ଜୟପୁର: ବିଜୟଦାୟିନୀ ମା’ ଦକ୍ଷିଣକାଳିକା। ଜୟପୁର ରାଜାଙ୍କ ପ୍ରଥମଗଡ଼ ବା ପୁରୁଣାଗଡ଼ରେ ରହିଛି ମା’ଙ୍କ ପୀଠ। ତନ୍ତ୍ର ପାଇଁ ବିଖ୍ୟାତ ମା’ଙ୍କ କୃପା ଓ ଅଲୌକିକ କୀର୍ତ୍ତିକୁ ନେଇ ରହିଛି ଅନେକ ଜନଶ୍ରୁତି। ଯେମିତି ମା’ଙ୍କ କୃପା ଯୋଗୁଁ ଶତ୍ରୁରାଜ୍ୟ ସୈନ୍ୟ ଦୁର୍ବଳ ହୋଇ ଜୟପୁର ରାଜାଙ୍କ ବିରୋଧରେ ଯୁଦ୍ଧ କରିବାକୁ ସାହାସ କରୁନଥିଲେ। ଏପରିକି ପଡ଼ୋଶୀ ରାଜ୍ୟ ଯୁଦ୍ଧ ପାଇଁ ଜୟପୁର ରାଜ୍ୟର ସାହାଯ୍ୟ ଭିକ୍ଷା କରୁଥିଲେ। ଏଥିପାଇଁ ରାଜ୍ୟର ନାମକରଣ ଜୟପୁର ହୋଇଥିଲା ବୋଲି କୁହାଯାଏ। ମା’ଙ୍କୁ ସନ୍ତୁଷ୍ଟ କରିବାକୁ ପୀଠରେ ନରବଳି ମଧ୍ୟ ଦିଆଯାଉଥିଲା। ତେବେ ପୁରୁଣାଗଡ଼ ପୀଠର ପ୍ରାୟ ଦେଢ଼ଶହ ବର୍ଷର ଇତିହାସ ସମ୍ପର୍କରେ ବିବରଣୀ ରହିଥିଲା ବେଳେ ମା’ଙ୍କ ପ୍ରକୃତ ତଥା ଆଦିପୀଠ ପଣସପୁଟ ବାଗ୍ରାରେ ଜନଜାତିଙ୍କ ଦ୍ବାରା ଶହଶହ ବର୍ଷ ଧରି ଦେବୀ ପୂଜିତ ହେବା ଅନାଲୋଚିତ ରହିଛି।

Advertisment

ତନ୍ତ୍ରପୂଜା କରି ରାଜା ହୋଇଥିଲେ ଅଜୟ
ପୂର୍ବରୁ ନରବଳି, ଏବେ ପଡ଼ୁଛି ଛାଗବଳି

କିମ୍ବଦନ୍ତି ଅନୁଯାୟୀ ପଣସପୁଟ ବାଗ୍ରା ନିକଟସ୍ଥ ଦୁର୍ଗାଡଙ୍ଗର (ପାହାଡ଼) ଚୂଡ଼ାରେ ବିରାଜିତ ଦକ୍ଷିଣକାଳିକାଙ୍କ ଉପସ୍ଥିତି ସଂପର୍କରେ ସୂଚନା ପାଇ ଜୟପୁର ରାଜା ନିୟମିତ ଯାଇ ପୂଜାର୍ଚ୍ଚନା କରୁଥିଲେ। ଏକଦା ମା’ଙ୍କ ଭକ୍ତିରେ ବିହ୍ବଳ ହୋଇ ପାହାଡ଼ ଉପରରୁ ମାଟି ମୁଠାଏ ଆଣି ମୁଣ୍ଡତଳେ ଦେଇ ଶୋଇଥିଲେ। ସେହି ରାତିରେ ରାଜାଙ୍କୁ ସ୍ବପ୍ନାଦେଶ ହେବାରୁ ରାଜନଅରରେ ମା’ଙ୍କୁ ପ୍ରତିଷ୍ଠା କରିଥିଲେ। ମା’ଙ୍କ ଜୟପୁର ଆଗମନ ପାଇଁ ପ୍ରତି ପାଦରେ ଦିଆଯାଇଥିଲା ବଳି। ପ୍ରାୟ ଦେଢ଼ଶହ ବର୍ଷ ତଳେ ପୁରୁଣାଗଡ଼ର ଗୋଟିଏ ଛଣ ଘରେ ମା’ଙ୍କୁ ପ୍ରତିଷ୍ଠା କରାଯିବା ପରେ ୧୯୧୫ ମସିହାରେ ପାରମ୍ପରିକ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ତନ୍ତ୍ର-ମନ୍ତ୍ର-ଯନ୍ତ୍ର ସନ୍ନିବେଶରେ ଶକ୍ତିପୀଠର ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦିତ ହୋଇଥିଲା। ତେଣୁ ଏଠାରେ ଅଭୂତପୂର୍ବ ଗାମ୍ଭୀର୍ଯ୍ୟ ଓ ଶାନ୍ତ ପରିବେଶରେ ଏବେ ବି ତଲ୍ଲୀନ ହୋଇପଡ଼ନ୍ତି ଶ୍ରଦ୍ଧାଳୁ। ମା’ଙ୍କ କୃପାରୁ ଜୟପୁର ରାଜ୍ୟ ଓ ରାଜ୍ୟବାସୀ ସୁରକ୍ଷିତ ରହିଥିଲେ। ମା’ଙ୍କ ଆଗମନ ପରେ ଭଲ ବର୍ଷା ଯୋଗୁଁ ଅନାହାର ସମସ୍ୟା ରହିଲା ନାହିଁ। ଏଥିପାଇଁ ମା’ଙ୍କୁ ସନ୍ତୁଷ୍ଟ କରିବାକୁ ପୂର୍ବରୁ ଦଶହରା ସମୟରେ ନରବଳି ପଡ଼ୁଥିଲା। ଜଣେ ନିଖୁଣ ପୂର୍ଣ୍ଣାଙ୍ଗ ପୁରୁଷକୁ ୩ବର୍ଷ ପର୍ଯ୍ୟନ୍ତ ପୁଷ୍ଟ କରାଯାଉଥିଲା। ବଳିସ୍ଥାନରେ ହିଁ ବଳିକୁ ପୋତିବା ବିଧି ରହିଥିଲା। ପରବର୍ତ୍ତୀ ସମୟରେ ପୋଢ଼, ବର୍ତ୍ତମାନ ଛେଳି ଓ କୁକୁଡ଼ା ବଳି ଦିଆଯାଉଛି। ପୂର୍ବ ପ୍ରଚଳିତ ପରମ୍ପରା ଅନୁସାରେ ଚୈତ୍ର ବାସନ୍ତୀ ପର୍ବ, ଫାଲଗୁନର ହୋଲିକା ପର୍ବ, ଆଶ୍ବିନରେ ଦଶହରା, ବାଲିଯାତ୍ରା, ଘଟପର୍ବ ଆଦି ପୀଠରେ ପାଳନ ହେଉଛି।

ପଣସପୁଟ ବାଗ୍ରାସ୍ଥିତ ମା’ଙ୍କ ମୂଳପୀଠର କୌଣସି ଐତିହାସିକ ବିବରଣୀ ଉପଲବ୍ଧ ନାହିଁ। ଜୟପୁର ସହରଠାରୁ ୭କିଲୋମିଟର ଦୂର ଦୁର୍ଗାଡଙ୍ଗର ଦକ୍ଷିଣକାଳିକାଙ୍କ ଆଦିପୀଠ। ଏଠାରେ ବସବାସ କରୁଥିବା ପରଜା ସଂପ୍ରଦାୟ ମା’ଙ୍କ ପୂଜା କରୁଥିଲେ। ଅନ୍ୟ ଏକ ଲୋକକଥା ଅନୁଯାୟୀ, ପାହାଡ଼ରୁ ଦେବୀକନ୍ୟା ରୂପରେ ଆସି ଗାଁ ଝିଅଙ୍କ ସହିତ ବନ୍ଧୁତା କରୁଥିଲେ। ସନ୍ଧ୍ୟାରେ ଦେବୀଙ୍କୁ ଛାଡ଼ିବାକୁ ଯାଉଥିବା ଝିଅ ଆଉ ଫେରୁନଥିଲା। ଏକଥା ଜାଣି ଜଣେ ଜାନୀ (ଆଦିବାସୀ ପୂଜକ) ମନ୍ତ୍ରଶକ୍ତିରେ ଦେବୀଙ୍କୁ ସୁନ୍ଦର କଣ୍ଢେଇରେ ରୂପାନ୍ତରିତ କରିଥିଲେ। ଏହି କଣ୍ଢେଇକୁ ଜୟପୁର ଖାଡ଼ଙ୍ଗା ପରିବାର କ୍ରୟ କରି ଆଣିଥିଲେ ସୁଦ୍ଧା ପ୍ରତିଷ୍ଠା କରିପାରି ନଥିଲେ। ରାଜା ଅବଗତ ହୋଇ ପୁରୁଣାଗଡ଼ରେ ସ୍ଥାପନ କରିଥିଲେ ବୋଲି କୁହାଯାଉଛି। ମା’ ପୁରୁଣାଗଡ଼କୁ ଆସିବା ପରେ ବି ପୂର୍ବ ପୀଠରେ ପରଜା ବଂଶାନୁକ୍ରମିକ ପୂଜାର୍ଚ୍ଚନା କରୁଛନ୍ତି। ମଙ୍ଗଳ ଓ ଶୁକ୍ରବାର ଅନ୍ନଭୋଗ ହେଉଛି। ପୁରୁଣାଗଡ଼ରେ ନର ଓ ପୋଢ଼ବଳି ବନ୍ଦ ହୋଇଯାଇଥିବା ‌ବେଳେ ପାହାଡ଼ ଉପରେ ମହାଷ୍ଟମୀରେ ଏବେ ମଧ୍ୟ ପୋଢ଼ବଳି ‌ପଡ଼ୁଛି।