ଇନ୍ଷ୍ଟାଗ୍ରାମ୍ରେ ମହିଳା ଇନ୍ଫ୍ଲୁଏନ୍ସର୍ମାନଙ୍କ ଭିତରୁ ୯୪% ଅଶ୍ଳୀଳ ଡିପ୍ଫେକ୍ର ଶିକାର ହେଲେଣି ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ଅନୁଗାମୀଙ୍କ ସଂଖ୍ୟା ବଢ଼ିବା ସହ ଡିପ୍ଫେକ୍ ଦ୍ବାରା ସେମାନଙ୍କ ନଗ୍ନ ଛବି ପ୍ରଚାରିତ ହେବା ଆଶଙ୍କା ବଢ଼ିଥାଏ। ଅନୁଗାମୀ ସଂଖ୍ୟାରେ ପ୍ରତି ୧୦ ହଜାର ବୃଦ୍ଧି ସହ ସେମାନେ ଡିପ୍ଫେକ୍ର ଶିକାର ହେବା ଆଶଙ୍କା ୧୫.୭% ବଢ଼ିଚାଲେ।
ସାମାଜିକ ଗଣମାଧ୍ୟମ ସେବା ପ୍ରଦାନକାରୀ ସଂସ୍ଥା ‘ଟ୍ବିକ୍ସି’ ଦ୍ବାରା ପ୍ରାୟ ୧୦ ହଜାରରୁ ଅଧିକ ଅନୁଗାମୀ ଥିବା ୨୨,୮୪୭ ଜଣ ଇନ୍ଫ୍ଲୁଏନ୍ସର୍ ଓ ସେଲିବ୍ରିଟିଙ୍କ ତଥ୍ୟ ବିଶ୍ଳେଷଣ କରି ଜଣାପଡ଼ିଛି ଯେ ଫ୍ୟାସନ୍ ଉଦ୍ୟୋଗରେ ଥିବା ମହିଳାମାନଙ୍କର ଡିପ୍ଫେକ୍ର ଶିକାର ହେବା ଆଶଙ୍କା ୮୫% ଅଧିକ। ସେହିପରି ମନୋରଞ୍ଜନ ଶିଳ୍ପରେ ଥିବା ୮୨%, ସୌନ୍ଦର୍ଯ୍ୟ ଶିଳ୍ପରେ ଥିବା ୮୧% ଏବଂ ଖବର ଓ ରାଜନୀତିରେ ଥିବା ମହିଳାମାନେ ୭୦% ଅଧିକ ଅଶ୍ଳୀଳ ଡିପ୍ଫେକ୍ ଭିଡିଓର ଶିକାର ହୋଇଥା’ନ୍ତି। ସାମାଜିକ ଗଣମାଧ୍ୟମରେ ଥିବା ଇନ୍ଫ୍ଲୁଏନ୍ସର୍ଙ୍କ ଭିତରୁ ୮୪% ଅଶ୍ଳୀଳ ଡିପ୍ଫେକ୍ର ଶିକାର ହୋଇସାରିଥିବା ବେଳେ ସେମାନଙ୍କ ଭିତରୁ ୯୦% ହେଉଛନ୍ତି ମହିଳା।
ଇନ୍ଫ୍ଲୁଏନ୍ସର୍ ଆଧାରିତ ଡିପ୍ଫେକ୍ ପର୍ଣ୍ଣୋଗ୍ରାଫିରେ ପ୍ରାୟ ୪୦ କୋଟି ଭିଉଜ୍ ରହିଛି, ଯାହା ଏପରି ଉଦ୍ବେଗଜନକ ବିଷୟବସ୍ତୁ ପ୍ରତି ଆଗ୍ରହକୁ ଦର୍ଶାଉଛି। ଇନ୍ଷ୍ଟାଗ୍ରାମ୍ରେ ଦୃଶ୍ୟକୈନ୍ଦ୍ରିକ ଆଭିମୁଖ୍ୟ ହେତୁ ତାହାର ଇନ୍ଫ୍ଲୁଏନ୍ସର୍ମାନଙ୍କ ଭିତରୁ ସର୍ବାଧିକ ୯୪% ଅଶ୍ଳୀଳ ଡିପ୍ଫେକ୍ର ଶିକାର ହେବାର ଆଶଙ୍କା ରହିଛି। ୟୁଟ୍ୟୁବ୍ ଇନ୍ଫ୍ଲୁଏନ୍ସର୍ଙ୍କ ଭିତରୁ ୫୬% ଓ ଟ୍ବିଟର୍ ଇନ୍ଫ୍ଲୁଏନ୍ସର୍ଙ୍କ ଭିତରୁ ସର୍ବନିମ୍ନ ୧୨% ଅଶ୍ଳୀଳ ଡିପ୍ଫେକ୍ର ଶିକାର ହେବାର ଆଶଙ୍କା ରହିଛି ବୋଲି ଉକ୍ତ ଅଧ୍ୟୟନରୁ ଜଣାଯାଇଛି।