ନିରବ ଉପତ୍ୟକା! କେବଳ ଏଇ ନାମ ହିଁ ପର୍ଯ୍ୟଟକଙ୍କୁ ଟାଣିଆଣେ। ଏଠାରେ ପହଞ୍ଚି ସେମାନେ ଏ ଉପତ୍ୟକା ମାୟାରେ ପଡ଼ିଯାଆନ୍ତି। କେରଳର ମୁନ୍ନାର ନିକଟରେ ଅବସ୍ଥିତ ‘ସାଇଲେଣ୍ଟ୍‌ ଭ୍ୟାଲି ଟି ଇଷ୍ଟେଟ୍‌’ ମଧ୍ୟରେ ଥିବାରୁ ପର୍ଯ୍ୟଟନସ୍ଥଳୀର ନାମ ହୋଇଯାଇଛି ‘ସାଇଲେଣ୍ଟ୍‌ ଭ୍ୟାଲି’ ବା ନିରବ ଉପତ୍ୟକା। ବାସ୍ତବରେ ଏହା ହେଉଛି ସୁନ୍ଦର ଚା ବାଗାନ୍‌ ଓ କୁହୁଡ଼ିଆ ପର୍ବତମାଳା ପରିବେଷ୍ଟିତ ମୁନ୍ନାରର ପ୍ରସିଦ୍ଧ ଶାନ୍ତ ଓ ନିରୋଳା ଉପତ୍ୟକା।

Advertisment

ବିଜନପ୍ରେମୀଙ୍କ ସ୍ବର୍ଗ
ସବୁଜବରଣ ଏ ପ୍ରାକୃତିକ ଶୋଭାବନ୍ତ ସ୍ଥାନରେ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ ପରି ଗହଳିଚହଳି ନ ଥାଏ। ଏ ନିରବ ଉପତ୍ୟକାରେ ରହିଛି ବିସ୍ତୃତ ସବୁଜ ତୃଣଭୂମି, ବନଭୂମି ମଧ୍ୟସ୍ଥ ସୁକୋମଳ ଉନ୍ମୁକ୍ତ ପ୍ରାନ୍ତର, ପାହାଡ଼ପର୍ବତ, ନୀଳଗିରି ବୃକ୍ଷ ଅରଣ୍ୟ ଏବଂ ନାନାଦି ତରୁଲତା ଓ ପଶୁପକ୍ଷୀ। ବ୍ୟାବସାୟିକ ବିକାଶମୂଳକ କାର୍ଯ୍ୟ କରାଯାଇ ନ ଥିବାରୁ ଏ ଉପତ୍ୟକାରେ ପ୍ରକୃତିକୁ ତା’ର ପ୍ରକୃତ ରୂପରେ ଦେଖିହୁଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ଅକ୍ଷୁଣ୍ଣ ଥିବା ଏ ସ୍ଥାନଟି, ବିଶେଷକରି ସହରର କୋଳାହଳମୟ ଜୀବନରୁ ବିରାମ ନେଇ କିଛିଦିନ ଶାନ୍ତିରେ ବିତାଇବା ପାଇଁ ଆଗ୍ରହୀ ପର୍ଯ୍ୟଟକଙ୍କ ପାଇଁ ସ୍ବର୍ଗ ସଦୃଶ। ବହୁ ଚମତ୍କାର ତରୁଲତା ଓ ଦୁର୍ଲଭ ପକ୍ଷୀ ଆଉ ରଙ୍ଗବିରଙ୍ଗ ପ୍ରଜାପତି ସମତେ ଅନେକ ପଶୁପକ୍ଷୀ ରହୁଥିବା ନିରବ ଉପତ୍ୟକାର ଜୈବବିବିଧତା ଅତି ସମୃଦ୍ଧ। ଏ ଉପତ୍ୟକା ସତତ କୁହେଳିକାମୟ ରହୁଥିବାରୁ ବାତାବରଣ ବେଶ୍‌ ସ୍ବପ୍ନିଳ ମନେହୁଏ। ପ୍ରାକୃତିକ ପରିବେଷ୍ଟନୀ ଭିତରେ ଅଳସଚାଲିରେ ଘୂରିବୁଲିବା ସହିତ ‌ଫଟୋ ଉଠାଇବା ଲାଗି ଏହାଠୁ ବଳି ସୁନ୍ଦର ସ୍ଥାନ କ୍ବଚିତ୍‌ ପରିଦୃଷ୍ଟ ହୁଏ।

ପକ୍ଷୀ, ପ୍ରଜାପତି ଓ ନୀଳଗିରି ତହର୍‌
ଏଠାକାର ତୃଣଭୂମି ଓ ଉନ୍ମୁକ୍ତ ପ୍ରାନ୍ତର କେବଳ ଆଖିକୁ ସୁନ୍ଦର ଦିଶେନାହିଁ, ଏଠାରେ ଜୈବବିବିଧତା ବି ପରିଦୃଶ୍ୟ ହୁଏ। ବହୁ ଦୁର୍ଲଭ ବୃକ୍ଷଲତାଙ୍କ ସହ ନୀଳଗିରି ତହର୍‌ କୁହାଯାଉଥିବା ପାହାଡ଼ୀ ଛାଗଳଙ୍କର ଏହା ଆଦିନିବାସ। ଏ ଅଞ୍ଚଳରେ ଭୂତଳ ଜଳ ଗଚ୍ଛିତ ହୋଇଥିବାରୁ ବିସ୍ତୀର୍ଣ୍ଣ ତୃଣଭୂମି ଦେଖାଯାଏ ଏବଂ ବର୍ଷ ତମାମ ଝରଣା ଓ ନଦୀନାଳ ଜଳପୂର୍ଣ୍ଣ ଥାଏ। ନିରବ କୁହାଯାଉଥିଲେ ବି ଏ ଉପତ୍ୟକାରେ ଶୁଣିବାକୁ ମିଳେ ଜଳପ୍ରବାହଜନିତ କୁଳୁକୁଳୁ ନାଦ ଓ ନନା ଜାତି ବିହଙ୍ଗମଙ୍କ କାକଳୀ। ବିଦେଶାଗତ ପକ୍ଷୀ ଓ ବର୍ଣ୍ଣାଢ଼୍ୟ ପ୍ରଜାପତି ଦର୍ଶନ ନିମନ୍ତେ ଏହାକୁ ଉପଯୁକ୍ତ ସ୍ଥାନ ବୋଲି କୁହାଯାଇପାରିବ। ସେଥିପାଇଁ ଏଠାକୁ ବହୁ ପକ୍ଷୀ ବିଶାରଦ ଓ ପତଙ୍ଗ ବିଶେଷଜ୍ଞ ପର୍ଯ୍ୟବେକ୍ଷଣ ଲାଗି ଆସନ୍ତି। କ୍ଷୀଣ ଓ ଶୀତଳ ଧାରାଟିଏ ହୋଇ ଏ ତୃଣ ପ୍ରାନ୍ତର ଭିତରେ ନଈଟିଏ ବି ପ୍ରବାହିତ ହେଉଛି। ମହିଷ ଓ ଗୋରୁପଲ ଘାସ ଚରୁଥିବା ଦୃଶ୍ୟ ଏତେ ମନୋରମ ଦିଶେ ଯେ ତାହା ଦେଖିବା ପାଇଁ ପର୍ଯ୍ୟଟକମାନେ ଏଠାରେ ଅପେକ୍ଷାକୃତ ଅଧିକ ସମୟ ଅଟକିଯାଅାନ୍ତି।
 
ନାଇଟ୍‌ ଜିପ୍‌ ସଫାରି
ଏ ଉପତ୍ୟକା ହେଉଛି ମଲିଉଡ୍‌ର ଅନ୍ୟତମ ସୁଟିଙ୍ଗ୍‌ ସ୍ପଟ୍‌ ଏବଂ ଏଠାରେ ଅନେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସୁଟିଙ୍ଗ୍‌ କରାଯାଏ। ଏହା ବ୍ୟତିରେକେ ହାତୀମାନେ ବି ଏଠାରେ ଅବାଧରେ ଚରାବୁଲା କରୁଥାଆନ୍ତି। କେବେ କେବେ ହସ୍ତୀଯୂଥ ରାସ୍ତା ଅତିକ୍ରମ କରୁଥିବା ଦୃଶ୍ୟ ଦେଖି ପର୍ଯ୍ୟଟକମାନେ ଉଲ୍ଲସିତ ହୁଅନ୍ତି। ଟୁର୍‌ ଅପରେଟର୍‌ଙ୍କ ଦ୍ବାରା ପରିଚାଳିତ ‘ନାଇଟ୍‌ ଜିପ୍‌ ସଫାରି’ରେ ଗ‌ଲେ ବାଟଘାଟରେ ବିଭିନ୍ନ ବନ୍ୟପ୍ରାଣୀ ଦେଖିହୁଏ। ନିରବ ଉପତ୍ୟକାର ନିସ୍ତବ୍ଧ ରାତ୍ରୀ ଆକାଶରେ ଛାଇ ହୋଇଥାଏ ଅସଂଖ୍ୟ ତାରକା। ସ୍ଥାନୀୟ ଗାଇଡ୍‌ମାନଙ୍କ ସହାୟତାରେ ଏସବୁ ଉନ୍ମୁକ୍ତ ପ୍ରାନ୍ତରରେ ତମ୍ବୁମାରି ରହି ତାରକାରାଜି ଶୋଭା ଅନୁଭବ କରିହେବ।

ଟ୍ରେକିଙ୍ଗ୍‌ ଓ ଆଡ୍‌ଭେଞ୍ଚର୍‌
ପ୍ରଶାନ୍ତ ପ୍ରକୃତି ନିମନ୍ତେ ପ୍ରସିଦ୍ଧ ନିରବ ଉପତ୍ୟକା ଆଡ୍‌ଭେଞ୍ଚର୍‌ କାର୍ଯ୍ୟକଳାପ ପାଇଁ ବି ଜଣାଶୁଣା। ଏଠାକାର ତୃଣମୟ ଇଲାକାରେ ସଭିଏଁ ଚାଲି ଚାଲି ବୁଲିପାରିବେ। ମନକଲେ ପ୍ରାକୃତିକ ଶୋଭା ଦେଖି ଦେଖି ପାଦରେ ଦୀର୍ଘପଥ ଅତିକ୍ରମ କରିପାରିବେ। ପୁଣି ପର୍ବତାରୋହଣ ଆନନ୍ଦ ପାଇଁ ବିଖ୍ୟାତ ମୀସାପୁଲିମାଳା ଟ୍ରେକ୍‌ ରହିଛି। ସେଠାରୁ ଉପତ୍ୟକାର ନିମ୍ନଭୂମି ଦୃଶ୍ୟ ପର୍ଯ୍ୟଟକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦି‌ଏ। ବର୍ଷାକାଳରେ ନିରବ ଉପତ୍ୟକା ବନ୍ୟାପ୍ଳାବିତ ହେଉଥିବାରୁ ପର୍ଯ୍ୟଟନ ନିମନ୍ତେ ଆଦୌ ସୁବିଧା ନୁହେଁ। ବର୍ଷର ବାକି ଋତୁରେ, ମୁଖ୍ୟତଃ ଶୀତଋତୁ ଏଠାରେ ବେଶ୍‌ ଉପଭୋଗ୍ୟ। ସହରାଞ୍ଚଳ କୋଳାହଳରୁ ବିରତି ନେଇ କିଛିକ୍ଷଣ ପ୍ରକୃତି ସହିତ ଏକାକାର ହେବା ପାଇଁ ଅନ୍ୟତ୍ର ନିରବ ଉପତ୍ୟକା ଭଳି ସ୍ଥାନଟିଏ ପାଇବା ସେତେ ସହଜ ନୁହେଁ।

ଯାତ୍ରା ଓ ରହଣି
ଆକାଶପଥରେ ମୁନ୍ନାର ପହଞ୍ଚିବା ଲାଗି ନିକଟତମ ବିମାନବନ୍ଦର ହେଉଛି କୋଚିନ୍‌ ଆନ୍ତର୍ଜାତିକ ବିମାନ ବନ୍ଦର। ନିରବ ଉପତ୍ୟକାଠାରୁ ଏହାର ଦୂରତ୍ବ ପ୍ରାୟ ୧୧୭ କିଲୋମିଟର୍। ଦେଶର ସମସ୍ତ ପ୍ରମୁଖ ସହରମାନଙ୍କରୁ ଏଠାକୁ ନିୟମିତ ବିମାନ ଚଳାଚଳ କରେ। ବିମାନବନ୍ଦରରୁ କ୍ୟାବ୍‌ ଯୋଗେ ସାଇଲେଣ୍ଟ୍‌ ଭ୍ୟାଲିକୁ ଯାଇହେବ। ଏଠାକୁ ଆସିବା ପାଇଁ ନିକଟତମ ରେଳ ଷ୍ଟେସନ୍‌ ହେଉଛି ପଲକ୍କଡ୍‌ ଜଙ୍କ୍‌ସନ୍‌। ଏହାର ଦୂରତ୍ବ ପ୍ରାୟ ୪୫ କିଲୋମିଟର୍‌। ଏ ରେଳଷ୍ଟେସନ୍‌ ବି ଦେଶର ସମସ୍ତ ପ୍ରମୁଖ ନଗରୀଗୁଡ଼ିକ ସହିତ ସଂଯୁକ୍ତ। ନିରବ ଉପତ୍ୟକା ରାଜ୍ୟର ଆଖପାଖ ଜିଲ୍ଲାଗୁଡ଼ିକ ସହିତ ସଡ଼କପଥ ଦ୍ବାରା ସୁସଂଯୁକ୍ତ। ସେଥିରେ ବସ୍‌ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ କରେ। ରହଣି ନିମନ୍ତେ ନିରବ ଉପତ୍ୟକାରେ ଅନେକ ମହଙ୍ଗା ଓ ସୁଲଭ ମୂଲ୍ୟର ହୋଟେଲ୍‌ ଓ ରିସର୍ଟ ଆଦି ଖୋଲିଛି। ବଜେଟ୍‌ ଅନୁଯାୟୀ ପର୍ଯ୍ୟଟକମାନେ ଏସବୁ ରହଣି ସ୍ଥାନ ଚୟନ କରିପାରିବେ।