ନୂଆଦିଲ୍ଳୀ: ଯବାନମାନେ ଯେ କେବଳ ଆମ ଦେଶର ସୁରକ୍ଷାକର୍ତ୍ତା ସେତିକି ପରିଚୟ ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ। ସେମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ସେମାନେ ଦୁନିଆର ସବୁଠାରୁ ଅଧିକ ସମ୍ମାନ ପାଇବାର ଅଧିକାରୀ। ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ କୁନି ଝିଅଟି ଯେଉଁ ଭଳି ଭାବେ ଜଣେ ସେନା ଯବାନଙ୍କ ପାଦ ଛୁଇଁ ପ୍ରଣାମ କରୁଛି ତାହା ସଭିଙ୍କୁ ଚକିତ କରିଛି। ଏପରିକି ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଲୋକେ କୁନି ଝିଅଟି ଉତ୍ତମ ସଂସ୍କାର ପାଇଛି ବୋଲି ଚର୍ଚ୍ଚା କରିବା ଆରମ୍ଭ କରି ଦେଇଛନ୍ତି।
Raising patriotic young minds is a duty every parent owes to this great nation.
Jai Hind 🇮🇳 pic.twitter.com/mhAjLbtOvG
— P C Mohan (@PCMohanMP) July 15, 2022
ଏହି ଭିଡିଓଟିକୁ ନିଜ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି ବରିଷ୍ଠ ବିଜେପି ନେତା ପିସି ମୋହନ। ସେ ଭିଡିଓଟିକୁ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରି ଲେଖିଛନ୍ତି, ‘ଏହି ମହାନ ରାଷ୍ଟ୍ର ପାଇଁ ପିଲାମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପ୍ରତ୍ୟେକ ପିତାମାତାଙ୍କ କର୍ତ୍ତବ୍ୟ ହେବା ଉଚିତ।’
ସେ ଏହି ଭିଡିଓଟି ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର କରିବା ପରେ ଭିଡିଓଟିର ଏବେ ସୁଦ୍ଧା ୧୦ ଲକ୍ଷ ଭିୟୁ ହୋଇ ସାରିଲାଣି। ଭିଡିଓଟିରେ ଦେଖିବାକୁ ମିଳିଛି ମେଟ୍ରୋ ଷ୍ଟେସନ୍ରେ କିଛି ସେନା ଯବାନ ଛିଡ଼ା ହୋଇଥିବା ବେଳେ କୁନି ଝିଅଟି ସେମାନଙ୍କ ନିକଟକୁ ଚାଲି ଚାଲି ଯାଉଛି। ସେମାନଙ୍କ ମଧ୍ୟରୁ ଜଣେ ଯବାନ କୁନି ଝିଅଟିର ମୁହଁକୁ ଛୁଇଁ ଶ୍ରଦ୍ଧା କରୁଛନ୍ତି। ଏତିକି ବେଳେ କୁନି ଝିଅଟି ଯବାନଙ୍କ ପାଦ ଛୁଇଁ ତାଙ୍କୁ ପ୍ରଣାମ କରୁଛି।