ଜଣାଶୁଣା ସାମାଜିକ କର୍ମୀ ନିଶା ଚାୱଡା କହନ୍ତି, “୨୦୧୨ ମସିହାର ନିର୍ଭୟା ଗଣଦୁଷ୍କର୍ମ, ୨୦୧୯ରେ ହାଇଦ୍ରାବାଦ ଟୋଲ୍‌ଗେଟ୍‌ ଦୁଷ୍କର୍ମ ଓ ହତ୍ୟା, ୨୦୨୦ରେ ହାଥରସ୍‌ଠାରେ ଜଣେ ଦଳିତ ଝିଅକୁ ବର୍ବର ଗଣଦୁଷ୍କର୍ମ ଓ ହତ୍ୟା, ନିକଟରେ କଲିକତାର ଆର୍.ଜି. କର ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌ରେ ଜଣେ ଯୁବତୀ ଡାକ୍ତରଙ୍କୁ ପାଶବିକ ଦୁଷ୍କର୍ମ ସହିତ ହତ୍ୟା କରାଯିବା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ପରେ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଭରତପୁର ପୁଲିସ ଥାନାରେ ଘଟିଥିବା ଆର୍ମି ଅଫିସର୍‌ ଓ ତାଙ୍କ ବାନ୍ଧବୀଙ୍କ ଖୋଦ ପୁଲିସ ଦ୍ୱାରା ହୋଇଥିବା ଉତ୍ପୀଡ଼ନ ପ୍ରସଙ୍ଗ ସମଗ୍ର ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି। ସବୁଠାରେ ରକ୍ଷକ ଭକ୍ଷକ ସାଜୁଛି ଅର୍ଥାତ୍‌ ପୁଲିସର ଭୂମିକା ଓ ଦାୟିତ୍ୱ ଉପରେ ପ୍ରଶ୍ନ ଉଠିଛି। ଆନ୍ଧ୍ରପ୍ରଦେଶ ସରକାର ୨୦୨୩ ମସିହାରେ ମଡେଲ୍‌ ତଥା ଅଭିନେତ୍ରୀ କାଦମ୍ବରୀ ଜେଠ୍‌ୱାନିଙ୍କ ସମେତ ତାଙ୍କ ବାପାମାଆଙ୍କୁ ନିର୍ଯାତନା ଷଡ୍‌ଯନ୍ତ୍ର ପାଇଁ ଗତ ସେପ୍ଟେମ୍ବର ୧୭ ତାରିଖରେ ୩ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରି ଆପରାଧିକ ମାମଲା ଦାୟର କରିଥିଲେ। ଏହି ବହୁ ବିବାଦୀୟ ପ୍ରସଙ୍ଗ ଭାରତୀୟ ପୁଲିସର ଖାକି ପୋଷାକକୁ କଳଙ୍କିତ କରିଦେବା ଘଟଣା ଲୋକଙ୍କ ମନରୁ ଏଯାଏ ଲିଭିନି। ଏଭଳି ସମୟରେ ରାଉରକେଲା ବନ୍ଧମୁଣ୍ଡା ଥାନାରେ ଖୋଦ୍‌ ବରିଷ୍ଠ ପୁଲିସ ଅଧିକାରୀ ନିଜ ମହିଳା ସହକର୍ମୀଙ୍କୁ ଦୁର୍ବ୍ୟବହାର କରିଥିବାର ଯେଉଁ ଗୁରୁତର ଅଭିଯୋଗ ଉଠିଛି ତାହାଦ୍ୱାରା ପୁଲିସର ଭାବମୂର୍ତ୍ତି କ’ଣ ହେବ? ଭରତପୁର ଥାନାରୁ ନେଇ ଉପରୋକ୍ତ ସମସ୍ତ ଘଟଣା ପୂରା ପୁଲିସ ବିଭାଗର ସ୍ୱଚ୍ଛତା ଓ ସାଧୁତାକୁ ଦୁର୍ଗନ୍ଧମୟ କରିଦେଉଛି।

Advertisment

ସବୁକ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ବଢ଼ିଥିବା ସତ୍ତ୍ବେ ସାରା ଦେଶରେ ସେମାନଙ୍କ ପ୍ରତି ହିଂସା ସଂପର୍କିତ ଅପରାଧ ବୃଦ୍ଧି ପାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ କୁହାଯାଇଛି, ୨୦୧୬ରୁ ୨୦୨୧ ମଧ୍ୟରେ ଆମ ଦେଶରେ ମହିଳାଙ୍କ ଉପରେ ଅପରାଧ ଲଗାତାର ବଢ଼ି ଚାଲୁଛି। ଏହି ସମୟ ମଧ୍ୟରେ ଦୁଷ୍କର୍ମ, ଅପହରଣ, ଘରୋଇ ହିଂସା, ଯୌନ ଉତ୍ପୀଡ଼ନ ଓ ବେଆଇନ ଚାଲାଣ ପରି ଅପରାଧଗୁଡ଼ିକ ୨୬.୩୫% ବୃଦ୍ଧି ପାଇଛି। ଆମ ସମ୍ବିଧାନର ଧାରା-୨୧ରେ ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ଜୀବନ ଓ ସ୍ବାଧୀନତାର ସାମ୍ବିଧାନିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ବ୍ୟକ୍ତିଗତ ନିରାପତ୍ତାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମହିଳାମାନଙ୍କ ସକାଶେ ଏହାକୁ କିପରି ସୁନିଶ୍ଚିତ କରାଯାଇପାରିବ, ତାହା ହିଁ ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ବାନ ପାଲଟିଛି। 

ବିଶ୍ବର ଜଣେ ଖ୍ୟାତିସଂପନ୍ନ ବିଦ୍ବାନ ତଥା ଲୈଙ୍ଗିକ ଓ ଜାତିଗତ ଭେଦଭାବ ଆଧାରିତ ହିଂସା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ ତୃଣମୂଳ କର୍ମୀ ଜ୍ୟାକ୍ସନ୍‌ କାଜ୍‌ କହିଛନ୍ତି, “ଲିଙ୍ଗ ଆଧାରିତ ହିଂସା କେବଳ ମହିଳାମାନଙ୍କର ସମସ୍ୟା ନୁହେଁ, ପୁରୁଷମାନଙ୍କର ମଧ୍ୟ ଏକ ବଡ଼ ସମସ୍ୟା। କାରଣ ଏପରି ଅପରାଧ ଘଟାଉଥିବା ଲୋକେ ସମାଜର ଅଧିକ ପ୍ରଭାବଶାଳୀ ଗୋଷ୍ଠୀ (ପୁରୁଷ) ମଧ୍ୟରୁ ଆସିଥା’ନ୍ତି। ମହିଳାଙ୍କ ପ୍ରତି ହେଉଥିବା ଗାଳିଗୁଲଜ ଓ ହିଂସାକୁ ରୋକିବା ପାଇଁ ପୁରୁଷମାନଙ୍କୁ କେବଳ ସମ୍ବେଦନଶୀଳ କରାଇଲେ ହେବନାହିଁ, ସେମାନଙ୍କୁ ନେତୃତ୍ବ ନେବାର ତାଲିମ ପ୍ରଦାନ କରାଯିବା ମଧ୍ୟ ଆବଶ୍ୟକ”। ପ୍ରସିଦ୍ଧ ନାଗରିକ ଅଧିକାର କର୍ମୀ ମାର୍ଟିନ୍‌ ଲୁଥର୍‌ କିଙ୍ଗ୍‌ ଜୁନିଅର୍‌ ଏକଥା ବେଶ୍ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି, ‘‘ଶେଷରେ ଆମକୁ ଯାହା ସବୁଠାରୁ ବେଶୀ ଆଘାତ ଦିଏ ତାହା ଆମ ଶତ୍ରୁମାନଙ୍କର ଗାଳି ବା ଅପମାନ ନୁହେଁ, ବରଂ ଆମ ବନ୍ଧୁମାନଙ୍କର ନିରବତା। ଆମମାନଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଅଣାଯିବା ଆବଶ୍ୟକ। କାରଣ ସମାଜରେ ପ୍ରତ୍ୟେକ ପୁରୁଷ ଜଣେ ପୁଅ, ଭାଇ, ବାପା ବା ସ୍ବାମୀ ରୂପେ ଜଣେ ମହିଳାଙ୍କ ସହିତ ଜଡ଼ିତ। ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ମହିଳାମାନଙ୍କ ସୁରକ୍ଷାର ନେତୃତ୍ବ ନେବାର ଦାୟ ପୁରୁଷମାନଙ୍କ ଉପରେ। ଯେକୌଣସି ସ୍ଥାନରେ ଅନ୍ୟାୟ କିମ୍ବା ମହିଳାଙ୍କ ଉପରେ ହିଂସା ହୋଇଥାଉ ନା କାହିଁକି, ତାହା ସବୁ ସ୍ଥାନର ନ୍ୟାୟ ପ୍ରତି ବିପଦ।’’ ପାଉଲୋ କୋଏଲୋ କହିଛନ୍ତି, ‘‘କେବଳ କାପୁରୁଷମାନେ ନିରବତା ପଛରେ ଆତ୍ମଗୋପନ କରନ୍ତି।’’ ତେଣୁ ଯଦି କେଉଁଠାରେ ମହିଳାମାନଙ୍କ ଉପରେ ହିଂସା ହେଉଛି ନିରବ ରହୁଥିବା ବ୍ୟକ୍ତି ବିଶେଷ ହେଉଛନ୍ତି ଭୀରୁ।

କହନ୍ତି ନାରୀ ବନ୍ଦନୀୟା, ଚିରକାଳ ପୂଜିତା। ଆଗରୁ ନାରୀକୁ ଅବଳା ଦୁର୍ବଳା କହି ଘରକୋଣରେ ରହିବାକୁ ବାଧ୍ୟ କରାଯାଉଥିଲା, ଯାବତୀୟ ନୀତିନିୟମ ଭିତରେ ବାନ୍ଧି ଦିଆଯାଉଥିଲା। ସେ ପରିବାରର ବୋଝ, ସମସ୍ତଙ୍କ ଦାୟିତ୍ବ ସହ ନାନା ନିର୍ଯାତନା ମଧ୍ୟ ସହୁଥିଲା। ହେଲେ ସମୟ ବଦଳିଲା, ନାରୀ ବି ପୁରୁଷଙ୍କ ସମକକ୍ଷ ହୋଇ ସଫଳ ସ୍ବାକ୍ଷର ଛାଡ଼ିଲା। କିନ୍ତୁ ପରିତାପର ବିଷୟ ଦେଶ ଏତେ ଆଗକୁ ଗଲା ପରେ ବି କୋଉଠି ନା କୋଉଠି ପ୍ରତି ମୁହୂର୍ତ୍ତରେ ନାରୀ ଯଥା ପୂର୍ବଂ ତଥା ପରଂ ଭଳି ଆହ୍ବାନର ସାମ୍ନା କରୁଛି ଏବଂ ପୁରୁଷଙ୍କ ଦ୍ବାରା ଅତ୍ୟାଚାରିତ ହେଉଛି। କିନ୍ତୁ ଦୁର୍ଗାଙ୍କ ପରି ଆହ୍ବାନର ସାମ୍ନା କରୁଛି। ସେମିତି କିଛି ଘଟଣାକୁ ନେଇ ପ୍ରଜ୍ଞା ନିବେଦିତା ନାୟକଙ୍କ ସ୍ବତନ୍ତ୍ର ଉପସ୍ଥାପନା... 

ଭରତପୁର ଥାନା ଘଟଣାରେ ସମଗ୍ର ଓଡ଼ିଶା ପୁଲିସ ବିଭାଗରେ ବ୍ୟାପକ ଅଦଳବଦଳ କରିଦେବା ପରେ ମଧ୍ୟ କେତେକ ଥାନା ଫାଣ୍ଡିର ପୁଲିସଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିବା ପରି ଜଣାପଡୁଛି। ଅନ୍ୟପଟରେ ଦାୟିତ୍ୱ ନେବା ପରେ ପରେ ନୂଆ ପୁଲିସ କମିସନର୍‌ ଡକ୍ଟର ସୁରେଶ ଦେବ ଦତ୍ତ ସିଂହ ତତ୍‌କ୍ଷଣାତ୍‌ ଘୋଷଣା କରିଥିଲେ, ଥାନାରେ ଏଫ.ଆଇ.ଆର୍‌. ନରଖିବା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଘୋଷଣାର ମାତ୍ର କିଛି ସମୟ ମଧ୍ୟରେ ଏହାର ଖୋଲାଖୋଲି ଉଲ୍ଲଂଘନ ହୋଇଥିଲା। ଗତ ୩୦ ତାରିଖରେ ଦୁଇ ଜଣ ଦଳିତ ମହିଳା ସରସ୍ବତୀ, ମମତା ଓ ବୃଦ୍ଧା କିଣି ଭୋଇ କଟକ ମଧୁପାଟଣା ଥାନାରେ ମଧ୍ୟହ୍ନରେ ନିଜର ଏଫ୍‌.ଆଇ.ଆର୍‌. ଦେବାକୁ ଯାଇ ନିରାଶ ହୋଇଥିଲେ। ଅଭିଯୋଗ କରି ବୃଦ୍ଧା କିଣି ଭୋଇ କହନ୍ତି, “ପୁଲିସକୁ ଯେତେ ନେହୁରା ହୋଇ କହିଲେ ମଧ୍ୟ ସେ ମୋ କଥା ଶୁଣିନଥିଲେ କିମ୍ବା ଏଫ୍‌.ଆଇ.ଆର୍‌. ରଖିନଥିଲେ ଏବଂ ମୋତେ ଧମକ ଦେଇଥିଲେ ବାନ୍ଧିକି ଭିତରେ ପୂରାଇଦେବେ। ଅନେକ ସମୟ ଥାନାରେ ଅପେକ୍ଷା କରିବା ପରେ ଫେରିଆସି ମୁଁ ରେଜିଷ୍ଟର୍ଡ ଡାକରେ କଟକ ଡିସିପି ଓ ପୁଲିସ କମିସନର୍‌ଙ୍କୁ ମୋର ଅଭିଯୋଗ ଦରଖାସ୍ତ ଓ ଏଫ୍‌.ଆଇ.ଆର୍‌ ପଠାଇଛି’’। ଏସବୁ ଘଟଣା ପରେ କିଛି ଅଧିକାରୀଙ୍କ ଯୋଗୁଁ ସମଗ୍ର ପୁଲିସ ବିଭାଗର ସାଧୁତା ଉପରେ ପ୍ରଶ୍ନ ଉଠୁଛି।

ଆଇନଜୀବୀ ଶୈବାଳିନୀ ଲେଙ୍କା କହନ୍ତି, “ସମାଜରେ ପରିବର୍ତ୍ତନ ଆସିଛି ଏବଂ ଏହାସହିତ ତାଳ ଦେଇ ମହିଳାମାନେ ସେମାନଙ୍କର ଅଧିକାର ବିଷୟରେ ସଚେତନ ହେବା ଜରୁରି। ପୁଲିସ ମାନସିକତାରେ ପରିବର୍ତ୍ତନ ନିତାନ୍ତ ଆବଶ୍ୟକ। ଏହା ନହେଲେ ସମାଜରେ ହିଂସା ବଢ଼ିବ। ସମାଜରେ ପୁରୁଷର ଯେତିକି ଅଧିକାର ରହିଛି ଜଣେ ନାରୀର ମଧ୍ୟ ସମାନ ଅଧିକାର ରହିଛି। ଯଦି ଜଣେ ନାରୀ ନିର୍ଯାତନା ଭଳି ଯେକୌଣସି ହିଂସାର ସମ୍ମୁଖୀନ ହେଉଛି ତେବେ ସେ ନିଜର ଆଇନଗତ ଅଧିକାରରେ ନ୍ୟାୟ ପାଇବାକୁ ହକଦାର। 

ତେବେ ରାଜନୈତିକ ଚାପରେ ଅନେକ ମହିଳା ଦୁଷ୍କର୍ମ ଓ ହତ୍ୟା ଭଳି ସଂଗୀନ ଅପରାଧର ତଦନ୍ତ ଓ ପ୍ରମାଣକୁ ପୁଲିସ ଦିଗଭ୍ରଷ୍ଟ କରି ନଷ୍ଟ କରିଦେଉଛି ବୋଲି ଦେଖିବାକୁ ମିଳୁଛି। ଏହାଦ୍ୱାରା ମହିଳାମାନଙ୍କ ଉପରେ ଅଧିକରୁ ଅଧିକ ଅପରାଧ ହେବାର ଆଶଙ୍କା ସୃଷ୍ଟି ହେଉଛି। କିନ୍ତୁ ଅନ୍ୟପଟରେ ମହିଳା ସମାଜ ମଧ୍ୟ ସଂଯମ ହେବା ଜରୁରି। ସହମତିରେ ଶାରୀରିକ ସମ୍ପର୍କ ରଖି ପରେ ଏହାକୁ ନେଇ ଅଭିଯୋଗ କରିବା ମଧ୍ୟ ଏକ ଅପରାଧ ଅଟେ। ମିଛ କେସ୍‌ ବୋଲି ପ୍ରମାଣିତ ହେଲେ କଠୋର ଦଣ୍ଡ ଦେବା ଉଚିତ। କେହି ଆଇନରୁ ଊର୍ଦ୍ଧ୍ବରେ ନୁହନ୍ତି।’’

“କିନ୍ତୁ ଜଣେ ମହିଳା ଆଇନଜୀବୀ ଭାବେ ଏବଂ ମୋ ଅଭିଜ୍ଞତାରୁ ମୁଁ ଏହା କହି ରଖିବାକୁ ଚାହେ, ଆଜିକାଲି ଅଧିକାଂଶ ମହିଳା ଆଇନକାନୁନ ବଳରେ ବଳୀୟାନ ହୋଇ ସ୍ବାଧୀନାତା ନାଁରେ ସ୍ୱେଚ୍ଛାଚାରିତାକୁ ଆପଣାଇ ନେଉଛନ୍ତି।  ଅନେକ ସମୟରେ ଛୋଟ ଛୋଟ କଥାରେ ନିଜର ଅହଂକାର ଦେଖାଇବା ସେମାନଙ୍କ ପାଇଁ ବିପଦ ଓ ପାରିବାରିକ ଅଶାନ୍ତିକୁ ଡାକି ଆଣୁଛି। କିନ୍ତୁ ଦୁଷ୍କର୍ମ ପ୍ରସଙ୍ଗ ସମ୍ପୂର୍ଣ୍ଣ ଭିନ୍ନ। ଏ ଦିଗରେ ମହିଳାମାନଙ୍କୁ ସମାଜ ଓ ପରିବାର ସମ୍ମାନ ଦେଇ ସେମାନଙ୍କ ନ୍ୟାୟିକ ଲଢ଼େଇକୁ ଜୋରଦାର କରିବା ଉଚିତ। ଏଥିରେ କୌଣସି ପ୍ରକାରର କୋହଳ ମନୋଭାବ ପୋଷଣ କରିବା ଅନୁଚିତ। ଯଦିଓ ଏହା ଏକ ଲମ୍ବା ଲଢ଼େଇ ଏବଂ ଜଣେ ନାରୀ ପାଇଁ କଷ୍ଟସାଧ୍ୟ କିନ୍ତୁ ମନୋବଳ ଛୋଟ ନ କରି ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରିବା ଆବଶ୍ୟକ। ୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ତ୍ୱରିତ ନ୍ୟାୟ ମିଳିବା ଟିକିଏ କଷ୍ଟ,” ବୋଲି କହନ୍ତି ଶୈବାଳିନୀ ଲେଙ୍କା।