୟାନୁକ୍ରମେ ଏପରି ସିନ୍ଥେଟିକ୍‌ ଆବରଣ ପରିବେଶରେ ଅଣୁପ୍ଳାଷ୍ଟିକ୍‌ ଛାଡ଼ି ପ୍ରଦୂଷିତ କରି ପକାଇବ ବୋଲି ଜଳବାୟୁ ବିଶେଷଜ୍ଞମାନେ ସତର୍କ କରାଇ ଦେଇଥିଲେ। ଏକ ଆକଳନ ଅନୁଯାୟୀ, ୨୧୦୦ ମସିହା ସୁଦ୍ଧା ପୃଥିବୀର ୨୦ ପ୍ରତିଶତରୁ ୮୦ ପ୍ରତିଶତ ହିମଶୈଳ ଉଭେଇଯିବ। ଭେନେଜୁଆଲା ପରେ ଇଣ୍ଡୋନେସିଆ, ମେକ୍ସିକୋ ଓ ସ୍ଲୋଭେନିଆରେ ହିମଶୈଳ ବିଲୋପନ ଦେଖାଦେବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।