ପ୍ରଗତି ସାହୁ
ଆପଣ ‘ବାହୁବଳୀ-୧’ ଦେଖିଛନ୍ତି? ଏହାର ଏକ ଦୃଶ୍ୟରେ ନବଜାତ ବାହୁବଳୀ ପାଣି ଭିତରେ ବୁଡ଼ିଯାଉଥିବା ବେଳେ ମହାରାଣୀ ଶିବଗାମୀ (ରାମ୍ୟା କୃଷ୍ଣନ୍) ତାଙ୍କୁ ଟେକି ଧରୁଛନ୍ତି। ଠିକ୍ ସେମିତି ‘ଆର୍ଆର୍ଆର୍’ ଚଳଚ୍ଚିତ୍ରରେ କୋମାରାମ୍ ଭୀମ୍ (ଜୁନିଅର୍ ଏନ୍ଟିଆର୍)ଙ୍କର ବାଘ ସହ ଲଢ଼ିବା ଏକ ରୋମାଞ୍ଚକର ଦୃଶ୍ୟ। ବଲିଉଡ୍ ଛବି ‘ଧୁମ୍-୩’ରେ ବାଇକ୍ ଷ୍ଟଣ୍ଟ୍ ହେଉ ବା ‘କ୍ରିସ୍-୩’ରେ କ୍ରିସ୍ (ହ୍ରିତିକ୍ ରୋଶନ୍) ସୁପର୍ମ୍ୟାନ୍ ଠାଣିରେ ଆକାଶରେ ଉଡ଼ିବା ଦୃଶ୍ୟ ଦେଖି ଆମେ ଚମତ୍କୃତ ହୋଇଥାଉ। ଦିନ ଥିଲା ଏପରି ଦୃଶ୍ୟ ସବୁ ପ୍ରସ୍ତୁତ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। କଳାକାର, ନିର୍ଦ୍ଦେଶକ, କ୍ୟାମେରାମ୍ୟାନ୍ ଓ ପୂରା ୟୁନିଟ୍କୁ କସରତ୍ କରିବାକୁ ପଡୁଥିଲା। ଏବେ କିନ୍ତୁ ନୂଆ ପ୍ରଯୁକ୍ତି ସହାୟତାରେ ଅତ୍ୟନ୍ତ ଜୀବନ୍ତ ଢଙ୍ଗରେ ଏସବୁ ଦୃଶ୍ୟ ରୂପାୟିତ ହୋଇଯାଉଛି। ଏହାକୁ ସମ୍ଭବ କରଛି ‘ଭିଏଫ୍ଏକ୍ସ’, ଯାହା ବିନା ଆଜିକାଲି ଚଳଚ୍ଚିତ୍ର ନିର୍ମାଣ ହୋଇପାରୁନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ।
କେତେକ ଚଳଚ୍ଚିତ୍ରରେ ବାସ୍ତବ ଭଳି ମନେ ହେଉଥିବା ଅତି ଅବାସ୍ତବ ଦୃଶ୍ୟ ଦେଖି ଦର୍ଶକମାନେ ବିସ୍ମିତ ହୋଇଯାଆନ୍ତି। ଦର୍ଶକମାନଙ୍କ ଆଡ଼କୁ ମାଡ଼ି ଅାସେ ବିରାଟ ଡାଇନୋସର୍, ଆନାକୋଣ୍ଡା ସାପ ଓ କିଙ୍ଗ୍କଙ୍ଗ୍ ଭଳି ବଣମଣିଷ। ‘ଜୁରାସିକ୍ ୱାର୍ଲଡ୍’ରେ ମଣିଷ ଡାଇନୋସର୍ ସହିତ ଲଢୁଥିବାର ଦୃଶ୍ୟ ଅନେକେ ଦେଖିଛନ୍ତି। ‘ଆଭେଞ୍ଜର୍ସ’ ଚଳଚ୍ଚିତ୍ରରେ ସୁପର୍ ହିରୋମାନେ ଏମିତି କିଛି ଷ୍ଟଣ୍ଟ୍ କରିଛନ୍ତି, ଯାହା ବାସ୍ତବ ଜୀବନରେ କରିବା ଅସମ୍ଭବ। ଯଦି ଏସବୁ ଅସମ୍ଭବ, ତା’ହେଲେ ଏହାକୁ କିପରି ସୁଟିଂ କରାଗଲା ବୋଲି ମନରେ ପ୍ରଶ୍ନ ଉଠେ। ଏସବୁ ପ୍ରଶ୍ନର ଉତ୍ତର ହେଉଛି, ଭିଜୁଆଲ୍ ଇଫେକ୍ଟ୍ସ୍, ଯାହାକୁ ସଂକ୍ଷେପରେ କହାଯାଏ ଭିଏଫ୍ଏକ୍ସ୍ । ବେଶ୍ କିଛି ବର୍ଷ ହେବ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଏହି ଅତ୍ୟାଧୁନିକ କୌଶଳ ବ୍ୟବହାର କରାଯାଉଛି।
ଏହି କୌଶଳ ନିର୍ଦ୍ଦେଶକମାନଙ୍କୁ ଗୋଟାଏ ଭିନ୍ନ ବିଶ୍ବବ୍ରହ୍ମାଣ୍ଡ ସୃଷ୍ଟି କରିବାର ସାମର୍ଥ୍ୟ ଦେଇଛି, ଯାହାକୁ ଆମେ କେବେ ଦେଖିପାରିବା ବୋଲି କଳ୍ପନା ମଧ୍ୟ କରି ନ ଥିଲେ। ଭିଏଫ୍ଏକ୍ସ୍ ପ୍ରଚଳନ ପୂର୍ବରୁ ଚଳଚ୍ଚିତ୍ରରେ କେତେକ ବିଶେଷ କୌଶଳ ବ୍ୟବହାର କରାଯାଉଥିଲା। ସେସବୁ ହେଉଛି ମୋସନ୍ କ୍ୟାପ୍ଚର୍, ଆନିମେସନ୍, ସ୍ପେସାଲ୍ ଇଫେକ୍ଟ୍, ଥ୍ରିଡି ମଡେଲିଂ, ମ୍ୟାଚ୍ ମୁଭିଂ, କମ୍ପୋଷ୍ଟିଂ ଇତ୍ୟାଦି। କିନ୍ତୁ, ଭିଏଫ୍ଏକ୍ସ୍ରେ କାମ କରିବା ପଦ୍ଧତି ଟିକେ ଭିନ୍ନ। ଭିଏଫ୍ଏକ୍ସ୍ଦ୍ବାରା ଯେଉଁ ଦୃଶ୍ୟ ପ୍ରସ୍ତୁତ ହୁଏ ପ୍ରଥମେ ତା’ର ଯୋଜନା ଓ ପରିକଳ୍ପନା କରାଯାଏ। ତା’ପରେ ଈପ୍ସିତ ଦୃଶ୍ୟକୁ କମ୍ପ୍ୟୁଟର୍ ସାହାଯ୍ୟରେ ସୃଷ୍ଟି କରାଯାଏ। ଏହି ପଦ୍ଧତିର ବ୍ୟବହାର କିନ୍ତୁ ବହୁତ ପୁରୁଣା। ପ୍ରଥମେ ୧୮୫୭ରେ ଓକ୍ସାର୍ ଗୁସ୍ତାଭେ ରେଜ୍ଲାଣ୍ଡର୍ ଏହି ପଦ୍ଧତି ପ୍ରୟୋଗ କରିଥିଲେ। ସେତେବେଳେ ଏହାର ନାଁ ଥିଲା ସ୍ପେସାଲ୍ ଇଫେକ୍ଟ୍। ତା’ପରେ ୧୮୯୫ରେ ଆଲ୍ଫ୍ରେଡ୍ କ୍ଲାର୍କ ସ୍ପେସାଲ୍ ଇଫେକ୍ଟ୍ ଥିବା ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ୧୮୯୬ରୁ ୧୯୧୩ ମଧ୍ୟରେ ଏଭଳି ପାଖାପାଖି ୫୦୦ଟି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ସମୟକ୍ରମେ ଏହି କୌଶଳ ବଦଳି ମଲ୍ଟିପୁଲ୍ ଏକ୍ସପୋଜର୍, ଟାଇମ୍ ଲାପ୍ସ୍ ଫଟୋଗ୍ରାଫି ଆଦିରେ ପରିଣତ ହେଲା। ସମ୍ପ୍ରତି ବ୍ୟବହାର ହେଉଥିବା ଭିଏଫ୍ଏକ୍ସ୍ ଏହି ପୁରୁଣା ପ୍ରଯୁକ୍ତିବିଦ୍ୟାର ଅତ୍ୟାଧୁନିକ ରୂପାନ୍ତରଣ ମାତ୍ର।
ବଲିଉଡ୍ରେ ଭିଏଫ୍ଏକ୍ସ୍
ଭିଏଫ୍ଏକ୍ସ୍ ଉପଯୋଗରେ ଚଳଚ୍ଚିତ୍ର ନିର୍ମାଣ କରିବାରେ ହଲିଉଡ୍ ସବୁବେଳେ ଆଗରେ ଥିଲେ ବି ବଲିଉଡ୍ ପଛାଇ ଯାଇନାହିଁ। ଭିଏଫ୍ଏକ୍ସ୍ ବ୍ୟବହାର ଫଳରେ ବଲିଉଡ୍ର କେତେକ ଚଳଚ୍ଚିତ୍ର ସୁପର୍ ହିଟ୍ ହୋଇଛି ତ ଆଉ କେତେକ ଚଳଚ୍ଚିତ୍ର ପାଇଁ ଟ୍ରୋଲ୍ ହେବାକୁ ପଡ଼ିଛି। ଭିଏଫ୍ଏକ୍ସ୍ ପାଇଁ ହିଁ ‘ବାହୁବଳୀ’ର ଦୁଇଟି ଭାଗ ବେଶ୍ ପ୍ରଶଂସିତ ହୋଇଛି। ଏସ୍ଏସ୍ ରାଜାମୌଲିଙ୍କ ପ୍ରଯୋଜିତ ‘ଆର୍ଆର୍ଆର୍’ରେ ୨୮୦୦ରୁ ଅଧିକ ଦୃଶ୍ୟରେ ଭିଏଫ୍ଏକ୍ସ୍ ବ୍ୟବହାର କରାଯାଇଛି। ରାମାୟଣ ଉପରେ ଆଧାରିତ ଓମ୍ ରାଉତଙ୍କ ନିର୍ଦ୍ଦେଶିତ ‘ଆଦିପୁରୁଷ’ ଏହି ଶ୍ରେଣୀର। ଏଥିରେ ଭିଏଫ୍ଏକ୍ସ୍ ଦ୍ବାରା ଭିନ୍ନ ଏକ ବ୍ରହ୍ମାଣ୍ଡ ସୃଷ୍ଟି କରାଯାଇଛି। ‘ଆଦିପୁରୁଷ’ରେ ପ୍ରାଣୀମାନଙ୍କର ପରିକଳ୍ପନା ହେଉ ଅଥବା ଜଟିଳ ଯୁଦ୍ଧ ଦୃଶ୍ୟ ହେଉ, ସବୁକୁ ଅତି ସୂକ୍ଷ୍ମାତିସୂକ୍ଷ୍ମ ଭାବେ ଦୃଶ୍ୟାୟିତ କରାଯାଇଛି। କିନ୍ତୁ ଏହାକୁ ଦର୍ଶକ ପସନ୍ଦ କରିନାହାନ୍ତି। ୨୦୨୨ରେ ରିଲିଜ୍ େହାଇଥିବା ଆଲିଅା ଭଟ୍ଟ ଓ ରଣବୀର କପୁରଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ରେ ଭିଏଫ୍ଏକ୍ସ୍ ଟିମ୍ର ବିଶେଷଜ୍ଞମାନେ ଯାଦୁକରୀ ଏବଂ ମନୋଲୋଭା ଦୃଶ୍ୟ ସଂରଚନା କରିଛନ୍ତି। ତେବେ ୨୦୧୧ରେ ରିଲିଜ୍ ହୋଇଥିବା ଶାହରୁଖ ଖାନ୍ଙ୍କ ‘ରାୱାନ୍’ରେ ଭିଏଫ୍ଏକ୍ସ୍ ପ୍ରୟୋଗକୁ ହଲିଉଡ୍ ଚଳଚ୍ଚିତ୍ର ସହିତ ତୁଳନା କରାଯାଏ। ସେହିପରି, ଭିଏଫ୍ଏକ୍ସ୍ ବ୍ୟବହାର ସତ୍ତ୍ବେ ‘ଜିରୋ’,‘ଟାଇଗର୍ ଜିନ୍ଦା ହୈ’, ‘ଫ୍ୟାନ୍’, ‘କକ୍ଟେଲ୍’ ଇତ୍ୟାଦି ଚଳଚ୍ଚିତ୍ର ବିଫଳ ହୋଇଛି।
ବଲିଉଡ୍ରେ ଓଡ଼ିଆ ପୁଅଙ୍କ କମାଲ
ଏବେ ଓଡ଼ିଶାର କଳାକାର ମଧ୍ୟ ବଲିଉଡ୍ରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଲେଣି। ସେହିପରି, ଭିଏଫ୍ଏକ୍ସ୍ ଆର୍ଟିଷ୍ଟ୍ଙ୍କ ପାଇଁ ବଲିଉଡ୍ ମଧ୍ୟ ଅପହଞ୍ଚ ନୁହେଁ। ସେମାନଙ୍କ ଭିତରେ ଆଗଧାଡ଼ିରେ ଅଛନ୍ତି ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସୁବ୍ରତ ପାଢ଼ୀ। ଭିଏଫ୍ଏକ୍ସ୍ କାମ କରି ସେ ବେଶ୍ ପ୍ରଶଂସା ସାଉଁଟିଛନ୍ତି। ‘ବ୍ରହ୍ମାସ୍ତ୍ର’ରେ ଭିଜୁଆଲ୍ ଇଫେକ୍ଟ୍ ସଫଳତା ପଛରେ ରହିଛି ତାଙ୍କର ପ୍ରମୁଖ ଭୂମିକା। ପୂର୍ବରୁ ଧାରାବାହିକ ‘ବିଘ୍ନହର୍ତା ଗଣେଶ’, ‘ତେନାଲି ରାମା’ ଏବଂ ‘ଷ୍ଟେଟ୍ ଅଫ୍ ସିଜ୍’ ଚଳଚ୍ଚିତ୍ରରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରିସାରିଛନ୍ତି। ଏହା ସହିତ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ର ଅଜିତ୍ ସାହୁ ମଧ୍ୟ ଜଣେ ଭିଏଫ୍ଏକ୍ସ୍ ଆର୍ଟିଷ୍ଟ୍। ସଲ୍ମାନ୍ ଖାନ୍ଙ୍କ ଫିଲ୍ମ୍ ‘ରାଧେ’ରେ ସେ ଅଧିକାଂଶ ସିନ୍ରେ ଭିଏଫ୍ଏକ୍ସ୍ କାମ କରିଛନ୍ତି। ରାୟଗଡ଼ାର ସୁଜିତ ପଟ୍ଟନାୟକ ମଧ୍ୟ ସୋନି-ଟିଭି, ଷ୍ଟାର୍-ଟିଭି ଓ କଲର୍ସ ପରି ଚ୍ୟାନେଲ୍ର ବହୁ ଧାରାବାହିକରେ କାମ କରି ଆଜି ବେଶ୍ ଜଣାଶୁଣା ହୋଇପାରିଛନ୍ତି।
ବଲିଉଡ୍ରେ କାମ କରିବା ସୁଯୋଗ ନେଇ ସୁବ୍ରତ ପାଢ଼ୀ କହନ୍ତି, ‘‘ପୂର୍ବରୁ ଗାଁରେ ଥିଲା ବେଳେ ଛୋଟ ଛୋଟ ଭିଡିଓ ଏଡିଟିଂ କରୁଥିଲି। କ୍ୟାମେରା ଚଳାଇବା ଓ ଡ୍ରୋନ୍ ଉଡ଼ାଇବା ମଧ୍ୟ ଶିଖୁଥିଲି। ପରେ ଭିଡିଓ ଏଡିଟିଂ ଶିକ୍ଷା କରି ଭୁବନେଶ୍ବରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଭିଏଫ୍ଏକ୍ସ୍ ସଂପର୍କିତ ପାଠ୍ୟକ୍ରମ କଲି। ମୁମ୍ବାଇ ଯାଇ ରିଡିଫାଇନ୍ ନାମକ କମ୍ପାନିରେ ପ୍ରଥମେ ଚାକିରି କଲି। ଏହି କମ୍ପାନି ବଲିଉଡ୍ ଓ ହଲିଉଡ୍ ଫିଲ୍ମର ଭିଏଫ୍ଏକ୍ସ୍ କାମ କରେ। ଏଠାରେ ପ୍ରଥମ ପ୍ରୋଜେକ୍ଟ୍ ଭାବେ ‘ବ୍ରହ୍ମାସ୍ତ୍ର’ ଭଳି ବଡ଼ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା। ଏପର୍ଯ୍ୟନ୍ତ ୨୦ରୁ ଅଧିକ ଚଳଚ୍ଚିତ୍ର ଯେପରି ହଲିଉଡ୍ର ‘ସ୍କ୍ରିମ୍୬’, ‘ପେଟ୍ ସେମାଟ୍ରି: ବ୍ଲଡ୍ଲାଇନ୍ସ୍’, ‘ଫାଷ୍ଟ୍ ଏକ୍ସ’ ଏବଂ ହିନ୍ଦୀ ଚଳଚ୍ଚିତ୍ର ଭିତରେ ‘ବ୍ରହ୍ମାସ୍ତ୍ର’ ‘ଫାଇଟର୍’, ‘ପିପା’, ‘ରାମ୍ୟୁଗ୍’ ପରି ଚଳଚ୍ଚିତ୍ରରେ କାମ କରିସାରିଛି। ତେବେ ‘ବ୍ରହ୍ମାସ୍ତ୍ର’ ପାଇଁ ପରିଚିତ ହେଲି।’’
ଓଡ଼ିଆ ଚଳଚ୍ଚିତ୍ରରେ ଭିଏଫ୍ଏକ୍ସ୍ : ସାମର୍ଥ୍ୟ ଅଛି ହେଲେ ସମ୍ବଳ ନାହିଁ
ଓଡ଼ିଆ ଚଳଚ୍ଚିତ୍ରରେ ହଲିଉଡ୍ ଓ ବଲିଉଡ୍ ପରି ଭିଏଫ୍ଏକ୍ସ୍ ମଧ୍ୟ ବ୍ୟବହାର କରାଯାଉଛି। ‘ମାଲ୍ୟଗିରି’, ‘ଦମନ’, ‘ଅଗସ୍ତ୍ୟ’, ‘ଖଇରି’, ‘ଭାଇ’, ‘ଗ୍ୟାଙ୍ଗ୍ସ୍ ଅଫ୍ ପୁରୀ’ ଆଦି ଚଳଚ୍ଚିତ୍ରରେ ଭିଏଫ୍ଏକ୍ସ୍ ପ୍ରଯୁକ୍ତର ଉପଯୋଗ ହୋଇଛି। ଏ ନେଇ ଭିଏଫ୍ଏକ୍ସ୍ ବିଶେଷଜ୍ଞ ଶୁଭେନ୍ଦୁ ଶତପଥୀ କହନ୍ତି, ‘‘ଓଡ଼ିଆ ସିନେଜଗତ୍ରେ ଭିଏଫ୍ଏକ୍ସ୍ର ବ୍ୟବହାର ବହୁତ କମ୍। କେବଳ ସ୍ବଳ୍ପ ବଜେଟ୍ ପାଇଁ ହିଁ ଏହାର ଉପଯୋଗ କରାଯାଇପାରୁ ନାହିଁ। ତଥାପି ଛବିରେ କେତେକ ରୋଟୋ କ୍ଲିନ୍ଅପ୍ ଟେକ୍ନୋଲୋଜି ବ୍ୟବହାର ହେଉଛି, ଯେଉଁଥିେର ଦୃଶ୍ୟର ମୂଳ ପୃଷ୍ଠଭୂମିକୁ କାଟି କାଳ୍ପନିକ ପୃଷ୍ଠଭୂମି ଦିଆଯାଏ। ଏପର୍ଯ୍ୟନ୍ତ ଥ୍ରିଡି ଭିଏଫ୍ଏକ୍ସ୍ ବ୍ୟବହାର କରି କୌଣସି ଚଳଚ୍ଚିତ୍ର ଓଡ଼ିଶାରେ ନିର୍ମାଣ କରାଯାଇ ନାହିଁ। କାରଣ, ଏହାର ଖର୍ଚ୍ଚ ଆମ ବଜେଟ୍ ବାହାରେ। ଛୋଟ ଛୋଟ କାମ ପାଇଁ ଅତି କମ୍ରେ ୪୦-୫୦ ହଜାର ଟଙ୍କା ଦରକାର ପଡୁଛି। କିନ୍ତୁ, ଆମ ରାଜ୍ୟର ଅନେକ ଭିଏଫ୍ଏକ୍ସ୍ କଳାକାର ବଲିଉଡ୍ ଏବଂ ହଲିଉଡ୍ ଚଳଚ୍ଚିତ୍ର ପାଇଁ କାମ କରୁଛନ୍ତି। ଆମର ଗୁଣାତ୍ମକ ଭିଏଫ୍ଏକ୍ସ୍ କାର୍ଯ୍ୟ କରିବାର ମାନବ ସମ୍ବଳ ଅଛି ମାତ୍ର ଆର୍ଥିକ ସାମର୍ଥ୍ୟ ନାହିଁ ।’’