ଚା’ ବିକି ଅସହାୟ ପିଲାଙ୍କ ପଢ଼ାରେ ଖର୍ଚ୍ଚ କରୁଛନ୍ତି କାନପୁରର ଏହି ଯୁବକ, ଟୁଇଟ୍ କରି ପ୍ରଶଂସା କଲେ ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ

ଲକ୍ଷ୍ନୌ : ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କାନପୁରର ଜଣେ ଚା’ ବିକାଳି। ନିଜର ସ୍ବଳ୍ପ ଆୟରୁ ସେ କିଭଳି ନିଜ ପରିବାର ସହ ପାଠ ପଢ଼ିବା ପାଇଁ ଟଙ୍କା ପାଉ ନଥିବା ପିଲାଙ୍କ କଥା ବୁଝୁଛନ୍ତି, ତାହା ତାଙ୍କୁ ଚର୍ଚ୍ଚିତ କରାଇଛି। ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ଏହି ଯୁବକଙ୍କ କାହାଣୀକୁ ଟୁଇଟ୍ କରି ଜଣାଇବା ପରେ ତାଙ୍କ କାମକୁ ଲୋକେ ଆହୁରି ପ୍ରଶଂସା କରିବାରେ ଲାଗିଛନ୍ତି। ଏଠାରେ ଆମେ ଯେଉଁ ଯୁବକଙ୍କ କଥା କହୁଛୁ, ସେ ହେଉଛନ୍ତି ମହମ୍ମଦ ମେହବୁବ୍ ମଲିକ୍। ମଲିକ୍ ନିଜ ଆୟରୁ ୮୦ପ୍ରତିଶତ ଟଙ୍କା ପାଠ ପଢ଼ିବା ପାଇଁ ଟଙ୍କା ପାଉ ନ ଥିବା ପିଲାଙ୍କ ପଛରେ ଖର୍ଚ୍ଚ କରିଥାନ୍ତି। ଏବେ ସେ ପ୍ରାୟ ୪୦ଜଣ ପିଲାଙ୍କ ପଢ଼ା ଖର୍ଚ୍ଚ ଉଠାଉଥିବା ଜଣାପଡ଼ିଛି। ମଲିକଙ୍କ ଏଭଳି କାମ ତାଙ୍କୁ ସାରା ଦେଶରେ ପ୍ରଶଂସାର ପାତ୍ର କରିଛି।

ମଲିକଙ୍କ କହିବା ମୁତାବକ, ଛୋଟ ବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ମୁଁ ସ୍କୁଲ ପାଠ୍ୟକ୍ରମ ସାରି ଘରେ ରହି ଯାଇଥିଲି। ଯାହା ପରେ ମୁଁ ଚା’ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇବା ଆରମ୍ଭ କରିଥିଲି। ଆୟ କରିବା ଆରମ୍ଭ କରିବା ପରେ ମୋ ଭଳି ସମସ୍ୟାର ସାମ୍ନା ଯେମିତି ଆଉ କେହି ନ କରନ୍ତୁ , ସେ ନେଇ ମୁଁ ୨୦୧୭ରେ ‘ମା’ ତୁଝେ ସଲାମ ଫାଉଣ୍ଡେସନ୍’ ନାମରେ ଏକ ଏନଜିଓ ଖୋଲିଥିଲି। ଏବେ ପାଖାପାଖି ୪୦ଜଣ ପିଲାଙ୍କୁ ମୁଁ ପାଠ ପଢ଼ାଉଛି। ଏହା ସହ ପରୀକ୍ଷା ସମୟରେ ମୁଁ ପିଲାମାନଙ୍କୁ ମାଗଣାରେ ଚା’ ମଧ୍ୟ ପିଇବାକୁ ଦେଇଥାଏ। ଏହି କାମ କରି ମୋତେ ଖୁସି ଅନୁଭବ ହେବା ସହ ଆଗକୁ ମୁଁ ଆହୁରି ଅଧିକ ପିଲାଙ୍କୁ ପଢ଼ାଇବି ବୋଲି କହିଛନ୍ତି ମଲିକ।

ସମ୍ବନ୍ଧିତ ଖବର