ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଦିନକୁ ଦିନ ତାହାର ଉପଯୋଗର ଚମତ୍କାରିତା ଦେଖିବାକୁ ମିଳୁଛି। ଏହି କ୍ରମରେ ୟୁନାଇଟେଡ୍‌ କିଙ୍ଗଡମ୍‌ର ସମରସେଟ୍‌ ଅନ୍ତର୍ଗତ ମେଣ୍ଡିପ ପାହାଡ଼ରେ ଅରଣା ଗାଈମାନଙ୍କ ସୁରକ୍ଷିତ ଚଳପ୍ରଚଳ ଓ ଚରିବା ପାଇଁ ଏକ ଅଭିନବ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଠାରେ ବାଡ଼ ପରିବେଷ୍ଟନ କରି ଉକ୍ତ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରିବା ପରିବର୍ତ୍ତେ ଏକ ଆଭାସୀ ବା଼ଡ଼ ମାଧ୍ୟମରେ ଗୋସମ୍ପଦକୁ ଆକଟ କରାଯାଉଛି। ଦେଶର ନାସ୍‌ନାଲ ଟ୍ରଷ୍ଟ ଦ୍ବାରା ପ୍ରାୟୋଜିତ ଏକ ଯୋଜନା ଅନ୍ତର୍ଗତ ସେଠାରେ ୬୦ଟି ଗାଈଙ୍କ କାନ୍ଧରେ ସୌରଶକ୍ତି ପରିଚାଳିତ ପଟି ଖଞ୍ଜାଯାଇଛି। ଏହା ଦ୍ବାରା ଯଦି କୌଣସି ଗାଈ ଆଭାସୀ ବାଡ଼ ପାଖାପାଖି ପହଞ୍ଚିଯାଉଛି, ତେବେ ଏକ ଧ୍ବନି ସଂକେତ ମାଧ୍ୟମରେ ତାହାକୁ ଆଗକୁ ନ ଯିବା ପାଇଁ ସତର୍କ କରାଇ ଦିଆଯାଉଛି।

Advertisment

ତାହା ସତ୍ତ୍ବେ ଯଦି ଗାଈଟି ଆଭାସୀ ବାଡ଼ ଅତିକ୍ରମ କରିବାର ଦୁଃସାହସ କରୁଛି, ତେବେ ଏକ ମୃଦୁ ବିଦ୍ୟୁତ୍‌ ଆଘାତ ଦ୍ବାରା ତାହାକୁ ସେଥିରୁ ନିବୃତ୍ତ କରାଯାଇପାରୁଛି। ଏହାଦ୍ବାରା ବିଶୃଙ୍ଖଳ ଗୋସମ୍ପଦକୁ ତୃଣ ଓ ଡାଳପତ୍ର ପରି ପ୍ରାକୃତିକ ଖାଦ୍ୟ ଯୋଗାଇ ଦିଆଯିବା ସହ ଜନଗହଳି ସ୍ଥାନମାନଙ୍କରେ ସେମାନଙ୍କ ଅବାଧ ବିଚରଣକୁ ମଧ୍ୟ ଦୂରେଇ ଦିଆଯାଇପାରୁଛି। କୌଣସି ଗାଈ ପ୍ରତି ବିପଦ ଦେଖାଗଲେ, ଜିପିଏସ୍‌ ବ୍ୟବସ୍ଥା ଦ୍ବାରା ତାହାର ଗତିବିଧିକୁ ଅନୁସରଣ କରି ଆବଶ୍ୟକ ପଦକ୍ଷେପ ମଧ୍ୟ ନିଆଯାଇପାରୁଛି। ତେବେ ମଜାର କଥା, ଗାଈମାନେ ସଂପୃକ୍ତ ଧ୍ବନି ସଂକେତକୁ ଅନୁସରଣ କରୁଥିବା ଏବଂ ଆଭାସୀ ବାଡ଼ ଅତିକ୍ରମ କରି ମୃଦୁ ବିଦ୍ୟୁତ୍‌ ଆଘାତ ପାଉଥିବା ଗୋସମ୍ପଦକୁ ଦେଖି ଅନ୍ୟମାନେ ସେଠାରୁ ଦୂରେଇ ରହିବା ଘଟଣା ଏହି ବ୍ୟବସ୍ଥାର ସଫଳତାକୁ ଦର୍ଶାଉଛି।