ଶାରୀରିକ କଷ୍ଟ ବି ଲିଙ୍ଗଭେଦରୁ ବାଦ୍ ପଡ଼ିନାହିଁ! ‘ପ୍ରସିଡିଙ୍ଗ୍ସ ଅଫ୍ ଦି ନେସ୍ନାଲ୍ ଏକାଡେମି ଅଫ୍ ସାଇନ୍ସେସ୍’ ନାମକ ଜର୍ନାଲ୍ରେ ପ୍ରକାଶିତ ଅଧ୍ୟୟନ ଅନୁସାରେ ପେସାଦାର ଡାକ୍ତରମାନେ ପୁରୁଷ ଓ ମହିଳାଙ୍କ କଷ୍ଟ ଆକଳନରେ ଭେଦଭାବ ପ୍ରଦର୍ଶନ କରିଥାନ୍ତି। ଇସ୍ରାଏଲ୍ ଓ ଆମେରିକାର ଡାକ୍ତରଖାନାମାନଙ୍କର ଜରୁରୀକାଳୀନ ବିଭାଗକୁ ଚିକିତ୍ସା ପାଇଁ ଯାଇଥିବା ୨୦,୦୦୦ ରୋଗୀଙ୍କ ଚିକିତ୍ସା ପରବର୍ତ୍ତୀ ମତାମତକୁ ବିଶ୍ଳେଷଣ କରି ଗବେଷକମାନେ ଉକ୍ତ ନିଷ୍କର୍ଷରେ ପହଞ୍ଚିଛନ୍ତି। ଏଥିରୁ ପ୍ରକାଶ ଯେ ଡାକ୍ତରଖାନାରେ ପହଞ୍ଚିବା ପରେ ମହିଳା ରୋଗୀଙ୍କ ପୀଡ଼ା ସ୍ତର ଜାଣିବା ପାଇଁ ‘ପେନ୍ ସ୍କୋର୍’ ନିରୂପଣ କରାଯିବାର ସମ୍ଭାବନା ପୁରୁଷ ରୋଗୀଙ୍କ ତୁଳନାରେ ୧୦% କମ୍। ସେହିପରି ଡାକ୍ତରଙ୍କୁ ଭେଟିବା ଲାଗି ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ହାରାହାରି ୩୦ ମିନିଟ୍ ଅଧିକ ଅପେକ୍ଷା କରିବାକୁ ପଡ଼ିଥାଏ। ଡାକ୍ତର ମହିଳାମାନଙ୍କୁ କଷ୍ଟ ଲାଘବକାରୀ ‘ପେନ୍ କିଲ୍ର’ ଔଷଧ ଦେବାର ସମ୍ଭାବନା ମଧ୍ୟ କମ୍। କୌତୂହଳର ବିଷୟ ହେଲା ଉଭୟ ପୁରୁଷ ଓ ମହିଳା ଡାକ୍ତର ମହିଳା ରୋଗୀଙ୍କ ସହ ସମାନ ଢଙ୍ଗରେ ଭେଦଭାବ କରିଥାନ୍ତି। ଏହା ଦର୍ଶାଉଛି ଯେ ଡାକ୍ତରୀ ପେସାରେ ମହିଳାମାନଙ୍କ କଷ୍ଟକୁ ନେଇ ରହିଥିବା ଲିଙ୍ଗଭେଦର ଚେର ଖୁବ୍ ଗଭୀରକୁ ଭେଦିଯାଇଛି।
ଡାକ୍ତରମାନେ ସ୍ବାସ୍ଥ୍ୟ ସମସ୍ୟା ଓ ପୀଡ଼ା ସମ୍ପର୍କରେ ଗଭୀର ଅଧ୍ୟୟନ କରି ତାହାର ଉପଚାର କରୁଥିଲେ ହେଁ ସେମାେନ ଅଜାଣତରେ ହେଉ ପଛେ ଚିକିତ୍ସାରେ ଏଭଳି ଭେଦଭାବ କରିଥାନ୍ତି। ମହିଳାମାନେ ଭୋଗୁଥିବା କଷ୍ଟକୁ ସାମାଜିକ ସ୍ତରରେ ମଧ୍ୟ ନିୟମିତ ଭାବେ ହତାଦର କରାଯାଇଥାଏ। ଋତୁସ୍ରାବକାଳୀନ ପୀଡ଼ା ଓ ପ୍ରସବ ବେଦନା ଏହାର ଦୁଇଟି ବଡ଼ ଉଦାହରଣ। ମହିଳାମାନେ ଭୋଗୁଥିବା ତୀବ୍ର କଷ୍ଟକୁ ଡାକ୍ତରମାନେ ‘କିଛି ନୁହେଁ’ କହି ଖାରଜ କରିଦେଉଥିବାର ଅନେକ ନଜିର ରହିଛି। ମହିଳା ରୋଗୀଙ୍କ ସହ ହେଉଥିବା ଏହି ଭେଦଭାବ ଦୂର ହେବା ଖୁବ୍ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ଡାକ୍ତରୀ ପାଠ୍ୟକ୍ରମରେ ଏହି ଭେଦଭାବକୁ ସାମିଲ କରିବା ସହିତ ଡାକ୍ତରମାନଙ୍କୁ ନିୟମିତ ଭାବେ ଏ ସମ୍ପର୍କରେ ମନେ ପକାଇ ସଚେତନ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ବିଶେଷଜ୍ଞଙ୍କ ମତ।