ରାଜ୍ୟ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, କିନ୍ତୁ ବିକାଶର ସେହି ଲାଭ ସମସ୍ତଙ୍କ ପାଖରେ ସମାନ ଭାବରେ ପହଞ୍ଚିପାରୁନାହିଁ। ନିକଟରେ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬ର ଅନୁଶୀଳନରୁ ଏଭଳି ଅନେକ କଥା ସାମନାକୁ ଆସିଛି, ଯାହା ଚିନ୍ତାଜନକ। ବିକାଶର ଲାଭ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଅଧିକ କାମ କରିବାକୁ ପଡ଼ିବ। ବିଶେଷ କରି ଗ୍ରାମାଞ୍ଚଳ, ଯୁବପିଢ଼ି ଓ ଚାଷୀଙ୍କ ନିକଟରେ ବିକାଶର ସୁଫଳ ପହଞ୍ଚାଇବା ଲାଗି ଆହୁରି ଉଦ୍ୟମର ଆବଶ୍ୟକତା ରହିଛି

Advertisment

ଖାଇବା ତେଲର ହବ୍‌ ହୋଇପାରିବ ଓଡ଼ିଶା, ତୈଳବୀଜ ଉତ୍ପାଦନରେ ପଛୁଆ

ନିତି ଆୟୋଗ ରିପୋର୍ଟ ଅନୁସାରେ ଦେଶକୁ ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାର କ୍ଷମତା ଓଡ଼ିଶା ପାଖରେ ରହିଛି। କିନ୍ତୁ ସେହି ଅନୁସାରେ ରାଜ୍ୟରେ ତୈଳବୀଜ ଚାଷ ଉପରେ ଧ୍ୟାନ ଦିଆଯାଉନାହିଁ। ୨୦୨୪-୨୫ରେ ରାଜ୍ୟରେ ୫.୬ ଲକ୍ଷ ହେକ୍ଟରରେ ତୈଳବୀଜ ଚାଷ ହୋଇଥିଲା ଓ ୬.୨ ଲକ୍ଷ ଟନ୍‌ ଉତ୍ପାଦନ କରାଯାଇଥିଲା। ତୈଳବୀଜ ମଧ୍ୟରେ ସର୍ବାଧିକ ବାଦାମ ଚାଷ କରାଯାଉଛି। ସକଳ ତୈଳବୀଜ ଉତ୍ପାଦନରେ ବାଦାମର ଭାଗ ୬୭ ପ୍ରତିଶତ, ସୋରିଷ ୧୨ ପ୍ରତିଶତ ଓ ରାଶିର ଭାଗ ୧୦ ପ୍ରତିଶତ ରହିଛି। ତୈଳବୀଜ ଉତ୍ପାଦନ କ୍ଷେତ୍ରରେ କିନ୍ତୁ ଓଡ଼ିଶା ଜାତୀୟ ହାରଠାରୁ ପଛୁଆ ରହିଛି। ବାଦାମ ଓ ସୂର୍ଯ୍ୟମୁଖୀ‌ରେ ଜାତୀୟ ହାରଠାରୁ ଉଚ୍ଚ ପ୍ରଦର୍ଶନ କରିବାର ସମ୍ଭାବନା ଓଡ଼ିଶା ରେ ରହିଛି। ୨୦୨୪-୨୫ରେ ଓଡ଼ିଶାରେ ୧୧୮.୬ ଲକ୍ଷ ଟନ୍‌ ଧାନ, ୮.୨ ଲକ୍ଷ ଟନ୍‌ କପା ଓ ୪୦,୨୫୦ ଟନ୍‌ ଅଏଲ୍‌ ପାମ୍‌ ଉତ୍ପାଦନ ହୋଇଥିଲା। ଏହା ଖାଇବା ତେଲ ଉତ୍ପାଦନ ବଢ଼ାଇବା‌ରେ ବିଶେଷ ସହାୟକ ହୋଇପାରିବ। ଧାନରୁ ରାଇସ୍‌ ବ୍ରାନ୍‌ ଅଏଲ୍‌ ଉତ୍ପାଦନ କରାଯାଇପାରିବ। ଖାଇବା ତେଲ ଉତ୍ପାଦନ ବଢ଼ାଇ ଓଡ଼ିଶା ପଡ଼ୋଶୀ ରାଜ୍ୟର ପ୍ରମୁଖ ସହର ଯଥା କୋଲକାତା, ଚେନ୍ନାଇ ଓ ବିଶାଖାପାଟଣାର ଆବଶ୍ୟକତା ପୂରଣ କରିପାରିବ।

ନାଁକୁ ମାତ୍ର ଚାଉଳ ରପ୍ତାନି
ଚାଉଳ ଉତ୍ପାଦନରେ ଓଡ଼ିଶା ହେଉଛି ଏକ ଅଗ୍ରଣୀ ରାଜ୍ୟ। କିନ୍ତୁ କୃଷିଜାତ ସାମଗ୍ରୀ ରପ୍ତାନି ଉପରେ ନଜର ପକାଇଲେ ରାଜ୍ୟରୁ ଚାଉଳ ରପ୍ତାନି ନଗଣ୍ୟ ସ୍ତରରେ ରହିଛି। ଓଡ଼ିଶାର ମୋଟ କୃଷିଜାତ ଓ ଆନୁଷଙ୍ଗିକ ସାମଗ୍ରୀ ରପ୍ତାନିରେ ୯୦.୩ ପ୍ରତିଶତ ହେଉଛି ସାମୁଦ୍ରିକ ସାମଗ୍ରୀ। ମୋଟ ରପ୍ତାନିରେ ଚାଉଳର ଭାଗ ମାତ୍ର ୯ ପ୍ରତିଶତ ରହିଛି। ରପ୍ତାନିରେ ମସଲାର ଭାଗ ୦.୩ ପ୍ରତିଶତ, ଫଳ ଓ ପନିପରିବା ୦.୦୬ ପ୍ରତିଶତ, କାଜୁ ୦.୦୪ ପ୍ରତିଶତ ଓ ଦୁଗ୍ଧଜାତ ଓ କୁକୁଡ଼ାର ଭାଗ ମାତ୍ର ୦.୦୨ ପ୍ରତିଶତ ରହିଛି। ଦେଶର ମୋଟ ଚାଉଳ ରପ୍ତାନି ପ୍ରତି ଓଡ଼ିଶାର ଅବଦାନ ହେଉଛି ମାତ୍ର ୦.୪ ପ୍ରତିଶତ।

୧୦୦ରୁ ୩୭ ଜଣଙ୍କ ପାଖରେ ନାହିଁ ଇଣ୍ଟରନେଟ୍‌
ଆଜିର ଡିଜିଟାଲ୍‌ ଦୁନିଆରେ ଓଡ଼ିଶାରେ ଏବେ ବି ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୩୭ ଜଣଙ୍କ ପାଖରେ ଇଣ୍ଟରନେଟ୍‌ ସୁବିଧା ନାହିଁ। ୨୦୨୨ ସେପ୍ଟେମ୍ବର ବେଳକୁ ୪୮.୮୯ ପ୍ରତିଶତ ଲୋକଙ୍କ ପାଖରେ ଇଣ୍ଟରନେଟ୍‌ ଥିଲା। ୨୦୨୫ ସେପ୍ଟେମ୍ବର ସୁଦ୍ଧା ସେହି ହାର ୬୩ ପ୍ରତିଶତକୁ ବଢ଼ିଛି। ଏହି ସମୟ ସୀମା ଭିତରେ ଗ୍ରାମାଞ୍ଚଳର ୭୫.୨ ପ୍ରତିଶତ ପରିବାର ଓ ସହରାଞ୍ଚଳର ୯୧.୪ ପ୍ରତିଶତ ପରିବାର ପାଖରେ ଇଣ୍ଟରନେଟ୍‌ ସୁବିଧା ପହଞ୍ଚିପାରିଛି। ମୋବାଇଲ୍‌ ଫୋନ୍‌ ମାଲିକାନାରେ ମଧ୍ୟ ଉନ୍ନତି ଘଟିଛି। ୭୮.୧ ପ୍ରତିଶତ ଲୋକଙ୍କ ପାଖରେ ସ୍ମାର୍ଟଫୋନ୍‌ ରହିଛି।

ଦୁଗ୍ଧ ଉତ୍ପାଦନରେ ପଛୁଆ

 ଓଡ଼ିଶାରେ ୨୦୨୪-୨୫ରେ ୨୭.୧ ଲକ୍ଷ ଟନ୍‌ ଦୁଗ୍ଧ ଉତ୍ପାଦନ ହୋଇଥିଲା। ତାହା ଦେଶର ମୋଟ ଦୁଗ୍ଧ ଉତ୍ପାଦନର ମାତ୍ର ୧.୧ ପ୍ରତିଶତ। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୩.୪ ପ୍ରତିଶତ ଭଳି ନଗଣ୍ୟ ହାରରେ ବଢ଼ୁଛି। ଜାତୀୟ ହାର ୪.୨ ପ୍ରତିଶତଠାରୁ ଏହା କମ୍‌। ଅଧିକ କ୍ଷୀର ଦେଉଥିବା ପ୍ରଜାତିର ଗାଈ ଅଭାବ ଥିବାରୁ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବଢ଼ୁନାହିଁ। ଶଙ୍କର ଜାତୀୟ ଗାଈର ଦୈନିକ ଦୁଗ୍ଧ ଉତ୍ପାଦନ ଜାତୀୟ ସ୍ତରରେ ୯.୧ କେଜି ଥିବା ବେଳେ ଓଡ଼ିଶାରେ ତାହା ୭.୪ କେଜି ରହିଛି। ସେହିପରି ଦେଶୀ ଗାଈର ଦୈନିକ ଦୁଗ୍ଧ ଉତ୍ପାଦନ ୩.୯ କେଜି ଥିବା ବେଳେ ଓଡ଼ିଶାରେ ୧.୭ କେଜି ରହିଛି। ଅଧିକ କ୍ଷୀର ଦେଉଥିବା ଗାଈ ସଂଖ୍ୟା ରାଜ୍ୟରେ ଅତ୍ୟନ୍ତ ନିମ୍ନ ସ୍ତରରେ ରହିଛି। ଜାତୀୟ ସ୍ତରରେ ମୋଟ ଗାଈ ସଂଖ୍ୟାରେ ଅଧିକ ଦୁଗ୍ଧ ଦେଉଥିବା ଗାଈର ଭାଗ ୧୩ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ସେହି ହାର ମାତ୍ର ୭ ପ୍ରତିଶତ ରହିଛି। ଦୁଗ୍ଧ ଉତ୍ପାଦନ କମ୍‌ ହେଉଥିବାରୁ ରାଜ୍ୟର ଦୁଗ୍ଧ ଉପଲବ୍ଧତା ମଧ୍ୟ ଜାତୀୟ ସ୍ତରଠାରୁ କମ୍‌ ରହିଛି। ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ ରାଜ୍ୟରେ ମୁଣ୍ଡପିଛା ଦୁଗ୍ଧ ଉପଲବ୍ଧତା ଦୈନିକ ୧୪୩ ଗ୍ରାମରୁ ବଢ଼ି ୧୫୯ ଗ୍ରାମ ହୋଇଛି। କିନ୍ତୁ ‌ଏବେବି ତାହା ଜାତୀୟ ହାର ୪୮୫ ଗ୍ରାମଠାରୁ ଯଥେଷ୍ଟ ପଛରେ ରହିଛି। ଭାରତୀୟ ମେଡିକାଲ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ସୁପାରିସ କରିଥିବା ଦୈନିକ ମୁଣ୍ଡପିଛା ୩୦୦ ଗ୍ରାମ ଦୁଗ୍ଧଠାରୁ ମଧ୍ୟ କମ୍‌।

dagadggdczcvc

୩୦ ଲକ୍ଷ ପରିବାରରେ ଗାଈଗୋରୁ

ଓଡ଼ିଶାର ୩୦.୨୩ ଲକ୍ଷ ପରିବାରରେ ଗାଈଗୋରୁ, ୯୩ ହଜାର ପରିବାରରେ ମଇଁଷି ଓ ୧୩ ଲକ୍ଷ ୯୮ ହଜାର ପରିବାର ପାଖରେ କୁକୁଡ଼ା ରହିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ରାଜ୍ୟର ବହୁତ ପରିବାରରେ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ହେଉଛି ପ୍ରାଣୀଧନ। ରାଜ୍ୟରେ ୧୮୧.୭ ଲକ୍ଷ ପ୍ରାଣୀଧନ ରହିଛନ୍ତି। ସେଥିରୁ ୯୯ ଲକ୍ଷ ଗାଈଗୋରୁ ହୋଇଥିବା ବେଳେ ୬୪ ଲକ୍ଷ ହେଉଛନ୍ତି ଛେଳି, ୧୩ ଲକ୍ଷ ମେଣ୍ଢା, ୪.୫୮ ଲକ୍ଷ ମଇଁଷି ଓ ୧.୩୫ ଲକ୍ଷ ଘୁଷୁରି। କୁକଡ଼ା ସଂଖ୍ୟା ୨୭୪ ଲକ୍ଷ ଥିବା ଆକଳନ କରାଯାଇଛି। ରାଜ୍ୟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦୁଗ୍ଧଜାତ ସାମଗ୍ରୀ ଓ ଅଣ୍ଡାରେ ମାସିକ ମୁଣ୍ଡପିଛା ଖର୍ଚ୍ଚ ବଢ଼ିଛି। ୨୦୧୧-୧୨ରେ ଗ୍ରାମାଞ୍ଚଳରେ ଦୁଗ୍ଧରେ ମୁଣ୍ଡପିଛା ଖର୍ଚ୍ଚ ୨୫ ଟଙ୍କା ୮୦ ପଇସା ଥିଲା। ୨୦୨୩-୨୪ ସୁଦ୍ଧା ତାହା ୧୦୧ ଟଙ୍କା ୪୦ ପଇସାକୁ ବଢ଼ିଛି। ସହରାଞ୍ଚଳରେ ସେହି ଖର୍ଚ୍ଚ ୬୯ ଟଙ୍କା ୨୦ ପଇସାରୁ ବଢ଼ି ୨୨୫ ଟଙ୍କା ୪୦ ପଇସା ହୋଇଛି। ଗ୍ରାମାଞ୍ଚଳରେ ଅଣ୍ଡାରେ ମୁଣ୍ଡପିଛା ଖର୍ଚ୍ଚ ଏହି ସମୟରେ ୪ ଟଙ୍କା ୯୦ ପଇସାରୁ ବଢ଼ି ୨୦ ଟଙ୍କା ୨୦ ପଇସା ଏବଂ ସହରାଞ୍ଚଳରେ ୬ ଟଙ୍କା ୮୦ ପଇସାରୁ ୨୦ ଟଙ୍କା ୧୦ ପଇସା ହୋଇଛି। ଚିକେନ୍‌ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଖର୍ଚ୍ଚ ୧୨ ଟଙ୍କା ୫୦ ପଇସାରୁ ବଢ଼ି ୯୪ ଟଙ୍କା ୮୦ ପଇସା ହୋଇଛି। ସହରାଞ୍ଚଳରେ ଚିକେନ୍‌ ଖର୍ଚ୍ଚ ୧୩ ଟଙ୍କା ୧୦ ପଇସାରୁ ବଢ଼ି ୯୫ ଟଙ୍କା ୩୦ ପଇସା ହୋଇଛି।

ମାଛ ଉତ୍ପାଦନରେ ଓଡ଼ିଶା ଚତୁର୍ଥ
ମାଛ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ୨୦୨୪-୨୫ରେ ରାଜ୍ୟରେ ୧୧.୯୨ ଲକ୍ଷ ଟନ୍‌ ମାଛ ଉତ୍ପାଦନ କରାଯାଇଥିଲା। ସେଥିରୁ ୬୬ ପ୍ରତିଶତ ମଧୁର ଜଳ, ୨୦ ପ୍ରତିଶତ ସମୁଦ୍ର ଓ ୧୪ ପ୍ରତିଶତ ଲୁଣା ପାଣିରୁ ଧରାଯାଇଥିଲା। ୨୦୨୪-୨୫ରେ ଲୁଣାଜଳରୁ ୨୯.୯୧ ହଜାର ଟନ୍‌ ଚିଙ୍ଗୁଡ଼ି ଉତ୍ପାଦନ କରାଯାଇଥିଲା। ରାଜ୍ୟରେ ଏହି ବର୍ଷ ୯.୫୫ ହଜାର ଟନ୍‌ କଙ୍କଡ଼ା ଉତ୍ପାଦନ ହୋଇଥିଲା। ୨୦୨୪-୨୫ରେ ଓଡ଼ିଶା ୪୭୦୮.୧ କୋଟି ଟଙ୍କାର ସାମୁଦ୍ରିକ ସାମଗ୍ରୀ ରପ୍ତାନି କରିଛି। ସେଗୁଡ଼ିକୁ ଆମେରିକା, ଚୀନ୍‌, ଭିଏତ୍‌ନାମ, ଜାପାନ ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକୁ ରପ୍ତାନି କରାଯାଇଥିଲା। ସର୍ବାଧିକ ସାମୁଦ୍ରିକ ସାମଗ୍ରୀ ଆମେରିକା, ଚୀନ ଓ ଭିଏତ୍‌ନାମକୁ ପଠାଯାଉଛି। ସାମୁଦ୍ରିକ ଉତ୍ପାଦ ରପ୍ତାନିରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ଓ ଗୁଜରାଟ ପଛକୁ ତୃତୀୟ ସ୍ଥାନରେ ରହିଛି। ରାଜ୍ୟରେ ୧୬ ଲକ୍ଷରୁ ଅଧିକ ଲୋକ ମତ୍ସ୍ୟଚାଷ ଉପରେ ନିର୍ଭରଶୀଳ ରହିଛନ୍ତି। ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଆୟ ବଢ଼ାଇବାର ବ୍ୟାପକ ସମ୍ଭାବନା ରହିଛି।

ଆମିଷ, ଫଳ ଖାଇବା ଖର୍ଚ୍ଚ ବଢ଼ିଛି
ଗତ କିଛି ବର୍ଷ ମଧ୍ୟରେ ଭୋଜନରେ ରାଜ୍ୟବାସୀଙ୍କ ଖର୍ଚ୍ଚରେ ବଡ଼ଧରଣର ପରିବର୍ତ୍ତନ ଘଟିଛି। ୨୦୧୧-୧୨ ତୁଳନାରେ ୨୦୨୩-୨୪ରେ ଗ୍ରାମାଞ୍ଚଳରେ ‌ଲୋକମାନେ ଅଣ୍ଡା, ମାଛ ଓ ମାଂସ ଭଳି ଆମିଷ ଏବଂ ଫଳ ଖାଇବାରେ ଖର୍ଚ୍ଚ ବଢ଼ାଇଛନ୍ତି। ସେହି ସମୟରେ ଶସ୍ୟଜାତୀୟ ଓ ପନିପରିବାରେ ଖର୍ଚ୍ଚ କମ୍‌ କରିଛନ୍ତି। ସେମାନେ ପ୍ୟାକେଟ୍‌ରେ ମିଳୁଥିବା ଖାଦ୍ୟ ଓ ପାନୀୟ ଏବଂ ମସଲାରେ ମଧ୍ୟ ଖର୍ଚ୍ଚ ବଢ଼ାଇଛନ୍ତି। ସହରାଞ୍ଚଳରେ ଲୋକମାନେ ଶସ୍ୟଜାତୀୟ, ଖାଇବା ତେଲ, ପନିପରିବା, ଅଣ୍ଡା, ମାଛ, ମାଂସରେ ଖର୍ଚ୍ଚ କମ୍‌ କରିଛନ୍ତି। କିନ୍ତୁ ଦୁଗ୍ଧ, ଫଳ, ମସଲା, ପ୍ୟାକେଟ୍‌ରେ ମିଳୁଥିବା ଖାଦ୍ୟ ଓ ପାନୀୟ ଖର୍ଚ୍ଚ ବଢ଼ାଇଛନ୍ତି। ସହରାଞ୍ଚଳବାସୀଙ୍କ ପ୍ୟା‌କେଟ୍‌ ଖାଦ୍ୟ ଓ ପାନୀୟ ଖର୍ଚ୍ଚରେ ବଡ଼ଧରଣର ବୃଦ୍ଧି ଘଟିଛି। ୨୦୧୧-୨ରେ ଗ୍ରାମାଞ୍ଚଳ ପରିବାରର ୫୭.୨ ପ୍ରତିଶତ ଖର୍ଚ୍ଚ ଖାଇବା ଯୋଗାଡ଼ କରିବାରେ ହେଉଥିଲା। ୨୦୨୩-୨୪ରେ ସେହି ହାର ୪୮.୫ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ସହରାଞ୍ଚଳରେ ଭୋଜନରେ ହେଉଥିବା ଖର୍ଚ୍ଚ ୪୦.୭ ପ୍ରତିଶତକୁ ହ୍ରାସ ପାଇଛି। ସେଥିପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନେ ଜୀବନଶୈଳୀରେ ଅଧିକ ଖର୍ଚ୍ଚ କରୁଛନ୍ତି।

daggdagadcvz

ଗାଁରେ ମାତ୍ର ୧.୧% ପରିବାରରେ କାର୍‌
ଏକ ଆରାମଦାୟକ ଜୀବନ ବଞ୍ଚିବା ଲାଗି ଆବଶ୍ୟକ ଜିନିଷ ଉପରେ ରାଜ୍ୟବାସୀ ଖର୍ଚ୍ଚ ବଢ଼ାଇଛନ୍ତି। କିନ୍ତୁ ଏହି ବିକାଶ ସାରା ରାଜ୍ୟରେ ସମାନ ନାହିଁ। ଗ୍ରାମାଞ୍ଚଳର ପରିବାରଗୁଡ଼ିକ ଏବେ ବି ସହରାଞ୍ଚଳ ପରିବାରଠାରୁ ବହୁ ପଛରେ ରହିଛନ୍ତି। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ୨୦୨୩-୨୪ ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳରେ ୪୪.୪ ପ୍ରତିଶତ ପରିବାର ପାଖରେ ଦୁଇଚକିଆ ଯାନ, ୧.୧ ପ୍ରତିଶତ ପରିବାର ପାଖରେ କାର୍‌ ରହିଛି। ସେହି ସମୟରେ କିନ୍ତୁ ୫୯.୨ ପ୍ରତିଶତ ସହରାଞ୍ଚଳ ପରିବାରରେ ଦୁଇଚକିଆ ଯାନ ଥିବା ବେଳେ ୯.୬ ପ୍ରତିଶତ ପରିବାର ପାଖରେ କାର୍‌ ରହିଛି। ଗାଁର ୧୫.୪ ପ୍ରତିଶତ ପରିବାରରେ ଫ୍ରିଜ୍‌, ୧୦.୫ ପ୍ରତିଶତ ପରିବାରରେ ଏୟାର କଣ୍ଡିସନର (ଏସି) ଓ ମାତ୍ର ୨.୭ ପ୍ରତିଶତ ପରିବାର ପାଖରେ ୱାସିଂମେସିନ୍‌ ରହିଛି। କିନ୍ତୁ ସହର ତଥ୍ୟ ଉପରେ ନଜର ପକାଇଲେ ଜଣାପଡ଼ିଛି ଯେ ୪୬.୩ ପ୍ରତିଶତ ପରିବାରରେ ଫ୍ରିଜ୍‌, ୩୬.୭ ପ୍ରତିଶତ ପରିବାରରେ ଏସି ଓ ୨୫.୨ ପ୍ରତିଶତ ପରିବାରରେ ୱାସିଂ ମେସିନ୍‌ ରହିଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ଏହି ଅନ୍ତରକୁ ଦୂର କରିବାକୁ ହେଲେ ଗ୍ରାମାଞ୍ଚଳରେ ଆୟ ବଢ଼ାଇବାର ଯଥେଷ୍ଟ ଆବଶ୍ୟକତା ରହିଛି। ଗ୍ରାମାଞ୍ଚଳର ୮୫.୯ ପ୍ରତିଶତ ପରିବାରରେ ମୋବାଇଲ୍‌ ଫୋନ୍‌ ଥିବା ବେଳେ ସହରାଞ୍ଚଳରେ ୯୫ ପ୍ରତିଶତ ପରିବାରରେ ତାହା ରହିଛି। ସେହିପରି ଗାଁର ମାତ୍ର ୧.୪ ପ୍ରତିଶତ ପରିବାରରେ ଲାପ୍‌ଟପ୍‌ ଥିବା ବେଳେ ସହରାଞ୍ଚଳରେ ୧୭.୧ ପ୍ରତିଶତ ପରିବାରରେ ଲାପ୍‌ଟପ୍‌ ରହିଛି।

ଉନ୍ନତ ସଡ଼କପଥର ଅଭାବ
ରାଜ୍ୟରେ ୧.୪୩ ଲକ୍ଷ କିଲୋମିଟର୍‌ର ସଡ଼କ ନେଟ୍‌ୱର୍କ ରହିଛି। ସେଥିରୁ ୫୮୮୪ କିମି ଜାତୀୟ ରାଜପଥ, ୪୦୯୪ କିମି ରାଜ୍ୟ ରାଜପଥ ଓ ୧.୦୭ କିମିର ଗ୍ରାମୀଣ ସଡ଼କ ପଥ ରହିଛି। କିନ୍ତୁ ରାଜ୍ୟର ଅଭିବୃଦ୍ଧି କେନ୍ଦ୍ର ସହ ସଡ଼କ ସଂଯୋଗରେ ଉନ୍ନତି ଆଣିବା ଦିଗରେ ଆହୁରି ବହୁତ କାମ କରିବାକୁ ପଡ଼ିବ। ଉନ୍ନତ ସଡ଼କ ତିଆରି କରିବା ସହ ଚାରି ଥାକିଆ ଓ ଛଅ ଥାକିଆ ରାସ୍ତାର ଅଭାବ ରହିଛି। ରାଜ୍ୟ ସରକାର ରାଜ୍ୟ ରାଜପଥଗୁଡ଼ିକୁ ଚାରି ଥାକିଆ ରାସ୍ତାରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଏକ୍ସପ୍ରେସ୍‌ୱେ ନିର୍ମାଣ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଜଗଦଲପୁରରୁ ରାଉରକେଲା ପର୍ଯ୍ୟନ୍ତ ୬୩୮ କିମିର ନର୍ଥ-ସାଉଥ୍‌ ଏକ୍ସପ୍ରେସ୍‌ୱେ ନିର୍ମାଣ କରାଯାଉଛି। ମାଲାକାନଗିରିର ମୋଟୁରୁ ମୟୂରଭଞ୍ଜର ତିରିଙ୍ଗ ପର୍ଯ୍ୟନ୍ତ ସଡ଼କ ସଂଯୋଗ ସ୍ଥାପନ କରିବା ଲାଗି ରାଜ୍ୟ ସରକାର ଅଟଳ ଏକ୍ସପ୍ରେସ୍‌ୱେ୍‌ ଯୋଜନା କରିଛନ୍ତି। ଗଜପତିର ପାରଳାଖେମୁଣ୍ଡିରୁ ବରଗଡ଼ର ଆମ୍ବାଭୋନା ପର୍ଯ୍ୟନ୍ତ ନମୋ ଏକ୍ସପ୍ରେସ୍‌ୱେ ନିର୍ମାଣ କରାଯିବ।