ଭାରତର ପ୍ରଥମ ଯୁକ୍ତିପ୍ରିୟ ସାମ୍ବାଦିକା ଭାବରେ ତାଙ୍କୁ ସଭିଏଁ ମନେପକାନ୍ତି। ସାରାଜୀବନ େସ ନିଜ ଢଙ୍ଗରେ ବଞ୍ଚିଛନ୍ତି। ସଫଳ ହେବେ କି ନ ହେବେ ଚିନ୍ତା ନକରି ସ୍ବାଧୀନ ଭାବରେ ନିଷ୍ପତ୍ତି ନେଇଛନ୍ତି। ଦେଶ ବିଦେଶ ସବୁଠି ନିଜ ଉପସ୍ଥିତିର ସ୍ବାକ୍ଷର ରଖିଛନ୍ତି। ମେଧାବୀ ଛାତ୍ରୀ, ଦକ୍ଷ ସଂଗଠିକା, କୁଶଳୀ ସାମ୍ବାଦିକା ଭାବରେ ସବୁକ୍ଷେତ୍ରରେ ସଫଳ ହୋଇଛନ୍ତି। ବମ୍ବେର ଏକ ସ୍ବଚ୍ଛଳ ଗୁଜୁରାଟୀ ପରିବାରରେ ଓକିଲ ପିତା ଓ ସମାଜସେବୀ ମାତାଙ୍କ କନ୍ୟା ଭାବରେ ୧୯୧୯ ଡିସେମ୍ବର ୫ ତାରିଖରେ ବିଦ୍ୟା କାନୁଗାଙ୍କର ଜନ୍ମ ହୋଇଥିଲା। ପିଲାଟିଦିନରୁ ସେ ଥିଲେ ସ୍ବାଧୀନଚେତା। ଶ୍ରେଣୀରେ ପ୍ରଥମ ହେଉଥିଲେ। ଏଣୁ ମାଟ୍ରିକ୍ ପରେ ବମ୍ବେର ସୁନାମଧନ୍ୟ ଏଲ୍ଫିନ୍ଷ୍ଟୋନ୍ କଲେଜରେ ଆଇଏସ୍ସି ପଢ଼ିସାରିଲା ପରେ ନିଜେ ନିଷ୍ପତ୍ତି ନେଲେ ଇଂଲଣ୍ଡ ଯାଇ ଡାକ୍ତରୀ ପଢ଼ିବେ। ଏଣୁ ୧୯୩୮ରେ ଇଂଲଣ୍ଡ ଯାଇ ପ୍ରି-ମେଡିକାଲ୍ ପଢ଼ାପଢ଼ି ଆରମ୍ଭ କଲେ। ସେହି ସମୟରେ ସେଠାରେ ଥିବା ଜଣେ ସଂପର୍କୀୟଙ୍କ ସଂସ୍ପର୍ଶରେ ଆସି ରାଜନୀତି ପ୍ରତି ଆକୃଷ୍ଟ ହେଲେ। ତେବେ ଏହି ସମୟରେ ଦ୍ବିତୀୟ ବିଶ୍ବଯୁଦ୍ଧର ଘନଘଟା ଆରମ୍ଭ ହୋଇଯିବାରୁ ସେ ଭାରତ ଫେରିଆସିଲେ ଏବଂ ପରେ ନିଉକ୍ୟାସଲ୍ର କିଙ୍ଗ୍ସ କଲେଜରେ ନାମ ଲେଖାଇଲେ। ଏଇଠି େସ କମ୍ୟୁନିଷ୍ଟ ଆଦର୍ଶବାଦକୁ ନେଇ ଚାଲିଥିବା ଆନ୍ଦୋଳନର ଅଂଶବିଶେଷ ହେଲେ ଏବଂ ତିନିବର୍ଷ ପରେ ପଢ଼ା ଛାଡ଼ି ପୂର୍ଣ୍ଣକାଳୀନ ଆନ୍ଦୋଳନକାରୀ ଓ କର୍ମକର୍ତ୍ତା ଭୂମିକାରେ ଅବତୀର୍ଣ୍ଣ ହେଲେ।
ଇଂଲଣ୍ଡ ଓ ଆୟର୍ଲାଣ୍ଡର କମ୍ୟୁନିଷ୍ଟ ଛାତ୍ର ସଂଗଠନର ସେକ୍ରେଟାରୀ ଭାବରେ କାମ କଲେ। ପୁଣି ବ୍ରିଟେନ୍ର କମ୍ୟୁନିଷ୍ଟ ପାର୍ଟିର ମଧ୍ୟ ସଦସ୍ୟ ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ସହାୟତା କଲେ। ୧୯୪୩ରେ ସେ ଓ ତାଙ୍କ ସାଥୀମାନେ ମିଶି ଏକ ପୋଷ୍ଟର ପ୍ରଦର୍ଶନୀ କରିଥିଲେ। ସେଥିରୁ ମିଳିଥିବା ଅର୍ଥ ଓ ଚାନ୍ଦାକୁ ଏକାଠି କରି ପଶ୍ଚିମର ଦୁର୍ଭିକ୍ଷ ସମୟରେ ସାହାଯ୍ୟ ପଠାଇଥିଲେ। ବିଦ୍ୟା କାନୁଗା ଏହାପରେ ୱାର୍ଲ୍ଡ ଫେଡେରେସନ୍ ଅଫ୍ ଡେମୋକ୍ରାଟିକ୍ ୟୁଥ୍ (ଡବ୍ଲୁଏଫ୍ଡିୱାଇ)ର ସଭ୍ୟା ଭାବରେ ୧୯୪୫ ନଭେମ୍ବରରେ ଲଣ୍ଡନରେ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେଲେ। ପୁଣି ୬୭ ଦେଶର ପ୍ରତିନିଧିଙ୍କ ଗହଣରେ ପ୍ୟାରିସରେ ଅନୁଷ୍ଠିତ ସମ୍ମିଳନୀ ସହ ଆହୁରି କେତେଟି ବିଶେଷ ଅଧିବେଶନରେ ଯୋଗଦେଇ ନିଜର କାର୍ଯ୍ୟ ପରିସରକୁ ଆହୁରି ବ୍ୟାପ୍ତ କଲେ। ୧୯୪୮ରେ ଭାରତ ଫେରିଲାବେଳକୁ ସେ ‘ଦକ୍ଷିଣ ଏସୀୟ ଯୁବ କନ୍ଫରେନ୍ସ’ର କାର୍ଯ୍ୟକର୍ତ୍ତା ଥିଲେ। ୧୯୫୪ରେ ସେ ନ୍ୟାସ୍ନାଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଓମେନ୍ (ଏନ୍ଏଫ୍ଆଇଡବ୍ଲୁ)ର ପ୍ରତିଷ୍ଠା କଲେ।
ଏପଟେ ବ୍ୟକ୍ତିଗତ ଜୀବନରେ ସଂଯୁକ୍ତ ରାଷ୍ଟ୍ରରୁ ଫେରିଲା ପରେ ସାମ୍ବାଦିକ ତଥା ଭୂଗୋଳବିତ୍ ସୁନୀଲ ମୁନ୍ସୀଙ୍କୁ ବିବାହ କରିଥିଲେ, ଯିଏକି ଏଆଇଏସ୍ଏଫ୍ ସଂଗଠନର ପ୍ରସିଦ୍ଧ ‘ଦି ଷ୍ଟୁଡେଣ୍ଟ୍’ର ସଂପାଦକ ଥିଲେ। ସେଇଠି ବିଦ୍ୟାଙ୍କର ସାମ୍ବାଦିକତାର ଖଡ଼ିପାଠ ଆରମ୍ଭ ହୋଇଥିଲା। କିନ୍ତୁ କଲିକତା ଥିଲା ତାଙ୍କ ସାମ୍ବାଦିକ ଜୀବନର ପ୍ରଥମ କର୍ମଭୂମି। ସେଠି ସେ ‘ଦି ବ୍ଲିଜ୍’ର କୋଲକତା ପ୍ରତିନିଧି ଭାବରେ କାମ ଆରମ୍ଭ କରିଥିଲେ। ପରେ ପରେ ‘ଚଲାର ପଥେ’ ନାମକ ଏକ ପତ୍ରିକାର ସଂପାଦନା ଦାୟିତ୍ବ ନେଲାବେଳକୁ ବଙ୍ଗଳା ଭାଷା ଆଦୌ ଶିଖିନଥିଲେ। ଏଣୁ ସଂପାଦନାର ଦାୟିତ୍ବ ସହିତ ଭାଷା ଶିଖିବା ମଧ୍ୟ ସମାନ୍ତରାଳ ଭାବରେ ଚାଲିଥିଲା ଏବଂ ସେ ଅଚିରେ ସେଥିରେ ଦକ୍ଷତା ମଧ୍ୟ ପାଇେଲ। ସିପିଆଇର ମୁଖପତ୍ର ‘କାଳାନ୍ତର‘ର ପରିଚାଳନା ବୋର୍ଡର ଅଧ୍ୟକ୍ଷା ଦାୟିତ୍ବ ନେଇ ସୂଚାରୁ ରୂପେ ତୁଲାଇଥିଲେ। ଭାରତ, ପ୍ୟାରିସ୍, ଲଣ୍ଡନ, କ୍ୟୁବା, ଭିଏତ୍ନାମ, ସୋଭିଏତ୍ ୟୁନିୟନ୍ ଇତ୍ୟାଦି ଯେଉଁସବୁ ଜାଗାକୁ ସେ ଯାଇଛନ୍ତି ନିଜର ଦକ୍ଷତା ବଳରେ ସ୍ଥାନଟିଏ ତିଆରି କରିପାରିଛନ୍ତି। ୨୦୦୨ରେ ସେରିବ୍ରାଲ୍ ଷ୍ଟ୍ରୋକ୍ ଏବଂ ଶରୀରର ଦକ୍ଷିଣପାର୍ଶ୍ବ ପକ୍ଷାଘାତ ହେଲାପରେ ବି େସ ଭାଙ୍ଗି ପଡ଼ିନଥିଲେ। ଶେଷରେ ୮ ଜୁଲାଇ ୨୦୧୪ରେ ଏହି ସାହସୀ ଓ ନିର୍ଭୀକ ସାମ୍ବାଦିକାଙ୍କର ଦେହାନ୍ତ ହୋଇଥିଲା।