ଚାକିରି ହରାଇଛନ୍ତି କି? ଚାଷ କାମରେ ଆଗ୍ରହ ଅଛି? ୧୦ରୁ ୩୦ ହଜାର ପର୍ଯ୍ୟନ୍ତ ଦରମାରେ ନିଜକୁ ନିଯୁକ୍ତ କରିପାରିବେ !

ମୟୁସୁର୍‌: ଏହି ଲକ୍‌ଡାଉନ୍‌ ଅନେକଙ୍କୁ ବେରୋଜଗାର କରାଇଛି ତ ଅନେକଙ୍କୁ ସ୍ବାବଲମ୍ବୀ ବି କରାଇଛି। ଲକ୍‌ଡାଉନ୍‌ରେ ଚାକିରି ହରାଇବା ପରେ ଅନେକ ଏବେ ଚାଷ ମୁହାଁ ହୋଇଛନ୍ତି। ନିକଟରେ ଖବରର ପ୍ରକାଶ ପାଇଥିଲା ଯେ ଜଣେ ଯୁବକ କଲରା ଚାଷ କରି ଲକ୍ଷପତି ପାଲଟିଛନ୍ତି। କେବଳ ସେ କାହିଁକି, ଚାଷ କାମ କରିବା ପାଇଁ ଅନେକଙ୍କ ଭିତରେ ଏବେ ଆଗ୍ରହ ଦେଖିବାକୁ ମିଳୁଛି। ଆପଣ ଜାଣିଥିବେ ହୁଏତ, ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ‘ଫାର୍ମର୍ସ ୱ‌ାଣ୍ଟେଡ୍‌’ ବା ‘ଚାଷୀ ଦରକାର’ ବୋଲି ପୋଷ୍ଟ୍‌ ଦେଖିବାକୁ ମିଳୁଛି। ଚାଷ କାମରେ ଦକ୍ଷତା ଥିବା ବ୍ୟକ୍ତିମାନେ ନିଜର ପ୍ରତିଭାକୁ ବ୍ୟବହାର କରି ମାସିକ ୧୦ ହଜାରରୁ ୩୦ ହଜାର ପର୍ଯ୍ୟନ୍ତ ଦରମାରେ  ଚାକିରି କରିପାରିବେ। ଏହା ସହିତ ରହଣି ଓ ଖାଦ୍ୟ ମାଗଣା। 

ତେବେ ‘ଫାର୍ମର୍ସ ୱ‌ାଣ୍ଟେଡ୍‌’ ବା ‘ଚାଷୀ ଦରକାର’ ବୋଲି ପୋଷ୍ଟ୍‌ କରିଛନ୍ତି ମାଣ୍ଡ୍ୟାସ୍ଥିତ ଗ୍ରାସ୍‌ରୁଟ୍‌ ଅର୍ଗାନିକର ନିର୍ଦ୍ଦେଶକ ଦୀପକ। ସେ ଲେଖିଛନ୍ତି ଯେଉଁମାନଙ୍କର କୃଷି କାର୍ଯ୍ୟରେ ଦକ୍ଷତା ଅଛି ସେମାନଙ୍କୁ ଆମେ ସ୍ବାଗତ କରୁଛୁ। ଏମ୍‌ଏନ୍‌ସି ଏବଂ ସଫ୍ଟଓୟାର କମ୍ପାନି ପରି ଆମେ ମଧ୍ୟ ଆଗ୍ରହୀମାନଙ୍କୁ ଇନ୍‌ଟର୍ଣ୍ଣସିପ୍‌ କରିବାର ସୁଯୋଗ ଦେଉଛୁ ବୋଲି ସେ ଲେଖିଛନ୍ତି। 

www.newindianexpress.com

ନିର୍ଦ୍ଦେଶକ ଦୀପକ ଆହୁରି ବି କହିଛନ୍ତି ଯେ ‘ଆମ ପୋଷ୍ଟ ଦେଖିବା ପରେ ଅନେକ ଚାଷୀ ଓ କପଡ଼ା କାରଖାନାରୁ ଛଟେଇ ହୋଇଥିବା ଅନେକ କର୍ମଚାରୀ ସେମାନଙ୍କ ଆଗ୍ରହ ନେଇ ଆମ ନିକଟକୁ ଆସିଛନ୍ତି। ଆମ କୃଷି କାର୍ଯ୍ୟରେ ସେମାନେ ନିଜକୁ ସାମିଲ୍‌ କରାଇବା ପାଇଁ ନିଜ ନିଜର ଆଗ୍ରହ ଦେଖାଇଛନ୍ତି।’

ଏହି ନିଷ୍ପତ୍ତିକୁ ସ୍ବାଗତଯୋଗ୍ୟ ବୋଲି କହି କିଛି କୃଷକ ନେତା ଓ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି। ଫେରନ୍ତା ଶ୍ରମିକ ବା ଚାଷରେ ଦକ୍ଷତା ଥିବା ବ୍ୟକ୍ତିମାନଙ୍କୁ ଏହି ସୁୁଯୋଗ ଦେଲେ ସେମାନେ ରୋଜଗାର ଯୋଗ୍ୟ ହେବା ସହ ଉତ୍ପାଦକତାରେ ବି ବୃଦ୍ଧି ଘଟିବ ବୋଲି ବିଶେଷଜ୍ଞ କହିଥିବାର ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର