ଅଛି ଯେଉଁଠି ଅଧିକାଂଶ ବାମନ ଜନ୍ମ ନିଅନ୍ତି। ଚୀନ୍ର ସିଚୁଆନ୍ଠାରୁ ଦୂରବର୍ତ୍ତୀ ଏକ ଗାଁ ୟାଙ୍ଗ୍ସି। ଏହି ଗ୍ରାମର ୫୦ ପ୍ରତିଶତ ବାସିନ୍ଦା ବାମନ। ଏହି ଲୋକମାନଙ୍କର ଉଚ୍ଚତା ଦୁଇ ଫୁଟ୍ ଏକ ଇଞ୍ଚରୁ ଆରମ୍ଭ କରି ତିନି ଫୁଟ୍ ଦଶ ଇଞ୍ଚ ଭିତରେ ସୀମାବଦ୍ଧ। ଏତେ ସଂଖ୍ୟାରେ ବାମନମାନେ ଏଠାରେ ବସବାସ କରୁଥିବାରୁ ଏହା ଏକ ବାମନ ଗାଆଁ ଭାବେ ପ୍ରସିଦ୍ଧି ଲାଭ କରିଛି। ଏତେ ସଂଖ୍ୟାରେ ବାମନ ଏଠାରେ କାହିଁକି ଜନ୍ମ ନେଉଛନ୍ତି ବୈଜ୍ଞାନିକମାନେ ତାହାର ବର୍ଷ ବର୍ଷ ଧରି ଅନୁସନ୍ଧାନ କରି ମଧ୍ୟ କୌଣସି ନିଷ୍କର୍ଷରେ ପହଞ୍ଚି ପାରୁ ନାହାନ୍ତି।
ଗାଆଁର ବୟୋଜ୍ୟେଷ୍ଠମାନଙ୍କ କହିବା କଥା ହେଲା ଗତ କିଛି ଦଶନ୍ଧି ଧରି ଏହି ଗାଆଁର ସୁଖ ଶିରୀ ନଷ୍ଟ ହୋଇଯାଇଛି। ଏକ ଭୟଙ୍କର ବ୍ୟାଧି ଯେପରି କବଳିତ କରି ନେଇଛି ଏହି ଗାଆଁକୁ। ପାଞ୍ଚ-ସାତ ବର୍ଷ ଯାଏଁ ପିଲାମାନେ ସ୍ୱାଭାବିକ ଭାବେ ବଢୁଥିଲେ ମଧ୍ୟ ତା’ପରେ ସେମାନଙ୍କ ଉଚ୍ଚତାରେ ଆଉ ବୃଦ୍ଧି ଘଟୁନାହିଁ। କେବଳ ଉଚ୍ଚତା କଥା ନୁହେଁ, ସେମାନଙ୍କର ଆହୁରି ଅନେକ ଶାରୀରିକ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ୧୯୧୧ ମସିହା ବେଳକୁ ଏହି ଅଞ୍ଚଳରେ ବାମନଙ୍କୁ ଦେଖିବାକୁ ମିଳିଥିଲା। ପରେ ଜଣେ ବ୍ରିଟିଶ୍ ବୈଜ୍ଞାନିକ ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ବାମନ ଦେଖିବାକୁ ପାଇଥିବା କଥା କହନ୍ତି। ତେବେ ୧୯୫୧ ବେଳକୁ ଏଠାରେ ଲୋକମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଛୋଟ ହେଇ ଯାଉଥିବା କଥା ଯେତେବେଳେ ପ୍ରଶାସନକୁ ଅଭିଯୋଗ କରାଯାଇଥିଲା ସେତେବେଳେ ଏହି ବାମନ ଗାଁ କଥା ସାମ୍ନାକୁ ଆସିଥିଲା। ୧୯୮୫ରେ ସେଠାକାର ଜନଗଣନା ଚାଲିଥିବା ବେଳେ ଏହି ଗାଁରେ ୧୧୯ଜଣ ଏଭଳି ସମସ୍ୟାରେ ପୀଡ଼ିତ ଥିବା କଥା ସାମ୍ନାକୁ ଆସିଥିଲା। ସମୟ ଗଡ଼ି ଚାଲିଛି। ପିଢ଼ି ପରେ ପିଢ଼ି ଏହି ଗ୍ରାମର ବାସିନ୍ଦା ଏଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି। ପିଲମାନେ ଯେପରି ଏଭଳି ରୋଗରେ ପୀଡ଼ିତ ନ ହୁଅନ୍ତି ସେଥିପାଇଁ ଡରରେ କେତେକ ବାସିନ୍ଦା ମଧ୍ୟ ଗାଁ ଛାଡ଼ି ସାରିଲେଣି। ଯଦିଓ ଏବେ ଏଭଳି ସମସ୍ୟାରୁ ସାମାନ୍ୟ କ୍ଷାନ୍ତି ମିଳିଛି। ନୂଆ ପିଢ଼ିଠାରେ ଏହାର ଲକ୍ଷଣ ହ୍ରାସ ପାଇବାରେ ଲାଗିଛି।
ଏହି ଗାଁରେ ବାମନ ଜନ୍ମ ନେବାର କାରଣ ଏବେ ବି ରହସ୍ୟମୟ ରହିଛି । ହଠାତ୍ ଏମିତି ଏ ଗାଆଁରେ କ’ଣ ଘଟିଲା ଯେ ସୁସ୍ଥ ଦମ୍ପତ୍ତିଙ୍କଠାରୁ ଏଭଳି ବାମନ ସନ୍ତାନ ଜନ୍ମ ନେଲେ! ବୈଜ୍ଞାନିକ ତଥା ବିଶେଷଜ୍ଞମାନେ ଏହାର ମାଟି, ପାଣି, ଫସଲ ଉପରେ ବହୁବାର ଅନୁଧ୍ୟାନ କରିସାରିଲେଣି ତଥାପି ଏହାର କାରଣ ସମ୍ପର୍କରେ ଜାଣି ପାରୁ ନାହାନ୍ତି। ୧୯୯୭ରେ ଗାଆଁର ମାଟି ବ୍ୟବହାର ଅନୁପଯୋଗୀ ରହିଥିବା ଅଭିଯୋଗ ଉଠିଥିଲା ମାତ୍ର ତାହା ପ୍ରମାଣିତ ହୋଇ ପାରି ନ ଥିଲା। ସେମିତି ଆଉ କିଛି ଲୋକଙ୍କ କହିବା କଥା ହେଲା କିଛି ଦଶନ୍ଧି ତଳେ ଜାପାନ ଚୀନ୍କୁ ଯେଉଁ ବିଷାକ୍ତ ଗ୍ୟାସ୍ ଛାଡ଼ିଥିଲା ଏହା ତା’ର ପ୍ରଭାବ। ମାତ୍ର ବାସ୍ତବତା ହେଲା ଜାପାନ ଚୀନ୍ର ଏହି ଅଞ୍ଚଳରେ କେବେ ବି ପହଞ୍ଚି ନାହିଁ। ଲୋକମାନଙ୍କର ଏଭଳି ଅବସ୍ଥାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ କଥା ଶୁଣିବାକୁ ମିଳିଥାଏ, ମାତ୍ର ଏଯାବତ୍ କିଛି ବି ପ୍ରମାଣିତ ହୋଇପାରିନି।
ଏବେ ଗାଆଁର କିଛିଲୋକ ଏହାକୁ କେଉଁ ଅପଶକ୍ତିର କାର୍ଯ୍ୟ ବୋଲି ବିଚାର କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ବାସ୍ତୁଦୋଷ (ଚୀନା ଭାଷାରେ ଫେଙ୍ଗ୍ଶୁଇ ଜନିତ ସମସ୍ୟା) ବୋଲି ବିଚାର କରୁଛନ୍ତି। ପୁଣି ଆଉକିଛି ଲୋକଙ୍କ କହିବା କଥା ହେଲା, ମୃତ୍ୟୁ ପରେ ପୂର୍ବଜଙ୍କ ଉତ୍ତମ ସଂସ୍କାର କରାଯାଇ ନ ଥିବାରୁ ଏଭଳି ଘଟୁଛି।
ଏଇ ଗାଆଁ ଭଳି ଚୀନ୍ରେ ଆଉ କିଛି ଗାଆଁ ଅଛି- ଏ ସବୁ ଗାଆଁକୁ ଯିବା ପାଇଁ ଚୀନ୍ ପ୍ରଶାସନ ବିଦେଶୀମାନଙ୍କୁ ଏକ ପ୍ରକାର ବାରଣ କରିଛି କହିଲେ ଚଳେ।