କାର୍ତ୍ତିକ ମାସ କାହିଁକି ପୁଣ୍ୟମାସ? କାହିଁକି ଶ୍ରେଷ୍ଠ ମାସ? ଏହାର ସୁନ୍ଦର ଉତ୍ତର ଅଛି ‘ପଦ୍ମପୁରାଣ’ରେ। ତାହାର ଆଧାରରେ ଓଡ଼ିଆରେ ‘କାର୍ତ୍ତିକ ମାହାତ୍ମ୍ୟ’ ‌େଲଖା ‌େହାଇଛି। ‘ପଦ୍ମପୁରାଣ’ ବ୍ୟାସଦେବ ବିରଚିତ ‘ଅଷ୍ଟାଦଶ ପୁରାଣ’ ଅନ୍ତର୍ଗତ ଏକ ମହାପୁରାଣ। ‘ପଦ୍ମପୁରାଣ’ର ନବେ ଅଧ୍ୟାୟ ଅନୁସାରେ, ସତ୍ୟଭାମା ଏକଦା ଶ୍ରୀକୃଷ୍ଣଙ୍କୁ ପଚାରିଲେ- ହେ କାଳସ୍ବରୂପ ଭଗବାନ! ସମଗ୍ର କାଳ ତ ଆପଣଙ୍କର ଅଙ୍ଗ ହେତୁ ଏକ; ତେବେ ଅନ୍ୟ ମାସମାନଙ୍କ ମଧ୍ୟରେ କାର୍ତ୍ତିକ କାହିଁକି ଶ୍ରେଷ୍ଠ? ହେ ଦେବଦେବେଶ! କାର୍ତ୍ତିକ ମାସ କାହିଁକି ଆପଣଙ୍କର ପ୍ରିୟ?

Advertisment

ଏହାର ଉତ୍ତରରେ ଶ୍ରୀକୃଷ୍ଣ କହିଲେ–ହେ ସତ୍ୟେ! ତୁମେ ଅତି ଉତ୍ତମ ପ୍ରଶ୍ନ ପଚାରିଛ। ଏକଦା ପୃଥୁରାଜା ଦେବର୍ଷି ନାରଦଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ଏବଂ ଦେବର୍ଷି ତାଙ୍କୁ ଏହା କହିଥିଲେ। ତାହା ଅନୁସାରେ–ପ୍ରାଚୀନ କାଳରେ ସାଗରପୁତ୍ର ଶଙ୍ଖାସୁର ଅତ୍ୟନ୍ତ ପରାକ୍ରମୀ ହୋଇଥିଲା। ତ୍ରିଲୋକବିଜୟ କରି ସେ ଦେବତାଙ୍କୁ ସ୍ବର୍ଗରାଜ୍ୟରୁ ବିତାଡ଼ିତ କରିଦେଇଥିଲା। ତାହା ସତ୍ତ୍ବେ ତାର ଅନୁଭବ ହେଲା, ଯେ  ଦେବତାମାନଙ୍କର ଅଧିକାର ଛିନ୍ନ ହେଲେ ମଧ୍ୟ ସେମାନେ ନିର୍ବଳ ହୋଇ ନାହାନ୍ତି। କାରଣ, ବେଦ ସହିତ ଯୁକ୍ତ ଥିବାରୁ ସେମାନେ ତଥାପି ବଳଶାଳୀ ହୋଇ ରହିଛନ୍ତି। ତେଣୁ ବେଦମାନଙ୍କୁ ହରଣ କରିନେଲେ ସେମାନେ ବଳହୀନ ହୋଇଯିବେ।

ଏହା ମନେ କରି ସେ ସତ୍ୟଲୋକରୁ ବେଦମାନଙ୍କୁ ହରଣ କରିନେଲା। ମାତ୍ର ବେଦମାନେ ତାହା ନ ଚାହିଁ ଯଜ୍ଞମନ୍ତ୍ରମାନଙ୍କ ସହିତ ଜଳରେ ପ୍ରବେଶ କରିଗଲେ। ଶଙ୍ଖାସୁର ସମୁଦ୍ରରେ ପ୍ରବେଶ କରି ସେମାନଙ୍କୁ ଖୋଜିବାକୁ ଲାଗିଲା। ତେଣେ ବେଦହରଣ କଥା ଜାଣି, ବ୍ରହ୍ମାଦି ଦେବଗଣ ଯାଇ ଭଗବାନ ବିଷ୍ଣୁଙ୍କ ପାଖରେ ଶରଣ ପଶିଲେ। ସେମାନଙ୍କର ପୂଜା ଓ ପ୍ରାର୍ଥନାରେ ବିଷ୍ଣୁ ପ୍ରସନ୍ନ ହେଲେ। ତାଙ୍କୁ ବର ଦେଇ କହିଲେ- ଏବେ ଶଙ୍ଖାସୁର ଜଳ ମଧ୍ୟରେ ଅଛି। ମୁଁ ତାକୁ ସେହି ଜଳ ଭିତରେ ନିହତ କରି ବେଦମାନଙ୍କୁ ଉଦ୍ଧାର କରିବି। ଏବେ କାର୍ତ୍ତିକ ମାସ। ମୁଁ ଜଳରେ ପ୍ରବେଶ କରିବି। ତୁମ୍ଭେମାନେ ମଧ୍ୟ ମୁନୀଶ୍ବରମାନଙ୍କ ସହିତ ଜଳରେ ପ୍ରବେଶ କର। ନିଜର ସେହି ପ୍ରତିଶ୍ରୁତି ଅନୁସାରେ, ମତ୍ସ୍ୟାବତାର ଗ୍ରହଣ କରି ଭଗବାନ ବିଷ୍ଣୁ ଶଙ୍ଖାସୁରକୁ ନିହତ କଲେ ଏବଂ ବେଦମାନଙ୍କୁ ଉଦ୍ଧାର କରିଥିଲେ।
ଏହି ଦୃଷ୍ଟିରୁ କାର୍ତ୍ତିକ ମାସ ପୁଣ୍ୟ ଓ ଶ୍ରେ‌ଷ୍ଠ ମାସ। ଏହି ମାସରେ ଭଗବାନ ବିଷ୍ଣୁଙ୍କ ସମେତ ବେଦମାନେ, ଦେବତାମାନେ ଓ ମୁନିମାନେ ଜଳରେ ଅବସ୍ଥାନ କରୁଥିବାରୁ ସମସ୍ତ ତୀର୍ଥ ମଧ୍ୟ ଜଳରେ ଅବସ୍ଥାନ କରିଥାନ୍ତି। ତେଣୁ କାର୍ତ୍ତିକ ମାସରେ ପ୍ରାତଃସ୍ନାନ ଅତ୍ୟନ୍ତ ପୁଣ୍ୟପ୍ରଦ।