ଭିଡିଓ ଗେମ୍‌ ତାହାର ବ୍ୟବହାରକାରୀକୁ ଏପରି ନିଶାସକ୍ତ କରିଦିଏ ଯେ ତାହା ମାନସିକ ସମସ୍ୟା ସୃଷ୍ଟି କରେ ବୋଲି ଆମର ଧାରଣା ରହିଆସିଛି। ଏପରିକି ଅନେକ ଗୁରୁଜନ କୁପରିଣତି ଆଶଙ୍କାରେ ଭିଡିଓଗେମ୍‌କୁ ନିଜ ପିଲାମାନଙ୍କ ପାଇଁ ନିଷିଦ୍ଧ କରିଦେଇଥା’ନ୍ତି। ମାତ୍ର ଜାପାନର ଗବେଷକମାନଙ୍କ ଏକ ଅନୁଧ୍ୟାନ ଅନୁଯାୟୀ, ଭିଡିଓ ଗେମ୍‌ ଖେଳିବା ଦ୍ବାରା ମାନସିକ ସୁସ୍ଥତାରେ ଉନ୍ନତି ଆସିଥାଏ। ୨୦୨୦ରୁ ୨୦୨୨ ମଧ୍ୟରେ ପାଖାପାଖି ଲକ୍ଷେ ଭିଡିଓ ଗେମ୍‌ ଖେଳାଳିଙ୍କ ମାନସିକ ସକ୍ରିୟତାକୁ ତର୍ଜମା କରି ସେମାନେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଏଥି ସହିତ ସେମାନେ ଭିଡିଓ ଗେମ୍‌ ଖେଳିବାର କିଛି ନକାରାତ୍ମକ ଦିଗ ବାବଦରେ ମଧ୍ୟ ଆଲୋକପାତ କରିଛନ୍ତି। ଆଜି ଭିଡିଓ ଗେମ୍‌ର ସେଭଳି କିଛି ଉପକାରିତା ଓ ଅପକାରିତା ବିଷୟରେ ଆଲୋଚନା କରିବା। 

Advertisment

କୌଣସି କଥାକୁ ବାରଣ କଲେ ତାହା ପ୍ରତି ବେଶୀ ଆଗ୍ରହ ସୃଷ୍ଟି ହୋଇଥାଏ। ତେଣୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ଅପେକ୍ଷା ଗେମ୍‌ ଖେଳିବାର ଅଭ୍ୟାସକୁ ନିୟନ୍ତ୍ରଣ କରିବା ବୁଦ୍ଧିମାନର କାମ। ଅର୍ଥାତ୍‌ ମଧ୍ୟମ ଧରଣର ଆଗ୍ରହରେ ଖେଳିଲେ ହିଁ ତାହା ଉପକାରୀ ସାବ୍ୟସ୍ତ ହେବ।

ଭିଡିଓ ଗେମ୍‌ ବାସ୍ତବତାରୁ ନିଷ୍କୃତି ଲାଭ କରିବା ସକାଶେ କଳ୍ପନା ରାଜ୍ୟକୁ ପଳାୟନ କରିବାର ଏକ ପ୍ରବୃତ୍ତି ମନରେ ଜାଗ୍ରତ କରିଥାଏ, ଯାହା ଉତ୍କଣ୍ଠା ଓ ମାନସିକ ଚାପ ଦୂର କରିଥାଏ। ଏପରିକି ଭିଡିଓ ଗେମ୍‌ କନ୍‌ସୋଲ୍‌ଟିଏ କିଣିବା ଦ୍ବାରା ଜୀବନର ପରମ ସନ୍ତୋଷ ଲାଭ ହେବାର ସୁଖ ମିଳିଥାଏ ବୋଲି ଗବେଷକମାନେ କହିଛନ୍ତି। ଏଥି ସହିତ ଏହା ଏକ ଆବେଗ-ମୁକ୍ତ ଅନୁଭବ ଆଣି ଜ୍ଞାନାତ୍ମକ କୌଶଳ ସମେତ ସମସ୍ୟା ସମାଧାନ ଦକ୍ଷତା, ଦୃଷ୍ଟିଶକ୍ତିରେ ତୀକ୍ଷ୍‌ଣତା ଏବଂ ଚକ୍ଷୁ ଓ ହସ୍ତ ମଧ୍ୟରେ ସୁସଂଗତି ଆଦି ଆହରଣ କରିବାର ବାଟ ଫିଟାଇଥାଏ। ତେବେ ଭିଡିଓ ଗେମ୍‌ରେ ନିୟମିତ ମଜି ରହିଲେ ଏହା ଜଣକୁ ନିଶାସକ୍ତ କରିଦେବା ସହ ଶ୍ରମକାତର କରିଦେଇଥାଏ। ଫଳରେ ତାହା ଭୋଜନ ଓ ଶୟନ ଅଭ୍ୟାସରେ ନକାରାତ୍ମକ ପ୍ରଭାବ ପକାଇ ନାନା ସ୍ବାସ୍ଥ୍ୟ ସମସ୍ୟା ଆଣିଥାଏ। ତେବେ ଏଥିପାଇଁ ଭିଡିଓ ଗେମ୍‌କୁ ସଂପୂର୍ଣ୍ଣ ନିଷେଧ କରିଦେବା ସମାଧାନ ନୁହେଁ ବୋଲି ଗବେଷକମାନେ କହିଛନ୍ତି। 

କୌଣସି କଥାକୁ ବାରଣ କଲେ ତାହା ପ୍ରତି ବେଶୀ ଆଗ୍ରହ ସୃଷ୍ଟି ହୋଇଥାଏ। ତେଣୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ଅପେକ୍ଷା ଗେମ୍‌ ଖେଳିବାର ଅଭ୍ୟାସକୁ ନିୟନ୍ତ୍ରଣ କରିବା ବୁଦ୍ଧିମାନର କାମ। ଅର୍ଥାତ୍‌ ମଧ୍ୟମ ଧରଣର ଆଗ୍ରହରେ ଖେଳିଲେ ହିଁ ତାହା ଉପକାରୀ ସାବ୍ୟସ୍ତ ହେବ। ସେଥିପାଇଁ ଖେଳିବା ସମୟ ଯେପରି ଭୋଜନ, ଶୟନ ଓ ବ୍ୟାୟାମ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟର ସମୟକୁ ପ୍ରଭାବିତ ନ କରେ, ତା’ ପ୍ରତି ଦୃଷ୍ଟି ଦେବା ଜରୁରି। ସେହିପରି ଉକ୍ତ ଗେମ୍‌ ବୟସାନୁକୂଳ ହୋଇଥିବା ବାଞ୍ଛନୀୟ। ନିଜ ପିଲାଙ୍କୁ ସେଥିରୁ ବିରତ ହେବା ପାଇଁ କଡ଼ା କଟକଣା ଜାରି କରିବା ଅପେକ୍ଷା ସେମାନଙ୍କ ସହ ବସି ତାହାକୁ ଉପଭୋଗ କରିବା ସହ ତାହାର କୁପରିଣତି ବାବଦରେ ସେମାନଙ୍କୁ ଅବଗତ କରାଇବା ଦରକାର। ପିତାମାତାଙ୍କର ଏପରି ଦିଗ୍‌ଦର୍ଶନ ଦ୍ବାରା ଭିଡିଓ ଗେମ୍‌ର ସକାରାତ୍ମକତା ହାସଲ କରିହେବ ବୋଲି ଗବେଷକରମାନେ କହିଛନ୍ତି।