ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସଏସସି) ସଦସ୍ୟଙ୍କ ପିଏ ବିରଞ୍ଚି ନାରାୟଣ ସାହୁ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବିରଞ୍ଚିଙ୍କ ଘର ଆଲମିରାରୁ ବିଡ଼ା ବିଡ଼ା ନୋଟ୍ ସହ ପରୀକ୍ଷାର୍ଥୀଙ୍କ ବିପୁଳ ଆଡମିଟ୍ କାର୍ଡ ମିଳିବା ଘଟଣାରୁ ଓଏସଏସସି ପରୀକ୍ଷାରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ିଥିଲା। ଯାହାର ରହସ୍ୟ ଏଯାଏ ଦୂର କରିପାରିନି ଭିଜିଲାନ୍ସ। ସେହିପରି ଓଡ଼ିଶା ପୁଲିସ ହାଉସିଂ ବୋର୍ଡର ଡେପୁଟି ମ୍ୟାନେଜର ଭିଜିଲାନ୍ସ ଜାଲରେ ପଡ଼ିବା ପରେ ୧୪ କୋଟି ୮୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ଯାହା ଓଡ଼ିଶା ଭିଜିଲାନ୍ସ ଇତିହାସର ସବୁଠୁ ବଡ଼ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ବୋଲି କୁହାଯାଉଛି। ହାବିଲଦାର ଓ କନଷ୍ଟେବଳ ସଂଘର ସମ୍ପାଦକ ବିବାଦୀୟ ବହିଷ୍କୃତ କନଷ୍ଟେବଳ ଭିଜିଲାନ୍ସ ଜାଲରେ ପଡ଼ିବା ଓ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ଘଟଣା ଆଶ୍ଚର୍ଯ୍ୟଚକିତ କରିଥିଲା। ସେହିପରି ଗତବର୍ଷ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକଙ୍କ ଘରେ ଚଳିତବର୍ଷ ଭିଜିଲାନ୍ସ ଚଢ଼ଉ ପାଇଁ ପୁଣି ଚର୍ଚ୍ଚାରେ ରହିଥିଲେ। ଷଷ୍ଠ ବାଟାଲିଅନର କୋଟିପତି ସିପାହୀଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଥିଲା। ସେହିପରି ମୟୂରଭଞ୍ଜ ଆଇଟିଡିଏ ଇଞ୍ଜିନିୟର ସନ୍ତୋଷ କୁମାର ଦାସଙ୍କ ଘରୁ ଚଳିତବର୍ଷର ରେକର୍ଡ ପରିମାଣର ୪୧.୭୭ ଲକ୍ଷ ନଗଦ ଟଙ୍କା ଜବତ ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା।

Advertisment

publive-image

ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ହାତରେ ଚଳିତବର୍ଷ ଧରା ପଡ଼ିଛନ୍ତି ଅନେକ ହାଇ ପ୍ରୋଫାଇଲ ଠକ। ଜଣେ ଠିକାଦାରଙ୍କ ଠାରୁ ୩ କୋଟି ଟଙ୍କା ଠକେଇ ଅଭିଯୋଗରେ ଓଟିଡିସି ଅଧ୍ୟକ୍ଷ ପରିଚୟ ଦେଉଥିବା ଧୂର୍ତ୍ତ ବାବା ବିଜୟାନନ୍ଦ ମହାରାଜଜୀ ଓରଫ୍ ବିଜୟାନନ୍ଦ ଚୌଧୁରୀ ଏବଂ ଓଟିଡିସିର ଇଞ୍ଜିନିୟର ପରିଚୟ ଦେଉଥିବା ଚନ୍ଦନ ଆକାଶ ମହାନ୍ତିକୁ ଇଓଡବ୍ଲୁ ଗିରଫ କରିଥିଲା। ଆଇଏଏସ୍ ଓ ର’ ଅଧିକାରୀ ପରିଚୟ ଦେଇ ଷ୍ଟିଲ୍ ବ୍ୟବସାୟୀଙ୍କ ଠାରୁ କୋଟିଏ ୧୭ ଲକ୍ଷ ଟଙ୍କା ଠକେଇ କରିଥିବା ଗ୍ୟାଙ୍ଗ ଧରାପଡ଼ିଥିଲା। ୩ ଜଣଙ୍କୁ ବାନ୍ଧିଥିଲା ଇଓଡବ୍ଲୁ। ନକଲି ଆଇଟିଡିସି ଅଫିସର ପରିଚୟ ଦେଇ ପୁରୀରେ ହୋଟେଲ ନୀଳାଚଳ ଅଶୋକ ବିକ୍ରି କରିବା ଆଳରେ ବ୍ୟବସାୟୀଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଅନିକେଶ ସାହୁ ଗିରଫ ହୋଇଥିବା ବେଳେ ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଚନ୍ଦନ ଆକାଶ ମହାନ୍ତି ମଧ୍ୟ ସାମିଲ ଥିବା ଜଣାପଡ଼ିଥିଲା। ପୁଲିସ ଏସଆଇ ଚାକିରି ନାଁରେ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ ବୈକୁଣ୍ଠନାଥ ନାୟକ ଓ ଭୀମସେନ ମହାରଣା ଗିରଫ ହୋଇଥିଲେ। ସୋନପୁର ଏନଏଚଏମ୍ ବ୍ୟାଙ୍କ ଆକାଉଣ୍ଟରୁ ୫ କୋଟି ଟଙ୍କା ଠକେଇ ମାମଲାରେ ପୂର୍ବତନ ଠିକା ଆକାଉଣ୍ଟାଣ୍ଟ ରାଜକିଶୋର ନାୟକ ସହ ଅନ୍ୟ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ଗିରଫ କରିଥିଲା।

ବ୍ରାଉନସୁଗାର ବେପାରୀଙ୍କ ଉପରେ ଏସ୍‌ଟିଏଫ୍ ପ୍ରହାର

ବ୍ରାଉନସୁଗାର ବେପାରୀଙ୍କ ଉପରେ ଲଗାତାର ପ୍ରହାର ଜାରି ରଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍(ସ୍ପେସାଲ ଟାସ୍କ ଫୋର୍ସ)। ଖାଲି ଚଢ଼ଉ କି ଜବତ ନୁହେଁ କୁଖ୍ୟାତ ବେପାରୀଙ୍କ ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ କରିଛି। ସେହିପରି ରାଜ୍ୟ ବାହାରକୁ ପଞ୍ଝା ମେଲାଇଛି ଏସଟିଏଫ୍। ବ୍ରାଉନସୁଗାର ଆସୁଥିବା ପଶ୍ଚିମବଙ୍ଗ-ବାଂଲାଦେଶ ସୀମା ଲାଲଗୋଲା, ରାଜସ୍ଥାନରେ ମଧ୍ୟ ଚଢ଼ଉ କରିଛି ଏସଟିଏଫ୍। ସେହପରି କୁଖ୍ୟାତ ନିଶା ବେପାରୀ ଟକଲୁ ରାଜାର ୨ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଅନୁମତି ମଧ୍ୟ ମିଳିଛି। ୫ ନିଶା ବେପାରୀଙ୍କ କଳାଧନର ଖୋଳତାଡ଼ ସହ ଚେର ଖୋଜିବା ପାଇଁ ମାମଲାର ତଦନ୍ତ ହାତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଚଳିତବର୍ଷ ଏସଟିଏଫ୍ ୨୧ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିଥିବା ବେଳେ ୫୦ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରିଛି। ସେହିପରି ୪୦ରୁ ଅଧିକ ଚୋରା ବନ୍ଧୁକ ଓ ବିପୁଳ ଗୁଳିଗୋଳା ଜବତ କରାଯିବା ସହ ୨୦ରୁ ଅଧିକ ବେପାରୀଙ୍କୁ ଗିରଫ କରାଯାଇଛି।

ମାଓଗଡ଼ରେ ଉଡ଼ିଲା ତ୍ରିରଙ୍ଗା, ଧରାପଡ଼ିଲା କୁଖ୍ୟାତ ଦୁବାସୀ ଶଙ୍କର

ଯେଉଁ ଅଞ୍ଚଳରେ ଦିନେ ମାଓବାଦୀ ଆତଙ୍କ ଖେଳାଉଥିଲେ, ସେଠାରେ ଉଡ଼ିଲା ତ୍ରିରଙ୍ଗା। ତିଆରି ହେଲା ବିଏସଏଫ୍ କ୍ୟାମ୍ପ। ସେହି ଅଞ୍ଚଳ ଗୁଡ଼ିକ ହେଲା ମାଲକାନଗିରିର ଯୋଡ଼ାମ୍ବ, ବନ୍ତଳଗୁଡ଼ା, ଗୁରା ସେତୁ, ମହୁପଦର, ଘନବେଡ଼ା ଓ କୋରାପୁଟର ମୁଦୁଲିପଡ଼ା, ଆନ୍ଧ୍ରାଲ। ସେହିପରି ଚଳିତବର୍ଷ ସୁରକ୍ଷାକର୍ମା ଓ ମାଓବାଦୀ ଅନେର ଥର ମୁହାଁମୁହିଁ ହୋଇଛନ୍ତି। ଏପରିକି କନ୍ଧମାଳରେ ନକ୍ସଲ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମାଲକାନଗିରି ତୁଳସୀ ପାହାଡ଼ରେ ଏନକାଉଣ୍ଟରରେ ୩ ମାଓବାଦୀଙ୍କ ମୃତ୍ୟୁ ପୁଲିସ ପାଇଁ ଏକ ସଫଳତା ଥିଲା। କନ୍ଧମାଳରେ ନକ୍ସଲ ଆକ୍ରମଣରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିଲା। ବୌଦ୍ଧ-କନ୍ଧମାଳ ସୀମାର ଗୋଚ୍ଛାପଡ଼ା ଜଙ୍ଗଲରେ ଏନକାଉଣ୍ଟର ବେଳେ ଆହତ ଦୁଇ ଯବାନଙ୍କୁ ଏୟାରଲିଫ୍ଟ କରିଥିଲେ ପୁଲିସ ଡିଜି। କୁଖ୍ୟାତ ମାଓନେତା ଦୁବାସୀ ଶଙ୍କର କୋରାପୁଟ ବୈପାରୀଗୁଡ଼ା ଜଙ୍ଗଲରୁ ଧରାପଡ଼ିବା ଘଟଣା ରାଜ୍ୟ ପୁଲିସ ପାଇଁ ଆଉ ଏକ ସଫଳତା ଥିଲା। କାରଣ ଚିତ୍ରକୋଣ୍ଡାରେ ବିଏସଏଫ୍ ଗାଡ଼ିକୁ ଆକ୍ରମଣ କରି ୪ ଜଣଙ୍କୁ ହତ୍ୟା, ଦାମନଯୋଡ଼ିରେ ୧୦ ସିଆଇଏସଏଫ୍ ଯବାନଙ୍କୁ ହତ୍ୟା ମାମଲା ସହ ଏକାଧିକ ହିଂସାକାଣ୍ଡରେ ସମ୍ପୃକ୍ତ ଦୁବାସୀ ମୋଷ୍ଟ ଵାଣ୍ଟେଡ୍ ଥିଲା। ମାଓ ମୁକାବିଲାରେ ରାଜ୍ୟ ପୁଲିସ ବେଶ୍ ପ୍ରଶଂସା ସାଉଁଟିଛି।

ସଞ୍ଜୟ ଦାସବର୍ମାଙ୍କ ପିଏଙ୍କୁ କିଏ ହତ୍ୟା କଲା?

publive-image

ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଚିତ୍ତରଞ୍ଜନ ପଲେଇ ଭୋଜି କରିବାକୁ ଘରୁ ଯାଇ ହଠାତ୍ ନିଖୋଜ ହୋଇଗଲେ। ଦୁଇଦିନ ପରେ ନୂଆନଈରୁ ମିଳିଲା କ୍ଷତବିକ୍ଷତ ଶବ। ଚାରିଆଡ଼େ ଖେଳିଗଲା ଚାଞ୍ଚଲ୍ୟ। ସଞ୍ଜୟ ଦାସବର୍ମାଙ୍କର ହାତ ଥିବା ନେଇ ଚିତ୍ତଙ୍କ ପତ୍ନୀ ଗଣମାଧ୍ୟମରେ କହିବା ପରେ ବିବାଦ ବଢ଼ିଥିଲା। ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଧାରରେ ପୁଲିସ ରୁଜୁ କଲା ମାମଲା। ଦୁଇ ଦିନ ପରେ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ତଦନ୍ତଭାର। ସହଯୋଗୀ ଜଗନ୍ନାଥ ଉପରେ ଅଟକି ଯାଇଛି ସନ୍ଦେହ। ସନ୍ଦିଗ୍ଧଙ୍କର ମିଛଧରା ପରୀକ୍ଷା ମଧ୍ୟ ହୋଇଛି। ଦିନ ପରେ ଦିନ ଗଡ଼ି ଚାଲିଥିଲେ ମଧ୍ୟ ରହସ୍ୟ ଉପରୁ ଉଠିପାରି ନାହିଁ ପରଦା। ଚଳିତବର୍ଷର ଏହା ଅନ୍ୟତମ ଚର୍ଚ୍ଚିତ ହତ୍ୟାକାଣ୍ଡ।

ବିବାଦ ମୁଣ୍ଡାଇଲା ପୁଲିସ
ପାରଳାଖେମୁଣ୍ଡି ଏସିଏଫ୍ ହେଉ କି ମମିତା, ମାହାଙ୍ଗା ଡବଲ୍ ମର୍ଡର ଓ ଏହାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ବାଳଙ୍କ ମୃତ୍ୟୁ, ସଞ୍ଜୟ ଦାସବର୍ମାଙ୍କ ପିଏ ହତ୍ୟାକାଣ୍ଡ। ପୁଲିସ ତଦନ୍ତକୁ ନେଇ ସବୁ ବେଳେ ମାଳମାଳ ପ୍ରଶ୍ନ ଛିଡ଼ା ହୋଇଛି। ଏହି ସବୁ ମାମଲାରେ ଆରମ୍ଭରୁ ପୁଲିସ ଭୂମିକା ସନ୍ଦେହ ପରିସରକୁ ଚାଲି ଆସିଛି। ଏସିଏଫ୍ ମୃତ୍ୟୁ ମାମଲାରେ ପ୍ରଥମରୁ ଡିଏଫ୍ଓଙ୍କୁ ତଦନ୍ତ ପରିସରକୁ ନ ନେବା, ମୃତ୍ୟୁ ପଛର କାହାଣୀ ସହଜରେ ବିଶ୍ବାସ ହୋଇ ନ ଥିଲା। ସେହିପରି ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଚାର୍ଜସିଟରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ କାଟିବା, ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ବାଳର ସନ୍ଦେହଜନକ ମୃତ୍ୟୁ ଉପରୁ ପୁଲିସ ପରଦା ଉଠାଇ ପାରି ନାହିଁ। ସେହିପରି ମମିତା ମେହେର ମାମଲାରେ ବି ପୁଲିସ ଭୂମିକା ସନ୍ଦେହ ପରିସରରେ ରହିଛି। ଏହାସହ ସଞ୍ଜୟ ଦାସବର୍ମା ମାମଲାରେ ମଧ୍ୟ ପୁଲିସ ଏଯାଏ ରହସ୍ୟ ହଟାଇ ପାରି ନାହିଁ। ପୁଲିସର ସଫଳତା ଅପେକ୍ଷା ବିବାଦ ଅଧିକ ଦେଖାଦେଇଛି।