କର୍କଟ ଓ ଏଚ୍‌ଆଇଭି ପରି ରୋଗରେ ପୀଡ଼ିତ ହେବା କଥା ଜଣାପଡ଼ିଲେ ରୋଗୀ ମନରେ ଆଶଙ୍କା ସୃଷ୍ଟି ହୁଏ ଯେ ଆରୋଗ୍ୟଲାଭ କରିବା ବୋଧହୁଏ ଅସମ୍ଭବ। ଏହା ରୋଗୀ ଓ ବନ୍ଧୁପରିଜନଙ୍କ ମନରେ ହତାଶା ଜନ୍ମାଏ। କିନ୍ତୁ ସେଭଳି ସ୍ଥିତିରେ ମନୋବଳ ଦୃଢ଼ ରଖିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ବାସ୍ତବରେ ଚିକିତ୍ସା ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଅନେକ ଦୁଃସାଧ୍ୟ ରୋଗର ଚିକିତ୍ସା ହୋଇପାରୁଛି। ଏହାର ଅନେକ ନୂଆ ଉଦାହରଣ ସାମ୍ନାକୁ ଆସୁଛି। ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ଆମେରିକାର ପଲ୍‌ ଏଡ୍‌ମଣ୍ଡ୍‌ସ। ସେ ଉଭୟ ଏଚ୍‌ଆଇଭି ଓ କର୍କଟ ରୋଗରୁ ସଂପୂର୍ଣ୍ଣ ଆରୋଗ୍ୟଲାଭ କରିପାରିଛନ୍ତି।

Advertisment

୧୯୮୮ ମସିହାରେ ତାଙ୍କ ଠାରେ ଏଡ୍‌ସର ଲକ୍ଷଣ ଦେଖାଦେବା ସହ ଏଚ୍‌ଆଇଭି ଭୂତାଣୁ ଚିହ୍ନଟ ହୋଇଥିଲା। ୩୧ ବର୍ଷ ଧରି ଏଚ୍‌ଆଇଭି ଚିକିତ୍ସାରେ ରହିବା ପରେ ତାଙ୍କୁ ରକ୍ତ କର୍କଟ ହୋଇଥିବା ଜଣାପଡ଼ିଥିଲା

ପଲ୍‌ ପାଞ୍ଚ ବର୍ଷ ହେଲା ଏକ ସ୍ବତନ୍ତ୍ର ଚିକିତ୍ସା ଆପଣେଇ ଏବେ ସଂପୂର୍ଣ୍ଣ ରୂପେ କର୍କଟ ଓ ଏଚ୍‌ଆଇଭିମୁକ୍ତ ହୋଇପାରିଛନ୍ତି। ତାଙ୍କର ଶତ ପ୍ରତିଶତ ଉପଶମ ପଛରେ ରହିଛି ଷ୍ଟେମ୍‌ ସେଲ୍‌ ପ୍ରତିରୋପଣ ଚିକିତ୍ସା, ଯାହା ତାଙ୍କୁ ନୂତନ ଜୀବନ ପ୍ରଦାନ କରିଛି। ୧୯୮୮ ମସିହାରେ ତାଙ୍କ ଠାରେ ଏଡ୍‌ସର ଲକ୍ଷଣ ଦେଖାଦେବା ସହ ଏଚ୍‌ଆଇଭି ଭୂତାଣୁ ଥିବା ସ୍ପଷ୍ଟ ହୋଇଥିଲା। ତାହା ଜାଣିଲା ପରଠାରୁ ତାଙ୍କୁ ଏକ ରକମ ମୃତ୍ୟୁଦଣ୍ଡ ଭୋଗିଲା ପରି ଲାଗୁଥିଲା। ତେବେ ସେବେଠାରୁ ସେ ଏଚ୍‌ଆଇଭି ଆଣ୍ଟିରିଟ୍ରୋଭାଇରାଲ୍‌ ଥେରାପି (ଏଟିଆର୍‌) ଚିକିତ୍ସାରେ ରହି ତାଙ୍କ ରକ୍ତରେ ଉକ୍ତ ଭୂତାଣୁର ସ୍ତରକୁ ଉଲ୍ଲେଖନୀୟ ଭାବେ ହ୍ରାସ କରି ପ୍ରାୟ ଚାପି ଦେଇଥିଲେ। ତଥାପି ସେ ଏଡ୍‌ସ ଦ୍ବାରା କବଳିତ ହୋଇ ରହିଥିଲେ। ୩୧ ବର୍ଷ ଧରି ଏଟିଆର୍‌ ଚିକିତ୍ସାରେ ରହିବା ପରେ ତାଙ୍କ ଦେହରେ ରକ୍ତ କର୍କଟ ହୋଇଥିବା ଜଣାପଡ଼ିଥିଲା। ଏହା ଶୁଣିଲା ପରେ ତାଙ୍କ ପାଦତଳୁ ମାଟି ଭୁଶୁଡ଼ିପଡ଼ିଲା ପରି ଲାଗିଲା।

ମାତ୍ର ଦୃଢ଼ ମନୋବଳ ଯୋଗୁଁ ଏଡ୍‌ସ ଉପରେ ଆଂଶିକ ବିଜୟ ହାସଲ କରିପାରିଥିବା ଏଡ୍‌ମଣ୍ଡ୍‌ସ ରକ୍ତକର୍କଟ ପାଇଁ ଉପଚାର ଖୋଜିଲେ। ଶେଷରେ ସେ ଷ୍ଟେମ୍‌ ସେଲ୍‌ ପ୍ରତିରୋପଣ କରାଇ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି। ଏ ପ୍ରକାର ପ୍ରକ୍ରିୟା ଯଦିଓ ଜଟିଳ, ତେବେ ଏଡ୍‌ମଣ୍ଡ୍‌ସଙ୍କ ଠାରେ ତାହାର ସଫଳ ପ୍ରୟୋଗ ହୋଇପାରିଛି।