ଦେବଶିଳ୍ପୀ ବିଶ୍ବକର୍ମା ହେଉଛନ୍ତି ନିର୍ମାଣ ତଥା ସୃଜନର ଦେବତା। କୁହାଯାଏ, ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ବିଶ୍ବବ୍ରହ୍ମାଣ୍ଡ ନିର୍ମାଣ କରିଥିଲେ। ସ୍ବର୍ଗର ଅମରାବତୀଠାରୁ ହସ୍ତିନାପୁର, ଇନ୍ଦ୍ରପ୍ରସ୍ଥ, ସ୍ବର୍ଣ୍ଣଲଙ୍କା ଆଦି ତାଙ୍କ ଦ୍ବାରା ନିର୍ମିତ। ବିଶ୍ବକର୍ମା ଅନେକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ନିର୍ମାଣ କରିଛନ୍ତି, ଯେଉଁଥିରେ ଶିବଙ୍କର ତ୍ରିଶୂଳ, ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ଓ ଇନ୍ଦ୍ରଙ୍କ ବଜ୍ର ରହିଛି। ସେହିପରି ପୁଷ୍ପକ ବିମାନ, ଦାନବୀର କର୍ଣ୍ଣଙ୍କର କୁଣ୍ଡଳ ମଧ୍ୟ ତାଙ୍କ ସୃଷ୍ଟି। ଏସବୁ ବାଦ୍ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଦ୍ବାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ବକର୍ମା। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ବିଶ୍ବକର୍ମା ନିର୍ମାଣ କରିଥିଲେ ବୋଲି କଥିତ ଅଛି। ଜଗନ୍ନାଥ ଓ ବଳଭଦ୍ରଙ୍କ ଅପମାନ ସହି ନପାରି ମହାଲକ୍ଷ୍ମୀ ଯେତେବେଳେ ବାହାରକୁ ପାଦ କାଢ଼ିଛନ୍ତି ତାଙ୍କ ପାଇଁ ନୂତନ ଉଆସ ନିର୍ମାଣ ହେଉ ବା ବନ୍ଧୁ ସୁଦାମାଙ୍କୁ ଶ୍ରୀକୃଷ୍ଣ ଉପହାର ସ୍ବରୂପ ନୂତନ ଉଆସ ପ୍ରଦାନ ତାହା ବିଶ୍ବକର୍ମାଙ୍କ ସୃଷ୍ଟି ବୋଲି ପୁରାଣ କହେ।
ଅନେକ ନିର୍ମାଣର ସ୍ରଷ୍ଟା ବିଶ୍ୱକର୍ମାଙ୍କ ପ୍ରତି କୃତଜ୍ଞତା ଓ ଶ୍ରଦ୍ଧାଞ୍ଜଳିର ନିଦର୍ଶନ ସ୍ୱରୂପ ଭାଦ୍ରବ ମାସ, କନ୍ୟା ସଂକ୍ରାନ୍ତିରେ ତାଙ୍କର ପୂଜା ଉତ୍ସବ ପାଳନ କରାଯାଇଆସୁଛି। ସେ ନିର୍ମାଣ ଦେବତା ହୋଇଥିବାରୁ ତାଙ୍କ ପୂଜା ଦିନ ଶିଳ୍ପାନୁଷ୍ଠାନଗୁଡ଼ିକରେ ତାଙ୍କୁ ପୂଜାର୍ଚ୍ଚନା କରାଯାଏ। ବିଶେଷକରି ଯନ୍ତ୍ର ଓ ଯନ୍ତ୍ରପାତିଗୁଡ଼ିକୁ ପୂଜା କରାଯାଏ। ବିଶ୍ବାସ ରହିଛି, ଭକ୍ତି ଓ ନିଷ୍ଠାର ସହ ବିଶ୍ବକର୍ମାଙ୍କୁ ପୂଜା କଲେ ପରିବାରରେ ସୁଖ, ସମୃଦ୍ଧି ବଢ଼ିଥାଏ।
ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହ ନିର୍ମାଣ
ପୌରାଣିକ ମତରେ ଜଗନ୍ନାଥଙ୍କ ଦାରୁ ବିଗ୍ରହ ବିଶ୍ୱକର୍ମା ନିର୍ମାଣ କରିଥିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ବିଭିନ୍ନ ସ୍ଥାନରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ, କିନ୍ତୁ ସେମାନେ ବିଗ୍ରହ ଗଢ଼ିବାରେ ବିଫଳ ହୋଇଥିଲେ। ରାଜା ରାଣୀଙ୍କ ମନରେ ଭାଳେଣି ପଡ଼ିଲା। ସେମାନେ ଫେରିବାର କିଛିଦିନ ପରେ ଦିନେ ଜଣେ ବୁଢ଼ା ବଢ଼େଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କଲେ। ସେ ସର୍ତ୍ତ ରଖିଲେ ଏକୋଇଶ ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ, ସେ ଉପବାସ ରହି ମୂର୍ତ୍ତି ନିର୍ମାଣ କରିବେ। ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦକଲେ। ତେବେ କିଛିଦିନ ପରେ ଭିତରୁ ଠକ୍ ଠକ୍ ଶବ୍ଦ ଆସିବା ବନ୍ଦ ହୋଇଯିବାରୁ ରାଣୀ ଗୁଣ୍ଡିଚା ଧୈର୍ଯ୍ୟଧରି ରହିପାରିଲେ ନାହିଁ। ବୁଢ଼ା ବଢ଼େଇ ଉପବାସରେ ମୃତ୍ୟୁବରଣ କରିଛି ବୋଲି ରାଣୀ ଭାବିଲେ ଓ ରାଜାଙ୍କୁ ଦ୍ୱାର ଖୋଲିବାକୁ ଅନୁରୋଧ କଲେ। ଦ୍ୱାର ଉନ୍ମୁକ୍ତ କଲାପରେ ଦେଖାଗଲା ଯେ ବୁଢ଼ା ବଢ଼େଇ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ମୂର୍ତ୍ତି ରହିଛି ଅଧାଗଢ଼ା ଅବସ୍ଥାରେ। ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିବାରୁ ଶୂନ୍ୟବାଣୀ ହେଲା ଯେ, “ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ଆବିର୍ଭାବ ହୋଇଛି, ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ।’’ ଏହି ବୁଢ଼ା ବଢ଼େଇ ଥିଲେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା।
ବଜ୍ର ନିର୍ମାଣ
ଏକଦା ବୃତ୍ରାସୁର ନାମକ ଏକ ଅସୁର ସ୍ବର୍ଗ, ମର୍ତ୍ତ୍ୟ, ପାତାଳ ଥରହର କଲା। ସେ ବର ପାଇଥିଲା ଯେ କୌଣସି ଅସ୍ତ୍ରଶସ୍ତ୍ରରେ ମରିବ ନାହିଁ। ସେତେବେଳେ ଦଧୀଚି ନିଜକୁ ଦାନ କରି ତାଙ୍କ ଅସ୍ଥିରେ ବଜ୍ର ତିଆରି କରିବା ଲାଗି ଇନ୍ଦ୍ରଙ୍କୁ ଅନୁମତି ଦେଲେ। ସେ ସମାଧିରେ ବସିଥିବା ବେଳେ ତାଙ୍କ ଦେହ କେତେ ବେଳେ ଚାଲିଗଲା, ସେ ଜାଣିପାରିଲେ ନାହିଁ। ଦଧୀଚି ମୁନିଙ୍କର ଅସ୍ଥି ଦ୍ବାରା ବିଶ୍ବକର୍ମା ବଜ୍ର ନିର୍ମାଣ କଲେ। ଦଧୀଚିଙ୍କ ଅସ୍ଥିଯୁକ୍ତ ସେହି ବଜ୍ର ଧାରଣ କରି ଇନ୍ଦ୍ର ବୃତ୍ରାସୁରକୁ ବଧ କରିବା ପାଇଁ ବାହାରି ପଡ଼ିଥିଲେ।
ସ୍ବର୍ଣ୍ଣଲଙ୍କା ନିର୍ମାଣ
କୁହାଯାଏ, ଭଗବାନ ଶିବଙ୍କ ଅନୁରୋଧକ୍ରମେ ଦେବଶିଳ୍ପୀ ବିଶ୍ବକର୍ମା ଲଙ୍କାରେ ମହାଦେବ ଓ ମାତା ପାର୍ବତୀଙ୍କ ରହିବା ପାଇଁ ସ୍ବର୍ଣ୍ଣପୁର ନିର୍ମାଣ କରିଥିଲେ। ଅତ୍ୟନ୍ତ ଜ୍ଞାନୀ ଓ ପରାକ୍ରମୀ ପଣ୍ଡିତ ରାବଣଙ୍କ ଦ୍ବାରା ସ୍ବର୍ଣ୍ଣପୁରରେ ଯଜ୍ଞ କରିବାକୁ ଭଗବାନ ଶିବ ସ୍ଥିରକଲେ। ଶେଷରେ ତାହା ହିଁ ହେଲା, ରାବଣଙ୍କ ଦ୍ବାରା ଗୃହପ୍ରବେଶ ଯଜ୍ଞ ହେଲା। ଯଜ୍ଞ ଶେଷରେ ଯେତେବେଳେ ଦକ୍ଷିଣା ସ୍ବରୂପ କ’ଣ ନେବେ ବୋଲି ଭୋଳାନାଥ ପ୍ରଶ୍ନ କରିଥିଲେ, ସେହି ସମୟରେ ରାବଣ ସମ୍ପୂର୍ଣ୍ଣ ଲଙ୍କାପୁରକୁ ହିଁ ଦକ୍ଷିଣା ସ୍ବରୂପ ମାଗିଥିଲେ। ଏଥିରେ ଭୋଳାନାଥ ତଥାସ୍ତୁ ବୋଲି କହିଥିଲେ। ଏହିପରି ଭାବରେ ସ୍ବର୍ଣ୍ଣଲଙ୍କା ରାବଣର ହୋଇଯାଇଥିଲା।
ବିଶ୍ବକର୍ମା ଶିଳ୍ପୀ ସମାଜର ସ୍ରଷ୍ଟା। ମର୍ତ୍ତ୍ୟଲୋକରେ ନିର୍ମାଣ ହୋଇଥିବା ଯନ୍ତ୍ରପାତି, କଳକାରଖାନା, ମେସିନ୍ ଆଦି ବିଶ୍ବକର୍ମାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ନିର୍ମାଣ ବୋଲି ବିଶ୍ବାସ ରହିଛି। କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ନିର୍ମାଣର ଦେବତା ଭଗବାନ ବିଶ୍ବକର୍ମାଙ୍କୁ ସମଗ୍ର ଭାରତ ଓ ନେପାଳରେ ପୂଜା କରାଯାଏ।