ଆଜିକାଲି ଅଧିକାଂଶ ମହିଳା ବିଳମ୍ବରେ ମାଆ ହେବାକୁ ପସନ୍ଦ କରୁଛନ୍ତି। ଏ ପରିପ୍ରେକ୍ଷୀରେ ବୟସ ବଢ଼ିବା ସହ ପ୍ରଜନନ କ୍ଷମତାରେ ହେଉଥିବା ପରିବର୍ତ୍ତନ ବାବଦରେ ଜାଣିବା ମଧ୍ୟ ଜରୁରି। ଏହା ପ୍ରମାଣିତ ଯେ, ୩୫ ବର୍ଷ ବୟସ ପରେ ସ୍ବାଭାବିକ ଭାବେ ଗର୍ଭଧାରଣ କରିବା କଷ୍ଟକର। ସାଧାରଣତଃ ବୟସ ବଢ଼ିବା ସହିତ ଜଣେ ମହିଳାଙ୍କର ଗର୍ଭବତୀ ହେବାର ସାମର୍ଥ୍ୟ କମିବାରେ ଲାଗିଥାଏ। କୌଣସିମତେ ଗର୍ଭଧାରଣ କଲେ ବି ସନ୍ତାନ ପ୍ରସବ କଷ୍ଟକର ହେବା ସହ ଉଭୟ ପ୍ରସୂତି ଓ ନବଜାତ ପ୍ରତି ବିପଦର ଆଶଙ୍କା ଥାଏ। ପ୍ରଜନନ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜଣେ ୩୦ ବର୍ଷୀୟା ମହିଳାଙ୍କର ଗର୍ଭଧାରଣ ସମ୍ଭାବନା ମାତ୍ର ୨୦%। ୪୦ ବର୍ଷ ବେଳକୁ ତାହା ୫%କୁ ଖସି ଆସିଥାଏ। ସେହିପରି ବୟସ୍କ ମହିଳାମାନଙ୍କର ଡିମ୍ବାଣୁର ପରିମାଣ ଓ ଗୁଣବତ୍ତାରେ ହ୍ରାସ ଘଟିଥାଏ। ତେବେ ଗର୍ଭଧାରଣରେ ଅସୁବିଧା ଭୋଗୁଥିବା ମହିଳାମାନେ ବହୁବିଧ ପ୍ରଜନନ ଚିକିତ୍ସା ବଳରେ ମାତୃତ୍ବ ଲାଭ କରିପାରିବେ।
ବିଭିନ୍ନ କାରଣରୁ ମହିଳାମାନେ ଏବେ ବିଳମ୍ବରେ ମାଆ ହେବାକୁ ଚାହୁଛନ୍ତି। ତେବେ ଜଣେ ୩୦ ବର୍ଷ ପରେ ମହିଳାଙ୍କର ଗର୍ଭଧାରଣ ସମ୍ଭାବନା ସୀମିତ ହୋଇଯାଏ!
ସେଭଳି ଏକ ଚିକିତ୍ସା ହେଉଛି ଇନ୍ ଭିର୍ଟୋ ଫର୍ଟିଲାଇଜେସନ (ଆଇଭିଏଫ୍), ଯେଉଁଥିରେ ଆଶାୟୀ ମହିଳାଙ୍କର ସୁସ୍ଥତମ ଡିମ୍ବାଣୁକୁ ବଛାଯାଇ ଗର୍ଭଧାରଣର ସମ୍ଭାବନା ହାର ବଢ଼ାଯାଇଥାଏ। ସେହିପରି ଇଣ୍ଟ୍ରାୟୁଟେରିନ୍ ଇନ୍ସେମିନେସନ୍ (ଆଇୟୁଆଇ)ରେ ଶୁକ୍ରାଣୁସମୂହକୁ ସିଧାସଳଖ ଗର୍ଭାଶୟ ଭିତରେ ଛାଡ଼ି ଦିଆଯାଇ ପ୍ରଜନନ ପ୍ରକ୍ରିୟାକୁ ସୁଗମ କରାଯାଇଥାଏ। ଆଉ ଏକ ପ୍ରକ୍ରିୟା ହେଲା ଇଣ୍ଟ୍ରାସାଇଟୋପ୍ଳାଜମିକ୍ ସ୍ପର୍ମ ଇଞ୍ଜେକ୍ସନ (ଇସିଏସ୍ଆଇ) ଯହିଁରେ ସୁସ୍ଥ ତଥା ସକ୍ରିୟ ଶୁକ୍ରାଣୁକୁ ଡିମ୍ବାଣୁ ସହିତ ମିଳନ କରାଇ ପ୍ରଜନନ ସମ୍ଭାବନା ବଢ଼ାଯାଇଥାଏ। ସେହିପରି ଅନିୟମିତ ଋତୁସ୍ରାବ ଯୋଗୁଁ ଦୁର୍ବଳ ଡିମ୍ବାଣୁ ବା ଡିମ୍ବାଣୁ ସୃଷ୍ଟିରେ ଅସୁବିଧା ଭୋଗୁଥିବା ମହିଳାମାନେ ‘କ୍ଲୋମିଡ୍’ ଓ ‘ଲେଟ୍ରୋଜୋଲ୍’ ପରି ଔଷଧ ବ୍ୟବହାର କରିପାରିବେ।
ଅନ୍ୟ ମହିଳାଙ୍କ ଠାରୁ ଡିମ୍ବାଣୁ ଆଣି ପ୍ରଜନନ କ୍ଷମତା ବଢ଼ାଇବା ବି ସମ୍ଭବ। ଅପରପକ୍ଷେ, ବିଳମ୍ବରେ ଗର୍ଭଧାରଣ କରିବାକୁ ଚାହୁଥିବା ମହିଳାମାନେ ଆଗୁଆ ଭ୍ରୂଣକୁ ବରଫୀକରଣ ମାଧ୍ୟମରେ ସଂରକ୍ଷିତ କରି ରଖିପାରିବେ। ନିଜ ଗର୍ଭାଶୟରେ ଗର୍ଭଧାରଣ ସମ୍ଭବ ନ ହେଲେ ଜେଷ୍ଟେଲ୍ନାଲ୍ ସରୋଗାସି ପ୍ରକ୍ରିୟାରେ ଅନ୍ୟର ଗର୍ଭାଶୟରେ ମଧ୍ୟ ନିଜ ଭ୍ରୂଣକୁ ସ୍ଥାପିତ କରିପାରିବେ। ଯଦିଓ ସନ୍ତୁଳିତ ଆହାର ସାଙ୍ଗକୁ ନିଶା ସେବନଠାରୁ ଦୂରେଇ ରହି ନିୟମିତ ବ୍ୟାୟାମ ସମ୍ବଳିତ ସୁସ୍ଥ ଜୀବନଯାପନ ବଳରେ ଗର୍ଭଧାରଣର ସମ୍ଭାବନା ବଢ଼ିଥାଏ, ତେବେ ଏ ବାବଦରେ ବିଶେଷଜ୍ଞ ଡାକ୍ତରଙ୍କ କୁଶଳୀ ପରାମର୍ଶ ହିଁ ଗର୍ଭଧାରଣର ସଫଳତା ହାର ବଢ଼ାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/05/et7hw4czgx8StLnKUghJ.jpg)