ଆଉ ମାତ୍ର ଦୁଇଦିନ ପରେ ସ୍ବଦେଶକୁ ଫେରିଯିବେ ରବୀନ୍ଦ୍ରନାଥ। ‘ସାନ୍ ଇସିଦ୍ରୋ’ର ଘରଟା ଶୂନ୍ୟ ହୋଇଯିବ। ଆଉ ଦୁଇ ଚାରିଟା ଦିନ ରହିଗଲେ କ’ଣ ହେବନାହିଁ? ଶରୀର ତାଙ୍କର ଅବସନ୍ନ ହୋଇ ଆସୁଛି। କି ସମ୍ମୋହନ ଏହି ବୃଦ୍ଧ କବିଙ୍କର! ୬୩ ବର୍ଷ ବୟସ୍କ କବି ଓ ଭିକ୍ଟୋରିଆ ଓକାମ୍ପୋଙ୍କର ବୟସ ମାତ୍ର ୩୪ ବର୍ଷ। ପ୍ରାୟ ଦୁଇଗୁଣ ବୟସର ଜଣେ ବୃଦ୍ଧ କବିଙ୍କ ପ୍ରତି ବିଦେଶିନୀ ଓକାମ୍ପୋଙ୍କର ଏହି ଭଲପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ୧୯୨୪ ମସିହା ନଭେମ୍ବର ମାସ ୧୧ ତାରିଖ ଠାରୁ ୧୯୨୫ ମସିହା ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ, ୫୨ ଦିନ ରବୀନ୍ଦ୍ରନାଥଙ୍କୁ ପାଖରେ ପାଇଥିଲେ ଓକାମ୍ପୋ। ସେହି ୫୨ ଦିନର କେତେ ସ୍ମୃତି, କେତେ ମଧୁର ମୁହୂର୍ତ୍ତ! କେଉଁ ଇଚ୍ଛା ବଳରେ ଈଶ୍ୱର ମିଳନ ଘଟାଇ ଦେଇଛନ୍ତି ଭିକ୍ଟୋରିଆ ଓକାମ୍ପୋଙ୍କ ସହିତ! ତା’ ହୋଇନଥିଲେ ପେରୁ ଯିବା ପଥରେ କାହିଁକି ବା କବି ଅସୁସ୍ଥ ହୋଇଥାନ୍ତେ ଏବଂ ଚିକିତ୍ସା ପାଇଁ ଆର୍ଜେଣ୍ଟିନାରେ ଅଟକିଥାନ୍ତେ!
“ମୁଁ ଜାଣେ ଗୋ ଜାଣେ ତୁମକୁ ଆଗୋ
ବିଦେଶିନୀ,
ତୁମେ ଥାଅ ସିନ୍ଧୁପାରେ ଆଗୋ ବିଦେଶିନୀ।”
ଦିନେ ‘ମୁଁ ଜାଣେ ଗୋ ଜାଣେ ତୁମକୁ’ ବୋଲି ଯେଉଁ ବିଦେଶିନୀଙ୍କର କଳ୍ପନା କରିଥିଲେ ରବୀନ୍ଦ୍ରନାଥ, କିଏ ଜାଣିଥିଲା ଯେ ଠିକ୍ ୩୦ ବର୍ଷ ପରେ ସେହି ବିଦେଶିନୀଙ୍କ ସହିତ ତାଙ୍କର ଦେଖା ହେବ ହଜାର ହଜାର ମାଇଲ୍ ଦୂର ବୁଏନସ୍ ଏଆରିସ୍ଠାରେ। ୧୯୧୩ରେ ଗୀତାଞ୍ଜଳି କବିତା ସଙ୍କଳନ ପାଇଁ ରବୀନ୍ଦ୍ରନାଥ ଠାକୁର ସାହିତ୍ୟରେ ନୋବେଲ ପୁରସ୍କାର ପାଇଲେ। ଏସିଆ ମହାଦେଶର ତାହା ଥିଲା ପ୍ରଥମ ନୋବେଲ ପୁରସ୍କାର। ଗୀତାଞ୍ଜଳି ଇଂରାଜୀ ସହିତ ସ୍ପାନିସ୍, ଫରାସୀ ସହ ବହୁ ବିଦେଶୀ ଭାଷାରେ ଅନୂଦିତ ହେଲା ଫଳରେ ସମଗ୍ର ବିଶ୍ବରେ କବିଗୁରୁଙ୍କର କବିତା ପାଠକୀୟ ଶ୍ରଦ୍ଧା ହାସଲ କରିବାକୁ ଲାଗିଲା। ୧୯୩୦ ମସିହା ଭିତରେ ରବୀନ୍ଦ୍ରନାଥ ୫ଟି ମହାଦେଶର ପ୍ରାୟ ୩୦ଟି ଦେଶ ଭ୍ରମଣ କରି ସାହିତ୍ୟ, ଦର୍ଶନ, ଶିଳ୍ପକଳା ଓ ରାଜନୀତି ସହ ବିଭିନ୍ନ ବିଷୟରେ ସଭା ଓ ସେମିନାରରେ ବକ୍ତୃତା ଦିଅନ୍ତି। ବୁଏନସ୍ ଏଆରିସ୍ଠାରେ ରହୁଥିଲେ ଆର୍ଜେଣ୍ଟିନାର ବିଖ୍ୟାତ ନାରୀବାଦୀ ଲେଖିକା ଭିକ୍ଟୋରିଆ ଓକାମ୍ପୋ। ବିଶ୍ବସ୍ରଷ୍କାଙ୍କ ପ୍ରତି ନିବେଦିତ ଆଧ୍ୟାତ୍ମିକ ପ୍ରେମର ଗୀତାଞ୍ଜଳିର ଗୀତଗୁଡ଼ିକ ଓକାମ୍ପୋଙ୍କ ଜୀବନରେ ଗଭୀର ପ୍ରଭାବ ପକାଏ। ଏହାରି ଭିତରେ ଓକାମ୍ପୋଙ୍କର ବିବାହ ବିଚ୍ଛେଦ ଘଟେ। ଗୀତାଞ୍ଜଳିର ଗୀତସବୁ ତାଙ୍କ ନିଃସଙ୍ଗ ଜୀବନରେ ନବପ୍ରାଣ ନେଇ ଆସେ। ଗୀତାଞ୍ଜଳି ପଢୁ ପଢୁ ବିଶ୍ବକବିଙ୍କ ପ୍ରେମରେ ପଡ଼ିଯାଆନ୍ତି ଓକାମ୍ପୋ ଏବଂ ତାଙ୍କ ସହିତ ସାକ୍ଷାତ କରିବା ପାଇଁ ବ୍ୟାକୁଳ ହୁଅନ୍ତି।
୧୯୧୪ ମସିହା। ପେରୁର ସ୍ବାଧୀନତା ସଂଗ୍ରାମର ଶତବର୍ଷ ଉତ୍ସବରେ ଯୋଗଦେବା ଲାଗି ପେରୁ ସରକାରଙ୍କ ଆମନ୍ତ୍ରଣ ପାଇ ପେରୁ ଗସ୍ତ କରନ୍ତି ୬୩ ବର୍ଷୀୟ ରବୀନ୍ଦ୍ରନାଥ। ଭାରତ ମହାସାଗର, ଆଟ୍ଲାଣ୍ଟିକ୍ ମହାସାଗର ବାଟଦେଇ ପେରୁକୁ ଏହି ଦୀର୍ଘ ସମୁଦ୍ର ଯାତ୍ରାରେ ଭୀଷଣ ଅସୁସ୍ଥ ହୋଇପଡ଼ନ୍ତି ସେ। ଫଳରେ ଆର୍ଜେଣ୍ଟିନା ରାଜଧାନୀ ବୁୟେନସ୍ ଆଇରେସ୍ଠାରେ ଚିକିତ୍ସା ଓ ବିଶ୍ରାମ ପାଇଁ ସନ୍ ଇସିଦ୍ରୋର କ୍ଷୁଦ୍ର ସହରତଳି ଏକ ହୋଟେଲରେ ରହନ୍ତି। ଖବର ପାଇବା ମାତ୍ରେ ଧାଇଁ ଯାଆନ୍ତି ଓକାମ୍ପୋ। ପ୍ରିୟ କବିଙ୍କୁ ଭେଟିବାର ମନରେ ପ୍ରବଳ ଉତ୍କଣ୍ଠା। ହେଲେ ଅସୁସ୍ଥତା ହେତୁ କବି ଉଦ୍ବେଗ ପ୍ରକାଶ କରନ୍ତି। କବିଙ୍କୁ ସୁସ୍ଥ କରିବା ପାଇଁ ହୋଟେଲ୍ରୁ ରିଓ ଡି ପ୍ଲାତା ନାମକ ଏକ ନଈକୂଳିଆ ଫାର୍ମ ହାଉସକୁ ସେ ତାଙ୍କୁ ନେଇଯାଆନ୍ତି। କଳ୍ପନାରେ ଦେଖିଥିବା ଯେଉଁ ବିଦେଶିନୀଙ୍କ କଥା ୩୦ ବର୍ଷ ପୂର୍ବରୁ ଲେଖିଥିଲେ, ତାହା ଆଶ୍ଚର୍ଯ୍ୟଜନକ ଭାବରେ ବାସ୍ତବରେ ଘଟିଲା। କବି ଲେଖିଥିଲେ,
“ଭୁବନ ଭ୍ରମି ଶେଷରେ ମୁଁ ଆସିଛି ନୂତନ ଦେଶେ
ମୁଁ ଅତିଥି ତୁମରି ଦୁଆରେ ଆଗୋ ବିଦେଶିନୀ।”
ଓକାମ୍ପୋ କବିଙ୍କୁ ଜୋର୍ କରି ନେଇ ଆସିଥିଲେ ହୋଟେଲ୍ରୁ ଇସାଦ୍ରୋର ଭଡ଼ା ଘରକୁ। ଗୀତାଞ୍ଜଳି ପଢ଼ି କଳ୍ପନାରେ ଭଲପାଇ ବସିଥିବା କବି ତାଙ୍କ ପାଖରେ ଯେ ବାସ୍ତବରେ ଦିନେ ଆସି ପହଞ୍ଚିବେ ସେକଥା ସ୍ବପ୍ନରେ ସୁଦ୍ଧା ଭାବିନଥିଲେ। କଳ୍ପନାର ରବୀନ୍ଦ୍ରନାଥଙ୍କଠାରୁ ବାସ୍ତବ ରବୀନ୍ଦ୍ରନାଥ ଅଧିକ ସୁନ୍ଦର! ଓକାମ୍ପୋ ଆର୍ଜେଣ୍ଟିନାର ବହୁଳ ପ୍ରସାରିତ ‘ସୁର’ ପତ୍ରିକାର ସମ୍ପାଦିକା। ତଥାପି ରବୀନ୍ଦ୍ରନାଥଙ୍କ ସମ୍ମୁଖରେ ଭୀଷଣ ନଗଣ୍ୟ ମନେହୁଏ ନିଜକୁ। ବୃଦ୍ଧ ଭାରତୀୟ କବି ଜଣକ ଭିକ୍ଟୋରିଆଙ୍କର ପ୍ରାଣର ମଣିଷ ହୋଇଉଠନ୍ତି। ରବୀନ୍ଦ୍ରନାଥଙ୍କ ଜୀବନରେ ମଧ୍ୟ ଓକାମ୍ପୋ ଆସନ୍ତି ନବ ଯୌବନର ଦୂତ ହୋଇ। ରବୀନ୍ଦ୍ରନାଥ ଭିକ୍ଟୋରିଆଙ୍କର ନାମ ଦିଅନ୍ତି ‘ବିଜୟା’। ଅନେକ କବିତା ଲେଖିଛନ୍ତି ଉଭୟେ ମିଶି ଘରର ଅଗଣାରେ, ନଈ କୂଳରେ।
ଦୁଇଦିନ ପରେ କବି ଚାଲିଯିବା ପରେ ଏହି ଘରେ ଆଉ ଓକାମ୍ପୋ ରହିବେ ନାହିଁ। ବାପା ମା’ଙ୍କ ପାଖକୁ ଚାଲିଯିବେ। ଭାବୁ ଭାବୁ ତାଙ୍କର ଶ୍ୱାସରୁଦ୍ଧ ହୋଇ ଆସେ। ଗତ ୫୨ ଦିନର ନିରନ୍ତର ସେବା କରି କବିଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରି ପାରିଛନ୍ତି ଓକାମ୍ପୋ। ‘ଜୁଲିଆ ଚେଜାରେ’ ନାମକ ଜାହାଜରେ କବିଙ୍କ ପାଇଁ ଦୁଇଟି କ୍ୟାବିନ ବୁକ୍ କରନ୍ତି ଓକାମ୍ପୋ। ଗୋଟିଏ କ୍ୟାବିନ୍ରେ ଦିନବେଳା ବସି କବି ଲେଖାପଢ଼ା କରିବେ ଅନ୍ୟଟିରେ କବି ବିଶ୍ରାମ ନେବେ ରାତିରେ, ଯଦିଓ ଗୋଟିଏ ମାତ୍ର କ୍ୟାବିନ୍ ଯଥେଷ୍ଟ ଥିଲା କବିଙ୍କ ପାଇଁ। ରବୀନ୍ଦ୍ରନାଥ ଯେମିତି ଆରାମରେ ବସି ଲେଖାପଢ଼ା କରି ପାରିବେ ସେଥିପାଇଁ ଓକାମ୍ପୋ ଗୋଟିଏ ଆରାମ ଚୌକି ତିଆରି କରାନ୍ତି। ଆର୍ଜେଣ୍ଟିନାରୁ ଫେରିବା ବେଳେ ସେହି ଆରାମ ଚୌକିକୁ ଜାହାଜରେ ଛଡ଼ାଇବାକୁ ନେଇ ଜାହାଜର କ୍ୟାପଟେନ୍ଙ୍କ ସହିତ ପ୍ରବଳ ଝଗଡ଼ା ହୁଏ ଓକାମ୍ପୋଙ୍କର। ଭଲପାଇବା ଆଗରେ ହାର୍ ମାନି ଶେଷରେ ମିସ୍ତ୍ରି ଡାକି କ୍ୟାବିନ୍ର ଦରଜା କାଟି ଭିତରକୁ ସେହି ଆରାମ ଚୌକିଟା ନିଆଯାଏ। ସାମାନ୍ୟ ଗୋଟିଏ ଚୌକି ପାଲଟିଯାଏ ଅମୂଲ୍ୟ ଦାନ।
ସାତସମୁଦ୍ର ତେରନଈ ପାରି କରାଇ ବୋହି ନେଇ ଆସନ୍ତି ରବୀନ୍ଦ୍ରନାଥ। ସେହି ଆରାମଚୌକିକୁ ସେ ଶାନ୍ତିନିକେତନରେ ତାଙ୍କ ଶଯ୍ୟା ପାଖରେ ରଖାଇଥିଲେ। ଯେତେବେଳେ ସେହି ଚୌକିରେ ବସୁଥିଲେ, ସ୍ବତଃ ଓକାମ୍ପୋଙ୍କୁ ସ୍ମରଣ କରୁଥିଲେ। ଓକାମ୍ପୋଙ୍କ ସହିତ ସାକ୍ଷାତ ପରେ କବି ରଚନା କରନ୍ତି ତାଙ୍କର ‘ପୂରବୀ’ କବିତା ସଙ୍କଳନର ସମସ୍ତ କବିତା। ସଙ୍କଳନଟିକୁ ଉତ୍ସର୍ଗ ମଧ୍ୟ କରିଥିଲେ ଭିକ୍ଟୋରିଆ ଓକାମ୍ପୋଙ୍କୁ। ସଂକଳନଟି ପ୍ରକାଶ ପାଇବା ପରେ ତାହାର ଗୋଟିଏ କପି ଓକାମ୍ପୋଙ୍କୁ ପଠାଇ ରବୀନ୍ଦ୍ରନାଥ ଲେଖିଥିଲେ, ‘‘ପଳାତକ ସ୍ମୃତି ସବୁ ଆଜି ଶବ୍ଦରେ ବନ୍ଦୀ। ଭାଷାର ଅପରିଚୟରେ ତୁମେ ଏହାକୁ ଜାଣି ପାରିବ ନାହିଁ, କିନ୍ତୁ ତୁମକୁ ନିଶ୍ଚିତ କହିପାରେ ଯେ, ଏହି କବିତା ସବୁ ବଞ୍ଚି ରହିଥିବେ ଅନେକ ଦିନ ପର୍ଯ୍ୟନ୍ତ।’’ ଠିକ୍ ଲେଖିଥିଲେ ରବୀନ୍ଦ୍ରନାଥ। ଯେତେଦିନ ପ୍ଲାତା ନଦୀରେ ପାଣି ବହି ଚାଲିଥିବ, ସେତେଦିନ ମର୍ମର ସ୍ବରରେ ବହି ଚାଲିଥିବ ରବୀନ୍ଦ୍ରନାଥ ଓ ତାଙ୍କ ପରିଣତ ବୟସର ପ୍ରେୟସୀ ଭିକ୍ଟୋରିଆ(ବିଜୟା)ଙ୍କର ରୋମାଣ୍ଟିକ୍ ଅଭିମାନର ଅଶ୍ରୁତ କଳ କଳ ଧ୍ବନି। ‘ପୂରବୀ’ର ଗୋଟିଏ କବିତାରେ ରବୀନ୍ଦ୍ରନାଥ ଲେଖିଛନ୍ତି,
“ରାତ୍ରି ଯେବେ ହେବ ଅନ୍ଧକାର
ବାତାୟନେ ବସି ତୁମର।
ସବୁ ଛାଡ଼ି ଯିବି, ପ୍ରିୟେ,
ସମ୍ମୁଖର ପଥ ଦେଇ,
ପୁଣି ଦେଖା ହେବନାହିଁ ତ ଆଉ।
ପକାଇ ଦେବ ଭୋର୍ରେ ଗୁନ୍ଥା ମଲ୍ଲିକାର
ମାଳାଗୋଟି।
ସେହି ସ୍ପର୍ଶ ତବ, ତାହାହିଁ ହେବ ବିଦାୟର
ବାଣୀ।”
କ୍ରମଶଃ...
ତଥ୍ୟ ଓ ଉପସ୍ଥାପନା: ପ୍ରଦୀପ କୁମାର ରାୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/17/Wq2FFrZUYb1dRAz0kS9H.jpg)