ବଲିଉଡ୍ର ଦୁଇ ସର୍ବାଧିକ ଚର୍ଚ୍ଚିତ ଚେହେରା ଅମିର ଖାନ୍ ଓ ଶାହରୁଖ ଖାନ୍ଙ୍କ ଭିତରେ ଥିବା ବନ୍ଧୁତା ଓ ପ୍ରତିଦ୍ବନ୍ଦ୍ବିତାର ଖଟାମିଠା ସମ୍ପର୍କ ବିଷୟରେ କିଏ ବା ନ ଜାଣେ! କିନ୍ତୁ ଅନେକେ ହୁଏତ ଜାଣି ନ ଥିବେ ଯେ ଶାହରୁଖଙ୍କ ବାପା ଥରେ ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ ଏହି ନିର୍ବାଚନରେ ତାଙ୍କ ବିପକ୍ଷରେ ଥିଲେ ଏମିତି ଏକ ବ୍ୟକ୍ତି, ଯେ କି ସମ୍ପର୍କରେ ଅମିର ଖାନ୍ଙ୍କ ଗୋସେଇଁ ଅଜା ହେବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ମାତ୍ର ଏ ଦୁଇଜଣଙ୍କ ଜନ୍ମ ପୂର୍ବରୁ ୧୯୫୭ରେ ସ୍ବାଧୀନ ଭାରତର ଦ୍ବିତୀୟ ସାଧାରଣ ନିର୍ବାଚନରେ ଏ ଦୁଇ ପରିବାରର ଦୁଇଜଣ ପୂର୍ବଜ ପରସ୍ପରର ସାମ୍ନାସାମ୍ନି ହୋଇଥିଲେ। ସମ୍ପର୍କରେ ଅମିର ଖାନ୍ ଯାହାଙ୍କର ଅଣନାତି ହେବେ, ତାଙ୍କରି ବିପକ୍ଷରେ ନିର୍ବାଚନ ଲଢ଼ିଥିଲେ ଶାହରୁଖ ଖାନ୍ଙ୍କ ବାପା ମୀର୍ ତାଜ ମହମ୍ମଦ ଖାନ୍।
ଶାହରୁଖ ଓ ଅମିର ସମବୟସ୍କ। ଉଭୟଙ୍କର ଜନ୍ମ ୧୯୬୫ରେ। ସେମାନଙ୍କ ଜନ୍ମର ୮ ବର୍ଷ ପୂର୍ବରୁ ଘଟିଥିଲା ଏହି ଐତିହାସିକ ରୋମାଞ୍ଚକର ଲଢ଼େଇ। ପେଶାୱର୍ରେ ଜନ୍ମିତ ଶାହରୁଖଙ୍କ ବାପା ମୀର୍ ତାଜ ମହମ୍ମଦଙ୍କ ବୟସ ସେତେବେଳେ ମାତ୍ର ୩୦ ବର୍ଷ। ତରୁଣ ବୟସରୁ ସୀମାନ୍ତ ଗାନ୍ଧୀ ଖାନ୍ ଅବଦୁଲ ଗଫର ଖାନ୍ଙ୍କ ପ୍ରେରଣାରେ ସେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ସେ ଥିଲେ ବେଶ୍ ସ୍ବାଧୀନଚେତା ଓ ବିନ୍ଦାସ ମିଜାଜର ମଣିଷ। ଦେଶ ବିଭାଜନ ପରେ ଦିଲ୍ଲୀରେ ରହିଯାଇଥିବା ତାଜ୍ ମହମ୍ମଦ ଓକିଲାତି ପାଠ ପଢ଼ିଥିଲେ ମଧ୍ୟ ଓକିଲାତି କରୁ ନ ଥିଲେ। ତାଙ୍କର କାଠ ଆସବାବପତ୍ର ଓ ପରିବହନ ବ୍ୟବସାୟ ଥିଲା। ସବୁଠାରୁ କୌତୂହଳପୂର୍ଣ୍ଣ କଥା ହେଲା ସେ ନିର୍ବାଚନ ରାଜନୀତିକୁ ଓହ୍ଲାଇ ଗୁରଗାଓଁ ଲୋକସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦ୍ବିତା କରିଥିଲେ ୧୯୫୭ରେ। ତାଙ୍କ ବିପକ୍ଷରେ ଥାଆନ୍ତି ନେହେରୁ କ୍ୟାବିନେଟ୍ର ସଦସ୍ୟ ତଥା ଦେଶର ସର୍ବପ୍ରଥମ ଶିକ୍ଷାମନ୍ତ୍ରୀ, ୬୯ ବର୍ଷ ବୟସ୍କ ବରିଷ୍ଠ କଂଗ୍ରେସ ନେତା ମୌଲାନା ଆବୁଲ କାଲାମ ଆଜାଦ।
ମୌଲାନା ଆଜାଦଙ୍କ ଆଦର୍ଶରେ ଅମିର ଏତେ ଅନୁପ୍ରାଣିତ ଯେ, ସେ ଓ ତାଙ୍କର ପତ୍ନୀ କିରଣ ରାଓ ତାଙ୍କ ନାମ ଅନୁସାରେ ନିଜ ପୁଅର ନାମ ରଖିଥିଲେ ଆଜାଦ ରାଓ ଖାନ୍।
ଅନେକେ ଜାଣନ୍ତି ନାହିଁ ଯେ ବଲିଉଡ଼୍ ତାରକା ଅମିର ଖାନ୍, ମୌଲାନା ଆଜାଦଙ୍କ ପରିବାରର ଦାୟାଦ। ମୌଲାନାଙ୍କର ନିଜର ପିଲାଛୁଆ ନ ଥିଲେ। ହେଲେ ପୁତୁରା ଝିଆରୀ ଓ ସେମାନଙ୍କର ପିଲାଛୁଆଙ୍କୁ ନେଇ ତାଙ୍କର ଏକ ବିଶାଳ ପରିବାର ଥିଲା। କୋଲକାତାଠାରେ ଆୟୋଜିତ ଏକ ଉତ୍ସବରେ ଅମିର ସୂଚାଇଥିଲେ ଯେ ମୌଲାନାଙ୍କ ଆଶୀର୍ବାଦ ବିନା ତାଙ୍କର ବଲିଉଡ୍ କ୍ୟାରିଅର ସମ୍ଭବ ହୋଇପାରି ନ ଥାନ୍ତା। କାରଣ ପରିବାରରେ ସମସ୍ତଙ୍କର ଘୋର ବିରୋଧ ସତ୍ତ୍ବେ କେବଳ ଆଜାଦ୍ଙ୍କର ସମର୍ଥନ ଯୋଗୁ ହିଁ ଅମିରଙ୍କ ବଡ଼ବାପା ନାସିର ହୁସେନ୍ ଓ ବାପା ତାହିର ହୁସେନ୍ ବଲିଉଡ୍ରେ ପାଦ ଥାପି ପାରିଥିଲେ, ଯାହାକି ପରପିଢ଼ିର ଅମିରଙ୍କ ପାଇଁ ରାସ୍ତା ଖୋଲି ଦେଇଥିଲା। ମୌଲାନା ଆଜାଦଙ୍କ ଆଦର୍ଶରେ ଅମିର ଏତେ ଅନୁପ୍ରାଣିତ ଯେ, ସେ ଓ ତାଙ୍କର ପତ୍ନୀ କିରଣ ରାଓ ତାଙ୍କ ନାମ ଅନୁସାରେ ନିଜ ପୁଅର ନାମ ରଖିଥିଲେ ଆଜାଦ ରାଓ ଖାନ୍।
୧୯୫୭ରେ ଗୁରଗାଓଁ ଲୋକସଭା ଆସନର ନିର୍ବାଚନ ଫଳାଫଳ ଥିଲା ବେଶ୍ କୌତୂହଳପୂର୍ଣ୍ଣ। ସେ ସମୟରେ କଂଗ୍ରେସର ତୁଙ୍ଗ ନେତା ମୌଲାନାଙ୍କ ବିପକ୍ଷରେ ନିର୍ବାଚନ ଜିଣିବା ନିର୍ଦ୍ଦଳୀୟ ପ୍ରାର୍ଥୀ ତାଜ ମହମ୍ମଦଙ୍କ ପକ୍ଷରେ ସମ୍ଭବ ନ ଥିଲା। ଏହି ନିର୍ବାଚନରେ ମୌଲାନା ଆଜାଦ୍ ୧,୯୧,୨୨୧ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାରତୀୟ ଜନସଂଘର ମୂଲଚାନ୍ଦ ପାଇଥିଲେ ୯୫,୫୫୩ ଖଣ୍ଡ ଭୋଟ୍। ତୃତୀୟ ସ୍ଥାନରେ ଥିବା ଶାହରୁଖଙ୍କ ପିତା ତାଜ ମହମ୍ମଦ୍ ପରାଜିତ ହେବା ସହିତ ନିଜର ଅମାନତ ମଧ୍ୟ ହରାଇଥିଲେ। ଶାହରୁଖ କୁହନ୍ତି ଯେ ଏହା ତାଙ୍କ ବାପାଙ୍କର ପ୍ରଥମ ଓ ଶେଷ ନିର୍ବାଚନ ଲଢ଼େଇ ଥିଲା। ସେ ନିର୍ବାଚନ ହାରିଯାଇଥିଲେ ମଧ୍ୟ ଆଦୌ ଦୁଃଖୀ ନ ଥିଲେ। ଏପରିକି ମାତ୍ର ବର୍ଷେ ପରେ ୧୯୫୮ରେ ମୌଲାନାଙ୍କ ପରଲୋକ ହେବାରୁ ଏହି ଆସନରେ ଉପନିର୍ବାଚନ ହୋଇଥିଲେ ମଧ୍ୟ ସେ ଆଉ ଲଢ଼ି ନ ଥିଲେ। ତାଙ୍କର ଜୀବନ ଜିଇଁବାର ଶୈଳୀ ହିଁ ଥିଲା ନିଆରା। ଜଣେ ପକ୍କା ଖେଳୁଆଡ଼ ଭଳି ଜୀବନର ସଫଳତା ଓ ବିଫଳତାକୁ ସମାନ ଭାବରେ ନେବାର ଆଦର୍ଶ ଶାହରୁଖ ତାଙ୍କ ବାପାଙ୍କଠାରୁ ଶିଖିଛନ୍ତି ବୋଲି କହନ୍ତି।