ବିଶ୍ବ ଐତିହ୍ୟ : ଭେସ୍‌ପାସିଆନ୍‌ସ କ୍ୟାମ୍ପ୍‌

ଇଂଲଣ୍ଡ୍‌ ଅନ୍ତର୍ଗତ ୱିଲ୍‌ଟସାୟାର୍‌ର ଏମ୍‌ସବରିରେ ଥିବା ଏକ ପ୍ରାଚୀନ ଦୁର୍ଗର ଧ୍ବଂସାବଶେଷ- ‘ଭେସ୍‌ପାସିଆନ୍‌ସ କ୍ୟାମ୍ପ୍‌’କୁ ୨୦୦୮ରେ ବିଶ୍ବ ଐତିହ୍ୟର ମାନ୍ୟତା ମିଳିଥିଲା। ଭେସ୍‌ପାସିଆନ୍‌ ଥିଲେ ଜଣେ ରୋମାନ୍‌ ସେନାଧ୍ୟକ୍ଷ। ସେ ଇଂଲଣ୍ଡ୍‌ ଆକ୍ରମଣ କରି, ଅନେକ ଅଞ୍ଚଳ ଅଧିକାର କରିଥିଲେ। ତେବେ, ସେ ୱିଲ୍‌ଟସାୟାର୍‌ ଆସିଥିବା ବା ସେଠାରେ ଦୁର୍ଗ ସ୍ଥାପନ କରିଥିବାର କୌଣସି ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ। ଏଲିଜାବେଥ୍‌କାଳୀନ ଐତିହାସିକ ଉଇଲିଅମ୍‌ କା‌ମ୍‌ଡେନ୍‌ ସ୍ଥାନଟିକୁ ‘ଭେସ୍‌ପାସିଆନ୍‌ସ କ୍ୟାମ୍ପ୍‌’ ଭାବେ ନାମିତ କରିଥିଲେ। ପ୍ରାଚୀନ ବ୍ରିଟନ୍‌ମାନେ ଆଧୁନିକ ବକିଙ୍ଗ୍‌ହାମ୍‌ସାୟାର‌୍‌ର ଥାଟ୍‌ସାମ୍‌ରେ ପ୍ରଥମ ଜନବସତି ବସାଇଥିବା ବିଶ୍ବାସ କରାଯାଉଥିଲା। ତେବେ, ‘ବକିଙ୍ଗ୍‌ହାମ୍‌ ବିଶ୍ବବିଦ୍ୟାଳୟ’ର ପ୍ରତ୍ନତତ୍ତ୍ବ ବିଭାଗର ଗବେଷକମାନେ ଏମ୍‌ସବରିରେ ପ୍ରଥମ ଜନବସତି ବସିଥିବା ଏବେ କହୁଛନ୍ତି। ଏହା ଖ୍ରୀଷ୍ଟ ପୂର୍ବ ୮୮୨୦ ପୂର୍ବରୁ ସ୍ଥାପିତ ହୋଇଥିବାର ପ୍ରମାଣ ମିଳିଛି। ଏଠାକାର ପ୍ରାଚୀନ ମଣିଷ କୃଷିଜୀବୀ ଥିଲେ। ବିଶ୍ବବିଖ୍ୟାତ ପ୍ରାଗ୍‌-ଐତିହାସିକ ପ୍ରସ୍ତର ସ୍ଥାପତ୍ୟ ‘ଷ୍ଟୋନ୍‌ହେଞ୍ଜ୍‌’ ମଧ୍ୟ ସେମାନେ ଗଢ଼ିଥିଲେ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଏଠାରୁ ବୃଷଭର ଆକାରରୁ ଦୁଇ ଗୁଣ ବଡ଼ ଅଉରୋସ୍‌ ନାମକ ପ୍ରାଣୀ, ବନ୍ୟ ଶୂକର ଓ ଲାଲ ହରିଣ ହାଡ଼ର ଅବଶେଷ ଆବିଷ୍କୃତ ହୋଇଛି।

ସମ୍ବନ୍ଧିତ ଖବର