ଦ୍ବୀପ କହିଲେ ସମୁଦ୍ର ମଧ୍ୟରେ ଥିବା ଏକ ବଡ଼ ସ୍ଥଳଭାଗକୁ ବୁଝାଏ। ହେଲେ ଆପଣ ଜାଣନ୍ତି କି, ଖାଲି ସମୁଦ୍ରରେ ନୁହେଁ ନଦୀରେ ମଧ୍ୟ ଦ୍ବୀପ ଥାଏ! ଏପରିକି ବିଶ୍ବର ସବୁଠାରୁ ବଡ଼ ନଦୀଦ୍ବୀପ ଆମ ଦେଶ ଭାରତରେ ହିଁ ରହିଛି। ଏହି ନଦୀଦ୍ବୀପର ନାମ ହେଉଛି ‘ମାଜୁଲି’। ଏହା ଆସାମର ବ୍ରହ୍ମପୁତ୍ର ନଦୀରେ ଅବସ୍ଥିତ। ୮୮୦ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ଏହି ନଦୀଦ୍ବୀପ ବା ଟାପୁରେ ୧ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି।

Advertisment

ହେଲେ ନଦୀ ମଧ୍ୟରେ ତ ଏଭଳି ସ୍ଥଳଭାଗ ଦେଖାଯାଏ ନାହିଁ! ତେବେ ଏହା ସୃଷ୍ଟି ହେଲା କେମିତି? ଇତିହାସ କହୁଛି, ୧୭୫୦ ମସିହା ବେଳକୁ ଏହି ନଦୀଦ୍ବୀପ ଅସ୍ତିତ୍ବକୁ ଆସିଥିବା ଜଣାପଡ଼େ। ସମୟ ଥିଲା ବ୍ରହ୍ମପୁତ୍ର ଓ ଏହାର ଉପନଦୀ ଦିହିଙ୍ଗ୍ ସମାନ୍ତରାଳ ଭାବେ ପ୍ରବାହିତ ହେଉଥିଲେ। ୧୭୫୦ ମସିହା ପାଖାପାଖି ଏକ ଭୟଙ୍କର ବନ୍ୟା କାରଣରୁ ଉଭୟ ନଦୀ ଆସି ଗୋଟିଏ ସ୍ଥାନରେ ମିଶିଯାଇଥିଲେ। ଫଳରେ ଉଭୟ ନଦୀ ମଧ୍ୟରେ ଏହି ସ୍ଥଳଭାଗ ସୃଷ୍ଟି ହୋଇଥିଲା। 

ସମୃଦ୍ଧ ସଂସ୍କୃତି ସଙ୍ଗକୁ ଜୈବବିବିଧତା ପାଇଁ ମାଜୁଲି ସୁପରିଚିତ। ଏ ଦ୍ବୀପରେ ଜଳାଭୂମି, ନଦୀ ଓ ସ୍ଥଳଭାଗ ସମ୍ମିଶ୍ରିତ ଅରଣ୍ୟ ଓ ଜଳାଶୟ ଥିବାରୁ ଏଠାରେ ଅନେକ ପ୍ରକାରର ବନ୍ୟଜନ୍ତୁ, ବିଶେଷକରି ବିଦେଶୀ ପକ୍ଷୀ ସମାଗମ ହୁଏ। ଏ ଅଞ୍ଚଳରେ କେତେକ ବିଲୟମୁଖୀ ପକ୍ଷୀ ପ୍ରଜାତି ବାସ କରନ୍ତି। ଏହାଛଡ଼ା, ଏଠାରେ ବିସ୍ତୃତ ଧାନକ୍ଷେତ, ବାଉଁଶବଣ, କଦଳୀବଣ ଓ ଆଖୁ କିଆରି ଆଦି ରହିଛି। ତେଣୁ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ର ପାଲଟିଛି। ଏହି ସ୍ଥାନକୁ କୌଣସି ରାସ୍ତା ସଂଯୋଗ ହୋଇ ନଥିବାରୁ ପର୍ଯ୍ୟଟକମାନେ ଡଙ୍ଗାରେ ଏଠାକୁ ଆସନ୍ତି।    

ର୍ଭାଗ୍ୟବଶତଃ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଏହି ନଦୀଦ୍ବୀପ କ୍ଷୟ ହୋଇ ଧୀରେ ଧୀରେ ଛୋଟ ହେବାରେ ଲାଗିଛି। ଯେତେବେଳେ ହିମାଳୟରୁ ବରଫ ତରଳେ ବ୍ରହ୍ମପୁତ୍ର ନଦୀରେ ଆକସ୍ମିକ ବନ୍ୟା ଆସିଯାଏ। ଫଳରେ ଏହି ନଦୀଦ୍ବୀପର ଜମି ଆପେ ଆପେ କ୍ଷୟ ହୋଇଯାଏ। ଏକ ରିପୋର୍ଟ କହୁଛି, ବନ୍ୟା କାରଣରୁ ଏହି ନଦୀ ଦ୍ବୀପର ୬୦% ଜମି ଧୋଇ ଯାଇଛି। ଖାଲି ‘ମାଜୁଲି’ ନୁହେଁ, ଆସାମରେ ବିଶ୍ବର ସବୁଠାରୁ ଛୋଟ ନଦୀ ଦ୍ବୀପ ‘ଉମାନନ୍ଦା’ ମଧ୍ୟ ରହିଛି। ଗୌହାଟୀ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀ ମଧ୍ୟରେ ଅବସ୍ଥିତ ଏହି ଦ୍ବୀପ ଏକ ସୁନ୍ଦର ସ୍ଥାନ। ଆଧ୍ୟାତ୍ମିକ ମହତ୍ତ୍ବ, ଶାନ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନିଆରା ପର୍ଯ୍ୟଟନ ସ୍ଥାନ ପାଇଁ ଉମାନନ୍ଦ ସୁପରିଚିତ। ମା’ ଗୌରୀଙ୍କର ଆଉ ଏକ ନାମ ‘ଉମା’ ଅନୁସାରେ ଏହି ସ୍ଥାନର ନାମକରଣ କରାଯାଇଛି। ପୁରାଣ କହେ, ମହାଦେବ ନିଜ ପତ୍ନୀ ଉମାଙ୍କ ଆନନ୍ଦ ବା ଖୁସି ପାଇଁ ‘ଉମାନନ୍ଦା’ ଟାପୁ ସୃଷ୍ଟି କରିଥିଲେ। ଶିବ ମନ୍ଦିର ଓ ଉମାନନ୍ଦା ମନ୍ଦିର ଦର୍ଶନ କରିବା ଲାଗି ଲୋକେ ତେନ୍ତୁଳି ବୃକ୍ଷରେ ପରିପୂର୍ଣ୍ଣ ଏହି ଦ୍ବୀପକୁ ଆସନ୍ତି।