ମେରୁଦଣ୍ଡୀ ପ୍ରାଣୀମାନଙ୍କ ପାଇଁ ପାକସ୍ଥଳୀ ହେଉଛି ଏକ ଅପରିହାର୍ଯ୍ୟ ପ୍ରତ୍ୟଙ୍ଗ। କାରଣ ସେ ଭକ୍ଷଣ କରୁଥିବା ଖାଦ୍ୟର ସିଂହଭାଗ ପେଟ ଭିତରେ ଥିବା ପାକସ୍ଥଳୀରେ ହିଁ ଜୀର୍ଣ୍ଣ ହୋଇଥାଏ। ଏଥିରେ ଥିବା ଗ୍ରନ୍ଥିଗୁଡ଼ିକ ପେପସିନ୍ ନାମକ ଏକ ପ୍ରକାରର ଏଞ୍ଜାଇମ୍ କ୍ଷରଣ କରିଥା’ନ୍ତି ଯାହା ପୁଷ୍ଟିସାର ଜାତୀୟ ଖାଦ୍ୟ ଏବଂ କଠିନ ଅମ୍ଳଗୁଡ଼ିକୁ ବିଘଟନ କରିଥାଏ। ଫଳରେ ସଂପୃକ୍ତ ଖାଦ୍ୟ ସରଳ ହୋଇ ଜୀର୍ଣ୍ଣ ପ୍ରକ୍ରିୟା ସହଜ ହୋଇଥାଏ। ବିଶେଷ କରି ମେରୁଦଣ୍ଡୀ ପ୍ରାଣୀଙ୍କ ଠାରେ ଏ ପ୍ରକାର ଗ୍ରନ୍ଥି ପ୍ରାୟ ୪୫୦ ନିୟୁତ ବର୍ଷ ତଳେ ପ୍ରଥମେ ସୃଷ୍ଟି ହୋଇ ବିକଶିତ ହୋଇଥିବାର ବିଜ୍ଞାନସମ୍ମତ ଯୁକ୍ତି ରହିଛି।
ତେବେ ପ୍ଲାଟିପସ୍ ଏଭଳି ଏକ ମେରୁଦଣ୍ଡୀ ପ୍ରାଣୀ ଯାହାର ପେଟରେ ପାକସ୍ଥଳୀ ନାହିଁ। ଏହା ଖାଉଥିବା ଖାଦ୍ୟଗୁଡ଼ିକ ସିଧାସଳଖ ମୁଖଗହ୍ବରରୁ ଅନ୍ତନାଳୀରେ ପହଞ୍ଚିଯାଇଥାଏ ଏବଂ ସେଠାରେ ହଜମ ହୋଇଥାଏ। ତେବେ ଆରମ୍ଭରୁ ପ୍ଲାଟିପସ୍ ଏପରି ପାକସ୍ଥଳୀବିହୀନ ନଥିଲା। ପ୍ରଥମରୁ ତାହା ଅନ୍ୟ ସ୍ତନ୍ୟପାୟୀଙ୍କ ପରି ପାକସ୍ଥଳୀ ବହନ କରୁଥିବା ବେଳେ ବିବର୍ତ୍ତନ ପ୍ରକ୍ରିୟାରେ ଏହି ପ୍ରତ୍ୟଙ୍ଗକୁ ହରାଇ ବସିଥିବା ଜଣାଯାଇଛି। ସୂଚନାନୁଯାୟୀ, ସୁଦୂର ଅତୀତରେ ପ୍ଲାଟିପସମାନେ ଏଭଳି ଖାଦ୍ୟ ଉପରେ ନିର୍ଭର କରୁଥିଲେ ଯାହାର ହଜମ ପାଇଁ ପେପ୍ସିନ୍ ବା କୌଣସି ଅମ୍ଳର ଆବଶ୍ୟକତା ନଥିଲା। ସୁତରାଂ ସେମାନଙ୍କର ପାକସ୍ଥଳୀ ସମୟାନୁକ୍ରମେ ଅବ୍ୟବହୃତ ହୋଇପଡ଼ିଥିଲା। ଶେଷରେ ବିବର୍ତ୍ତନ ପ୍ରକ୍ରିୟା ଫଳରେ ଏହି ଅନାବଶ୍ୟକ ପ୍ରତ୍ୟଙ୍ଗଟି ଲୋପ ହୋଇଯାଇଛି। ତାହା କୌଣସିମତେ ଫେରି ଆସିବାର ସମ୍ଭାବନା ମଧ୍ୟ ନାହିଁ ବୋଲି ବୈଜ୍ଞାନିକମାନେ ପ୍ଲାଟିପସର କୋଷୀୟ ସଂରଚନାରୁ ନିଶ୍ଚିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/2-15.jpg)